ରେଳ କ୍ଷେତ୍ରରେ ଆଶାର ଝଲକ

ରବି ଦାସ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିଲାପରେ ଦେଶର ଅର୍ଥନୀତିରେ ଯଦିଓ ବିଶେଷ ପରିବର୍ତ୍ତନ ହୋଇନାହିଁ ଓ ଏବେ ଦେଶରେ ଏକ ଆର୍ଥିକ ମାନ୍ଦାବସ୍ତା ରହିଛି, କିନ୍ତୁ ରେଳବାଇ କ୍ଷେତ୍ରରେ ଏହି ସରକାର ସମୟରେ ଓଡ଼ିଶାରେ ବିକାଶ ତ୍ୱରାନ୍ୱିତ ହୋଇଛି। ଯଦିଓ ଆଗାମୀ ବର୍ଷ ପାଇଁ ରେଳବଜେଟ୍‌ରେ ଓଡ଼ିଶାର ଅଂଶ ପୂର୍ବବର୍ଷ ଠାରୁ ୧ ହଜାର ୬୨୦ କୋଟି ଟଙ୍କା କମ୍ ହୋଇଛି, ଯାହାକି ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷଠାରୁ ମଧ୍ୟ କମ୍‍ ତଥାପି […]

railway

Jitendra Garnayak
  • Published: Saturday, 08 February 2020
  • , Updated: 08 February 2020, 08:28 AM IST
  • ରବି ଦାସ

କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିଲାପରେ ଦେଶର ଅର୍ଥନୀତିରେ ଯଦିଓ ବିଶେଷ ପରିବର୍ତ୍ତନ ହୋଇନାହିଁ ଓ ଏବେ ଦେଶରେ ଏକ ଆର୍ଥିକ ମାନ୍ଦାବସ୍ତା ରହିଛି, କିନ୍ତୁ ରେଳବାଇ କ୍ଷେତ୍ରରେ ଏହି ସରକାର ସମୟରେ ଓଡ଼ିଶାରେ ବିକାଶ ତ୍ୱରାନ୍ୱିତ ହୋଇଛି। ଯଦିଓ ଆଗାମୀ ବର୍ଷ ପାଇଁ ରେଳବଜେଟ୍‌ରେ ଓଡ଼ିଶାର ଅଂଶ ପୂର୍ବବର୍ଷ ଠାରୁ ୧ ହଜାର ୬୨୦ କୋଟି ଟଙ୍କା କମ୍ ହୋଇଛି, ଯାହାକି ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷଠାରୁ ମଧ୍ୟ କମ୍‍ ତଥାପି ଏହା ସ୍ୱୀକାର କରିବାକୁ ପଡ଼ିବ ଯେ, ଓଡ଼ିଶାରେ ଯେଉଁସବୁ ରେଳପଥ ରାଜ୍ୟର ଅର୍ଥନୀତି, ରାଜନୀତି ଓ ସାମାଜିକ ପ୍ରଗତି ପାଇଁ ଜରୁରୀ ସେଗୁଡ଼ିକର କାମ ମୋଦି ସରକାରଙ୍କ ସମୟରେ ତ୍ୱରାନ୍ୱିତ ହୋଇଛି। ଏହା ଯେ କେହି ସ୍ୱୀକାର କରିବେ ଯେ ବର୍ତ୍ତମାନର ଯୁଗରେ କୌଣସି ଅଞ୍ଚଳର ବା ରାଜ୍ୟର ପ୍ରଗତି ରେଳଲାଇନ୍ ଉପରେ ବହୁ ପରିମାଣରେ ନିର୍ଭରଶୀଳ। ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେଉଁସବୁ ରେଳପଥ ହୋଇଥିଲା, ତାହା ଭିତରୁ ଅଧିକାଂଶ ରାଜ୍ୟର ପ୍ରାକୃତିକ ସମ୍ପଦ ବା ଖଣିଜ ସମ୍ପଦ ନେବା ପାଇଁ ଉଦ୍ଦିଷ୍ଟ ଥିଲା। ଏବେ ବି ସେହି ପ୍ରାଥମିକତା ରହିଛି।

କଟକ-ସମ୍ୱଲପୁର ରେଳପଥ ବିକାଶ ପରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ରାଜ୍ୟର ଆବଶ୍ୟକତା ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ତାହାର ଅଗ୍ରଗତି ଆଦୌ ସନ୍ତୋଷଜନକ ନଥିଲା। କିନ୍ତୁ ଗତ ୩ବର୍ଷ ଭିତରେ ଓ ରାଜ୍ୟ ସରକାର ଜମି ଅଧିଗ୍ରହଣ ବାବଦରେ ୨ହଜାର କୋଟି ଟଙ୍କାର ଅର୍ଥ ନିଜେ ନେବା ପରେ ରେଳବାଇ ବ୍ୟୟବରାଦ ବୃଦ୍ଧି ଯୋଗୁ ଏହି କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଓ ଆସନ୍ତାବର୍ଷ ପାଇଁ ମଧ୍ୟ ଏ ବାବଦରେ ୫୨୦ କୋଟି ଟଙ୍କା ଦିଆଯାଇଛି। ଯଦି ଜମି ଅଧିଗ୍ରହଣ କାର୍ଯ୍ୟ ଠିକ ଭାବରେ ହୁଏ ତେବେ ୨୦୨୩ ସୁଦ୍ଧା ଏହି ରେଳପଥ ନିର୍ମାଣ ଶେଷ ହେବାର ଯେଉଁ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ କରିଥିବା ସମୀକ୍ଷା ବୈଠକରେ ଧାର୍ଯ୍ୟ ହୋଇଛି, ତାହା ସମ୍ଭବ ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ହାତରେ ଏହାକୁ ତ୍ୱରାନ୍ୱିତ କରିବାର ଏକ ଦାୟିତ୍ୱ ମଧ୍ୟ ରହିଛି। ତିନିବର୍ଷରେ ପ୍ରାୟ ୧୭୦୦ କୋଟି ଟଙ୍କା ଖର୍ଚ୍ଚ ପରେ ଆସନ୍ତାବର୍ଷ ପାଇଁ ୫୨୦ କୋଟି ଟଙ୍କା ବ୍ୟୟବରାଦରେ ଅସନ୍ତୋଷ ପ୍ରକାଶ କରାଯାଇପାରିବ ନାହିଁ।

ଓଡ଼ିଶା ପାଇଁ ସାମାଜିକ ଓ ରାଜନୈତକ ଦୃଷ୍ଟିରୁ ବ୍ରହ୍ମପୁର-ସମ୍ୱଲପୁର ରେଳପଥ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଏଥିପାଇଁ ଆବଶ୍ୟକ ବ୍ୟୟବରାଦ କରାଯାଉନାହିଁ। ଏକ ସାମାନ୍ୟ ରାଶି ଦେଇ ଏହି ରେଳପଥ ଭାଗ୍ୟକୁ ଝୁଲାଇ ରଖାଯାଇଛି। ପିପିପି ସହାୟତାରେ ଏହି ରେଳ ନିର୍ମାଣ ଉଦ୍ୟମ ହେବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ତାହା ପ୍ରକୃତରେ କେବେ ନିର୍ମାଣ ହେବ ଜଣାନାହିଁ। ବାସ୍ତବରେ ଏହି ରେଳଲାଇନ ହେଲେ ତାଳଚେର ଓ ସମ୍ୱଲପୁରରୁ ଗୋପାଳପୁର ବନ୍ଦରକୁ କୋଇଲା ପରିବହନ ସହଜ ହେବ। ଏଣୁ ଏହା ଏକ କୋଲ୍‌ କରିଡର ହେବା ସହ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଯୋଡ଼ିବ। ଏହି ପ୍ରକଳ୍ପ ଲାଗି ୨୯୫୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ବାସ୍ତବରେ ଫୁଲବାଣୀ ଦେଇ ଗୋପାଳପୁର-ସମ୍ୱଲପୁର ରେଳପଥ ସଂଯୋଗ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଆଉ ଗୋଟିଏ ରେଳପଥ ଯାହା ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଗୋପାଳପୁର-ରାୟଗଡ଼ା ନୂତନ ରେଳ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୮୦ କିମିର ରେଳଲାଇନ ହେବ ଓ ଏହା ଗୋପାଳପୁର-ବ୍ରହ୍ମପୁର-ଦିଗପହଣ୍ଡି-ତପିପାଣି-ମୋହନା-ଅଡ଼ବା-ଗୁମୁଡ଼ା-ଥିରୁୱାଲି-ରାୟଗଡ଼ାକୁ ସଂଯୋଗ କରିବ। ଏହି କାର୍ଯ୍ୟ ପାଇଁ ରେଳ ମନ୍ତ୍ରଣାଳୟ ସର୍ଭେ କରିଥିଲେ ମଧ୍ୟ ଅର୍ଥ ବରାଦ ହେଉନାହିଁ। ନୂତନ ଭାବେ ଓଡ଼ିଶାରେ କରାଯାଇଥିବା ରାୟଗଡ଼ା ଡିଭିଜନ ପାଇଁ ଯେଉଁ ଅର୍ଥର ଆବଶ୍ୟକତା ଅଛି ତାହା ଦିଆଯାଇନାହିଁ। ଏହି ଡିଭିଜନ ଅଧୀନରେ କୌଣସି ନୂଆ ରେଳ ଲାଇନକୁ ଅନୁମୋଦନ ଦିଆଯାଇନାହିଁ। ଯଦିଓ ଏହି ଡିଭିଜନ ଅଧିକ ଜିଲ୍ଲା, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲାକୁ ଏପର୍ଯ୍ୟନ୍ତ ରେଳ ସଂଯୋଗ ନାହିଁ। ଯଦିଓ କୋରାପୁଟ-ସିଙ୍ଗାପୁର ରୋଡ଼ ଦୋହରୀକରଣ ଲାଗି ୨୦୧ କୋଟି ଟଙ୍କାର ଅର୍ଥ ଆଗାମୀ ବର୍ଷ ପାଇଁ ମଂଜୁର ହୋଇଛି କିନ୍ତୁ ନୂଆପଡ଼ା-ଗୁଣପୁର-ଥିରୁୱାଲି ରେଳପଥକୁ ଅନୁଦାନ ଦିଆଯାଇନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ଜୟପୁର-ନବରଙ୍ଗପୁର ୩୮ କିମି ରାସ୍ତା କାର୍ଯ୍ୟ ପାଇଁ ଗତବର୍ଷ ମାତ୍ର ୧୦ କୋଟି ଟଙ୍କା ଦିଆଯାଇଥିଲା ବେଳେ ଆସନ୍ତାବର୍ଷ ପାଇଁ ୨୦ କୋଟି ଟଙ୍କା ଦିଆଯାଇଛି।

ଜୟପୁର-ମାଲକାନଗିରି ୧୩୦ କିମି ରେଳପଥ ପାଇଁ ଗତବର୍ଷ ୭୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଆସନ୍ତାବର୍ଷ ପାଇଁ ମାତ୍ର ୩୩ କୋଟି ଟଙ୍କା ଦିଆଯାଇଛି। ସେହିପରି ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଦୀର୍ଘବର୍ଷର ଆନ୍ଦୋଳନ ପରେ ଗତ ଦୁଇବର୍ଷ ଅର୍ଥ ବରାଦ ବୃଦ୍ଧି କରି ୨୦୧୯-୨୦ରେ ତାହାକୁ ୧୫୦ କୋଟି ଟଙ୍କାକୁ କମାଇ ଦିଆଯିବା ପରେ ଆଗାମୀ ବର୍ଷ ପାଇଁ ତାହାକୁ ୧୪୦ କୋଟି ଟଙ୍କାକୁ ଅଣାଯାଇଛି। ଏହି ରେଳପଥ ପାଇଁ ଜମି ଅଧିଗ୍ରହଣ ଏକ ବଡ଼ ପ୍ରତିବନ୍ଧକ ଭାବେ ଦେଖାଦେଇଛି। ଉଭୟ ବେସରକାରୀ ଓ ସରକାରୀ ଜମି ଅଧିଗ୍ରହଣ ଗତି ବେଶ୍ ମନ୍ଥର ରହିଛି। ପ୍ରାୟ ୭୦୪.୧୫ ଏକର ବେସରକାରୀ ଜମି ଅଧିଗ୍ରହଣ ବାକି ଥିବା ସମୟରେ ପ୍ରାୟ ୩୧୨.୯୬ ଏକର ସରକାରୀ ଜମି ଅଧିଗ୍ରହଣ ବାକି ରହିଛି। ସେହିପରି ୬୨୩.୭୮ ଏକର ଜଙ୍ଗଲ ଜମି ଅଧିଗ୍ରହଣ ହେବାକୁ ବାକି ଅଛି। ଆଶ୍ଚର୍ଯ୍ୟର କଥା ଏହି ରେଳପଥ ନିର୍ମାଣ ପାଇଁ ୧୯୬୯ରେ ଛାତ୍ର ଆନ୍ଦୋଳନ ହୋଇଥିଲା। କିନ୍ତୁ ୨୦୦୩-୦୪ରେ ଏହି ରେଳପଥଟି କ୍ୟାବିନେଟ୍‌ରେ ଅନୁମୋଦନ ଲାଭ କରିବା ପରେ ମଧ୍ୟ ଜମି ଅଧିଗ୍ରହଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରିପାରୁନାହିଁ।

ଓଡ଼ିଶା ପାଇଁ ଅର୍ଥନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କାର୍ଯ୍ୟ ଆସନ୍ତାବର୍ଷ ଶେଷ ହେବ ବୋଲି ବଜେଟ୍‌ରେ ଅର୍ଥବରାଦ କରାଯାଇଛି। ଏହି ରେଳପଥ ନିର୍ମାଣ ହେଲେ ଯେଉଁ ପରିମାଣରେ ହଜାର ହଜାର ସଂଖ୍ୟାରେ ଟ୍ରକ୍‌ ସବୁ ପାରାଦୀପ ଯାଉଛି ଓ ପାରାଦୀପର ପରିବେଶ ନଷ୍ଟ ହେଉଛି ତାହା ଅନେକ ପରିମାଣରେ କମିଯିବ। ଆର୍ଥିକ ବିକାଶ ପାଇଁ ଅନୁଗୁଳ-ସୁକିନ୍ଦା ପ୍ରକଳ୍ପ ନିର୍ମାଣ ଆସନ୍ତାବର୍ଷ ପାଇଁ ୪୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଗତବର୍ଷ ଏହି ଲାଇନ ପାଇଁ ୨୨୫ କୋଟି ଟଙ୍କା ବ୍ୟୟ ବରାଦ ଥିଲା। ତଥାପି ଏହା ଯେକେହି ସ୍ୱୀକାର କରିବେ ଯେ, ଦୋହରୀକରଣ ରାସ୍ତା ପାଇଁ ଆଗାମୀ ବର୍ଷ ବଜେଟ୍‌ରେ ବ୍ୟୟ ବରାଦ ବଢ଼ିଛି। ଯେହେତୁ ଦୋହରୀକରଣ ରାସ୍ତା ପାଇଁ ଜମି ଅଧିଗ୍ରହଣ ସମସ୍ୟା ନାହିଁ ସେହେତୁ ଏଥିରେ ବ୍ୟୟ ବରାଦ ଅର୍ଥ ଖର୍ଚ୍ଚ ହୋଇପାରୁଛି। ଦୋହରୀକରଣ କାର୍ଯ୍ୟଗୁଡ଼ିକ ମଧ୍ୟରେ ସମ୍ୱଲପୁର-ତାଳଚେର ସେକ୍ସନ୍ ପାଇଁ ୨୯୨କୋଟି ଟଙ୍କା, ସମ୍ୱଲପୁର-ଟିଟିଲାଗଡ଼ ସେକ୍ସନ ପାଇଁ ୩୮୨ କୋଟି ଟଙ୍କା, ରାୟପୁର-ଟିଟିଲାଗଡ଼ ସେକ୍ସନ୍ ପାଇଁ ୧୪୬ କୋଟି ଟଙ୍କା ମଞ୍ଜୁର ହୋଇଛି। ବାସ୍ତବରେ ଆଗାମୀ ଆର୍ଥିକ ବର୍ଷରେ ସମ୍ୱଲପୁର ମଣ୍ଡଳର ସମ୍ପୂର୍ଣ୍ଣ ଦୋହରାଲାଇନ କାର୍ଯ୍ୟ ଶେଷ ହୋଇଯିବ। ଓଡ଼ିଶା ଭିତରେ ଥିଲେ ମଧ୍ୟ ଚକ୍ରଧରପୁର ଡିଭିଜନ୍ ଅଧୀନରେ ଥିବା ରାଉରକେଲା-ଝାରସୁଗୁଡ଼ାରେ ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟ ପାଇଁ ୧୭୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ମନୋହରପୁର-ବନ୍ଧମୁଣ୍ଡା ରେଳପଥର ତୃତୀୟ ଲାଇନ ପାଇଁ ୩୫ କୋଟି ଟଙ୍କା ବରାଦ ହୋଇଛି। ଏହାଛଡ଼ା ରାଉରକେଲା-ବନ୍ଧମୁଣ୍ଡା ମଧ୍ୟରେ ଚତୁର୍ଥ ଲାଇନ୍ ପାଇଁ ୨୩ କୋଟି ଟଙ୍କା ଏବଂ ବନ୍ଧମୁଣ୍ଡା-ରାଞ୍ଚି ରେଳ ଲାଇନ୍ ପାଇଁ ୨୦ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।

ଓଡ଼ିଶାରେ ଆଗାମୀ ବର୍ଷ ପାଇଁ ରେଳବାଇ ବ୍ୟୟବରାଦ ପୂର୍ବବର୍ଷ ତୁଳନାଗୁଡ଼ିକରେ କମିଯାଇଥିବାରୁ ଅସନ୍ତୋଷ ହେବା ସ୍ୱାଭାବିକ। କିନ୍ତୁ ପୂର୍ବରୁ ଓଡ଼ିଶାରେ ଯେଉଁଧରଣର ରେଳପଥ କାର୍ଯ୍ୟ ଚାଲିଥିଲା ସେହି ତୁଳନାରେ ଦେଖିଲେ ମୋଦି ସରକାରଙ୍କ ସମୟରେ ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ବିକାଶ ଧାରା ତ୍ୱରାନ୍ୱିତ ହୋଇଛି। ରେଳ ମନ୍ତ୍ରଣାଳୟ ଅନେକ ସମୟରେ ଅଭିଯୋଗ କରୁଛନ୍ତି ଯେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବାରେ ବିଳମ୍ୱ କରୁଛନ୍ତି ବା ଜଙ୍ଗଲ ଓ ପରିବେଶ ବିଭାଗ ମଞ୍ଜୁରୀ ଦେବାରେ ମଧ୍ୟ ବିଳମ୍ୱ ହେଉଛି। କିନ୍ତୁ ଯେଉଁଠି ଜମିର ସୁବିଧା ଅଛି ଏବଂ ଯେଉଁଠାରେ ରାଜ୍ୟ ସରକାର ଜମି ଯୋଗାଇଦେବାକୁ ରାଜି ହୋଇଛନ୍ତି ସେଠାରେ ରେଳପଥ ନିର୍ମାଣ ବିଳମ୍ୱିତ ହେବାର କାରଣ ବୁଝାପଡ଼ୁନାହିଁ। ବିଶେଷ ଭାବରେ ମାଲକାନଗିରି ପାଇଁ ରେଳପଥ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଅତ୍ୟନ୍ତ ବ୍ୟଗ୍ର। ସେହି ଅନୁସାରେ ରାଜ୍ୟ ସରକାର ମାଗଣାରେ ଜମି ଦେଇ ରେଳପଥ ନିର୍ମାଣରେ ଅଂଶୀଦାର ହୋଇଛନ୍ତି। ତଥାପି ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ବ୍ୟୟ ବରାଦ ଯଥେଷ୍ଟ ହ୍ରାସର କୌଣସି କାରଣ ବୁଝାପଡ଼ୁନାହିଁ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଗତ ଲୋକସଭା ନିର୍ବାଚନରେ ପଶ୍ଚିମଓଡ଼ିଶାରେ ବିଜେପି ସୁନ୍ଦରଗଡ଼, ସମ୍ୱଲପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଲୋକସଭା ଆସନ ଜିତିଥିବାରୁ ଓଡ଼ିଶାରେ ରେଳବଜେଟରେ ଅର୍ଥ ହ୍ରାସ ସତ୍ତ୍ୱେ  ଓଡ଼ିଶା ପାଇଁ ହୋଇଥିିବା ମୋଟ ରେଳ ବ୍ୟୟବରାଦରେ ୫୦ଭାଗରୁ ଊର୍ଦ୍ଧ୍ୱ ବ୍ୟୟବରାଦ ପଶ୍ଚିମ ଓଡ଼ିଶାରେ ହୋଇଛି। ଏହା ବହୁ ଦୃଷ୍ଟିରୁୂ ସ୍ୱାଗତଯୋଗ୍ୟ। ସେହିଭଳି ଦୃଷ୍ଟି ଦକ୍ଷିଣ ଓଡ଼ିଶା ପ୍ରତି ପ୍ରଦାନ କରିଥିଲେ ଓଡ଼ିଶା ରେଳ ମାନଚିତ୍ରରେ ଅଧିକ ଗୁରୁତ୍ୱ ପାଇଥା’ନ୍ତା।

ବରିଷ୍ଠ ସାମ୍ୱାଦିକ
ମୋ- ୯୪୩୭୪୦୪୪୫୫

Related story