ଚାଷୀଙ୍କ ଆୟ ହଜାରରେ, ଚାଷୀଙ୍କ ନେତାଙ୍କ ଲକ୍ଷରେ

ସୂର୍ଯ୍ୟମଣି ମିଶ୍ର

ଦେଶର ସାଧାରଣ କୃଷକଙ୍କ ମାସିକ ଆୟ ୮,୯୩୧ ଟଙ୍କା ହୋଇଥିବାବେଳେ ସରକାରୀ ଭାବେ ନିଜକୁ କୃଷକ ଭାବେ ଘୋଷଣା କରିଥିବା ୨୧୬ ଜଣ ସାଂସଦଙ୍କ ହାରାହାରି ସଂପତ୍ତି ପରିମାଣ ହେଉଛି ୧୮ କୋଟି ଟଙ୍କା।  ସଂସଦରେ ଏବେ ବିଜେପିର ସାଂସଦଙ୍କ ସଂଖ୍ୟା ହେଉଛି ୩୦୨। ଏହି ମୋଟ ସାଂସଦଙ୍କ ମଧ୍ୟରୁ ୩୯ ଜଣ  ନିଜକୁ କୃଷକ ଭାବେ ଘୋଷଣା କରିଛନ୍ତି। ଏଥିମଧ୍ୟରୁ ୩ କୃଷକ ସାଂସଦ ଏପରି ଅଛନ୍ତି ଯାହାଙ୍କ ପାଖରେ ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଅଛି। ଏହିପରି କଂଗ୍ରେସର ୫୧ ସାଂସଦ ଥିବାବେଳେ ୧୩ ଜଣ ନିଜକୁ କୃଷକ ବୋଲି ଘୋଷଣା କରିଛନ୍ତି। ୧୨ ଜଣ କୃଷକ ସାଂସଦ ଏପରି ଅଛନ୍ତି ଯାହାଙ୍କ ପାଖରେ ୧ କୋଟିରୁ ଅଧିକ ସଂପତ୍ତି ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜକୁ କୃଷକ ବୋଲି ଘୋଷଣା କରିଛନ୍ତି। କିନ୍ତୁ କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଏବଂ କୃଷକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରୁଥିବା ପୀୟୂଷ ଗୋଏଲ୍‍ କିନ୍ତୁ କୃଷକ ନୁହନ୍ତି। କୃଷକ ଆନ୍ଦୋଳନ ଏହା ମଧ୍ୟରେ ୧୦୦ ଦିନରୁ ଅଧିକ ହେଲାଣି। ୨୬ ନଭେମ୍ବରରେ  କୃଷକମାନେ ଦିଲ୍ଲୀର ସୀମାରେ ଡେରା ପକାଇଥିଲେ। ନଭେମ୍ବରରେ ୫ ଦିନ ବିତିଗଲା।

ଡିସେମ୍ବର ଏବଂ ଜାନୁଆରୀରେ ଯଥାକ୍ରମେ ୩୧-୩୧ ଦିନ ବିତିଲା। ଫେବୃଆରିରେ ୨୮ ଦିନ ଏବଂ ମାର୍ଚ୍ଚରେ ୬ ଦିନ ବିତିଯାଇଛି। ଅର୍ଥାତ୍‍ ମୋଟ ୧୦୦ରୁ ଅଧିକ ଦିନ ହେଲା କୃଷକମାନେ ଆନ୍ଦୋଳନ ଚଳାଇ ରଖିଛନ୍ତି। କୃଷକଙ୍କ ମୂଳ ଦାବି ହେଉଛି ସଂସଦରେ ପାରିତ ହୋଇଥିବା ୩ ଆଇନକୁ ରବ୍ଦ କରାଯାଉ। ଏହି କଥାକୁ ନେଇ ୧୧ ଥର ସରକାରଙ୍କ ସହ କଥାବାର୍ତ୍ତା ହୋଇଛି। ଆନ୍ଦୋଳନରତ କୃଷକଙ୍କ ମଧ୍ୟରୁ ୧୦୦ରୁ ଅଧିକ ମୃତ୍ୟୁବରଣ କଲେଣି। ୧୦୦ ରୁ ଅଧିକ ଜେଲରେ, ୩୦୦ରୁ ଅଧିକ ପୁଲିସ ମଧ୍ୟ ଆହତ ହୋଇଛନ୍ତି। କିନ୍ତୁ କୃଷକଙ୍କ ଦାବିକୁ ନେଇ ସରକାର କୌଣସି ସମାଧାନ କରିପାରିନାହାନ୍ତି। ଦେଶର କୃଷକଙ୍କ ମାସକୁ ହାରାହାରି ଆୟ ୮,୯୩୧ ଟଙ୍କା। ଏହି ପରିସଂଖ୍ୟାନ ସରକାରଙ୍କ ଫାଇନାନ୍‍ସିଆଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ବା ଆର୍ଥିକ ସଂସ୍ଥା ନାବାର୍ଡ଼ର ଦସ୍ତାବିଜ୍‍।

ଏଡିଆର୍‍ (ଆସୋସିଏଟେଡ୍‍ ଡେମୋକ୍ରାଟିକ୍‍ ରିଫର୍ମ) ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସଂସଦରେ ଏବେ ୫୪୩ ଆସନ ଅଛି। ଏଥି ମଧ୍ୟରୁ ୫ଟି ଆସନ ଖାଲି ପଡ଼ିଛି। ୫୩୮ ଆସନରେ ନେତା ଲୋକ ବସିଛନ୍ତି। ଏଥିମଧ୍ୟରୁ ୨୧୬ ଜଣ ସରକାରୀ ଦସ୍ତାବିଜରେ ନିଜକୁ କୃଷକ ବୋଲି ଘୋଷଣା କରିଛନ୍ତି। ସାଂସଦଙ୍କୁ ସମସ୍ତ ସୁବିଧା ପରେ ମାସକୁ ୧.୭୩ ଲକ୍ଷ ଟଙ୍କା ଦରମା ଓ ଭତ୍ତା ବାବଦକୁ ମିଳିଥାଏ। କରୋନା କାରଣରୁ ୧୧ ମାସ ସାଂସଦଙ୍କ ଦରମା ମିଳିପାରିନଥିଲା। ନଚେତ୍‍ ମାସକୁ ୨.୩୦ ଲକ୍ଷ ଟଙ୍କା  ମିଳିଥାଏ। ଯଦି କରୋନା ଭଳି ମହାମାରୀର ପ୍ରକୋପ ଆଉ ନଦେଖାଯିବ ତେବେ ଆଗାମୀ ମାସ ଏପ୍ରିଲରେ ପୁଣି ସାଂସଦଙ୍କୁ ମିଳିବ ଦରମା। ଗତବର୍ଷ ଏପ୍ରିଲ ମାସରୁ ସାଂସଦଙ୍କ ଦରମା  ମିଳିପାରିନାହିଁ। ଏହା ହେଉଛି ମାସିକ ବେତନର କଥା।

ଏବେ ଆସନ୍ତୁ ସମ୍ପତ୍ତି ଉପରେ ଅନୁଧ୍ୟାନ କରିବା। ମୋଦି ସରକାରର ମୋଟ ୫୩ ଜଣ ମନ୍ତ୍ରୀ ଅଛନ୍ତି। ଏଥିମଧ୍ୟରୁ ୨୧ କ୍ୟାବିନେଟ୍‍ ଏବଂ ୩୨ ରାଜ୍ୟମନ୍ତ୍ରୀ। ୨୧ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ କୃଷକ। ଏହିପରି ୩୨ ରାଜ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣ କୃଷକ।  କୃଷକ ଓ ମନ୍ତ୍ରୀଙ୍କ ମଧ୍ୟରେ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରୀଙ୍କ ନାମ ରହିଛି। ଅମିତ ଶାହା କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ସବୁଠୁ ଧନୀ କୃଷକ। ତାଙ୍କ ପାଖରେ ୪୦.୩୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ଦେଶର ପ୍ରତି କୃଷକଙ୍କ ପାଖରେ ହାରାହାରି ୧.୦୮ ହେକ୍ଟର ଜାଷ ଜମି ଥିବାବେଳେ ସରକାରରେ ଥିବା ପ୍ରତି କୃଷକମନ୍ତ୍ରୀଙ୍କ ପାଖରେ ଏହା ଠାରୁ ଅଧିକ ଚାଷ ଜମି ରହିଛି। ସବୁଠୁ ଅଧିକ ୧୨.୨୮ ହେକ୍ଟର ଚାଷ ଜମି ନୀତିନ ଗଡ଼କରୀଙ୍କ ପାଖରେ ଅଛି। ତଥ୍ୟ ଅନୁଯାୟୀ ବିଜେପିର ୪୬ ପ୍ରତିଶତ, କଂଗ୍ରେସର ୨୫ ପ୍ରତିଶତ ସାଂସଦ କୃଷକ।  ବିଜେପି ହେଉ ଅବା କଂଗ୍ରେସ, ପ୍ରତ୍ୟେକ ଦଳରେ କୃଷକ ସାଂସଦ ଅଛନ୍ତି। ବିଜେପିର ୩୦୨ ସାଂସଦଙ୍କ ମଧ୍ୟରୁ ୧୩୯ ବା ୪୬ ପ୍ରତିଶତ କୃଷକ। ଏହି ପରି କଂଗ୍ରେସର ୫୧ ସାଂସଦଙ୍କ ମଧ୍ୟରୁ ୧୩ ଏବଂ ଶିବସେନାର ୧୮ ସାଂସଦଙ୍କ ମଧ୍ୟରୁ ୧୧ ସାଂସଦ କୃଷକ ଅଛନ୍ତି।

ନାବାର୍ଡ଼ର ସର୍ଭେ ଅନୁଯାୟୀ ୨୦୧୬-୧୭ରେ କୃଷକଙ୍କ ପ୍ରତି ମାସର ରୋଜଗାର ୮,୯୩୧ ଟଙ୍କା ଥିଲା, ବାର୍ଷିକ ୧,୦୭,୧୭୨ ଟଙ୍କା । ଏହି ହିସାବରେ କୃଷକ ବାର୍ଷିକ  ଯେତେଟଙ୍କା ରୋଜଗାର କରିପାରିନାହାନ୍ତିଏହା ଠାରୁ ଅଧିକ ବେତନ ପ୍ରତିମାସ ସାଂସଦଙ୍କୁ ମିଳିଥାଏ। ପଂଜାବରେ କୃଷକଙ୍କ ଆୟ ସବୁଠୁ ଅଧିକ। କୃଷି ଆଇନକୁ ନେଇ ସବୁଠୁ ଅଧିକ ବିରୋଧ ପଂଜାବ ଓ ହରିଆନାରେ ହେଉଛି। ପଂଜାବର କୃଷକ ଦେଶରେ ସବୁଠୁ ଅଧିକ ରୋଜଗାର କରୁଥାନ୍ତି। ଏହି କୃଷକଙ୍କ ମାସିକ ଆୟ ୨୩,୧୩୩ ଟଙ୍କା। ହରିଆଣାର କୃଷକଙ୍କ ହାରାହାରି ଆୟ ୧୮ ହଜାର ୪୯୬ ଟଙ୍କା। ଏହି ଦୁଇ ରାଜ୍ୟର ୨୩ ସାଂସଦଙ୍କ ମଧ୍ୟରୁ କେବଳ ୬ ଜଣ ଏପରି ଅଛନ୍ତି ଯେଉଁମାନେ ନିଜକୁ କୃଷକ ବୋଲି ଘୋଷଣା କରିଛନ୍ତି। ଏଥିମଧ୍ୟରୁ ୪ ଜଣ ସାଂସଦ ପଂଜାବର ଏବଂ ୨ ଜଣ ହରିଆନାର। ଏହି ସାଂସଦଙ୍କ ହାରାହାରି ସଂପତ୍ତି ୮୨ କୋଟି ଟଙ୍କା। ସବୁଠୁ ଧନୀ ହରସିମରତ୍‍ କୌର ଏବଂ ସୁଖବୀର ସିଂ ବାଦଲ ଏହି ପତିପତ୍ନୀ ଦୁହିଁଙ୍କର ସଂପତ୍ତିକୁ ମିଶାଇଲେ ୨୧୭ କୋଟି ଟଙ୍କାର ସଂପତ୍ତି ରହିଛି। ହରସିମରତ କୌର ବାଦଲ ପ୍ରଥମେ ମୋଦି ସରକାରର ମନ୍ତ୍ରୀ ଥିଲେ। କିନ୍ତୁ କୃଷକ ଆନ୍ଦୋଳନ କାରଣକୁ ନେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ତାଙ୍କ ଦଳ ଅକାଳି ଦଳ ଏନ୍‍ଡ଼ିଏରୁ ପୃଥକ ହୋଇଛି। ଯେଉଁଠି କୃଷକଙ୍କ ଆୟ କମ୍‍ ଏହି ଉତ୍ତର ପ୍ରଦେଶରେ ୮୦ରୁ ୪୧ ସାଂସଦ କୃଷକ। ଦେଶରେ ସବୁଠୁ କମ୍‍ ରୋଜଗାର ହେଉଛି ଉତ୍ତର ପ୍ରଦେଶ କୃଷକଙ୍କର। ଏଠାରେ କୃଷକଙ୍କ ହାରାହାରି ଆୟ ୬,୬୬୮। ଏଠାରେ ୮୦ ଜଣ ସାଂସଦଙ୍କ ମଧ୍ୟରୁ ୪୧ ଜଣ ସାଂସଦ ନିଜକୁ କୃଷକ ବୋଲି କହିଛନ୍ତି। ଏହି ସାଂସଦଙ୍କ ହାରାହାରି ସଂପତ୍ତି ୯.୩ କୋଟି ଟଙ୍କା। ବିଜେପି ସାଂସଦ ରାଜୀବ ସିଂହ, ଉତ୍ତର ପ୍ରଦେଶର କୃଷକ ସାଂସଦ ସବୁଠୁ ଧନୀ। ଏହାଙ୍କ ପାଖରେ ୩୮.୩୬ କୋଟି ଟଙ୍କାର ସଂପତ୍ତି ରହିଛି। ସରକାର ଦେଶର ହେଉ ଅବା ରାଜ୍ୟର, ନିଜକୁ କୃଷକଙ୍କ ପାଇଁ କାମ କରୁଥିବା କହିଥାନ୍ତି। ବର୍ତ୍ତମାନର କେନ୍ଦ୍ର ସରକାର ୨୦୨୨ ଅର୍ଥାତ୍‍ ଆଗାମୀ ବର୍ଷ ମଧ୍ୟରେ କୃଷକଙ୍କ ଆୟ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇ ବସିଛନ୍ତି। କିନ୍ତୁ ଏହା କ’ଣ ଜଣାନାହିଁ କି କୃଷକଙ୍କ ରୋଜଗାର କେତେ? ସ୍ୱାଭାବିକ ଭାବରେ ପ୍ରତି ରାଜ୍ୟର କୃଷକଙ୍କ ଆୟ ପୃଥକ୍‍ ପୃଥକ୍‍। ସରକାରଙ୍କ ପରିସଂଖ୍ୟାନ କୁହେ ଦେଶର କୃଷକଙ୍କ ମାସିକ ଆୟ ହାରାହାରି ୮,୯୩୧ ଟଙ୍କା ।

ଏହି କୃଷକଙ୍କ ପାଖରେ ହାରାହାରି ୧.୦୮ ହେକ୍ଟର ଜମି ଅଛି ଅର୍ଥାତ୍‍ ହାରାହାରି ୨.୬୭ ଏକର ଚାଷ ଜମି ରହିଛି। ନାଗାଲାଣ୍ଡର କୃଷକଙ୍କ ପାଖରେ ସବୁଠୁ ଅଧିକ ୫.୦୬ ହେକ୍ଟର ଜମି ରହିଛି। ଏଠାରେ କୃଷକଙ୍କ ମାସିକ ଆୟ ୯,୯୫୦ ଟଙ୍କା। କେବଳ ପଂଜାବ କୃଷକଙ୍କ ପାଖରେ ମୁଣ୍ଡପିଛା ହାରାହାରି ୩.୬୨ ହେକ୍ଟର ଜମି ଥିବାବେଳେ ମାସିକ ଆୟ ୨୩ ହଜାର ୧୩୩ ଟଙ୍କା। କେରଳର କୃଷକଙ୍କ ପାଖରେ ସବୁଠୁ କମ୍‍ ହାରାହାରି ୦.୧୮ ହେକ୍ଟର ବା ଅଧଏକର ଜମି ରହିଛି। ଏଠାରେ ମାସିକ ଆୟ ୧୬ ହଜାର ୯୨୭ ଟଙ୍କା। ଦେଶର ୩୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ଚାଷୀଙ୍କ ମୁଣ୍ଡ ପିଛା ହାରାହାରି ୧ ହେକ୍ଟରରୁ କମ୍‍ ଚାଷ ଜମି ଥିବାବେଳେ ୧୬ଟି ରାଜ୍ୟରେ କୃଷକଙ୍କ ପାଖରେ ହାରାହାରି ୧ରୁ ୨ ହେକ୍ଟର ଚାଷ ଜମି ରହିଛି। କେବଳ ୫ ରାଜ୍ୟ ଯେପରି ହାରାହାରି କୃଷକଙ୍କ ପାଖରେ ୨ ହେକ୍ଟରରୁ ଅଧିକ ଚାଷ ଜମି ରହିଛି। ଦେଶର ମୋଟ କୃଷକଙ୍କ ମଧ୍ୟରେ ୮୬ ପ୍ରତିଶତ ହେଉଛନ୍ତି ନାମମାତ୍ର ଏବଂ ଛୋଟ। ଅର୍ଥାତ୍‍ ଏହି କୃଷକଙ୍କ ପାଖରେ ଚାଷ ପାଇଁ ଦୁଇହେକ୍ଟରରୁ କମ୍‍ ଜମି ରହିଛି। ଏହି କୃଷକଙ୍କ ପାଖରେ ଚାଷ ପାଇଁ ୪୭.୩୪ ପ୍ରତିଶତ ଜମିର ଭାଗ ରହିଛି। ୧୩.୨ ପ୍ରତିଶତ ଏପରି କୃଷକ ଅଛନ୍ତି ଯାହାଙ୍କ ପାଖରେ ୨ରୁ ୧୦ ହେକ୍ଟର ଜମି ରହିଛି। ଏହି କୃଷକଙ୍କ ପାଖରେ ୪୩.୬୧ ପ୍ରତିଶତ ଜମି ରହିଛି। ୧୦ ହେକ୍ଟରରୁ ଅଧିକ ଚାଷ କରୁଥିବା କୃଷକଙ୍କ ସଂଖ୍ୟା ମୋଟ କୃଷକଙ୍କ ମଧ୍ୟରେ ୦.୫୭ ପ୍ରତିଶତ। କେନ୍ଦ୍ର ସରକାର ୨୧ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ୭ ନିଜକୁ କୃଷକ ବୋଲି ଘୋଷଣା କରିଛନ୍ତି। ଏହି କୃଷକ ସାଂସଦଙ୍କ ପାଖରେ ୧ ହେକ୍ଟରରୁ ଅଧିକ ଚାଷ ଜମି ରହିଛି।

ସମୀକ୍ଷା ରିପୋର୍ଟ ଅନୁଯାୟୀ ପଂଜାବରେ କୃଷକଙ୍କ ଆୟ ୨୩,୧୩୩ ଟଙ୍କା ହୋଇଥିବାବେଳେ ଏଠାରେ ୧୩ ଜଣ ସାଂସଦ ଅଛନ୍ତି। ୪ ଜଣ ସାଂସଦ ନିଜକୁ କୃଷକ ବୋଲି ଘୋଷଣା କରିଛନ୍ତି। ଏହି ସାଂସଦଙ୍କ ହାରାହାରି ସଂପତ୍ତି ହେଉଛି ୧୧୨.୩୮ କୋଟି ଟଙ୍କା। ହରିୟାଣାରେ କୃଷକଙ୍କ ମାସିକ ଆୟ ହେଉଛି ୧.୪୯୬ ଟଙ୍କା। ଏଠାରେ ୧୦ ଜଣ ସାଂସଦ ଅଛନ୍ତି, ୨ ଜଣ ସାଂସଦ କୃଷକ। ଏହି ସାଂସଦଙ୍କ ହାରାହାରି ସଂପତ୍ତି ହେଉଛି ୨୧.୧୬ କୋଟି ଟଙ୍କା। କେରଳରେ କୃଷକଙ୍କ ମାସିକ ଆୟ ହେଉଛି ୧୬,୯୨୭ ଟଙ୍କା। ଏଠାରେ ୧୯ ଜଣ ସାଂସଦ, କୃଷକ ସାଂସଦ କି କୋଟିପତି ସାଂସଦ ନାହାନ୍ତି।

ଗୁଜୁରାଟରେ କୃଷକଙ୍କ ମାସିକ ଆୟ ୧୧,୮୯୯ ଟଙ୍କା। ଏଠାରେ ୨୬ ସାଂସଦ ମଧ୍ୟରୁ ୧୬ ଜଣ କୃଷକ ବୋଲି ଘୋଷଣା କରିଛନ୍ତି। ଏହି ସାଂସଦଙ୍କ ହାରାହାରି ସଂପତ୍ତି ୧୨.୫୯ କୋଟି ଟଙ୍କା। ଓଡ଼ିଶାରେ କୃଷକଙ୍କ ମାସିକ ଆୟ ୭,୭୩୧ ଟଙ୍କା ୨୧ ଜଣ ସାଂସଦଙ୍କ ମଧ୍ୟରୁ ୬ ଜଣ ନିଜକୁ କୃଷକ ବୋଲି ଘୋଷଣା କରିଛନ୍ତି। କିନ୍ତୁ ସଂପତ୍ତି ପରିମାଣ ଘୋଷଣା କରିନାହାନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହ ନିଜକୁ କୃଷକ ବୋଲି ଘୋଷଣା କରିଛନ୍ତି। ପାଖରେ ଅଛି ୪.୮ ହେକ୍ଟର ଚାଷ ଜମି, ସଂପତ୍ତିର ପରିମାଣ ହେଉଛି ୪୦.୩୨ କୋଟି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ପାକରେ ୧୨.୨୮ ହେକ୍ଟର ଚାଷ ଜମି ଥିବାବେଳେ ସଂପତ୍ତି ପରିମାଣ ହେଉଛି ୧୮.୭୯ କୋଟି। ସଦାନନ୍ଦ ଗୌଡ଼ାଙ୍କ ପାଖରେ ୫.୫୮ ହେକ୍ଟର ଜମି ଥିବାବେଳେ ଏହି କେନ୍ଦ୍ରମନ୍ତ୍ରୀଙ୍କର ସଂପତ୍ତି ପରିମାଣ ହେଉଛି ୨୦.୯୩ କୋଟି ଟଙ୍କା।

ସାଂସଦଙ୍କ ମାସିକ ବେତନ ୭୦ ହଜାର ଟଙ୍କା। ନିର୍ବାଚନମଣ୍ଡଳୀ, ଆଲାଉନ୍ସ ୪୯ ହଜାର ଟଙ୍କା, ଅଫିସ ଆଲାଉନ୍ସ ୫୪ ହଜାର ଟଙ୍କା, ମୋଟ ମାସକୁ ୧.୭୩ ଲକ୍ଷ ଟଙ୍କା। ୨୧୬ କୃଷକ ସାଂସଦଙ୍କ ମଧ୍ୟରୁ ୧୯୮ ଜଣ କୋଟିପତି ଓ ୧୮ ଲକ୍ଷପତି। ଅନ୍ୟପକ୍ଷରେ ଦେଶର କୃଷକଙ୍କ ମାସିକ ହାରାହାରି ଆୟ ୮,୯୩୧ ଟଙ୍କା।  ଲୋକସଭାର ୪୦ ପ୍ରତିଶତ  ସାଂସଦ କୃଷକ। ଏହି ସାଂସଦ କୃଷକଙ୍କ ମଧ୍ୟରୁ ୯୨ ପ୍ରତିଶତ କୋଟିପତି।  ସବୁଠୁ ଧନୀ କୃଷକ ସାଂସଦ ହେଉଛନ୍ତି ତେଲୁଗୁଦେଶମ୍‍ ପାର୍ଟିର ଜୟଦେବ ଗଲ୍ଲା, ଯାହାଙ୍କ ସଂପତ୍ତି ୩୦୫.୧୮ କୋଟି ଟଙ୍କା। ଏହା ପରେ ଅଦଲ ପ୍ରଭାକର ରେଡ୍ଡୀ, ୱାଇଏସ୍‍ଆର୍‍ କଂଗ୍ରେସର ଏହି ସାଂସଦଙ୍କ ସଂପତ୍ତି ୨୨୧.୧୭ କୋଟି ଟଙ୍କା। ସବୁଠୁ ଗରୀବ କୃଷକ ସାଂସଦ ଭାବେ ନିଜକୁ ଘୋଷଣା କରିଥିବା ବିଜୁ ଜନତା ଦଳର ପ୍ରମିଳା ବିଶୋଇଙ୍କ ସଂପତ୍ତି ପରିମାଣ ହେଉଛି ୭.୩୨ ଲକ୍ଷ ଟଙ୍କା। ଏହାପର ଜନ୍‍ ବାର୍‍ଲା ବିଜେପିର ୧୪.୧୮ ଲକ୍ଷ ଟଙ୍କା ଏବଂ ସଂଜୟ ଭାଟିଆ ବିଜେପିର ୨୨.୫୬ ଲକ୍ଷ ଟଙ୍କା।

ଏହି ରିପୋର୍ଟଟି ସମୀକ୍ଷା କରିବାର କାରଣ ହେଉଛି ଦେଶର କୃଷକଙ୍କ ଆୟ ବଢୁନାହିଁ, ୧୦ ହଜାର ଟଙ୍କାରୁ ଅଧିକ ମାସିକ ଆୟ ହୋଇପାରୁନାହିଁ, ଅଥଚ କୃଷକଙ୍କ ପ୍ରତିନିଧି ବା ଲୋକ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ନିଜକୁ କୃଷକ ବୋଲି ଘୋଷଣା କରିଥିବା ସାଂସଦଙ୍କ ସଂପତ୍ତି ପରିମାଣ ଲକ୍ଷରୁ କୋଟିକୁ ବୃଦ୍ଧି ପାଇଛି। ଏହି ସମୟରେ କେନ୍ଦ୍ର ସରକାର କୃଷକ ବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର ବା ରବ୍ଦ କରିବା ପାଇଁ ନା ନା କହୁଛନ୍ତି।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‍: ୯୪୩୮୦୦୬୨୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।