‘କରୋନା’କୁ ଭୟ କରନା

ଅନୁପ୍ ସାହୁ

ବର୍ତ୍ତମାନ ପୃଥିବୀରେ ୧୨୦୦୦୦ ଲୋକ କରୋନା ଭୂତାଣୁରେ ସଂକ୍ରମିତ। ଏହି ୧୨୦୦୦୦ ମଧ୍ୟରୁ ୬୬୦୦୦ ରୋଗୀ ଭଲ ହେଇ ଘରକୁ ଯାଇଥିବା ବେଳେ ୩୪୦୦ ରୋଗୀ ମୃତ୍ୟୁବରଣ କରିଛନ୍ତି। ବାକି ରୋଗୀମାନଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ସୁଦ୍ଧା କରୋନାରେ ସଂକ୍ରମିତ ହେଇଥିବା ୧୦୦ ଭାଗରୁ ମାତ୍ର ୩ରୁ ୪ ଭାଗ ଲୋକ ମୃତ୍ୟୁବରଣ କରୁଥିବା ବେଳେ ୯୬ରୁ ୯୭ ପ୍ରତିଶତ ଭଲ ହେଇ ପାରୁଛନ୍ତି। ମୃତ୍ୟୁବରଣ କରୁଥିବା ଏହି ୩ରୁ ୪ ପ୍ରତିଶତ ବ୍ୟକ୍ତି ମାନଙ୍କ ବୟସ ୫୦ରୁ ଊର୍ଦ୍ଧ। ୫୦ରୁ କମ ବୟସ ବ୍ୟକ୍ତିମାନେ ମୃତ୍ୟୁବରଣ କରିବାର ମାତ୍ରା ୧ ପ୍ରତିଶତରୁ ବି କମ୍। ୫୦ରୁ ବେଶୀ ବୟସ୍କ ବ୍ୟକ୍ତିମାନଙ୍କ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ମୃତ୍ୟୁହାର ଟିକେ ବେଶୀ। ଆପଣଙ୍କ ବୟସ ଯଦି ୫୦ରୁ କମ୍‌, ତେବେ ଆପଣଙ୍କୁ କରୋନା ଭୂତାଣୁ ସଂକ୍ରମିତ ହେଲେ, ଆପଣଙ୍କ ବଞ୍ଚିବାର ସମ୍ଭାବନା ୯୯ ପ୍ରତିଶତ, ଯଦି ବୟସ ୫୦ରୁ ଅଧିକ ତାହେଲେ ବଞ୍ଚିବାର ସମ୍ଭାବନା ୯୭/୯୮ ପ୍ରତିଶତ। ଏଣୁ କରୋନା ହେଲା ମାତ୍ରେ ଆପଣ ମରି ଯିବେ, ଏହି ଭୟର ମାନସିକତାରୁ ବାହାରି ଆସନ୍ତୁ। ଏବେ ଭାରତରେ ପାଖ ପାଖି ୭୦ରୁ ଅଧିକ ନାଗରିକ ଏହି ଭୁତାଣୁରେ ଏବେ ସଂକ୍ରମିତ। ଏମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ହେଇ ନାହିଁ।

କରୋନା ଭୂତାଣୁ ଭୟରେ ଲୋକେ ଆମିଷ ଖାଇବା ଛାଡ଼ି ଦେଲେନି। ଏହି ଭୂତାଣୁ ପଶୁମାନଙ୍କଠୁ ମଣିଷ ମଧ୍ୟକୁ ଆସିଛି ସତ କିନ୍ତୁ ୨୬ ଡ଼ିଗ୍ରୀରୁ ବେଶୀ ତାପମାନରେ ଏହି ଭୂତାଣୁ ବଞ୍ଚି ପାରେ ନାହିଁ। ଚାଇନାରେ ଲୋକେ କଞ୍ଚା ମାଂସ କିମ୍ୱା ଦ୍ୱାରା ସିଝା ମାଂସ ଖାଉଥିବା ହେତୁ ୟେ ଭୂତାଣୁ ମଣିଷ ଦେହକୁ ଆସିଛି। କିନ୍ତୁ ଭାରତୀୟ ରୋଷେଇ ପ୍ରଣାଳୀ ଅନୁସାରେ ଆମେ ମାଂସକୁ ୧୦୦ ଡ଼ିଗ୍ରୀରୁ ବେଶୀ ତାପରେ ପାଖା ପାଖି ଗୋଟିଏ ଘଣ୍ଟା ଉପରେ ରୋଷେଇ କଲା ପରେ ଖିଆ ଯାଏ। କୁକୁଡ଼ା, ଖାସି ଏବଂ ମାଛରେ ଏହି ଭୂତାଣୁ ରହିବାର ସମ୍ଭାବନା ବହୁତ କମ୍। ଯଦି ବି ରହେ ମାଂସରୁ ତରକାରୀ ହେବା ଭିତରେ ଏହି ଭୂତାଣୁର ପୂରା ବଂଶ ବୁଡି ଯାଇ ଥିବ। ଭାରତୀୟମାନଙ୍କ ପରିପକ୍ୱ ରୋଷେଇ ଶୈଳୀ ଯୋଗୁ ଏଠି ରନ୍ଧା ଯାଇଥିବା ମାଂସରୁ କୌଣସି ରୋଗର ସଂକ୍ରମଣ ହୁଏ ନାହିଁ। ଏପରିକି ବାର୍ଡ଼ ଫ୍ଲୁ ହେଇଥିବା କୁକୁଡ଼ାର ମାଂସକୁ ଯଦି ୭୪ ଡ଼ିଗ୍ରୀରୁ ବେଶୀ ତାପମାନରେ ରୋଷେଇ କରି ଖିଆ ଯାଏ, ତାହେଲେ ବାର୍ଡ଼ ଫ୍ଲୁ ହେବାର କୌଣସି ସମ୍ଭାବନା ନ ଥାଏ। କିନ୍ତୁ କଞ୍ଚା ମାଂସଠୁ ସାବଧାନ ରହିବା ନିହାତି ଜରୁରୀ। କଞ୍ଚା ମାଂସ ଛୁଇଁଲା ପରେ, ହାତକୁ ଭଲ ଭାବେ ସାବୁନୁ ରେ ଧୋଇ ପୋଛିବା ଆବଶ୍ୟକ। ଆଗକୁ ଖରା ଦିନ ଆସୁଥିବାରୁ ଭାରତରେ ସାଧାରଣତଃ ତାପମାତ୍ରା ୩୦ ଡ଼ିଗ୍ରୀରୁ ଅଧିକ ରହିବ, ତେଣୁ ଏଥିରେ ଭୂତାଣୁର ବଞ୍ଚିବା ଏବଂ ସଂକ୍ରମଣ ହେବାର ସମ୍ଭାବନା ବହୁତ କମ୍।

କରୋନା ଭୂତାଣୁ ବହୁତ ଜଲଦି ବ୍ୟାପି ଥାଏ କିନ୍ତୁ ମୃତ୍ୟୁ ହାର ବହୁତ କମ, ଅର୍ଥାତ ଏହା ମାରାତ୍ମକ ନୁହେଁ। ସଂକ୍ରମିତ ବ୍ୟକ୍ତିର ଲାଳ, ସିଙ୍ଗାଣି, ଛାପ ଯଦି ଆପଣଙ୍କ ଆଖି, ମୁହଁ, ନାକ ସଂସ୍ପର୍ଶରେ ଆସେ, ତାହେଲେ ଏହା ବ୍ୟାପି ଥାଏ। ଏହି ଭୂତାଣୁ ଶରୀରର ଶ୍ୱାସ ତନ୍ତ୍ର ଅଥବା ଫୁସ୍‌ଫୁସ୍ ଉପରେ ପ୍ରଭାବ ପକାଏ। ଏହି ଭୂତାଣୁ ନୂଆ ହେଇଥିବାରୁ ଏଥିପାଇଁ କୌଣସି ଔଷଧ ନଥିଲେ ମଧ୍ୟ ଶ୍ୱାସରୋଗ ପାଇଁ ଉପଲବ୍ଧ ଚିକିତ୍ସା ମାଧ୍ୟମରେ ରୋଗୀ ମାନେ କିଛି ଦିନରେ ଠିକ୍ ହେଇ ପାରୁଛନ୍ତି। ୨୦୦୯ ରେ ନୂଆ ହେଇ ଆସିଥିବା ସ୍ୱାଇନ ଫ୍ଲୁର ମୃତ୍ୟୁହାର ୧୧ ପ୍ରତିଶତ ଥିବା ବେଳେ ୨୦୦୨ରେ ଆସିଥିବା ସାରସ ଭୂତାଣୁରେ ମୃତ୍ୟୁ ପ୍ରତିଶତ ୬ ପ୍ରତିଶତ ଥିଲା। କିନ୍ତୁ କରୋନାର ମୃତ୍ୟୁହାର ୩ ପ୍ରତିଶତରୁ କମ୍ ହେଇଥିଲେ ମଧ୍ୟ ଆଜି ଯେମିତି ହାହାକାର ମାତିଛି, ସେତେ ବେଳେ ସେମିତି ହାହାକାର ନଥିଲା। ଆଜି କରୋନା ଭୂତାଣୁ ଭୟରେ ରାସ୍ତା ଘାଟ ଶୂନ୍ ଶାନ, ସ୍କୁଲ ବନ୍ଦ, ଶେଆର ବଜାର ଖସି ଚାଲିଛି, ସବୁ ଆଡ଼େ ଭୟର ବାତାବରଣ।

ଆଜିକାଲି ସୋଶାଲ ମିଡ଼ିଆ, ହ୍ୱାଟ୍ସଆପ୍ ଜରିଆରେ ଖବରକୁ ବଢ଼େଇ ଚଢେଇ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରୁଛି। ଆଜି ପର୍ଯ୍ୟନ୍ତ କେବେ ଭାରତରେ ମାସ୍କ କିମ୍ୱା ହାତ ଧୁଆ ସାନିଟାଇଜରର ଅଭାବ ହେଇ ନଥିଲା। ଭାରତକୁ କରୋନା ଭୂତାଣୁ ଆସୁ ଆସୁ ନାଇଁ ନଦେଖୁଣୁ ଲଙ୍ଗଳା ଭଳି ଲୋକମାନେ ମାସ୍କ ଏବଂ ସାନିଟାଇଜର୍ କିଣିବାରେ ଲାଗିଲେ। ରାତି ଅଧରେ ମେଡ଼ିସିନ ଦୋକାନରୁ ମାସ୍କ ଆଉ ସାନିଟାଇଜର୍ ଅନ୍ତର୍ଦ୍ଧାନ ହେଇଗଲା। କଳାବଜାରୀମାନେ ଏହାର ଫାଇଦା ନେଇ କଳା ବଜାରରେ ଏସବୁ ୧୦ ରୁ ୧୫ ଗୁଣ ବେଶୀ ଦାମରେ ବିକ୍ରି କଲେ। ୨୦ ଟଙ୍କାର ମାସ୍କ ଏବେ ୨୦୦ ଟଙ୍କା, ୫୦ ଟଙ୍କାର ସାନିଟାଇଜର୍ ୫୦୦ ଟଙ୍କା, କିନ୍ତୁ ଆପଣ ଯେ କୌଣସି ପରିସ୍କାର କପଡ଼ାକୁ ମୁହଁରେ ଦି ପରସ୍ତ ବାନ୍ଧିଲେ ତାହା ମାସ୍କ ଭଳି କାମ କରିବ ଏବଂ ଯେ କୌଣସି ସାବୁନରେ ଭଲ ଭାବେ ହାତ ଧୋଇ ହେଉ ଥିଲେ ସାନିଟାଇଜର୍ କୌଣସି ଆବଶ୍ୟକତା ନାହିଁ। ଏଣୁ କଳାବଜାରରେ ଏହି ସବୁ ଜିନିଷ କିଣିବାର କୌଣସି ଆବଶ୍ୟକତା ନାହିଁ। କରୋନାର କୋକୁଆ ଭୟ ଆଜି କୋଟି କୋଟି ଟଙ୍କାର କଳାବଜାର ତିଆରି କରିବାରେ ସକ୍ଷମ ହେଇଛି।

କରୋନାକୁ ଭୟ ନ କରିବାରମାନେ ନୁହେ ଯେ ସାବଧାନ ନ ହେବ। ସାବଧାନ ରହିବ ଆମର କର୍ତ୍ତବ୍ୟ। କାଶ ଛିଙ୍କ ହେଉଥିବା ବ୍ୟକ୍ତି ମାନଙ୍କଠୁ ଦୂରରେ ରହିବା। ନିଜେ କାଶ ଛିଙ୍କ ହେଉ ଥିଲେ ଘରେ ରହି ଡାକ୍ତରଙ୍କ ପରାମର୍ଶ କରିବା। ଘରେ ପହଞ୍ଚି ହାତ ମୁହଁ ସାବୁନରେ ଭଲ ଭାବେ ଧୋଇବା। ହାତକୁ ପାଟି, ନାକ ଏବଂ ମୁହଁରେ ନ ଲଗାଇବା। ବିଶେଷ ଦରକାର ନଥିଲେ ଦୂର ଜାଗାକୁ ଭ୍ରମଣ ନ କରିବା। ସରକାରଙ୍କୁ ଶ୍ୱାସରୋଗ ଜନିତ ଉପରକଣ ଏବଂ ଔଷଧ ବହୁ ପରିମାଣରେ ଏକାଠି କରି ରଖିବା ଆବଶ୍ୟକ। ଆଗକୁ ଏହାର ଆବଶ୍ୟକତା ପଡ଼ିପାରେ। ଏହି ଭୁତାଣୁ ଜନିତ ରୋଗର ଟୀକା ଅବା ଔଷଧ ଆଉ କିଛି ମାସ ଭିତରେ ଉପଲବ୍ଧ ହେଇ ଯିବା। ସେତେ ଦିନ ପର୍ଯ୍ୟନ୍ତ ଏତିକି ସଂଯମ ପାଳନ କରି ଲୋକମାନଙ୍କୁ ଏ ଦିଗ ରେ ବୁଝାଇବା ନିହାତି ଦରକାର। ସବୁଠାରୁ ବିଶେଷ ଉପଯୋଗୀ ହେଲା ସୋଶାଲ ମିଡ଼ିଆ ଜରିଆରେ ଆସୁଥିବା ଗୁଜବରେ ବିଶ୍ୱାସ ନକରି ସରକାର ଏବଂ ଡାକ୍ତରଙ୍କ ଉପରେ ବିଶ୍ୱାସ ରଖିବା। ଏତିକି ସାମାନ୍ୟ ଶୃଙ୍ଖଳା ଆମର କରୋନା ଉପରେ ଭୟ ନୁହେଁ ବିଜୟ ଦିଗକୁ ନେଇ ଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।