ଭାରତର ନାଗରିକ ସତରେ କ’ଣ ଆଂଶିକ ସ୍ୱାଧୀନ?

ସାରା ବିଶ୍ୱର ବିଭିନ୍ନ ଦେଶର ସ୍ୱାଧୀନତା ଏବଂ ଗଣତନ୍ତ୍ରର ସ୍ୱାସ୍ଥ୍ୟ ଉପରେ ସର୍ଭେ କରିଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଫ୍ରିଡମ୍‍ ଇନ୍‍ ଦ ୱାର୍ଲ୍‍ଡ’ ନିକଟରେ ଯେଉଁ ସର୍ଭେ ରିପୋର୍ଟ ପ୍ରକାଶ କରିଛି ସେଥିରେ ଭାରତର ଗଣତନ୍ତ୍ରର ମୂଲ୍ୟବୋଧ ତଥା ସ୍ଥିତି ତଳକୁ ଖସିଥିବା ସୂଚାଇଛି।

  • ସୂର୍ଯ୍ୟମଣି ମିଶ୍ର

ବିଶ୍ୱରେ ଯେତେବେଳେ ଉଦାର ପରମ୍ପରା, ସଂସ୍କୃତି ଓ ସମାଜକୁ ନେଇ ଚର୍ଚ୍ଚା ହୁଏ ସେତେବେଳେ ଭାରତର ନାମ ସବୁଠୁ ଆଗରେ ଆସିଥାଏ। ପାଶ୍ଚାତ୍ୟ ଜଗତରେ ୧୭୮୯ର ଫରାସୀ ବିପ୍ଳବ ପରେ ସ୍ୱତନ୍ତ୍ରତା, ସମାନତା ଏବଂ ବନ୍ଧୁତ୍ୱର ଆହ୍ୱାନ ପ୍ରଥମ ଥର ପାଇଁ ଧରିତ୍ରୀରେ ଶୁଣିବାକୁ ମିଳିଥିଲା। କିନ୍ତୁ ଭାରତୀୟ ବାଙ୍‌ମୟରେ ଋଗବେଦଠାରୁ ଆରମ୍ଭ କରି ବିବେକାନନ୍ଦ ଯାଏଁ ଯେଉଁ ତିନୋଟି ମହାନ ମୂଲ୍ୟର କଥା କେବଳ କୁହାଯାଇନଥିଲା, ବରଂ ଏହା ଭାରତୀୟ ଦର୍ଶନ ଏବଂ ସଂସ୍କୃତିର ଅଭିନ୍ନ ଅଙ୍ଗ ଭାବରେ କାର୍ଯ୍ୟକାରୀ ହୋଇଥିଲା। ସ୍ୱାଧୀନତା ସଂଗ୍ରାମରେ ସମସ୍ତ ଧାର୍ମିକ ମତବାଦ ଏବଂ ଜାତିବାଦର ପଙ୍କ ଥିବା ସତ୍ତ୍ୱେ ସ୍ୱାଧୀନତା ସଂଗ୍ରାମର ମୁଖ୍ୟଧାରା ଗଣତନ୍ତ୍ର ଉପରେ ଟେକି ହୋଇ ରହିଥିଲା। ଆଜି ମଧ୍ୟ ଭାରତର ସମ୍ମାନ ବିଶ୍ୱରେ ତାହାର ଗଣତାନ୍ତ୍ରିକ ଉଦାରବାଦ ପାଇଁ ସମ୍ମାନିତ।

ତେବେ ଗତ କିଛି ବର୍ଷ ମଧ୍ୟରେ ଦେଶର ଚିତ୍ର ଅନ୍ତର୍ଜାତୀୟ ସ୍ତରରେ ଟିକେ ମଳିନ ହୋଇଯାଇଛି, ଯାହା ଚିନ୍ତାର ବିଷୟ। ସାରା ବିଶ୍ୱରେ ଗଣତନ୍ତ୍ର ଉପରେ ସମୟ ସମୟରେ କ୍ଷମତାର ଅହଙ୍କାର ଏବଂ ଜିଦ୍‍ କାରଣରୁ ବିପଦ ଦେଖିବାକୁ ମିଳିଛି। ଏହି ବିପଦ ବିଭିନ୍ନ ଦେଶରେ ତିଆରି କରାଯାଉଛି। ଆତଙ୍କ ଏବଂ ଏକଛତ୍ରବାଦୀ ରାସ୍ତା ଗଣତନ୍ତ୍ର ପାଇଁ କ୍ଷତିକାରକ, ଏହା ଜାଣି ମଧ୍ୟ କ୍ଷମତାରେ ଥିବା ବ୍ୟକ୍ତି ଗଣତନ୍ତ୍ରର ମୂଲ୍ୟବୋଧକୁ ଧରାଶାୟୀ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏହା ହେଉଛି ଭୟଙ୍କର ରାସ୍ତା ଯାହା ଦେଶ ଓ ସମାଜର ସମୃଦ୍ଧିରେ ବାଧକ।

ଆଜି ଭାରତର ଗଣତନ୍ତ୍ରର ସ୍ଥିତି ଉପରେ ଆଖି ପକାଇଲେ ଚିନ୍ତାଜନକ ଚିତ୍ର ସାମ୍‍ନାକୁ ଆସିଛି। ଗଣତାନ୍ତ୍ରିକ ପରମ୍ପରାକୁ ଭାଙ୍ଗିଦେବା ପାଇଁ ଅନୁସନ୍ଧାନ ତଥା ଗବେଷଣା ସଂସ୍ଥାକୁ ନିଜ ରାସ୍ତାକୁ ନେବାକୁ ଚାହୁଁଛନ୍ତି ଶାସନରେ ଥିବା ବ୍ୟକ୍ତି। ବିଶ୍ୱରେ ଭାରତର ଚିତ୍ର ଏବେ ଇଲେକ୍ଟେଡ୍‍ ଡେମୋକ୍ରାସି ବା ନିର୍ବାଚିତ ଗଣତନ୍ତ୍ର ବଦଳରେ ଇଲେକ୍ଟେଡ୍‍ ଅଟୋକ୍ରାସି ବା ନିର୍ବାଚିତ ସ୍ୱୈରତନ୍ତ୍ର ବୋଲି ଦର୍ଶାଯାଇଛି। ଅର୍ଥାତ୍‍ ଦେଶର ଶାସନ ବ୍ୟବସ୍ଥାର ଗତି ଏବେ ଏକଛତ୍ରବାଦ ଆଡ଼କୁ ମୁହାଁଇଛି।

ସାରା ବିଶ୍ୱର ବିଭିନ୍ନ ଦେଶର ସ୍ୱାଧୀନତା ଏବଂ ଗଣତନ୍ତ୍ରର ସ୍ୱାସ୍ଥ୍ୟ ଉପରେ ସର୍ଭେ କରିଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଫ୍ରିଡମ୍‍ ଇନ୍‍ ଦ ୱାର୍ଲ୍‍ଡ’ ନିକଟରେ ଯେଉଁ ସର୍ଭେ ରିପୋର୍ଟ ପ୍ରକାଶ କରିଛି ସେଥିରେ ଭାରତର ଗଣତନ୍ତ୍ରର ମୂଲ୍ୟବୋଧ ତଥା ସ୍ଥିତି ତଳକୁ ଖସିଥିବା ସୂଚାଇଛି। ଏହି ସଂସ୍ଥାର ବାର୍ଷିକ ରିପୋର୍ଟରେ ସାରା ବିଶ୍ୱର ବିଭିନ୍ନ ଦେଶରେ ରାଜନୈତିକ ଏବଂ ନାଗରିକ ସ୍ୱତନ୍ତ୍ରତା ସ୍ଥିତି ମାନବୀୟ ଏବଂ ରାଜନୈତିକ ସ୍ୱତନ୍ତ୍ରତାର କେତେକ ମାନକକୁ ଆଧାର କରି ସର୍ଭେ କରିଛି। ସମସ୍ତ ମାନକର ଆଧାରକୁ ନେଇ ଏହି ରିପୋର୍ଟରେ ଦେଶକୁ ସ୍କୋର୍‍ ଦିଆଯାଇଥାଏ। ବର୍ଷ ୨୦୨୧ ଅଙ୍କରେ ୧୯୫ ଦେଶ ଏବଂ ୧୫ ଅଞ୍ଚଳରେ ୧ ଜାନୁଆରୀ, ୨୦୨୦ରୁ ୩୧ ଡିସେମ୍ବର ୨୦୨୦ ଯାଏ ଘଟିଥିବା ଘଟଣା କ୍ରମକୁ ଏହି ରିପୋର୍ଟରେ ବିଶ୍ଲେଷଣ କରାଯାଇଛି।

ଦୈନିକ ଦ ହିନ୍ଦୁ ଅନୁସାରେ ଏହି ହ୍ରାସର କାରଣକୁ ସ୍ପଷ୍ଟ କରି ରିପୋର୍ଟରେ କୁହାଯାଇଛି ଯେ, ପ୍ରେସ୍‍ ବା ଗଣମାଧ୍ୟମର ସ୍ୱତନ୍ତ୍ରତା ଉପରେ ଆକ୍ରମଣ ବୃଦ୍ଧି ପାଇଛି।  ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ନାଟକୀୟ ଭାବେ ଘଟିଛି। ମିଡ଼ିଆରେ ବିରୋଧୀ ସ୍ୱରକୁ ଚାପି ଦେବା ପାଇଁ ପ୍ରଶାସନିକ ଅଧିକାରୀ, ସୁରକ୍ଷା, ମାନହାନୀ, ଦେଶଦ୍ରୋହ, ହଟସ୍ପିଚ୍‍ ଏବଂ ଅଦାଲତ ଅବମାନନା ଆଇନକୁ ବ୍ୟବହାର କରିଛନ୍ତି।

ଫ୍ରିଡମ ହାଉସ ନିଜର ୨୦୨୧ ବର୍ଷ ରିପୋର୍ଟରେ ଭାରତର ସ୍ଥାନ ଗତବର୍ଷର ‘ଫ୍ରି’ ଅର୍ଥାତ୍‍ ସ୍ୱତନ୍ତ୍ରରୁ ‘ପାର୍ଟଲି ଫ୍ରି’ ଆଂଶିକ ରୂପରେ ସ୍ୱତନ୍ତ୍ର ବୋଲି ସ୍କୋରରେ କୁହାଯାଇଛି। ଇଣ୍ଟରନେଟ୍‍ ଫ୍ରିଡମ୍‍ ସ୍କୋରର ଆଧାରରେ ଭାରତକୁ ଆଂଶିକ ରୂପରେ ସ୍ୱତନ୍ତ୍ରତାର ସ୍ଥାନ ଦିଆଯାଇଛି। ଗଣତନ୍ତ୍ର ସ୍ତରରେ ହ୍ରାସ କେବଳ ଭାରତରେ ନୁହେଁ, ବରଂ ଏହି ରିପୋର୍ଟ ଅନୁସାରେ ବିଶ୍ୱର ହାରାହାରି ୭୫ ପ୍ରତିଶତ ଜନସଂଖ୍ୟା ଏପରି ଦେଶରେ ବାସ କରନ୍ତି ଯେଉଁଠି ଗତ କିଛି ବର୍ଷରେ ଗଣତନ୍ତ୍ର ଏବଂ ସ୍ୱତନ୍ତ୍ରତାର ସ୍ଥିତିରେ ହ୍ରାସ ଘଟିଛି। ଏହି ଅନୁସାରେ ବିଶ୍ୱର ସବୁଠୁ ମୁକ୍ତ ଏବଂ ସ୍ୱତନ୍ତ୍ର ଦେଶ ତାଲିକାରେ ଫିନ୍‍ଲ୍ୟାଣ୍ଡ, ନରୱେ, ସ୍ୱିଡ଼େନ୍‍ ରହିଛି। ସବୁଠୁ ତଳେ ତିବ୍‌ବତ ଏବଂ ସିରିଆ।

୧୯୪୧ରୁ କାର୍ଯ୍ୟରତ ଏହି ସଂସ୍ଥା ବିଶ୍ୱର ସ୍ୱତନ୍ତ୍ରତା ଓ ମାନବୀୟତାକୁ ନେଇ ସର୍ଭେ କରିଥାଏ। ସର୍ଭେରେ ମୁଖ୍ୟତଃ ରାଜନୈତିକ ଅଧିକାର ଏବଂ ନାଗରିକ ସ୍ୱତନ୍ତ୍ରତାକୁ ଆଧାର କରିଥାଏ। ରାଜନୈତିକ ଅଧିକାର ଅନୁଯାୟୀ ନିର୍ବାଚନ ପ୍ରକ୍ରିୟା, ରାଜନୈତିକ ବହୁସଂଖ୍ୟକବାଦ ଏବଂ ଅଂଶୀଦାରୀ ତଥା ସରକାରୀ କାମ କାର୍ଯ୍ୟ ଭଳି ସଂକେତକୁ ଯୋଡ଼ିଥାଏ। ଏହିପରି ନାଗରିକ ସ୍ୱତନ୍ତ୍ରତା ଅନୁଯାୟୀ ଅଭିବ୍ୟକ୍ତ ଏବଂ ବିଶ୍ୱାସର ସ୍ୱତନ୍ତ୍ରତା, ସଂଗଠନାତ୍ମକ ଅଧିକାର, ଆଇନର ଶାସନ ଏବଂ ବ୍ୟକ୍ତିଗତ ସ୍ୱାୟତ୍ତତା ବା ବ୍ୟକ୍ତିଗତ ଅଧିକାର ଆଦି ସ୍ଥିତିକୁ ନେଇ ସର୍ଭେ କରିଥାଏ। ଏହି ସାଂକେତିକ ଆଧାରକୁ ସର୍ଭେରେ ସ୍ଥାନ ଦେଇ ଦେଶକୁ ସ୍ୱତନ୍ତ୍ର , ଆଂଶିକ ରୂପେ ସ୍ୱତନ୍ତ୍ର ବା ସ୍ୱତନ୍ତ୍ର ନୁହେଁ ବୋଲି ଘୋଷଣା କରାଯାଇଥାଏ। ଭାରତକୁ ଏହି ରିପୋର୍ଟରେ ୧୦୦ରୁ ୬୭ ସ୍କୋର ଦିଆଯାଇଛି। ଗତ ବର୍ଷ ୧୦୦ରୁ ୭୧ ସ୍କୋର ଦିଆଯାଇଥିଲା।

ଗତବର୍ଷ ଭାରତକୁ ସ୍ୱତନ୍ତ୍ର ଶ୍ରେଣୀରେ ଯୋଡ଼ାଯାଇଥିଲାବେଳେ ଏହିବର୍ଷ ଭାରତର ସ୍ଥିତିରେ ହ୍ରାସ ଦେଖି ଆଂଶିକ ରୂପେ ସ୍ୱତନ୍ତ୍ର ଶ୍ରେଣୀରେ ସାମିଲ କରାଯାଇଛି। ଇଂରାଜୀ ଦୈନିକ ଦ ହିନ୍ଦୁ ଅନୁସାରେ ଏହି ହ୍ରାସର କାରଣକୁ ସ୍ପଷ୍ଟ କରି ରିପୋର୍ଟରେ କୁହାଯାଇଛି ଯେ, ପ୍ରେସ୍‍ ବା ଗଣମାଧ୍ୟମର ସ୍ୱତନ୍ତ୍ରତା ଉପରେ ଆକ୍ରମଣ ବୃଦ୍ଧି ପାଇଛି।  ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ନାଟକୀୟ ଭାବେ ଘଟିଛି। ମିଡ଼ିଆରେ ବିରୋଧୀ ସ୍ୱରକୁ ଚାପି ଦେବା ପାଇଁ ପ୍ରଶାସନିକ ଅଧିକାରୀ, ସୁରକ୍ଷା, ମାନହାନୀ, ଦେଶଦ୍ରୋହ, ହଟସ୍ପିଚ୍‍ ଏବଂ ଅଦାଲତ ଅବମାନନା ଆଇନକୁ ବ୍ୟବହାର କରିଛନ୍ତି। ରାଜନେତା, ବ୍ୟବସାୟିକ ମେଣ୍ଟକୁ ଦେଖି ଲୋକଙ୍କର ପ୍ରେସ୍‍ ଉପରେ ଭରସା ହ୍ରାସ ପାଇଛି। ଦେଶଦ୍ରୋହ ଆଇନର ଦୁରୁପଯୋଗ କରାଯାଇଛି। ରିପୋର୍ଟରେ କୁହାଯାଇଛି ସରକାରଙ୍କ କାର୍ଯ୍ୟ ଉପରେ ଆଲୋଚନା କରୁଥିବା ସାମ୍ବାଦିକ, ଛାତ୍ର ଏବଂ ସାଧାରଣ ନାଗରିକଙ୍କ ବିରୋଧରେ ଏହି ଆଇନ୍‍କୁ ବ୍ୟବହାର କରାଯାଉଛି। ସମସ୍ତଙ୍କ ପାଇଁ ସମାନ ଅଧିକାର, ଢାଞ୍ଚାଗତ ମୂଲ୍ୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ବଦଳରେ ସଂକୀର୍ଣ୍ଣ ହିନ୍ଦୁ ରାଷ୍ଟ୍ରବାଦୀ ସ୍ଥିତିର ଉତ୍ତରଣ ଘଟିଛି।

ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଭାଷଣରେ ହିଂସା ସୃଷ୍ଟିକାରୀ କଥା ନଥିବ ତାହାକୁ ଦେଶଦ୍ରୋହ ଭାବେ ଗ୍ରହଣ କରାଯାଇପାରିବ ନାହିଁ। କିନ୍ତୁ ଏହାକୁ ସରକାର ଏବଂ ପୁଲିସ ମାନୁନାହାନ୍ତି। ଗତ ୫ ବର୍ଷରେ ଦେଶଦ୍ରୋହ ମାମଲା ବଢୁଛି। କିଛିବର୍ଷ ଦେଶଦ୍ରୋହ ମାମଲା ଚାଲେ, ପରେ ଲୋକଙ୍କୁ ଛାଡ଼ି ଦିଆଯାଏ।

ଇଣ୍ଟରନେଟ୍‍ ସ୍ୱତନ୍ତ୍ରତା ଉପରେ ଏହି ରିପୋର୍ଟରେ କୁହାଯାଇଛି ଯେ, କାଶ୍ମୀର ଏବଂ ଦିଲ୍ଲୀ ସୀମାରେ ଇଣ୍ଟରନେଟ୍‍ ସଟ୍‍ଡାଉନ୍‍ କାରଣରୁ ଇଣ୍ଟରନେଟ୍‍ ସ୍ୱତନ୍ତ୍ରତାରେ ଭାରତର ସୂଚାଙ୍କ ହ୍ରାସ ପାଇ ୫୧ ରେ ପହଂଚିଛି। ଏଥିପାଇଁ ଭାରତକୁ ଆଂଶିକ ରୂପେ ସ୍ୱତନ୍ତ୍ର ବୋଲି ସ୍ଥାନ ମିଳିଛି। କରୋନା ମହାମାରୀ ବିରୋଧ ପ୍ରତିକ୍ରିୟା ସମୟରେ ଭାରତ ସମେତ ବିଶ୍ୱସ୍ତରରେ କେତେକ ସ୍ଥାନରେ ଲକ୍‍ଡାଉନ୍‍ ଭଳି ଉପାୟକୁ ଆପଣାଯାଇଥିଲା। ଯେଉଁ କାରଣରେ ଭାରତରେ ବ୍ୟାପକ ଭାବେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ବିପଦପୂର୍ଣ୍ଣ ଭାବରେ ବିସ୍ଥାପିତ ହୋଇଥିଲେ। କାଶ୍ମୀର ଉପରେ ଅନ୍ୟ ଏକ ରିପୋର୍ଟରେ ଗତବର୍ଷ ସମାନ ‘ସ୍ୱତନ୍ତ୍ର ନୁହେଁ’ ଭାବରେ ରଖାଯାଇଥିଲା। ଗତବର୍ଷ କାଶ୍ମୀର ପାଇଁ ସ୍କୋର ଥିଲା ୨୮। ଏବେ ଏହା ହ୍ରାସ ପାଇ ୨୭ ହୋଇଛି।

ଏହି ବର୍ଷ ରିପୋର୍ଟରେ କାଶ୍ମୀରରେ ରାଜନୈତିକ ଅଧିକାରକୁ ବିଶ୍ଲେଷଣ କରି ୪୦ରୁ ୭ ନମ୍ବର ଦିଆଯାଇଛି। ନାଗରିକ ଅଧିକାରରେ ୬୦ରୁ ୨୦ ଅଙ୍କ ମିଳିଛି। ସରକାରଙ୍କ ଦ୍ୱାରା ଭେଦଭାବ ପୂର୍ଣ୍ଣ ନାଗରିକତା ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ଅନୁଚିତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିଛି ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ସିଏଏର ପରିବର୍ତ୍ତନ ଭେଦଭାବପୂର୍ଣ୍ଣ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଏନେଇ ବିରୋଧ ପ୍ରଦର୍ଶନରେ ହିଂସା ଘଟିଥିଲା, ଏଥିରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ଏହିପରି ଫ୍ରିଡମ୍‍ ହାଉସ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଲୋକ ନିଜର ଧାର୍ମିକ ଆସ୍ଥାକୁ ବ୍ୟକ୍ତ କରିବା ପାଇଁ ମିଳିଥିବା ସ୍ୱାଧୀନତା ଆଧାରରେ ଭାରତକୁ ୪ରୁ ୨ ନମ୍ବର ଦିଆଯାଇଛି। ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତ ଗୋଟିଏ ସିକୁଲାର ବା ଧର୍ମନିରପେକ୍ଷ ରାଷ୍ଟ୍ର କିନ୍ତୁ ହିନ୍ଦୁ ରାଷ୍ଟ୍ରବାଦୀ ସଂଗଠନ ଏବଂ କିଛି ମିଡ଼ିଆ ମୁସଲିମ୍‍-ବିରୋଧୀ ବିଚାରକୁ ପ୍ରମୋଟ କରୁଛନ୍ତି।

ରିପୋର୍ଟରେ ରାଜନୈତିକ ଅଧିକାର ପାଇଁ ୪୦ ଅଙ୍କରୁ ଭାରତକୁ ୩୪ ନମ୍ବର ମିଳିଛି। ନାଗରିକ ଅଧିକାର କ୍ଷେତ୍ରରେ ଭାରତକୁ ୬୦ ଅଙ୍କରୁ ୩୩ ନମ୍ବର ଦିଆଯାଇଛି। ଗତବର୍ଷ ଭାରତର ସ୍କୋର ୭୦ ଥିଲା ଏବଂ ଫ୍ରି ବା ସ୍ୱତନ୍ତ୍ରର ସ୍ଥାନ ମିଳିଥିଲା। କିଛି ମାନବାଧିକାର କାର୍ଯ୍ୟକର୍ତ୍ତା ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଫ୍ରିଡମ୍‍ ହାଉସର ଏହି ରିପୋର୍ଟ ପ୍ରଥମ ନୁହେଁ, ଯେଉଁଥିରେ ଭାରତର ସ୍ଥାନ ତଳକୁ ଖସିଛି। ଏହି କାର୍ଯ୍ୟକର୍ତ୍ତାଙ୍କ କହିବା କଥା ଗତ କିଛିବର୍ଷ ଧରି କ୍ରମାଗତ ଭାବେ ପୃଥକ୍‍ ପୃଥକ୍‍ ରିପୋର୍ଟରେ ଭାରତର ସ୍ଥାନରେ ହ୍ରାସ ଘଟିଛି। ଏହି ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅଛନ୍ତି ଆକାର ପଟେଲ। ଗତ ୫-୬ବର୍ଷରେ କେତେକ ଇଣ୍ଡେକ୍ସରେ କ୍ରମାଗତ ଭାବେ ଭାରତର ରେଟିଂ ତଳକୁ ଖସିଛି। ସେ ୱାର୍ଲଡ ବ୍ୟାଙ୍କର ଦୁଇଟି ଇଣ୍ଡେକ୍ସ ହେଉ ଅବା ୱାର୍ଲଡ ଇକୋନୋମିକ୍‍ ଫୋରମର ୨-୩ ଇଣ୍ଡେକ୍ସ ହେଉ, ଇକୋନୋମିକ୍‍ ଇଣ୍ଟେଲିଜେନ୍ସ ୟୁନିଟ୍‍, ଟ୍ରାନ୍ସପରେନ୍‍ସି ଇଣ୍ଟରନ୍ୟାସନାଲ୍‍ ସମେତ ୪୦ ଏପରି ଇଣ୍ଡେକ୍ସରେ ୨୦୧୪ରୁ ଭାରତର ରେଟିଂ ତଳକୁ ଆସିଛି। ଏହା ଏକ ଗଭର୍ଣ୍ଣାନ୍‍ସ ପ୍ରସଙ୍ଗ।

ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଭାଷଣରେ ହିଂସା ସୃଷ୍ଟିକାରୀ କଥା ନଥିବ ତାହାକୁ ଦେଶଦ୍ରୋହ ଭାବେ ଗ୍ରହଣ କରାଯାଇପାରିବ ନାହିଁ। କିନ୍ତୁ ଏହାକୁ ସରକାର ଏବଂ ପୁଲିସ ମାନୁନାହାନ୍ତି। ଗତ ୫ ବର୍ଷରେ ଦେଶଦ୍ରୋହ ମାମଲା ବଢୁଛି। କିଛିବର୍ଷ ଦେଶଦ୍ରୋହ ମାମଲା ଚାଲେ, ପରେ ଲୋକଙ୍କୁ ଛାଡ଼ି ଦିଆଯାଏ। ଏହାଦ୍ୱାରା ସରକାରୀ ଅର୍ଥ ଅକାରଣରେ ବ୍ୟୟ ହୁଏ ଓ ନାଗରିକଙ୍କୁ ଅଯଥା କଷ୍ଟ ଦିଆଯାଇଥାଏ। ସଦ୍ୟତମ ନୂଆ ଆଇଟି ଆକ୍ଟରେ ଅଫିସରଙ୍କୁ ମିଡ଼ିଆକୁ ନିୟନ୍ତ୍ରଣ କରିବା ପାଇଁ ଶକ୍ତି ଦିଆଯାଇଛି।  ଭାରତ ସରକାର ଫ୍ରିଡମ ହାଉସର ଏହି ରିପୋର୍ଟ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଦେଶ ମନ୍ତ୍ରୀ ଏସ୍‍.ଜୟଶଙ୍କର ଫ୍ରିଡମ ହାଉସର ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତର ହ୍ରାସ ପାଉଥିବା ଗଣତନ୍ତ୍ରର ଟିପ୍ପଣୀ ଉପରେ ପ୍ରତିବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଆମେ ହିନ୍ଦୁ ରାଷ୍ଟ୍ରବାଦୀ ପାର୍ଟି ବୋଲି କୁହାଯାଇଛି। ହଁ, ଆମେ ରାଷ୍ଟ୍ରବାଦୀ ପାର୍ଟି, ଆମେ ତ ୭୦ ଦେଶକୁ କୋଭିଡ଼ ଭ୍ୟାକ୍‍ସିନ୍‍ ଦେଇଛୁ। ଅନ୍ତର୍ଜାତୀୟ ହିତରେ ନିଜକୁ ଯୋଡ଼ିଛୁ। ଆମର ଆସ୍ଥା ଅଛି, ମାନ୍ୟତା ଅଛି, ମୂଲ୍ୟ ଅଛି, କିନ୍ତୁ ନିଜ ହାତରେ ଧାର୍ମିକ ପୁସ୍ତକ ନେଇ ଶପଥ ନେଉନାହୁଁ। ଚିନ୍ତା କରନ୍ତୁ ଏପରି କୌଣସି ଦେଶ ଅଛି ଆମ ଦେଶ ପରି? ଦେଶର ଗଣତନ୍ତ୍ର ସ୍ଥିତି ଉପରେ କାହାର କୌଣସି ସାର୍ଟିଫିକେଟ୍‍ ଆବଶ୍ୟକ ନାହିଁ। ଆମ ଦେଶର ସ୍ଥିତି ଠିକ୍‍ ଅଛି ଓ ଦେଶ ଆଗକୁ ବଢୁଛି। କିନ୍ତୁ ସତ୍ୟ ହେଉଛି ଫ୍ରିଡମ ହାଉସର ରିପୋର୍ଟକୁ ଅଣଦେଖା କରିହେବ ନାହିଁ। କାରଣ ତୃଣମୂଳ ସ୍ତରରେ ନାଗରିକଙ୍କ ସ୍ୱାଧୀନତା ବା ସ୍ୱତନ୍ତ୍ରତା ଉପରେ ଆକ୍ରମଣ ହେଉଛି।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‍: ୯୪୩୮୦୦୬୨୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।