ଅଭିନେତ୍ରୀଙ୍କ ନାଁରେ ଏଫ୍‌ଆଇଆର୍

ମୁମ୍ବାଇ: ମାନିଲେନି ନିୟମ। ଖୁଲମଖୁଲା ବାହାରେ ବୁଲିଲେ। ଏଭଳି ମନମାନି ଜଣେ ଟେଲିଭିଜନ ଏବଂ ବଲିଉଡ ଅଭିନେତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ମହାମାରୀ କରୋନା ନିୟମ ଭାଙ୍ଗି ବାହାରେ ବୁଲୁଥିବା ଅଭିନେତ୍ରୀ ଗୌହର ଖାନ୍‌ଙ୍କ ନାଁରେ ମାମଲା ରୁଜୁ ହୋଇଛି। ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମ୍‌ସି) ତାଙ୍କ ନାଁରେ ଏଫ୍‌ଆଇଆର୍ ରୁଜୁ କରିଛି।  ବିଏମ୍‌ସିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏହି ସୂଚନା ମିଳିଛି।

ଅଭିଯୋଗ ଅନୁଯାୟୀ, ମୁତାବକ ସେ କରୋନା ପଜିଟିଭ ହେବା ସତ୍ତ୍ୱେ ଖୋଲାଖୋଲି ଭାବେ ବାହାରୁ ବୁଲୁଛନ୍ତି। ସେ କରୋନା ନିୟମ ପାଳନ ନ କରି ଫିଲ୍ମ ଶୁଟିଂ କରୁଛନ୍ତି। ଯେତେବେଳେ ବିଏମ୍‌ସି ଅଧିକାରୀ ଗୌହରଙ୍କ ଘରକୁ ଯାଞ୍ଚ ପାଇଁ ଯାଇଥିଲେ ସେତେବେଳେ ସେ ଘରେ ନଥିଲେ। କରୋନାରେ ସଂକ୍ରମିତ ହେବା ପରେ ବି ଅଭିନେତ୍ରୀ ଜଣଙ୍କ ଘରେ କ୍ୱାରେଣ୍ଟାଇନ୍‌ରେ ନ ରହି ବାହାରେ ବୁଲୁଥିବା ବିଏମ୍‌ସି ଅଭିଯୋଗ କରିଛି।

ସୂଚନାଯୋଗ୍ୟ, ବିଏମ୍‌ସି କରିଥିବା ଟୁଇଟ୍‌ରେ ଏଫ୍‌ଆଇଆର୍‌ର ଏକ କପି ମଧ୍ୟ ଶେଆର ହୋଇଛି। ଏଥିରେ ଅଭିନେତ୍ରୀଙ୍କ ନାଁକୁ ଲୁଚାଇ ଦିଆଯାଇଛି। ଏଥିରୁ ବିଏମ୍‌ସି ଅଭିନେତ୍ରୀଙ୍କ ନାଁକୁ ସାର୍ବଜନୀନ କରିବା ପାଇଁ ଚାହୁଁ ନଥିବା ଜଣାପଡିଛି।

ଅନ୍ୟପକ୍ଷରେ ଏହି ମମଲା ନେଇ ମୁମ୍ବାଇ ପୁଲିସର ମୁଖପାତ୍ର କହିଛନ୍ତି, ଅଭିନେତ୍ରୀ ଗୌହର ଖାନଙ୍କ ବିରୋଧରେ ଓଶିୱାର ପୁଲିସ ଷ୍ଟେସନରେ ୧୮୮, ୨୬୯, ୨୭୦ ଆଇପିସି ଧାରା ଅନୁଯାୟୀ ଏଫଆଇଆର ପଞ୍ଜିକୃତ ହୋଇଛି। ଗୌହର ଖାନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ସେ ନିୟମ ଉଲ୍ଲଂଘନ କରିବା ସହ  ଘରେ ରହିବେ ପରିବର୍ତ୍ତେ ଫିଲ୍ମ ଶୁଟିଂ କରୁଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଗୌହରଙ୍କ ବାପା ଜଫର ଅହମ୍ମଦ ଖାନଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବାପାଙ୍କ ଦେହାନ୍ତ ପରେ ଗୌହର ଖୁବ୍ ଭାଙ୍ଗି ପଡ଼ିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।