ନେତାଙ୍କ ଭୋଜନ ପରେ ଦଳିତଙ୍କ ଦୁଃଖ ଦୂର ହୁଏ କି?

  • ରୁଦ୍ର ପ୍ରସନ୍ନ ରଥ

ଆମ ଦେଶରେ ନିର୍ବାଚନ ଥାଉ ବା ନଥାଉ, ଦେଶର ନେତାମାନେ ସୁଯୋଗ ପାଇଲା ମାତ୍ରେ ନିଜର ପ୍ରଚାର କିମ୍ବା ପ୍ରସାର କରିବାକୁ ଆଦୌ କୁଣ୍ଠା ବୋଧ କରନ୍ତି ନାହିଁ। ଆଉ ଯଦି ସାମନାରେ କ୍ୟାମେରା ଥାଏ ତେବେ ଅନେକ ସମୟରେ ତ ଚର୍ଚ୍ଚାରେ ରହିବା ପାଇଁ ହିଁ ସୁଯୋଗ ସୃଷ୍ଟି କରାଯାଏ। ଏଇ କିଛି ବର୍ଷ ଧରି ରାଜନେତାମାନେ ଚର୍ଚ୍ଚାରେ ରହିବା ପାଇଁ ଯେଉଁ ସହଜିଆ ଅଥଚ ଘୃଣ୍ୟ ପ୍ରଥାକୁ ଆଦରି ନେଇଛନ୍ତି ତାହା ହେଉଛି ଦଳିତଙ୍କ ଘରେ ଭୋଜନ କରିବା। ଅନେକ ଜାତୀୟ ସ୍ତରର ନେତା ଏବଂ ସେମାନଙ୍କର କର୍ମୀମାନେ କ୍ଷେତ୍ର ପରିଦର୍ଶନ ସମୟରେ ହେଉ କିମ୍ବା କର୍ମୀ ସମ୍ମିଳନୀ ସମୟରେ ହେଉ ନିଜର ଦଳ ବଳ ନେଇ ସେହି ଆଖପାଖ ଗାଁରେ ଥିବା କୌଣସି ଦଳିତ ଘରେ ପଙ୍ଗତ ପକାଇ ଭୋଜନ କରିବାର ଦେଖାଯାଉଛି। କେବଳ ସେତିକି ନୁହେଁ ବରଂ ଏହି (ବିରଳ ଏବଂ ମହାଜାଗତିକ!) ଦୃଶ୍ୟରାଜି ଅନେକ ସମୟରେ ଟେଲିଭିଜନ ପରଦାରେ ସିଧାସଳଖ ପ୍ରସାରିତ ହେଉଛି ତ ଆଉ କେଉଁଠି ଏ ସଂପର୍କୀତ ଖବର ତା ପରଦିନ ଛପା ଗଣମାଧ୍ୟମର ଶୀର୍ଷକ ମଣ୍ଡନ କରୁଛି।

ଦଳିତଙ୍କ ଘରେ ଭୋଜନ କରିବାର ଏହି ଦୃଶ୍ୟ ସବୁକୁ ନେଇ ପ୍ରତୀକାତ୍ମକ ରାଜନୀତି କରିବାର ଇତିହାସ ବେଶ୍ ପୁରୁଣା। ଭାରତୀୟ ସମାଜ ବ୍ୟବସ୍ଥାରେ ଦଳିତମାନେ ଅସ୍ପୃଶ୍ୟ ବୋଲି ବିବେଚିତ ହୁଅନ୍ତି। ଏଣୁ ସେମାନଙ୍କଠାରୁ ଖାଦ୍ୟପାନୀୟ ଗ୍ରହଣ କରିବାକୁ ଉଚ୍ଚ ଜାତିର ଲୋକମାନେ ରାଜି ହୁଅନ୍ତି ନାହିଁ। ଏପରି କଲେ ଜାତି ଚାଲିଯିବ ବୋଲି ବିଶ୍ୱାସ ଅଛି। ମୋଟ୍ ଉପରେ ଆମ ସାମାଜିକ ବିଧି ବ୍ୟବସ୍ଥା ଦଳିତ ଅନୁକୂଳ ନୁହେଁ। ଏ ବ୍ୟବସ୍ଥା ସେମାନଙ୍କ ପାଇଁ ଏତେ କଷ୍ଟକର ଯେ ଅନେକ ସମୟରେ ସେମାନଙ୍କ ଖାଦ୍ୟାଭ୍ୟାସ ଏବଂ ବ୍ୟବସାୟ ବାଣିଜ୍ୟ ଉପରେ ମଧ୍ୟ ପ୍ରତବନ୍ଧକ ଥାଏ।  କହିବାରେ ଦ୍ୱିଧା ନାହିଁ ଯେ ସେମାନଙ୍କ ପାଇଁ ଏହି ବାଛବିଚାର ସବୁ ସମାଜର ଉଚ୍ଚ ବର୍ଗର ଲୋକ ନିଜ ସୁବିଧା ପାଇଁ ଲାଗୁ କରିଥାନ୍ତି। ଏହି ନୀତିନିୟମ ପାଳନ କରିବାରେ ଦଳିତମାନେ ସାମାନ୍ୟ ଅବହେଳା ପ୍ରଦର୍ଶନ କଲେ ସେମାନଙ୍କୁ କଠିନରୁ କଠିନତମ ଦଣ୍ଡ ମିଳିବାର ଅନେକ ନଜୀର ମଧ୍ୟ ରହିଛି। ଦଳିତମାନଙ୍କ ସମାଜର ମୁଖ୍ୟ ସ୍ରୋତକୁ ଆଣିବାର ଅନେକ ପ୍ରଚେଷ୍ଟା ଏବଂ ନୀତି ନିୟମ କରାଯାଇଥିଲେ ବି ଅବସ୍ଥାରେ ବିଶେଷ କିଛି ପରିବର୍ତ୍ତନ ଆସି ନାହିଁ ବୋଲି କୁହାଯାଇ ପାରିବ। ଏହାର କାରଣ ହେଉଛି ଏହି ପ୍ରଚେଷ୍ଟା ଏବଂ ନିୟମ ସବୁ ପ୍ରାୟତଃ ଲୋକ ଦେଖାଣିଆ। ଯେମିତି ଏହି ଦଳିତଙ୍କ ଘରେ ରାଜନେତାମାନେ ଭୋଜନ କରିବା।

ପ୍ରାୟତଃ ସବୁ ଦଳ ନିର୍ବାଚନ ସମୟରେ ବା ଠିକ୍ ତାହା ପୂର୍ବରୁ ଏହି କୌଶଳଟି ଧରି ଭୋଟ ବ୍ୟାଙ୍କ ରାଜନୀତିର ନିଆଁରେ ଘିଅ ଢାଳିବାକୁ ଚେଷ୍ଟା କରନ୍ତି। ଏହି କୌଶଳିଟି ଅନେକ ସମୟରେ ପ୍ରାୟୋଜିତ। ଆଗରୁ ଦଳିତ ପରିବାରର ଲୋକଙ୍କୁ ଖବର ଦେଇଥାନ୍ତି। ସେମାନଙ୍କୁ ଆଗୁଆ ପଇସା ଦେଇ ଖାଦ୍ୟ ରାନ୍ଧିବା ପାଇଁ ବରାଦ ଦିଆଯାଇଥାଏ। ନତୁବା ପାଖରେ ଥିବା କୌଣସି ହୋଟେଲରୁ ଏହି ନେତା ଏବଂ ତାଙ୍କର ଚେଲାଚାମୁଣ୍ଡାମାନଙ୍କ ପାଇଁ ଖାଦ୍ୟ ଆସିଥାଏ। ଆସନ କିମ୍ବା ସପ ପକେଇ ତଳେ ବସି ହୋଟେଲରୁ ଆସିଥିବା ଖାଇବାକୁ ଉଦରସ୍ତ କଲାବେଳେ ନେତାଜଣଙ୍କ ଅନ୍ୟମାନଙ୍କୁ ଦୟା କଲା ପରି ଅନୁଭବ ହୋଇଥାଏ। ସତେ ଯେପରି ନେତାଜଣଙ୍କ ସେଠି ପତର ପକାଇ ନଥିଲେ ବୋଧହୁଏ ଏଦେଶରେ ଜମାରୁ ସୂର୍ଯ୍ୟୋଦୟ ହୋଇନଥାନ୍ତା!

ଏ ପ୍ରତୀକାତ୍ମକ ରାଜନୈତିକ ଷ୍ଟଣ୍ଟବାଜିରେ ରାଜନୀତିର କ’ଣ ଲାଭହୁଏ ତାହା ହୁଏତ ନେତା ଜଣଙ୍କ ଜାଣିଥିବେ। ତେବେ ଏ ସମଗ୍ର ପ୍ରକ୍ରିୟାରେ ଜଣେ ରିମୋଟ ଚାଳିତ ବ୍ୟକ୍ତିବିଶେଷ ଭାବେ ଯୋଗ ଦେଇଥିବା ସେ ଦଳିତର କିନ୍ତୁ ବିଶେଷ ଲାଭ ହୁଏ ନାହିଁ। ନା ଏଥିରେ ସେ ବ୍ୟକ୍ତିର ରାଜନୈତକ ଭବିଷ୍ୟତର ଉନ୍ନତି ହୁଏ ନା ତାର ସମାଜରେ ପ୍ରତିଷ୍ଠା ବଢ଼େ! ଆର୍ଥିକ ବ୍ୟବସ୍ଥା କଥା ତ ନ କହିବା ଭଲ। ବରଂ ଅନେକ ସମୟରେ ନେତାଙ୍କୁ ଖାଇବାକୁ ଦେଇଥିବା ଏହି ବ୍ୟକ୍ତିଜଣଙ୍କ ବିନା କାରଣରେ ରାଜନୈତିକ ଆକ୍ରୋଶର ଶିକାର ହୁଏ। ଏପରି ସ୍ଥିତିରେ ବ୍ୟକ୍ତି ଜଣଙ୍କ ମହରଗରୁ ଯାଇ କାନ୍ତାରରେ ପଡ଼େ। ଏପରି ଉଦାହରଣ ସଂଖ୍ୟା ମଧ୍ୟ ବେଶ୍ ଅଧିକ। ଅଥଚ ସବୁଦଳ ଏହି ଦଳିତଙ୍କ ଘରେ ଖାଦ୍ୟ ଖାଇବାର କୌଶଳ ଆପଣାଇ ନିଜର ଭୋଟ୍ ବ୍ୟାଙ୍କକୁ ସୁଦୃଢ଼ କରିବାରେ ବ୍ୟସ୍ତ। ଏ ବ୍ୟବସ୍ଥା କେବେଠୁ ଆରମ୍ଭ ହେଲା କେହି କହିପାରିବ ନାହିଁ, କିନ୍ତୁ ପ୍ରାୟ ସମସ୍ତେ ଆଜିର ଦିନରେ ଏହି କୌଶଳ ପ୍ରୟୋଗ କରି ରାଜନୈତିକ ପଶାପାଲୀରେ ବିରୋଧୀଙ୍କୁ ହରେଇବାର ବ୍ୟବସ୍ଥା କରୁଛନ୍ତି।

ଭାରତୀୟ ବର୍ଣ୍ଣ ବ୍ୟବସ୍ଥାରେ ଅନେକାଂଶରେ ଦଳିତମାନେ ବର୍ଣ୍ଣ ବ୍ୟବସ୍ଥା ବାହାରୁ ଆସିଥିବାରୁ ସେମାନଙ୍କୁ ଅସ୍ୱୃଶ୍ୟ ବୋଲି ଧରାଯାଏ। ସେମାନଙ୍କୁ ଛୁଇଁବା ମନା। ଏପରିକି ସେମାନଙ୍କ ଛାଇ ପଡ଼ିଲେ ଜାତି ଚାଲିଯାଏ ବୋଲି କୁହାଯାଏ। ସ୍ୱାଧୀନତା ପୂର୍ବରୁ ଭାରତରେ ଏମାନଙ୍କୁ ଅନେକ ସମୟରେ ଅକଥନୀୟ ନିର୍ଯାତନା ଦିଆଯାଇଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଦେଶ କେବଳ ଯେ ଇଂରେଜମାନଙ୍କ ବିରୋଧରେ ଲଢୁଥିଲା ତାହା ନୁହେଁ ବରଂ ଗାନ୍ଧୀଜୀଙ୍କ ନେତୃତ୍ୱରେ ଛୁଆଁଅଛୁଆଁ ଭେଦଭାବ ବିପକ୍ଷରେ ମଧ୍ୟ ଦେଶ ଗୋଟିଏ ବିରାଟ ଲଢ଼େଇ ଲଢୁଥିଲା। ପରବର୍ତ୍ତୀ ସମୟରେ ଦେଶର ସେହି ଦଳିତ ବର୍ଗରୁ ଅନେକ ନେତା ଏବଂ ଅନୁଷ୍ଠାନ ଆଧୁନିକ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏହା ସତ୍ତ୍ୱେ ଦେଶରେ ଏବେ ବି ଅନେକ ସ୍ଥାନରେ ଜାତିଆଣ ଭେଦଭାବ ବେଶ୍ ଉଗ୍ର ଏବଂ ବ୍ୟାପକ ହୋଇ ରହିଛି। ଏମାନଙ୍କ ଘରେ ପତର ପକାଇ ନେତାମାନେ ଏହି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଦଳ ଭିତରେ ସେମାନଙ୍କର ଗୁରୁତ୍ୱ ରହିଛି। ଏହି ଲୋକ ଦେଖାଣିଆ ଦଳିତଙ୍କ ଘରେ ଖାଇବା ହୁଏତ ରାଜନୈତିକ ଦୃଷ୍ଟିକୋଣରୁ ଠିକ୍ ଲାଗିପାରେ, ଅଧିକ କିଛି ଭୋଟ୍ ନେତାଙ୍କୁ ଝୁଲାମୁଣିକୁ ଆସିପାରେ। କିନ୍ତୁ ଏହା ଦଳିତଙ୍କ ଭାଗ୍ୟ ଆକାଶରେ ବିକାଶର ରବି ଉଦୟ କରିବାରେ ସଂପୂର୍ଣ୍ଣ ରୁପେ ସଫଳ ହୁଏ ନାହିଁ। ଯେହେତୁ ଭାରତୀୟ ରାଜନୀତିରେ ପ୍ରତୀକର ପ୍ରଚାର ଏବଂ ପ୍ରସାର ବହୁତ ଏବଂ ଏହାକୁ ଆମେ ଆମ ଜନଜୀବନରେ ମଧ୍ୟ ବେଶ୍ ଅଧିକ ଗୁରୁତ୍ୱ ଦେଊଛେ ତେଣୁ ଦଳିତ ଗରୀବ ଘରେ ଖାଇବାକୁ ଆମେ ପ୍ରାଧାନ୍ୟ ଦେଉଛେ।

ଦେଶର ଦଳିତମାନଙ୍କର ସଂଖ୍ୟାଧିକ ସମସ୍ୟା ରହିଛି। ଜାତିଭିତ୍ତିକ ଲାଞ୍ଛନା, ଅତ୍ୟାଚାର, ମୁଖ୍ୟ ସ୍ରୋତରେ ସୁଯୋଗର ଅଭାବ, ପାଠ ପଢ଼ା ଏବଂ ବେସରକାରୀ କ୍ଷେତ୍ରରେ ସୀମିତ ସୁବିଧା ଆଦି କାରଣରୁ କାଁ ଭାଁ ଦଳିତଙ୍କୁ ଛାଡ଼ିଦେଲେ ଦଳିତ ସମାଜର ଏକ ମୁଖ୍ୟ ଗୋଷ୍ଠୀ ଏବେ ବି ସମାଜର ମୁଖ୍ୟ ସ୍ରୋତଠାରୁ ଅନେକ ଦୂରରେ। ଏମାନେ ଭୋଗୁଥିବା ଅନେକ ସମସ୍ୟାର କାରଣ ସବୁ ଏତେ ଜଟିଳ ଯେ ତା ପାଇଁ ଭିନ୍ନ ଭିନ୍ନ ଭାବେ ପ୍ରଚେଷ୍ଟା ଲୋଡ଼ା। ଏହାକୁ ଦୂର କରିବା ପାଇଁ ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଏବଂ ଅନୁଷ୍ଠାନ ଗତ ପ୍ରୟାସ ଆରମ୍ଭ ହେବା ଦରକାର। ଦଳିତଙ୍କ ଘରେ ଭୋଜନ କରି ସେମାନଙ୍କ ଭୋଟ ହାତେଇବା ଏକ ରାଜନୈତିକ କଳାବାଜି ଏବଂ ଏହାଦ୍ୱାରା ନା ତୁରନ୍ତ କିଛି ହାସଲ ହେବ ନା ଏହାର ଦୀର୍ଘକାଳୀନ ମହତ୍ୱ କିଛି ରହିଛି। ଏହା କେବଳ ଦଳିତଙ୍କ ସମସ୍ୟାକୁ କିଛି ସମୟ ପାଇଁ ପରଦା ପକାଇ ରଖିପାରିବ ଏବଂ ରାଜନୈତିକ ଦଳମାନେ ଯେ ଦଳିତଙ୍କ ପାଇଁ ଅନୁରକ୍ତ ଅଛନ୍ତି ଏ ଧାରଣା ଦେଇ ପାରିବ। ଏହା ବାଦ୍ ବେଶୀ କିଛି ଏହି ପ୍ରତୀକାତ୍ମକ ବ୍ୟବସ୍ଥା ଦ୍ୱାରା ହାସଲ କରାଯାଇ ପାରିବ ନାହିଁ। ଏଣୁ ରାଜନୈତିକ ନେତାମାନଙ୍କର ଏ ଶଠତାକୁ ଦଳିତ ଏବଂ ସେମାନଙ୍କର ବୋଲକରା ନେତାମାନେ ଯେତେ ଶୀଘ୍ର ବୁଝିବେ ତାହା ସେମାନଙ୍କ ପାଇଁ ତଥା ଭାରତୀୟ ଗଣତନ୍ତ୍ର ପାଇଁ ମଙ୍ଗଳମୟ ହେବ ବୋଲି ଆଶା କରାଯିବା ସ୍ୱଭାବିକ।

ଧବଳଗିରି, ଯାଜପୁର ରୋଡ, ମୋ- ୭୯୭୮୬୭୧୭୭୬

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।