ସପ୍ତାହାନ୍ତ ଶଟ୍‌ଡାଉନ୍‌

ରବି ଦାସ

ରାଜ୍ୟ ସରକାର କରୋନା ଦ୍ୱିତୀୟ ଲହରର ଭୟାବହତାକୁ ଦେଖି ପ୍ରଥମେ ଛତିଶଗଡ଼କୁ ଲାଗି ରହିଥିବା ୧୦ଟି ଜିଲ୍ଲାରେ ସପ୍ତାହାନ୍ତ ଶଟ୍‌ଡାଉନ୍ କରିବା ପରେ ସାରା ରାଜ୍ୟର ପ୍ରତି ସହରରେ ସପ୍ତାହାନ୍ତ ଶଟ୍‌ଡାଉନ୍ ଘୋଷଷା କରିଛନ୍ତି। ପୂର୍ବରୁ ଏହିସବୁ ସହରମାନଙ୍କରେ ରାତ୍ରିକାଳୀନ କର୍ଫ୍ୟୁ ରହିଥିଲା। କିନ୍ତୁ ଦେଖାଗଲା ସପ୍ତାହାନ୍ତ ସଟ୍‌ଡାଉନ୍ ପାଂଚଦିନ ପୂର୍ବରୁ ଘୋଷଣା କରାଯାଇଥିଲେ ମଧ୍ୟ ଶୁକ୍ରବାର ଯେତେବେଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ରିଲିଫ କମିଶନର ବାରମ୍ବାର ସପ୍ତାହାନ୍ତ ଶଟ୍‌ଡାଉନ୍ ଗଣମାଧ୍ୟମରେ କହି ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରୋଟୋକଲ ଘୋଷଣା କରି କେବଳ ମର୍ଣ୍ଣିଂ ୱାକ୍ ପାଇଁ ସକାଳ ୫ଟାରୁ ୬ଟା ଲୋକମାନଙ୍କୁ କୋହଳ କରାଗଲେ ମଧ୍ୟ ଅନ୍ୟ ସବୁସମୟରେ ବିଭିନ୍ନ ଚେକିଂ ପଏଂଟରେ ଲୋକମାନଙ୍କୁ କାହିଁକି ବାହାରକୁ ଯାଉଛନ୍ତି ତାହା ପଚରାଯିବା ଅର୍ଥାତ୍ ସଟ୍‌ଡାଉନ ଦିବସଗୁଡ଼ିକରେ  କେହି ବି ବାହାରକୁ ନଯିବା ପାଇଁ ବାରମ୍ବାର ଡାକବାଜି ଯନ୍ତ୍ର ଜରିଆରେ ଲୋକମାନଙ୍କୁ ସତର୍କ କରିଦିଆଯିବା ଫଳରେ ଶୁକ୍ରବାର ଦିନ ଅପରାହ୍ନରୁ ହାଟ ବଜାରରେ ଅସମ୍ଭବ ଭିଡ଼ ଦେଖାଗଲା। ଆଗରୁ ଏ ସଂପର୍କରେ ସୂଚନା ଦିଆଯିବା ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଲୋକ ଶୁକ୍ରବାର ଦିନ ଯେପରି ଭାବରେ ହାଟ ବଜାରକୁ ଆସିଲେ ଓ ଗୋଟିଏ ସପ୍ତାହର ପନିପରିବା ଓ ଜିନିଷପତ୍ର ଖର୍ଦ୍ଦି କରିବାର ପ୍ରତିଯୋଗିତା କଲେ ସେଥିରୁ ସେମାନେ କରୋନା ବ୍ୟାପିବା ପାଇଁ ମେଳି ବା ଏକାଠି ହେବାକୁ ଏଡ଼ାଇବାର ଯେଉଁ ଆବଶ୍ୟକତା ରହିଛି ସେଗୁଡ଼ିକ ସଂପୂର୍ଣ୍ଣ ଭୁଲିଗଲେ।

କେବଳ ଓଡ଼ିଶାରେ ନୁହେଁ, ଦେଶର ଅଧିକାଂଶ ସ୍ଥାନରେ ଗତବର୍ଷର ଅଭିଜ୍ଞତା ସତ୍ତ୍ୱେ ଯେଉଁ ସ୍ଥାନରେ ଶଟ୍‌ଡାଉନ୍ ବା ଲକଡାଉନ୍ ହେଉଛି ସେଠାରେ ପ୍ରବାସୀ ଶ୍ରମିକମାନେ ଆଉ ଗୋଟିଏ ଦିନ ବି ଅପେକ୍ଷା ନକରି ନିଜ ନିଜ ରାଜ୍ୟକୁ ବାହାରି ଆସୁଛନ୍ତି। ଦିଲ୍ଲୀରେ ଲକ୍‌ଡାଉନ୍ ଘୋଷଣା ପରେ ରାଜ୍ୟ ସରକାର କୌଣସି ପ୍ରବାସୀ ଶ୍ରମିକ ଫେରିବାର ଆବଶ୍ୟକତା ନାହିଁ ଓ ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିବା ସତ୍ତ୍ୱେ ଲକଡାଉନ୍ ପରେ ପରେ ହଜାର ହଜାର ସଂଖ୍ୟାରେ ଶ୍ରମିକମାନେ ସେମାନଙ୍କ ରାଜ୍ୟକୁ ଫେରିଯିବା ପାଇଁ ଟ୍ରେନ୍ ଓ ବସ୍‌ଷ୍ଟାଣ୍ଡରେ ପହଁଚିଗଲେ। କେବଳ ଦିଲ୍ଲୀ ନୁହେଁ, ଠିକ୍ ସେହି ଦୃଶ୍ୟ ବିଭିନ୍ନ ସ୍ଥାନରେ ଲକଡାଉନ୍ ଘୋଷଣା ହେଉଥିବା ମୁମ୍ବାଇ ଓ ମହାରାଷ୍ଟ୍ରରେ ଦେଖାଦେଇଛି। ଏପରିକି ଗୁଜୁରାଟର ସୁରଟ ଓ ଅହମ୍ମଦାବାଦରେ ଠିକ୍ ସେହି ଦୃଶ୍ୟ। ଯଦିଓ ସମସ୍ତ ସ୍ଥାନରେ ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକମାନଙ୍କୁ ଫେରିନଯିବା ପାଇଁ ଆହ୍ୱାନ ଦେଇ ସେମାନଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯିବ ବୋଲି କହୁଛନ୍ତି। ଇତି ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ପ୍ରଥମ କରୋନା ଲହର ସମୟରେ ଯେପରି ଭାବରେ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ କିଛିମାସର ଚାଉଳ ଓ ଡାଲି ଜାତୀୟ ଖାଦ୍ୟ ସୁରକ୍ଷା ଅଧୀନରେ ଥିବା ୮୦ କୋଟି ଲୋକଙ୍କୁ ଦେଇଥିଲେ ଏବେ ଦ୍ୱିତୀୟ ଲହର ସମୟରେ ଦୁଇମାସର ଚାଉଳ ବା ଗହମ ସେହି ବର୍ଗର ଲୋକମାନଙ୍କୁ ମାଗଣା ଦିଆଯିବ ବୋଲି ଘୋଷଣା କରିଛନ୍ତି। କିନ୍ତୁ ପ୍ରବାସୀ ଶ୍ରମିକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଫଳରେ ଉତ୍ତରପ୍ରଦେଶ, ବିହାର ଏବଂ ଓଡ଼ିଶା ପ୍ରଭୃତି ରାଜ୍ୟଗୁଡ଼ିକର ପ୍ରବାସୀ ଶ୍ରମିକମାନେ ପୁଣିଥରେ ନିଜ ନିଜ ରାଜ୍ୟ ମୁହାଁ ହୋଇଛନ୍ତି। ଏତେ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଆସିଲେ ଦ୍ୱିତୀୟ କୋଭିଡ ଲହର ଅଧିକ ଭୟଙ୍କର ହେବ। ଓଡ଼ିଶା ପରି ଯେଉଁ ରାଜ୍ୟରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ବିଚାର କରାଯାଉଛି ସେଠାରେ ବି କରୋନା ପରିସ୍ଥିତି ଗାଁ ଗାଁକୁ ବ୍ୟାପିଯିବ। ଏଥିପାଇଁ ପୁଣି କୋଭିଡ କେୟାର ସେଂଟରର  ଆବଶ୍ୟକତା ପଡ଼ିବ। ହସପିଟାଲଗୁଡ଼ିକରେ ସିଟ୍ ବଢ଼ାଇବାକୁ ପଡ଼ିବ।

ପ୍ରଥମ କରୋନା ଯୁଦ୍ଧରେ ଭାରତର ବିଜୟ ହୋଇଛି ବୋଲି ଧରିନେଇ ବାହାସ୍ଫୋଟ ମରାଯିବା ଫଳରେ ଜାତୀୟସ୍ତରରେ ଦ୍ୱିତୀୟ ଲହର ଆସୁଥିବା ନେଇ ବିଶେଷଜ୍ଞମାନଙ୍କର ଭବିଷ୍ୟତ ବାଣୀ ସତ୍ତ୍ୱେ କୌଣସି ପ୍ରାକ୍ ପ୍ରସ୍ତୁତି କରାଗଲା ନାହିଁ। ସେହିପରି ଭାବରେ ଓଡ଼ିଶାରେ କରୋନା ଯୁଦ୍ଧରେ ଓଡ଼ିଶାର ବିଜୟ ହୋଇଛି ବୋଲି ବିଚାର କରାଯାଇ କୋଟି କୋଟି ଟଙ୍କା ବ୍ୟୟରେ କୋଭିଡ୍ ସେଂଟର ଓ କୋଭିଡ୍ ହସପିଟାଲ ପ୍ରସ୍ତୁତରେ ଯାହାସବୁ କରାଯାଇଥିଲା ସେଗୁଡ଼ିକରୁ ଅଧିକାଂଶ ନଷ୍ଟ କରିଦିଆଯାଇଛି। ଫଳରେ ଏବେ ଦ୍ୱିତୀୟ ପ୍ରସ୍ତୁତି ପାଇଁ ରାଜ୍ୟକୁ ଅଧିକ ବିନିଯୋଗ କରିବାକୁ ପଡ଼ିବ। ପରିସ୍ଥିତିକୁ ବିଚାର କରି ରାଜ୍ୟ ସରକାର ବାରମ୍ବାର କହୁଛନ୍ତି ଯେ, ପ୍ରତ୍ୟେକ ରୋଗୀ ହସପିଟାଲକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ଯେଉଁମାନେ ଘରେ ରହି ଚିକିତ୍ସିତ ହୋଇପାରିବେ ସେମାନଙ୍କୁ ସରକାରୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସୁବିଧା ପ୍ରଦାନ କରାଯିବ। କିନ୍ତୁ ବର୍ତ୍ତମାନର କରୋନାରେ ଯେପରି ଭାବରେ ରୋଗୀପାଇଁ ହଠାତ୍ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଯାଉଛି ଓ ଅକ୍ସିଜେନ୍‌ର ଆବଶ୍ୟକତା ପଡ଼ୁଛି ସେଥିରେ ଯେଉଁମାନେ ଘରେ ରହି ଚିକିତ୍ସିତ ହେବେ ସେମାନଙ୍କ ପାଇଁ ମଧ୍ୟ ଅକ୍ସିଜେନ୍ ସିଲିଣ୍ଡରର ଆବଶ୍ୟକତା ପଡ଼ିବ। ଯେଉଁମାନଙ୍କର ଏଥିପାଇଁ ସମ୍ବଳ ଅଛି ସେମାନଙ୍କ କଥା ଭିନ୍ନ। କିନ୍ତୁ ଜଣେ ସାଧାରଣ ଲୋକ ପାଖରେ ଏପରି ପ୍ରସ୍ତୁତ ହେବା ସହଜ ନୁହେଁ। ସେହିଦୃଷ୍ଟିରୁ ଯେଉଁମାନେ ଘରେ ରହି ଚିକିତ୍ସିତ ହେବେ ସେମାନଙ୍କର ଅବସ୍ଥା ସାମାନ୍ୟ ବିଗିଡ଼ିବା କ୍ଷଣି ହସପିଟାଲକୁ ଆସିବା ପାଇଁ ବ୍ୟବସ୍ଥା ହେବା ଦରକାର। ସେତେବେଳେ ଯଦି ସେମାନଙ୍କୁ ହସପିଟାଲରେ ଶଯ୍ୟା ନାହିଁ ବା ଭେଂଟିଲେଟର ନଥିବା କୁହାଯାଏ ତେବେ ପରିସ୍ଥିତି ଭୟଙ୍କର ହେବ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର ଗୋଟିଏ କଥା କହୁଛନ୍ତି ଯେ, ଓଡ଼ିଶାରେ ବର୍ତ୍ତମାନ ଯେତିକି ସକ୍ରିୟ କରୋନା ପଜିଟିଭ୍ ଅଛନ୍ତି ସେହି ଅନୁସାରେ ଶଯ୍ୟା ନଥିଲେ ମଧ୍ୟ ଗୁରୁତର ରୋଗୀମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି ଯେ ମେ’ ମାସ ଆରମ୍ଭ ହେବା ପରେ ଭାରତରେ ଦୈନିକ ୧୦ ଲକ୍ଷ କରୋନା ସଂକ୍ରମଣ ଘଟିବ ଏବଂ ଓଡ଼ିଶାରେ ଦୈନିକ ୧୦ ହଜାର ସଂକ୍ରମଣ ସଂଖ୍ୟା ବୃଦ୍ଧିପାଇବ। ଏହି ଅବସ୍ଥାକୁ ବିଚାର କରି ଓଡ଼ିଶାରେ ଏ ସମସ୍ତଙ୍କ ପାଇଁ ଦୈନିକ ରୋଗୀ ଶଯ୍ୟାଠାରୁ ଆରମ୍ଭ କରି ଆଇସିୟୁ, ଭେଂଟିଲେଟର ଓ ଅକ୍ସିଜେନ ପ୍ରଭୃତି କେତେ ମହଜୁଦ ଆବଶ୍ୟକ ତାହା ନିଶ୍ଚିତ ହିସାବ କରାଯାଉଥିବ।

ଅତୀତ ଅଭିଜ୍ଞତାକୁ ଦେଖି ଓଡ଼ିଶା ଠିକ୍ ଭାବେ ପ୍ରସ୍ତୁତ ହୋଇଛି କି ନାହିଁ ଓ ସରକାରୀ ବ୍ୟବସ୍ଥା ବାହାରେ ଯେଉଁ ବିଶେଷଜ୍ଞମାନେ ରହିଛନ୍ତି ସେମାନେ ଏହିସବୁ ତଥ୍ୟକୁ ଦେଖି ଯଦି ଜନସାଧାରଣଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରିପାରିବେ ତେବେ ଲୋକମାନେ ଆତଙ୍କିତ ହେବେ ନାହିଁ। ଡାକ୍ତରଖାନା, ଡାକ୍ତର, ନର୍ସ, ଔଷଧ, ଭେଂଟିଲେଟର, ଅକ୍ସିଜେନ ପ୍ରଭୃତି ବ୍ୟବସ୍ଥା ଠିକ୍ ଅଛି କି ନାହିଁ ତାହା ବିଶେଷଜ୍ଞ କମିଟି କହିବା ଦରକାର। ଦେଶରେ ଦେଖାଯାଇଥିବା ଅକ୍ସିଜେନ ସଂକଟ ସୁଧାରିବା ଦିଗରେ କେନ୍ଦ୍ର ସରକାର ବିଳମ୍ବରେ ପଦକ୍ଷେପ ନେବାରୁ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ଓଡ଼ିଶାରେ ତାହାର ପୁନରାବୃତି ହେବା ଉଚିତ ନୁହେଁ। ଯଦିଓ ଅକ୍ସିଜେନ ସଂକଟକୁ ସୁଧାରିବା ଦିଗରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏଥିପାଇଁ ଓଡ଼ିଶାକୁ ପ୍ରଶଂସା କରାଯାଉଥିଲେ ମଧ୍ୟ ରାଜ୍ୟରେ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ କରୋନା ଦ୍ୱିତୀୟ ଲହରର ସଫଳ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ବୋଲି ବିଶ୍ୱାସ ହେଉନାହିଁ। କାରଣ ଓଡ଼ିଶାର ଦୁର୍ବଳ ସ୍ୱାସ୍ଥ୍ୟସେବା ଓ ଡାକ୍ତରମାନଙ୍କର ଅଭାବ ସହିତ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବାରମ୍ବାର ପ୍ରତିଫଳିତ ହୋଇଛି। ସିଏଜିଙ୍କର ରିପୋର୍ଟକୁ ଅନୁଧ୍ୟାନ କଲେ ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଦୁର୍ବଳତା ବେଶ ପଦାକୁ ଆସିଛି। ରାଜ୍ୟର ବିରୋଧୀ ଦଳମାନେ ଏହି ରିପୋର୍ଟ ଉପରେ ବିଧାନସଭା କମିଟି ଜରିଆରେ ଏଥିପାଇଁ ଦାୟୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାରେ ସଫଳ ହୋଇପାରୁନାହାନ୍ତି। ଏହାର ସୁଯୋଗ ନେଇ ରାଜ୍ୟ ସରକାର ବଡ଼ ବଡ଼ ପ୍ରକଳ୍ପ ଘୋଷଣା କରୁଥିଲେ ମଧ୍ୟ ବାସ୍ତବରେ ଏ କ୍ଷେତ୍ର୍ରଗୁଡ଼ିକରେ ସଫଳତା ହାରର ପ୍ରକୃତ ଚିତ୍ର ପ୍ରକାଶ କରୁନାହାନ୍ତି। ସପ୍ତାହାନ୍ତ ସଟ୍‌ଡାଉନ୍ କ।ର୍ଯ୍ୟକ୍ରମକୁ ଜନସାଧାରଣ ବହୁ ପରିମାଣରେ ସହଯୋଗ କରୁଥିଲେ ମଧ୍ୟ ସରକାର ଗତବର୍ଷର ଅଭିଜ୍ଞତାରୁ ଶିକ୍ଷାଲାଭ କରି ଆଗୁଆ ପଦକ୍ଷେପ ନେଇଛନ୍ତି ବୋଲି କେହି ବିଶ୍ୱାସ କରୁନାହାନ୍ତି। ମେ’ ମାସରେ କରୋନାର ଦ୍ୱିତୀୟ ଲହର ସର୍ବୋଚ୍ଚ ସୀମାରେ ପହଁଚିବା ପରେ ବାସ୍ତବତା ପଦାକୁ ଆସିବ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।