କାହିଁକି ‘ଧଡକ୍‌’ର ଟ୍ରେଲର ପାର୍ଟିକୁ ଆସି ନଥିଲେ ସାହିଦ୍‌?

ମୁମ୍ବାଇ: ଗତ ସୋମବାର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଧଡ଼କ’ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ସାହିଦ୍‌ କପୁରଙ୍କ ଭାଇ  ଈଶାନ୍‌ ଖଟ୍ଟର ଓ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଅଭିନୟ କରିଛନ୍ତି। ଈଶାନ୍‌ଙ୍କର ବଲିଉଡ୍‌ରେ ଏହା ଦ୍ୱିତୀୟ ଫିଲ୍ମ। ଏହି ଫିଲ୍ମ ଜରିଆରେ କରଣ ଜୋହର ଜାହ୍ନବୀଙ୍କୁ ଲଞ୍ଚ୍‌ କରିଛନ୍ତି। ଫିଲ୍ମ ଟ୍ରେଲର ରିଲିଜ୍‌ ଅବସରରେ ଜାହ୍ନବୀଙ୍କୁ ସପୋର୍ଟ କରିବା ପାଇଁ ପୂରା କପୁର ଖାନ୍‌ନ୍ଦାନ୍‌ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ  ବାପା ବୋନି କପୁର, ଦାଦା ଅନୀଲ କପୁର ଓ ସଞ୍ଜୟ କପୁର, ଭାଇ ଭଉଣୀ ସନାୟା, ଜହାନ୍‌ ଓ ହର୍ଷବର୍ଦ୍ଧନ ସାମିଲ୍‌ ଥିଲେ।

ତେବେ ସେଠାରେ ଯଦି କାହାକୁ ମିସ୍‌ କରାଯାଉଥିଲା ସେ ହେଉଛନ୍ତି ଈଶାନ୍‌ଙ୍କ ଭାଇ ସାହିଦ୍‌ କପୁର। ସମସ୍ତେ ସେଠାରେ ପହଞ୍ଚିଥିଲେ ବି ସେ ପହଞ୍ଚି ନଥିଲେ।

ସାହିଦ୍‌ ସବୁବେଳେ ଈଶାନ୍‌ଙ୍କ ଟ୍ୟାଲେଣ୍ଟ  ଓ କଠିନ ପରିଶ୍ରମ ବିଷୟରେ କହନ୍ତି। ଗଣମାଧ୍ୟମ ସମ୍ମୁଖରେ ସେ ଈଶାନ୍‌ଙ୍କ ପ୍ରଶଂସା  କରିବାକୁ କୁଣ୍ଠାବତ କରନ୍ତି ନାହିଁ। କିନ୍ତୁ ଈଶାନ୍‌ଙ୍କ ଏଭଳି ଖୁସି ସମୟରେ ସେ କାହିଁକି ସାମିଲ୍‌ ହେଲେ ନାହିଁ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚୟ! ତା’ହେଲେ ଏବେ ଆସନ୍ତୁ ଜାଣିବା ସାହିଦ୍‌ କାହିଁକି ଆସି ନଥିଲେ।

କଥା ହେଉଛି ସେ ଏବେ ତାଙ୍କ ଆଗାମୀ ଫିଲ୍ମ ‘ବତୀ ଗୁଲମିଟର ଚାଲୁ’ର ସୁଟିଂରେ  ବ୍ୟସ୍ତ ଅଛନ୍ତି। ରିପୋର୍ଟ ମୁତାବକ ସେ ‘ଧଡକ୍‌’ର ରିଲିଜ୍‌ ଉତ୍ସବରେ ଯୋଗ ଦେବାକୁ ଚାହୁଁଥିଲେ।। କିନ୍ତୁ ଟିମ୍‌ର ସିଡ୍ୟୁଲ୍‌ ଖୁବ୍‌ ଟାଇଟ୍‌ ଥିଲା। ଟିମ୍‌ ସୁଟିଂ ଖୁବ୍‌ ଶୀଘ୍ର ଶେଷ କରିବାକୁ ଚାହୁଁଥିବାରୁ ସେ ସେଠାକୁ ଯାଇ ପାରି ନଥିଲେ।