ଓଡ଼ିଶାରେ ଦୁର୍ବଳ ହେଉଛି ଗଣତାନ୍ତ୍ରିକ ଅନୁଷ୍ଠାନ

ରବି ଦାସ

ନିକଟରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ ସମେତ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ନୂଆ ହାରରେ ହୋଲ୍‌ଡିଂ ଟିକସ ବା ପ୍ରପର୍ଟି ଟ୍ୟାକ୍ସ ଯେପରି ଧାର୍ଯ୍ୟ କରାଯାଇଛି ସେଥିରେ ସାଧାରଣ ଲୋକ ଅତିବ୍ୟସ୍ତ ହୋଇ ଅସନ୍ତୋଷ ପ୍ରକାଶ କରିବା ଓ ବିରୋଧୀ ଦଳମାନେ ଏହାକୁ ନେଇ ଆନ୍ଦୋଳନ କରିବା ପରେ ଏ ସଂକ୍ରାନ୍ତରେ ହାଇକୋର୍ଟ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ରାୟକୁ କାର୍ଯ୍ୟକାରୀ କରିବା ଓ ବର୍ଦ୍ଧିତ ଟିକସ ଅସୁଲ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତି ନେବା ପରେ ଜନଅସନ୍ତୋଷ କମିଥିଲେ ମଧ୍ୟ ଅସଲ ସମସ୍ୟାଟି ଦୂର ହୋଇନାହିଁ। ହାଇକୋର୍ଟଙ୍କର ଚୂଡ଼ାନ୍ତ ରାୟ ଉପରେ ଅଧିକାଂଶ ଭୁବନେଶ୍ୱରବାସୀ ଓ ବିଶେଷ ଭାବରେ ସରକାର ନିର୍ଭର କରୁଥିଲେ ମଧ୍ୟ ଏକ ସହରାଞ୍ଚଳରେ ନାଗରିକମାନଙ୍କୁ ପ୍ରତିନିଧିତ୍ୱ କରିବାକୁ ଗତ ଦୁଇବର୍ଷ ହେଲା ରାଜ୍ୟରେ ପ୍ରତିନିଧି ସଭା ନଥିବା ବିଷୟ ଏହି ହାଇକୋର୍ଟ ରାୟ ମାଧ୍ୟମରେ ପ୍ରତିଫଳିତ ହେବ ବୋଲି ଆଶା କରାଯାଇପାରୁନି। ଦୀର୍ଘ ଦୁଇବର୍ଷ ଧରି ରାଜ୍ୟର ପୌରପରିଷଦ ଓ ମହାନଗର ନିଗମଗୁଡ଼ିକରେ ନିର୍ବାଚିତ ପ୍ରତିନିଧି ନାହାନ୍ତି ଓ ଅଫିସରମାନେ ଶାସନ କାର୍ଯ୍ୟ ଚଳାଇଛନ୍ତି। ଏପରି ଅବସ୍ଥାରେ ଗୋଟିଏ ପୌରପରିଷଦର କାର୍ଯ୍ୟ ଓ ବିଭିନ୍ନ ସେବା ପାଇଁ ଆବଶ୍ୟକ ଅର୍ଥ ନିମନ୍ତେ ବିଭିନ୍ନ ପ୍ରକାର ଟିକସ କେତେ ଆବଶ୍ୟକ ଓ ଜନସାଧାରଣ ଏହି ଟିକସ ଦେବା ପାଇଁ କେତେଦୂର ସମର୍ଥ ତାହାର ଆଲୋଚନା ନିମନ୍ତେ ପୌର ପରିଷଦଗୁଡ଼ିକରେ ବା ମହାନଗର ନିଗମ ଗୁଡ଼ିକରେ ଲୋକପ୍ରତିନିଧି ନାହାନ୍ତି। ହୋଲ୍ଡିଂ ଟିକସ ବା ପ୍ରପର୍ଟି ଟିକସ ଯେକୌଣସି ପୌରସଂସ୍ଥାର ବା ମହାନଗର ନିଗମର ଏକ ମୂଳ ରାଜସ୍ୱ। ପୌରାଞ୍ଚଳରେ ଘର କରିଥିବା ବା ବ୍ୟବସାୟ କରୁଥିବା ପ୍ରତ୍ୟେକ ପରିବାର ଏହି ଟିକସ ଦେବାକୁ କେବେବି ଅନାଗ୍ରହ ପ୍ରକାଶ କରିବେ ନାହିଁ। କାରଣ ଏହି ଟିକସ ଜରିଆରେ ସେମାନଙ୍କର ସଂପୃକ୍ତ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ମାଲିକାନା ସ୍ୱତ୍ତ୍ୱ ଦୃଢ଼ୀଭୂତ ହୁଏ। କିନ୍ତୁ ଏଥର ପୂର୍ବ ବ୍ୟବସ୍ଥାକୁ ବଦଳାଇ ପ୍ରତ୍ୟେକ ଅଂଚଳର ଜମିର ମୂଲ୍ୟ ଅନୁସାରେ ବା ସମ୍ପତ୍ତି ମୂଲ୍ୟ ଜରିଆରେ ଯେପରି ହୋଲ୍ଡିଂ ଟିକସ ଧାର୍ଯ୍ୟ କରାଯାଇଛି ତାହା ସାଧାରଣ ପରିବାରଗୁଡ଼ିକୁ ବହୁ ପରିମାଣରେ ବାଧିବ।

ଏହା ନିଶ୍ଚିତ ଯେ, ଜମିର ମୂଲ୍ୟ ଭୁବନେଶ୍ୱରରେ ଅତ୍ୟଧିକ ଭାବରେ ବଢ଼ିଯାଇଥିବାରୁ ଓ ବିଭିନ୍ନ ଅଂଚଳରେ ଜମିର ଭିନ୍ନ ଭିନ୍ନ ଦର ହୋଇଥିବାରୁ ସେହି ଅନୁସାରେ ହୋଲ୍ଡିଂ ଟିକସ ବର୍ତ୍ତମାନର ମୂଲ୍ୟ ଅନୁସାରେ ଧାର୍ଯ୍ୟ କରିବା ସମୟରେ ଏହା ଉପରେ ଟିକିନିକି ଆଲୋଚନାର ଆବଶ୍ୟକତା ରହିଛି। କାରଣ ଯେଉଁ ପରିବାର ପଚାଶ ବର୍ଷ ତଳେ ଘରଟିଏ ନିର୍ମାଣ କରିଥିଲେ ଓ ସେ ସମୟରେ ଜମିର ଯାହା ମୂଲ୍ୟ ଥିଲା ତାହା ଏବେ ପ୍ରାୟ ୫୦ରୁ ୧୦୦ ଗୁଣ ବୃଦ୍ଧିପାଇଛି। କିନ୍ତୁ ଯିଏ ସେହି ଘରେ ରହୁଛି ବା କୌଣସି ବ୍ୟବସାୟିକ କାର୍ଯ୍ୟ ସେଠାରେ କରୁନାହିଁ ତାହା ଉପରେ ହୋଲ୍ଡିଂ ଟିକସ ୧୦୦ ଗୁଣ ବଢ଼ିଗଲେ ସେ ଏହାକୁ କିପରି ଗ୍ରହଣ କରିବ? ଯେଉଁସବୁ ସରକାରୀ ପ୍ରତିଷ୍ଠାନ ଅଛି ଓ ଶିକ୍ଷାନୁଷ୍ଠାନ ସବୁ ରହିଛି ସେଗୁଡ଼ିକର ହୋଲ୍ଡିଂ ଟିକସ କେଉଁ ନିୟମ ଆଧାରରେ ହେବ ତାହା ମଧ୍ୟ ଠିକ୍ ଭାବେ ଚୂଡ଼ାନ୍ତ ହେବା ଦରକାର। ଏହିସବୁ କାର୍ଯ୍ୟ ମହାନଗର ନିଗମ ଓ ପୌରସଂସ୍ଥା ଚଳାଉଥିବା ଅଫିସରମାନେ ଧାର୍ଯ୍ୟ କରିବେ ନା ଲୋକପ୍ରତିନିଧିମାନେ ଏହାକୁ ଧାର୍ଯ୍ୟ କରିବେ ତାହା ପ୍ରଥମେ ସ୍ଥିରୀକୃତ ହେବା ଦରକାର। ଲୋକମାନଙ୍କର ପ୍ରକୃତ ସମସ୍ୟାକୁ ବା ଅବସ୍ଥାକୁ ଯେଉଁମାନେ ବିଚାର କରିପାରିବେ ନାହିଁ ସେମାନଙ୍କ ଉପରେ ଟିକସ ଧାର୍ଯ୍ୟଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କଦାପି ଦିଆଯାଇପାରିବ ନାହିଁ।

ସମ୍ବିଧାନ ବ୍ୟବସ୍ଥା ଅନୁସାରେ ପ୍ରତି ପାଞ୍ଚବର୍ଷରେ ଥରେ ପୌରାଞ୍ଚଳ ଓ ମହାନଗର ନିଗମର ନିର୍ବାଚନ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ଓଡ଼ିଶାରେ ସଂରକ୍ଷଣ ଜନିତ ସମସ୍ୟା ପାଇଁ ନିର୍ବାଚନକୁ ଏଡ଼ାଇ ଦିଆଯାଇ ଅଫିସରମାନଙ୍କ ହାତରେ ପୌରସଂସ୍ଥାଗୁଡ଼ିକୁ ଛାଡ଼ି ଦିଆଯାଇଛି। ନିକଟରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜ୍ୟ ନିର୍ବାଚନ କମିଶନର ଏହିସବୁ ନିର୍ବାଚନ ନିରପେକ୍ଷତାର ସହିତ ସମୟ ଅନୁସାରେ କରିବା ପାଇଁ ହକ୍‌ଦାର। ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନ ଭାବରେ ସରକାରୀ କଳରୁ ମୁକ୍ତ ନିରପେକ୍ଷ ଲୋକମାନଙ୍କୁ ନିଯୁକ୍ତି ଦିଆଯିବା ଉଚିତ। ଏହି କମିଶନରମାନେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ଓ ସଂରକ୍ଷଣ ଆଦି ପ୍ରସଙ୍ଗରେ ସ୍ୱାଧୀନ ଭାବରେ ନିଷ୍ପତ୍ତି ନେବା ପାଇଁ ସଂପୂର୍ଣ୍ଣ ହକଦାର। ରାଜ୍ୟ ସରକାରଙ୍କର ନୀତି ଓ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ନିର୍ବାଚନ କମିଶନଗୁଡ଼ିକ କାର୍ଯ୍ୟ କରିବା ଉଚିତ ନୁହେଁ। ସେମାନେ ସାମ୍ବିଧାନିକ ଧାରା ଓ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ଉଚିତ। ଓଡ଼ିଶାରେ ଏହି ବିଷୟ ଉପରେ ସ୍ପଷ୍ଟ ଆଭିମୁଖ୍ୟ ଥିଲେ ରାଜ୍ୟ ନିର୍ବାଚନ କମିଶନର ଠିକଣା ସମୟରେ ନିର୍ବାଚନ କରାଇଥାନ୍ତେ ଓ ନିର୍ବାଚିତ ପୌରପାଳିକା ଥିଲେ ହୋଲ୍ଡିଂ ଟିକସ ବୃଦ୍ଧି ନେଇ ଏବେ ଯେଉଁ ଅସନ୍ତୋଷ ଦେଖାଦେଇଛି ତାହା ନିର୍ବାଚିତ ପ୍ରତିନିଧି ସଭାରେ ସମାଧାନ ହୋଇଥାନ୍ତା। ଓଡ଼ିଶାରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିବାର ଯେଉଁ ପ୍ରକ୍ରିୟା ଚାଲିଛି ବର୍ତ୍ତମାନର ପୌରପରିଷଦଗୁଡ଼ିକର ପରିଚାଳନା ତାହାର ଏକ ଜ୍ୱଳନ୍ତ ନମୁନା।

ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନରେ ଗତ ପାଞ୍ଚ ଦିନ ହେଲା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବିକରି ସରକାରୀ ଦଳ ବିଧାନସଭା କରାଇଦେଉନାହାନ୍ତି। ସଂପୃକ୍ତ ବିଧାୟକ ଚାଷୀମାନଙ୍କର ଧାନ ବିକ୍ରି ସରକାରୀ ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟକାରୀ ହୋଇନଥିବାରୁ ଚାଷୀମାନେ ଘୋର ଦୁର୍ଦ୍ଦଶାରେ ରହୁଥିବା ଓ ସେ ବିଭିନ୍ନ ମହଲରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଉଲ୍ଲେଖ କରି ବିଧାନସଭା ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲେ। ବିଧାନସଭା ବାହାରେ କେହି ଆତ୍ମହତ୍ୟା ଉଦ୍ୟମ କଲେ ଭାରତୀୟ ପିଙ୍ଗଳ କୋଡ଼୍‌ ବ୍ୟବସ୍ଥାରେ ତାଙ୍କ ବିରୋଧରେ ପୋଲିସ ମାମଲା ଦାୟର କରିପାରିବ। ବାସ୍ତବିକ ବିଧାନସଭା ସମ୍ମୁଖରେ କେତେକ ଘଟଣାରେ ବିକ୍ଷୋଭକାରୀ ଲୋକ ଆତ୍ମହତ୍ୟା ଉଦ୍ୟମ କରିବା ଯୋଗୁ ବିଧାନସଭା ସମ୍ମୁଖ ରାସ୍ତାକୁ ପୂରାପୂରି ଭାବରେ ବନ୍ଦ କରିଦିଆଯାଇଛି। ଏଣୁ ବିଧାନସଭା ଭିତରେ ଜଣେ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିବା କଦାପି ଯୁକ୍ତିସଂଗତ ବା ନ୍ୟାୟସଂଗତ ନୁହେଁ। କିନ୍ତୁ ଏଥିପାଇଁ ସେ କ୍ଷମା ମାଗିବେ ନା ନାହିଁ ତାହା ତାଙ୍କ ଉପରେ ନିର୍ଭର କରୁଛି। ବାଚସ୍ପତି ପରୋକ୍ଷରେ ଏଥିପାଇଁ କହିବା ସତ୍ୱେ ସେ କ୍ଷମା ମାଗିବେ ନାହିଁ ବୋଲି କହିସାରିଛନ୍ତି। କିନ୍ତୁ ଏହାକୁ ଆଳ କରି ବିଧାନସଭାର ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନକୁ ସରକାରୀ ଦଳର ସଦସ୍ୟମାନେ କରାଇନଦେବା ଦ୍ୱାରା ଗଣତନ୍ତ୍ରର ଏକ ମୁଖ୍ୟ ଅନୁଷ୍ଠାନ ଅକାମି ହୋଇଯାଉଛି। ଲୋକମାନଙ୍କର ବହୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରୁନି। ଏହା ଏକ ବଜେଟ୍ ଅଧିବେଶନ ଥିବାରୁ କାର୍ଯ୍ୟଦିବସ ଗୁଡ଼ିକ ନଷ୍ଟ ହୋଇଯିବା ଫଳରେ ବିଭିନ୍ନ ବିଭାଗ ଉପରେ ବିଧାୟକମାନଙ୍କର ଆଲୋଚନା ପାଇଁ ଆଉ ସମୟ ମିଳିବ ନାହିଁ। ସରକାରୀ କାର୍ଯ୍ୟକଳାପକୁ ତଦାରଖ କରିବା ଦାୟିତ୍ୱ ବିଧାନସଭାର। ବଜେଟ୍ ଅଧିବେଶନ ଏଥିପାଇଁ ଏକ ବଡ଼ ସୁଯୋଗ। କିନ୍ତୁ ଜଣେ ବିରୋଧୀ ଦଳ ସଦସ୍ୟ ଗୃହ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରି ସରକାରୀ ଦଳ ସଦସ୍ୟମାନେ ଗୃହକାର୍ଯ୍ୟ କରାଇ ନଦେବା ଏକ ଅଗଣତାନ୍ତ୍ରିକ ମନୋଭାବ। କାରଣ ଗୃହକାର୍ଯ୍ୟ ଚଳାଇରଖିବା ସରକାରୀ ଦଳର ମୁଖ୍ୟ ଦାୟିତ୍ୱ। ବାଚସ୍ପତିଙ୍କର ଗୃହକାର୍ଯ୍ୟ ଚଳାଇବାରେ ଏକ ପ୍ରମୁଖ ଭୂମିକା ରହିଛି। ଜଣେ ବିରୋଧୀ ସଦସ୍ୟ କ୍ଷମା ମାଗନ୍ତୁ ବୋଲି ଜବରଦସ୍ତ ଦାବିକରି ଗୃହକାର୍ଯ୍ୟ ଅଚଳ ହେବାକୁ ବାଚସ୍ପତି ସୁଯୋଗ ଦେବା ଉଚିତ ନୁହେଁ। ବାଚସ୍ପତି ଇଙ୍ଗିତ ଦେଳେ ସରକାରୀ ଦଳ ସଂପୃକ୍ତ ବିରୋଧୀ ବିଧାୟକଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଗ୍ରହଣ କରିପାରିବେ। ଯେଉଁଥିରେ ସାରା ରାଜ୍ୟକୁ ବାର୍ତ୍ତାଯିବ ଯେ ଆତ୍ମହତ୍ୟା ଉଦ୍ୟମ କେବେବି ଏକ ଗ୍ରହଣୀୟ କାର୍ଯ୍ୟ ନୁହେଁ। କିନ୍ତୁ ତାହା ନକରି ସଂପୃକ୍ତ ସଦସ୍ୟ କ୍ଷମାମାଗନ୍ତୁ ବୋଲି ସରକାରୀ ଦଳ ଦାବିକରି ବିଧାନସଭା କରାଇନଦେବା ଅର୍ଥ ହେଉଛି ଯେ ସରକାରଙ୍କ କାର୍ଯ୍ୟକଳାପ ଉପରେ ବିଧାନସଭା ସମୀକ୍ଷା ନକରୁ ବା ତାହା ଉପରେ ଆଲୋଚନା ନହେଉ ବୋଲି ସରକାରୀ ଦଳ ଚାହୁଁଛନ୍ତି। ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସରକାରୀ ଦଳର ଓ ବିଧାନସଭାର ନେତା ହୋଇଥିବାରୁ ସେ ନିଜ ଦଳର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟ ଚାଲୁରଖିବା ପାଇଁ ନିର୍ଦ୍ଦେଶ ବା ପରାମର୍ଶ ଦେବାକଥା। କିନ୍ତୁ ତାହା ସେ ନକରି ଗୃହକାର୍ଯ୍ୟ ଅଚଳାବସ୍ଥାକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ବୋଲି ଅନୁମାନ କରାଯାଉଛି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।