ନେହରୁ, କଂଗ୍ରେସ, ଆର୍‍ଏସ୍‍ଏସ୍‍ ଓ ଧର୍ମନିରପେକ୍ଷତା

ସୂର୍ଯ୍ୟମଣି ମିଶ୍ର

୧୯୩୩ରେ ଜବାହରଲାଲ୍‍ ନେହରୁ ମହାତ୍ମା ଗାନ୍ଧୀଙ୍କ ପାଖକୁ ଗୋଟିଏ ଚିଠି ଲେଖି କହିଥିଲେ, ମୋର ଯେତେ ବୟସ ବଢ଼ୁଛି ଧର୍ମ ପ୍ରତି ମୋର ସେତିକି ଅବିଶ୍ୱାସ ଭାବ ବୃଦ୍ଧିପାଉଛି। ୧୯୩୬ରେ ନେହରୁ ନିଜ ଆତ୍ମକଥାରେ ଲେଖିଛନ୍ତି- ସଂଗଠିତ ଧର୍ମ ପ୍ରତି ସବୁବେଳେ ମୋ ମନରେ ଅନାସ୍ଥାଭାବ ସୃଷ୍ଟି ହେଉଛି। ମୋ ପାଇଁ ଏହାର ଅର୍ଥ ଅନ୍ଧବିଶ୍ୱାସ, ପୁରାତନପଂଥ, ରୁଢ଼ିବାଦିତା ଏବଂ ଶୋଷଣ, ଯେଉଁଠି ତର୍କ ଏବଂ ବାସ୍ତବତା ପାଇଁ କୌଣସି ସ୍ଥାନ ନାହିଁ। ମହାତ୍ମା ଗାନ୍ଧୀଙ୍କ ହତ୍ୟାର ଗୋଟିଏ ଦିନ ପୂର୍ବରୁ ୨୯ ଜାନୁୟାରୀ ୧୯୪୮ରେ ନେହରୁ ଭାରତ-ପାକ୍‍ ସୀମାର କୋଟାରୀ ଗାଁରେ କହିଥିଲେ, ମୁଁ ସାଂପ୍ରଦାୟିକ ସଂଗଠନକୁ ଆହ୍ୱାନ ଦେଉଛି, ମୁକ୍ତ ଭାବରେ ଆସି କଂଗ୍ରେସର ଆହ୍ୱାନକୁ ଗ୍ରହଣ କରି ନିଜର ଶକ୍ତି ଦେଖାନ୍ତୁ। ସେ ପାକିସ୍ତାନୀ ହୁଅନ୍ତୁ ଅବା ଇଂରେଜ, ସେ ହିନ୍ଦୁ ମହାସଭା ହେଉ ଅବା ଆର୍‍ଏସ୍‍ଏସ୍‍ର ବ୍ୟକ୍ତି, ଯେ କେହି ଜାତୀୟ ପତାକାକୁ ଅପମାନ କରିବେ ତାଙ୍କୁ ଦେଶଦ୍ରୋହୀ ଭାବେ ଚିହ୍ନଟ କରାଯିବ। ତାଙ୍କ ସହ ସେହିପରି ବ୍ୟବହାର କରାଯିବ।

୧୯୪୮ ଫେବୃୟାରୀ ୯ରେ ନେହରୁ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଥିଲେ- ମୋତେ ସୂଚନା ମିଳିଛି ପୂର୍ବ ପଞ୍ଜାବ ପ୍ରାନ୍ତର ଆର୍‍ଏସ୍‍ଏସ୍‍ ପ୍ରମୁଖ ରାୟବାହାଦୁର ବଦ୍ରିନାଥଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ମୋତେ କୁହାଯାଇଛି ସେ ଆର୍‍ଏସ୍‍ଏସ୍‍ରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ଦେଇଥାନ୍ତୁ ବା ନଦେଇଥାନ୍ତୁ, ଏଥିରେ ପାର୍ଥକ୍ୟ ପଡ଼ିବ ନାହିଁ। ଯେଉଁ ବ୍ୟକ୍ତି ଆର୍‍ଏସ୍‍ଏସ୍‍ ସହ ଜଡ଼ିତ, ତାଙ୍କୁ କୌଣସି ଉତ୍ତରଦାୟୀ ପଦରେ ରଖାଯାଇପାରିବ ନାହିଁ। ଏହାଦ୍ୱାରା ସାରା ଭାରତରେ ପ୍ରତିକୂଳ ପ୍ରତିକ୍ରିୟା ପଡ଼ିବ।

ନେହରୁ ଯେତେବେଳେ ସାଂପ୍ରଦାୟିକ ସଂଗଠନ ବିରୋଧରେ କଂଗ୍ରେସ ଏବଂ ଦେଶ ଆଗରେ ନିଜ ମତ ରଖୁଥିଲେ, ସେହି ସମୟରେ ଭାରତର ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ପଟେଲ, କଂଗ୍ରେସ ଅଧ୍ୟକ୍ଷ ଟଣ୍ଡନ, ଗୋବିନ୍ଦ ବଲ୍ଲଭ ପନ୍ଥ, କେ ଏମ୍‍ ମୁନ୍‍ସି ଅପ୍ରତ୍ୟକ୍ଷ ଭାବରେ ଆର୍‍ଏସ୍‍ଏସ୍‍ ବିଚାରକୁ ଦୃଢ଼ କରୁଥିଲେ। ୨୯ ଡିସେମ୍ବର ୧୯୪୭ରେ ରାଧାକୃଷ୍ଣନ ଆର୍‍ଏସ୍‍ଏସ୍‍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ନେହରୁ କହିଥିଲେ, ଆମର ସମସ୍ୟା ଏହା ନୁହେଁ ଯେ ପାକିସ୍ତାନ କ’ଣ କରୁଛି, କ’ଣ ନକରୁଛି, ଆମର ପ୍ରକୃତ ସମସ୍ୟା ଏହା ଯେ କଂଗ୍ରେସର ଅଧିକ ଲୋକ କ’ଣ କରୁଛନ୍ତି? ମୋର ଦୁଃଖ ରାଧାକୃଷ୍ଣନ ଆର୍‍ଏସ୍‍ଏସ୍‍ କାର୍ଯ୍ୟକ୍ରମରେ ଯୋଗଦେବା। ନେହରୁଙ୍କ ଇଚ୍ଛା ବିରୁଦ୍ଧରେ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ୧୯୫୦ରେ ଗୁଜୁରାଟର ସୋମନାଥ ମନ୍ଦିରର ଏକ ସମାରୋହରେ ଯୋଗ ଦେଇଥିଲେ। ଦଶମ ଶତାବ୍ଦୀରେ ମହମ୍ମଦ ଗଜନୀ ଏହି ମନ୍ଦିରରୁ ସୁନା ଲୁଣ୍ଠନ କରିଥିଲେ। ପ୍ରସିଦ୍ଧ ସାମ୍ବାଦିକ ଦୁର୍ଗାଦାସ ନିଜ ପୁସ୍ତକ “ଇଣ୍ଡିଆ ଫ୍ରମ କର୍ଜନ ଟୁ ନେହରୁ ଆଣ୍ଡ ଆଫଟର୍‍”ରେ ଲେଖିଛନ୍ତି- ରାଜେନ୍ଦ୍ର ପ୍ରସାଦ ନେହେରୁଙ୍କୁ କହିଥିଲେ, ମୁଁ ମୋ ଧର୍ମ ଉପରେ ବିଶ୍ୱାସ ରଖେ। ନିଜେ ନିଜକୁ ଏଥିରୁ ଅଲଗା ହୋଇପାରିବି ନାହିଁ। ଧର୍ମ ପ୍ରତି ନେହରୁ ଏବଂ ରାଜେନ୍ଦ୍ର ପ୍ରସାଦଙ୍କ ମଧ୍ୟରେ ପରସ୍ପର ବରୋଧୀ ବିଚାରର ଦୃଶ୍ୟ ଦେଖିବାକୁ ମିଳିଥିଲା ୧୯୫୨ରେ। ରାଜେନ୍ଦ୍ର ପ୍ରସାଦ କାଶୀ ଯାଇ କିଛି ପଣ୍ଡିତଙ୍କ ପାଦ ଧୋଇଥିଲେ। ନେହେରୁ ଏହାକୁ ବିରୋଧ କରି ଚିଠି ଲେଖିଲେ। ଲାଲବାହାଦୁର ଶାସ୍ତ୍ରୀଙ୍କ ସଚିବ ରହିଥିବା ସିପି ଶ୍ରୀବାସ୍ତବ ନିଜ ଜୀବନୀରେ ଲେଖିଛନ୍ତି, ଥରେ ଶାସ୍ତ୍ରୀଜୀ ପଣ୍ଡିତ ନେହରୁଙ୍କୁ ଅନୁରୋଧ କରିଥିଲେ ଯେ, କୁମ୍ଭ ମେଳାରେ ସ୍ନାନ କରିବା ପାଇଁ। ନେହରୁ ଶାସ୍ତ୍ରୀଙ୍କ ଅନୁରୋଧକୁ ଅସ୍ୱୀକାର କରି କହିଥିଲେ, ମୋର ଗଙ୍ଗାନଦୀ ପ୍ରତି ଭଲପାଇବା ଅଛି, ମୁଁ ଅନେକଥର ବୁଡ଼ ପକାଇଛି, କିନ୍ତୁ କୁମ୍ଭମେଳାରେ ଏହା କରିପାରିବି ନାହିଁ।

ନେହରୁଙ୍କ ଭଳି ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପାଖରେ ଧର୍ମ ନିରପେକ୍ଷତାର ଭାବମୂର୍ତ୍ତି ଥିଲା। ଶ୍ରୀମତୀ ଗାନ୍ଧୀଙ୍କ ପ୍ରଥମ କାର୍ଯ୍ୟକାଳରେ ଅର୍ଥାତ୍‍ କ୍ଷମତାକୁ ଆସିବା ପରେ ସେ ସମାଜବାଦ ଏବଂ ଧର୍ମନିରପେକ୍ଷତାର ଧ୍ୱଜବାହକ ଥିଲେ। ସେ ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ସମୟରେ ଈଶ୍ୱରଙ୍କ ନାମରେ ନୁହେଁ ସତ୍ୟ, ନିଷ୍ଠା ନାମରେ ଶପଥ ନେଇଥିଲେ। ୧୯୬୭ରେ ତାଙ୍କ ପାଇଁ ବଡ଼ ପରୀକ୍ଷା ଥିଲା ଗୋ-ରକ୍ଷା ଆନ୍ଦୋଳନ। ହଜାର ସଂଖ୍ୟକ ସାଧୁ ସଂସଦକୁ ଘେରାଉ କରିଥିଲେ। ପୁଲିସ୍‍ ଗୁଳିରେ ଛଅ ଜଣଙ୍କର ମୃତ୍ୟୁ ହେଲା। କିନ୍ତୁ ଇନ୍ଦିରା ଗାନ୍ଧୀ ସାଧୁଙ୍କ ‘ଗୋ-ହତ୍ୟା ବନ୍ଦ’ ଦାବିକୁ ଗ୍ରହଣ କରିନଥିଲେ। ଗୋ-ରକ୍ଷା ଆନ୍ଦୋଳନକୁ ସମର୍ଥନ କରୁଥିବା ଗୁଲଜାରୀଲାଲ ନନ୍ଦାଙ୍କୁ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ହଟାଇ ଦେଇଥିଲେ। କିନ୍ତୁ ୧୯୮୦ରେ ଇନ୍ଦିରା ଗାନ୍ଧୀ ଈଶ୍ୱର ଏବଂ ମନ୍ଦିର ଆଡ଼କୁ ମୁହାଁଇଲେ। ୧୯୭୭ରେ ନିର୍ବାଚନରେ ପରାଜିତ ହେବା, ୧୯୮୦ରେ ନିଜ ସାନପୁଅ ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଇନ୍ଦିରାଜୀ ଧର୍ମ ପ୍ରତି ଦୁର୍ବଳ ହୋଇପଡ଼ିଲେ।

ପ୍ରସିଦ୍ଧ ସାମ୍ବାଦିକ କୁମ୍‍କୁମ୍‍ ଚଢ଼ା “ଦ ଷ୍ଟୋରୀ ମେରୀ ଗୋଲ୍ଡ ଷ୍ଟୋରୀ-ଇନ୍ଦିରା ଗାନ୍ଧୀ ଆଣ୍ଡ ଅଦର୍ସ”ରେ ଲେଖିଛନ୍ତି- ଧର୍ମ ପ୍ରସଙ୍ଗରେ କମଳାପତି ତ୍ରିପାଠୀ ଇନ୍ଦିରାଜୀଙ୍କର ଗୁରୁ ହୋଇଗଲେ। ବିଦେଶରେ ପଢ଼ିଥିବା ଏବଂ ଫ୍ରେଞ୍ଚ ଭାଷା କହୁଥିବା ଇନ୍ଦିରା ଗାନ୍ଧୀ ଗୋଟିଏ ଦିନ ନବରାତ୍ରରେ କମଳାପତି ତ୍ରିପାଠୀଙ୍କ କଥାରେ ନବରାତ୍ର ପରେ କୁଆଁରୀ କନ୍ୟାଙ୍କ ପାଦଧୋଇ ଏହି ପାଣିକୁ ପିଇଥିଲେ। ପ୍ରଥମେ ନାକ ଟେକିଥିଲେ, କହିଥିଲେ ଏହି ପାଣି ପିଇଲେ ରୋଗ ହେବନାହିଁ ତ? କିନ୍ତୁ ପରେ ଏହା କରିବାକୁ ବାଧ୍ୟ ହୋଇଥିଲେ। ବଗଳାମୁଖୀ ଶକ୍ତିପୀଠକୁ ଯାଇଥିଲେ। ମନ୍ଦିର ପ୍ରାଙ୍ଗଣ ଭିତରେ ଧୂମାବତୀ ମନ୍ଦିର ଥିଲା। କେବଳ ବିଧବା ପୂଜା କରିବାର ଅନୁମତି ଥିଲା। ଏଠାକୁ ଇନ୍ଦିରାଜୀ ଯେତେବେଳେ ପୂଜା କରିବାକୁ ଗଲେ ସେଠାର ପୂଜାରୀ ପ୍ରବେଶ କରିବା ପାଇଁ ବାରଣ କଲେ। କାହିଁକି ନା ସେ ଅଣହିନ୍ଦୁ।

କୁମ୍‍କୁମ୍‍ ଚଢା ଲେଖିଛନ୍ତି, ଏହାପରେ ଇନ୍ଦିରାଜୀ କମଳାପତି ତ୍ରିପାଠୀଙ୍କୁ ଫୋନ୍‍ କରି ବଗଳାମୁଖୀ ପୀଠକୁ ତୁରନ୍ତ ଆସିବା ପାଇଁ କହିଲେ। କମଳାପତି ଆସିଲେ ଏବଂ ପୂଜାରୀଙ୍କୁ ବୁଝାଇଲେ ଯେ ଇନ୍ଦିରା ଜୀ ହେଉଛନ୍ତି ବ୍ରାହ୍ମଣ କନ୍ୟା। ଏହାପରେ ଦିଲ୍ଲୀର ଆଦ୍ୟ କାତ୍ୟାୟନୀ ଶକ୍ତିପୀଠକୁ ଯାଇଥିଲେ। ୧୯୮୩ରେ ଇନ୍ଦିରା ଗାନ୍ଧୀ ହରିଦ୍ୱାରରେ ଭାରତମାତା ମନ୍ଦିରର ଉଦ୍‍ଘାଟନ କରିଥିଲେ। ଏହି ମନ୍ଦିର ବିଶ୍ୱ ହିନ୍ଦୁ ପରିଷଦ ସହଯୋଗରେ ନିର୍ମାଣ ହୋଇଥିଲା।

୧୯୮୯ରେ ରାଜୀବ ଗାନ୍ଧୀ ଅଯୋଧ୍ୟାରୁ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରି ରାମରାଜ୍ୟ ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଥିଲେ। କଂଗ୍ରେସ ଦଳର ନରସିଂହ ରାଓଙ୍କଠାରୁ ପ୍ରଣବ ମୁଖାର୍ଜୀ ଆରଏସ୍‍ଏସ୍‍ ଏବଂ ଧର୍ମ ପ୍ରତି ଦୁର୍ବଳ ଥିବାର ସୂଚନା ଅଛପା ନାହିଁ। ୨୦୧୯ ନିର୍ବାଚନ ସମୟରେ ରାହୁଳ ଗାନ୍ଧୀ ଗୋଟିଏ ପରେ ଗୋଟିଏ ମନ୍ଦିର ଯାଇ ପଇତା ଧାରଣ କରି ପ୍ରମାଣ ଦେଲେ ଯେ ସେ ହିନ୍ଦୁ ଏବଂ ଧର୍ମକୁ ବିଶ୍ୱାସ କରନ୍ତି। ନିକଟରେ ପ୍ରିୟଙ୍କା ଗାନ୍ଧୀ କୁମ୍ଭରେ କିପରି ସ୍ନାନ କରୁଛନ୍ତି, ସେ ହିନ୍ଦୁ ଏହାର ପ୍ରମାଣ ଦେଶବାସୀଙ୍କ ଆଗରେ ରଖିଛନ୍ତି।

ବିଜେପିର ହିନ୍ଦୁତ୍ୱ-ଧର୍ମଧ୍ୱଜା ଧାରଣକୁ ସାମ୍ନା କରିବା ପାଇଁ କଂଗ୍ରେସ ଭଳି ଦଳ ସଫ୍ଟ ହିନ୍ଦୁତ୍ୱକୁ ଗ୍ରହଣ କରିଥିବା କହିଲେ ଭୁଲ ହେବ ନାହିଁ। ଏହା ସତ୍ୟ ଯେ କଂଗ୍ରେସ ଭିତରେ ନେହରୁଙ୍କ ସମୟରୁ ହିନ୍ଦୁତ୍ୱକୁ ଗ୍ରହଣ କରିଥିବା ନେତା ଥିଲେ। ଆଜି ଦିନରେ ଏହି ନେତାଙ୍କ ସଂଖ୍ୟା ଅଧିକ ହୋଇଛି। ନେହରୁଙ୍କ ବିଚାର ଆଜି ଦିନରେ ଧାର୍ମିକ ପ୍ରସଙ୍ଗରେ କଂଗ୍ରେସ ଦଳରେ ଅପ୍ରାସଙ୍ଗିକ ହୋଇପଡ଼ିଛି। କଂଗ୍ରେସ ନେତା ବିଜେପିର ଶକ୍ତି ବୃଦ୍ଧିକୁ ନିୟନ୍ତ୍ରଣ କରିବା, ଅଙ୍କୁଶ ଲଗାଇବା ପାଇଁ ସଫ୍ଟ ହିନ୍ଦୁତ୍ୱ ନୀତିକୁ ଆପଣେଇଛନ୍ତି। ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ, ଗାନ୍ଧୀବାଦୀ ଦଳ କେବଳ କଂଗ୍ରେସ ନୁହଁ, ତୃଣମୂଳ କଂଗ୍ରେସ, ବିଜୁ ଜନତା ଦଳ, ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକର ସୁପ୍ରିମୋ  ମଧ୍ୟ ବିଜେପିର ଶକ୍ତିକୁ ନିୟନ୍ତ୍ରଣ କରିବା ପାଇଁ ସଫ୍ଟ ହିନ୍ଦୁତ୍ୱକୁ ଆପଣାଇଥିବା ଦେଖିବାକୁ ମିଳୁଛି। ଏହା ଏବେ ଦେଶରେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର

ଫୋନ୍‍ : ୯୪୩୮୦୦୬୨୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।