ରାଜ୍ୟ କୃଷି ବଜେଟ୍ ୨୦୨୦-୨୧: ଏକ ଅବଲୋକନ

ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହେବା ପରଠାରୁ ଆଜି ଯାଏ ପୂର୍ବ ବର୍ଷ ତୁଳନାରେ କୃଷି ବଜେଟ ପାଇଁ ପ୍ରାବଧାନ କେବେ ବି କମ୍‌ କରାଯାଇ ନଥିଲା। ଅବଶ୍ୟ ୨୦୧୯-୨୦ର ସଂଶୋଧିତ ଆକଳନ ତୁଳନାରେ ଏହା ପ୍ରାୟ ୧୯୦୦ କୋଟି ଟଙ୍କା ଅଧିକ।

  • ସରଳ କୁମାର ଦାସ

ଡ଼ିଶା ସରକାରଙ୍କ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟର ଆକାର ୧୯୪୦୮ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ସମଗ୍ର ବଜେଟ ରାଶି ୧.୫୦ ଲକ୍ଷ କୋଟି ଟଙ୍କାର ୧୨.୯୪ ପ୍ରତିଶତ। ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ପାଇଁ ପ୍ରସ୍ତୁତ ବଜେଟରେ କୃଷି ବଜେଟର ଆକାର ୨୧୦୧୬ କୋଟି ଟଙ୍କା ଥିବା ବେଳେ ଏହା ସମଗ୍ର ବଜେଟର ୧୫.୧୧ ପ୍ରତିଶତ ଥିଲା। ଅର୍ଥାତ୍, ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ ଏ ବର୍ଷ କୃଷି ପାଇଁ ପ୍ରାୟ ୧୬୦୮ କୋଟି ଟଙ୍କା କମ୍‌ ପ୍ରାବଧାନ କରାଯାଇଛି। ୨୦୧୩-୧୪ରୁ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହେବା ପରଠାରୁ ଆଜି ଯାଏ ପୂର୍ବ ବର୍ଷ ତୁଳନାରେ କୃଷି ବଜେଟ ପାଇଁ ପ୍ରାବଧାନ କେବେ ବି କମ୍‌ କରାଯାଇ ନଥିଲା। ଅବଶ୍ୟ ୨୦୧୯-୨୦ର ସଂଶୋଧିତ ଆକଳନ ତୁଳନାରେ ଏହା ପ୍ରାୟ ୧୯୦୦ କୋଟି ଟଙ୍କା ଅଧିକ। ଏ ବର୍ଷ କୃଷି ବଜେଟର ପରିମାଣ ହ୍ରାସ ପାଇବାର ଏକ ମୁଖ୍ୟ କାରଣ ହେଉଛି ଗତ ବର୍ଷ କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଏ ବର୍ଷ ତାହା ପ୍ରାୟ ୨୩୦୦ କୋଟି ଟଙ୍କା ହ୍ରାସ ପାଇ ୩୩୦୫ କୋଟି ଟଙ୍କା ହୋଇଛି। ଅର୍ଥମନ୍ତ୍ରୀ ତାଙ୍କ ବଜେଟୀୟ ଅଭିଭାଷଣରେ ଜଣେ ହେଲେ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରୁ ବାଦ୍‌ ଦିଆଯିବ ନାହିଁ ବୋଲି କହିଥିବା ବେଳେ ଏଥିପାଇଁ ଆବଣ୍ଟିତ ରାଶିରେ ସର୍ବାଧିକ ୩୨ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ।

କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଜଳ ସମ୍ୱଳଏବଂ ମତ୍ସ୍ୟ ଓ ପଶୁ ସମ୍ୱଳ- ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ବ୍ୟୟ ବରାଦକୁ ମିଶାଇ ପ୍ରତି ବର୍ଷ କୃଷି ବଜେଟ୍ ପ୍ରସ୍ତୁତ ହୋଇଆସୁଛି। ଏ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୭୦୧୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୩୬ ପ୍ରତିଶତ। ୨୦୧୯-୨୦ ବଜେଟରେ ଏହି ବିଭାଗ ପାଇଁ ୮୮୭୪ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା, ଯାହା କୃଷି ବଜେଟର ୪୨ ପ୍ରତିଶତ ଥିଲା। ଗତ ବର୍ଷ ତୁଳନାରେ ପ୍ରାୟ ୧୮୫୭ କୋଟି ଟଙ୍କା ବା ୨୦ ପ୍ରତିଶତ ରାଶି କମ୍‌ ହେବାର ମୁଖ୍ୟ କାରଣ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇ ସେଥିପାଇଁ ହୋଇଥିବା ଆବଣ୍ଟନ ପରିମାଣ କମ୍‌ ହେବା। ତେବେ ୨୦୧୯-୨୦ର ସଂଶୋଧିତ ବଜେଟରେ ବିଭାଗ ପାଇଁ ହୋଇଥିବା ୭୭୯୨ କୋଟି ଟଙ୍କାର ପ୍ରାବଧାନ ଅପେକ୍ଷା ୨୦୨୦-୨୧ ବଜେଟରେ ପ୍ରାୟ ୭୭୫ କୋଟି ଟଙ୍କା କମ୍‌ ବରାଦ ହେବା ନିଶ୍ଚିତ ଭାବେ ଚିନ୍ତାଜନକ।

ଏ ବର୍ଷ ବଜେଟରେ ବିଭାଗ ତରଫରୁ ଯେଉଁ କାର୍ଯ୍ୟଗୁଡିକୁ ଗୁରୁତ୍ୱ ଦିଆଯାଇଛି ତନ୍ମଧ୍ୟରେ ଅଣୁ ଜଳସେଚନ (ଡ୍ରିପ, ସ୍ପ୍ରିଙ୍କଲର)ର ବଜେଟକୁ ୨କୋଟି ଟଙ୍କାରୁ ବଢାଇ ୬୦ କୋଟି ଟଙ୍କା କରିବା ଉଲ୍ଲେଖନୀୟ। ଏ ବର୍ଷ ରାଜ୍ୟ ସରକାର କୃଷକ ଉତ୍ପାଦକ ସଂଘ (ଏଫପିଓ) ବାବଦରେ ବ୍ୟୟ ବରାଦକୁ ଗତ ବର୍ଷର ୫ କୋଟି ଟଙ୍କାରୁ ବଢ଼ାଇ ୬୦ କୋଟି ଟଙ୍କା କରି ଆଗାମୀ ଦିନରେ ଏଫପିଓମାନଙ୍କୁ ସଙ୍ଗଠିତ ଓ କ୍ରିୟାଶୀଳ କରିବା ନେଇ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ସେହିପରି ମିଲେଟ ମିଶନକୁ ପ୍ରାଥମିକତା ଦିଆଯାଇ ବଜେଟ ରାଶି ୫୦ କୋଟି ଟଙ୍କାରୁ ୧୦୬ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କୃଷି ନୀତି ଅନ୍ତର୍ଗତ ପୁଞ୍ଜି ସବ୍‌ସିଡି ବାବଦ ବ୍ୟୟ ବରାଦ ୫୦ କୋଟି ଟଙ୍କାରୁ ବଢ଼ାଇ ୧୦୦ କୋଟି ଟଙ୍କା କରାଯାଇଥିଲେ ମଧ୍ୟ ତାହା ଆଦୌ ପର୍ଯ୍ୟାପ୍ତ ନୁହେଁ। କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିର୍ମାଣରେ ଆଶାନୁରୂପ ବୃଦ୍ଧି ନ ହେଲେ ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ପାଇବା ସମ୍ଭବ ହେବନାହିଁ। ତେଣୁ ସବସିଡି ରାଶିର ପରିମାଣ ଅଧିକ ହେଲେ ତାହା ବ୍ୟାଙ୍କମାନଙ୍କ ଦ୍ୱାରା ଋଣ ଲଗାଣକୁ ମଧ୍ୟ ପ୍ରୋତ୍ସାହିତ କରୁଥିବାରୁ ସେଥିପାଇଁ ଅଧିକ ରାଶି ଆବଣ୍ଟିତ ହେବା ଅଧିକ ସମୀଚୀନ। ଅବଶ୍ୟ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେଇ ଗତ ବର୍ଷ ତୁଳନାରେ ଏ ବର୍ଷ ପ୍ରାୟ ୯୨ କୋଟି ଟଙ୍କା ଅଧିକ ବରାଦ ହେବା ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ। ସେହିପରି ଓଡ଼ିଶା କୃଷି ବିଶ୍ୱ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ହୋଇଥିବା ବିଶେଷ ଆବଣ୍ଟନ ସ୍ୱଳ୍ପ ହେଲେ ବି ସ୍ୱାଗତଯୋଗ୍ୟ। ପୂର୍ବ ବର୍ଷମାନଙ୍କ ପରି ଗତାନୁଗତିକତାକୁ ରକ୍ଷା କରି କେତେଗୁଡିଏ କାର୍ଯ୍ୟ ପାଇଁ ବଜେଟରେ ନାମକୁ ମାତ୍ର ବୃଦ୍ଧି କରାଯାଇଛି, ଯେମିତି ଇନପୁଟ ସବସିଡିକୁ ୪୦ କୋଟିରୁ ବଢାଇ ୪୨ କୋଟି କରିବା, ଜାତୀୟ ହର୍ଟିକଲଚର ମିଶନ ପାଇଁ ୧୦୦ କୋଟିରୁ ୧୨୩ କୋଟି ଟଙ୍କା ଆବଣ୍ଟନ କରିବା ଇତ୍ୟାଦି। ତେବେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା (ପର ଡ୍ରପ ମୋର କ୍ରପ)ରେ ଗତ ବର୍ଷ ତୁଳନାରେ ୮୨ କୋଟି ଟଙ୍କା ବ୍ୟୟ ବରାଦ ଅଧିକ ହୋଇ ୧୫୦ କୋଟି ଟଙ୍କା କରା ଯାଇଛି, ଯାହା ସ୍ୱାଗତଯୋଗ୍ୟ।

ଏ ବର୍ଷ ସମବାୟ ବିଭାଗ ପାଇଁ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୯ ପ୍ରତିଶତ। ୨୦୧୯-୨୦ ବଜେଟରେ ଏହି ବିଭାଗ ପାଇଁ ୧୫୦୫ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା, ଯାହା କୃଷି ବଜେଟର ୭ ପ୍ରତିଶତ ଥିଲା। ଗତ ବର୍ଷ ତୁଳନାରେ ପ୍ରାୟ ୨୯୫ କୋଟି ଟଙ୍କା ବା ୨୦ ପ୍ରତିଶତ ଅଧିକ ରାଶି ଏହି ବିଭାଗ ପାଇଁ ଆବଣ୍ଟିତ ହୋଇଛି। ଏଥି ମଧ୍ୟରୁ ୭୦୦ କୋଟି ଟଙ୍କା କେବଳ ଫସଲ ବୀମାର ପ୍ରିମିୟମ ବାବଦକୁ ବରାଦ କରାଯାଇଛି, ଯାହା ଗତ ବର୍ଷର ବରାଦ ରାଶି ଅପେକ୍ଷା ୩୦୦ କୋଟି ଟଙ୍କା ଅଧିକ। ଆସନ୍ତା ବର୍ଷ ୨୭ ଲକ୍ଷ ଋଣୀ ଚାଷୀ ଓ ୫ ଲକ୍ଷ ଅଣଋଣୀ ଚାଷୀଙ୍କୁ ଫସଲ ବୀମା ଅନ୍ତଭୁର୍କ୍ତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ପୂର୍ବ ବର୍ଷମାନଙ୍କରେ ଚାଷୀମାନେ ଫସଲ ବୀମା ଦ୍ୱାରା କିଭଳି ଲାଭାନ୍ୱିତ ହୋଇଛନ୍ତି, ତାହା ଜଣାଇବାର ଆବଶ୍ୟକତା ରହିଛି। ଅପର ପକ୍ଷରେ ଫସଲ ଋଣରେ ସୁଧ ରିହାତି ବାବଦକୁ ଏଥର ୭୦୫ କୋଟି ଟଙ୍କାର ପ୍ରାବଧାନ ହୋଇଛି, ଯାହା ଗତ ବର୍ଷ ତୁଳନାରେ ୯୫ କୋଟି ଟଙ୍କା କମ୍‌। ସମବାୟଗୁଡ଼ିର ଅଂଶଧନରେ ପୁଞ୍ଜି ଲଗାଣ ପାଇଁ ହୋଇଥିବା ୧୧୮ କୋଟି ଟଙ୍କା ଆବଣ୍ଟନ ବ୍ୟତୀତ ସମବାୟ କ୍ଷେତ୍ରକୁ ଗତି ପ୍ରଦାନ କରିବା ପାଇଁ ବଜେଟରେ ଦୂରଦୃଷ୍ଟି ଥାଇ କୌଣସି କାର୍ଯ୍ୟକ୍ରମ ପାଇଁ ସେ ଭଳି ଆବଣ୍ଟନ ହୋଇନାହିଁ।

ଜଳ ସମ୍ୱଳ ବିଭାଗ ପାଇଁ ଏହି ବଜେଟରେ ୯୩୮୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୪୮ ପ୍ରତିଶତ। ୨୦୧୯-୨୦ ବଜେଟରେ ଏହି ବିଭାଗ ପାଇଁ ୯୭୩୮ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା, ଯାହା କୃଷି ବଜେଟର ୪୬ ପ୍ରତିଶତ ଥିଲା। ଗତ ବର୍ଷ ତୁଳନାରେ ପ୍ରାୟ ୩୫୮ କୋଟି ଟଙ୍କା ବା ପ୍ରାୟ ୪ ପ୍ରତିଶତ କମ୍‌ ରାଶି ଏହି ବିଭାଗ ପାଇଁ ଆବଣ୍ଟିତ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୮-୧୯ରେ ଏହି ବିଭାଗର ପ୍ରକୃତ ବ୍ୟୟ ୭୪୪୮ କୋଟି ଟଙ୍କାରେ ସୀମିତ ରହିବା ଓ ୨୦୧୯-୨୦ରେ ସଂଶୋଧିତ ବଜେଟରେ ବିଭାଗର ବ୍ୟୟ ବରାଦ ୭୩୩୩ କୋଟି ଟଙ୍କାକୁ ହ୍ରାସ କରିବାରୁ ସ୍ପଷ୍ଟ ହେଉଛି ଯେ ଅଧିକ ରାଶି ବ୍ୟୟ ବରାଦ ହେଲେ ମଧ୍ୟ ବିଭାଗ ତାହା ବ୍ୟୟ କରି ପାରୁନାହିଁ। ଆସନ୍ତା ବର୍ଷ ୧.୮୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଗତ ବର୍ଷମାନଙ୍କରେ ଜଳସେଚନର ସୁବିଧା ସୃଷ୍ଟି ହୋଇଥିବା ଅଞ୍ଚଳରେ ତାର ଉପଯୋଗିତାର ଅନୁଧ୍ୟାନ ହେବା ଆବଶ୍ୟକ। ରାଜ୍ୟର ମୁଖ୍ୟ ନଦୀଗୁଡିକ ଉପରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୨୦୦୦ କୋଟି ଟଙ୍କା ବ୍ୟୟରେ ଇନ-ଷ୍ଟ୍ରିମ ଷ୍ଟୋରେଜ୍ ଷ୍ଟ୍ରକଚର ନିର୍ମାଣ ପାଇଁ ଏକ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ପ୍ରସ୍ତୁତ ହେବା ସ୍ୱାଗତଯୋଗ୍ୟ। ସେଥିପାଇଁ ଏ ବର୍ଷ ବଜେଟରେ ୧୦୯୨ କୋଟି ଟଙ୍କାର ପ୍ରାବଧାନ ହୋଇଛି। ଅବଶ୍ୟ ଏହି ଧରଣର କାର୍ଯ୍ୟ ହେଉଥିବା ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ପାଇଁ ପୂର୍ବ ବର୍ଷ ତୁଳନାରେ ବଜେଟ ୩୩୪ କୋଟି ଟଙ୍କାରୁ ୬୭ କୋଟି ଟଙ୍କାକୁ କମାଇ ଦିଆ ଯାଇଛି। ୧୦୯୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୫ଟି ଜିଲ୍ଲାର ୧୦,୦୦୦ ପୋଖରୀର ନବୀକରଣ ଓ ୧୯୧ କୋଟି ଟଙ୍କା ବ୍ୟୟ ବରାଦରେ ୧୨୦୦ଟି ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ହେବା ସ୍ୱାଗତଯୋଗ୍ୟ। ତେବେ ବଜେଟରେ ପୂର୍ବ ବର୍ଷ ତୁଳନାରେ ପାବତୀ ଗିରି ମେଗା ଲିଫ୍ଟ ପ୍ରକଳ୍ପରେ ୧୨୩୬ କୋଟି ଟଙ୍କା, ଏଆଇବିପିରେ ୨୪୩ କୋଟି ଟଙ୍କା କମ୍‌ ହେବା ଉଦବେଗର ବିଷୟ।

ଏ ବର୍ଷ ମତ୍ସ୍ୟ ଓ ପଶୁ ସମ୍ୱଳ ବିଭାଗ ପାଇଁ ୧୨୧୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୬ ପ୍ରତିଶତ। ୨୦୧୯-୨୦ ବଜେଟରେ ଏହି ବିଭାଗ ପାଇଁ ମାତ୍ର ୮୯୯ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା, ଯାହା କୃଷି ବଜେଟର ୪ ପ୍ରତିଶତ ଥିଲା। ଏହି ବିଭାଗ ପାଇଁ ଗତ ବର୍ଷ ତୁଳନାରେ ୩୧୨ କୋଟି ଟଙ୍କା ବା ପ୍ରାୟ ୩୫ ପ୍ରତିଶତ ଅଧିକ ରାଶି ଆବଣ୍ଟିତ ହୋଇଛି, ଯାହା ସ୍ୱାଗତଯୋଗ୍ୟ। ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାରେ ୬୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ୨୩ କୋଟି ଟଙ୍କା ଅଧିକ। ତେବେ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆଶାନୁରୂପ ଅଗ୍ରଗତି କରି ପାରୁ ନଥିବାର କାରଣ ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ‘ନୀଳ ବିପ୍ଳବ’ ଯୋଜନାରେ ବ୍ୟୟ ବରାଦ ୩୪ କୋଟି ଟଙ୍କା ବଢ଼ି ୧୧୬ କୋଟି ଟଙ୍କା ଓ ‘ଶ୍ୱେତ ବିପ୍ଳବ’ ପାଇଁ ୨୬ କୋଟି ଟଙ୍କା ବଢ଼ି ୯୦ କୋଟି ଟଙ୍କା ହେବା ସ୍ୱାଗତଯୋଗ୍ୟ।

କେନ୍ଦ୍ର ବଜେଟ ଉପସ୍ଥାପନ ହେବାର ୧୮ ଦିନ ପରେ ରାଜ୍ୟ ବଜେଟ ଉପସ୍ଥାପନ ହୋଇଥିବାରୁ କେନ୍ଦ୍ର ବଜେଟରେ ଘୋଷିତ କୃଷି ଭିତିକ କାର୍ଯ୍ୟକ୍ରମଗୁଡ଼ିକରୁ କେତୋଟିକୁ ରାଜ୍ୟ ବଜେଟରେ ଗୁରୁତ୍ୱ ସହକାରେ ସ୍ଥାନ ଦିଆଯାଇ ପାରିଥା’ନ୍ତା। ଉଦାହରଣ ସ୍ୱରୂପ, କେନ୍ଦ୍ର ବଜେଟରେ କୃଷିର ସୌରକରଣ (ସୋଲାରାଇଜେସନ) ଉପରେ ଗୁରୁତ୍ୱ ଦିଆଯାଇ ପିଏମ-କୁସୁମ କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ୨୦ ଲକ୍ଷ ସୋଲାର ପମ୍ପସେଟ ଯୋଗାଇ ଦେବା କଥା ଘୋଷଣା କରାଯାଇଛି। ତଦନୁସାରେ ଓଡିଶା ସରକାର ଅନ୍ତତଃ ପକ୍ଷେ ୮୦ ହଜାର ଚାଷୀଙ୍କୁ (ଜନସଂଖ୍ୟାର ୪ ପ୍ରତିଶତ ଓଡିଶାରେ ରହୁଥିବାରୁ) ସୋଲାର ପମ୍ପସେଟ ଯୋଗାଇବାର ଲକ୍ଷ୍ୟ ଧାର୍ଯ୍ୟ କରି ବଜେଟରେ ଆବଶ୍ୟକ ବ୍ୟୟ ବରାଦ କରିଥିଲେ ରାଜ୍ୟ ହୁଏତ ସେହି ଯୋଜନାରୁ ଅଧିକ ସୁଫଳ ପାଇ ପାରିଥା’ନ୍ତା। ବଜେଟରେ ପିଏମ-କୁସୁମ କାର୍ଯ୍ୟକ୍ରମ ପାଇଁ ମାତ୍ର ୫ କୋଟି ଟଙ୍କା ଆବଣ୍ଟିତ ହୋଇଛି।

କେନ୍ଦ୍ର ବଜେଟରେ ଗୋଦାମଘର ଓ ଶୀତଳଭଣ୍ଡାର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇ ଘୋଷିତ ହୋଇଥିବା କାର୍ଯ୍ୟକ୍ରମକୁ ମଧ୍ୟ ରାଜ୍ୟ ବଜେଟରେ ଉପଯୁକ୍ତ ଗୁରୁତ୍ୱ ଦିଆ ଯାଇନାହିଁ, କାରଣ ଗୋଦାମଘର ପାଇଁ ବଜେଟରେ ମାତ୍ର ୧୦ କୋଟି ଟଙ୍କା ଆବଂଟିତ ହୋଇଥିଲା ବେଳେ ଶୀତଳ ଭଣ୍ଡାର ସମ୍ପ୍ରସାରଣ ନେଇ ଏହା ସମ୍ପୂର୍ଣ୍ଣ ନୀରବ। ସେହିପରି ରାଜ୍ୟ ସରକାରଙ୍କ ସହ ପରାମର୍ଶ କ୍ରମେ ପ୍ରତି ଜିଲ୍ଲାରେ ଗୋଟିଏ ଉଦ୍ୟାନ ଉତ୍ପାଦ (ହର୍ଟିକଲଚର)ର ବିକାଶ ପାଇଁ କେନ୍ଦ୍ର ବଜେଟରେ ଗୁରୁତ୍ୱ ଦିଆ ଯାଇଥିଲେ ମଧ୍ୟ ରାଜ୍ୟ ବଜେଟରେ ଏଥିପାଇଁ ମାତ୍ର ୨୦ କୋଟି ଟଙ୍କା ଆବଂଟିତ ହୋଇଛି। ମତ୍ସ୍ୟ ଚାଷର ବିକାଶ ପାଇଁ ‘ସାଗର ମିତ୍ର’ ଓ ମତ୍ସ୍ୟ ଚାଷୀଙ୍କ ପାଇଁ ଏଫପିଓ ପ୍ରତିଷ୍ଠା ଆଦି କାର୍ଯ୍ୟକ୍ରମ ସମ୍ପର୍କରେ କେନ୍ଦ୍ର ବଜେଟରେ ଉଲ୍ଲେଖ ହୋଇଥିଲେ ମଧ୍ୟ ଓଡିଶା ଏକ ତଟୀୟ ରାଜ୍ୟ ହୋଇ ସୁଦ୍ଧା ସେହି କାର୍ଯ୍ୟକ୍ରମଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ ଆଗ୍ରହ ଦେଖାଇ ନାହିଁ। ସଦ୍ୟ ପ୍ରଣୀତ ରାଜ୍ୟ କୃଷି ନୀତିରେ କୃଷି ଉତ୍ପାଦର ବଜାର ସୃଷ୍ଟି ଉପରେ ଗୁରୁତ୍ୱ ଦିଆ ଯାଇଥିବା ବେଳେ ବଜେଟରେ ସେ ନେଇ କୌଣସି କାର୍ଯ୍ୟକ୍ରମ ସ୍ଥାନିତ ହୋଇନାହିଁ।

ରାଜ୍ୟ କୃଷି ବଜେଟ ପ୍ରସ୍ତୁତିରେ ଗତାନୁଗତିକତାକୁ ପରିହାର କରି ଅଭିନବ ଚିନ୍ତାଧାରାକୁ ସ୍ଥାନ ଦେବାର ଆବଶ୍ୟକତା ରହିଛି। ଉଦାହରଣ ସ୍ୱରୂପ ରାଜ୍ୟର ୧୯ଟି ଜିଲ୍ଲାରେ ଚାଷ ମୁଖ୍ୟତଃ ବୃଷ୍ଟି ଉପରେ ନିର୍ଭର କରୁଥିବାରୁ ବଜେଟରେ ବୃଷ୍ଟି ନିର୍ଭର କୃଷି ଉପରେ ଗୁରୁତ୍ୱ ଦେଇ ଅଧିକ ରାଶି ଆବଣ୍ଟନ ହେବା ଆବଶ୍ୟକ। ସଦ୍ୟ ଘୋଷିତ ରାଜ୍ୟ କୃଷି ନୀତିରେ ଏଥି ପ୍ରତି ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ବଜେଟରେ ତାହା ପ୍ରତିଫଳିତ ହୋଇନାହିଁ। ବୃଷ୍ଟି ନିର୍ଭର କୃଷିକୁ ପ୍ରୋତ୍ସାହନ ଦେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବଜେଟରେ ୨୧୦୮ କୋଟି ଟଙ୍କାର ଆବଂଟନ ହୋଇଛି, ଯାହା କୃଷି ବଜେଟର ମାତ୍ର ୧୧ ପ୍ରତିଶତ। ବର୍ଷ ବର୍ଷ ଧରି ରାଜ୍ୟ କୃଷି ବଜେଟର ସିଂହଭାଗ ଜଳସେଚନ ପାଇଁ ବରାଦ ହେଉଥିବା ବେଳେ ତାହା କୃଷି ଓ କୃଷକଙ୍କ ବିକାଶରେ ଆନୁପାତିକ ଭାବେ ସହାୟକ ହୋଇଛି କି ନାହିଁ, ତାହା ତର୍ଜମା କରିବାର ବେଳ ଆସିଛି। ଉଦାହରଣ ସ୍ୱରୂପ, ଅଧିକ ଜମିରେ ଜଳସେଚନର ସୁବିଧା ହେଲେ ଅଧିକ ଅଞ୍ଚଳରେ ରବି ଚାଷ ହୋଇ ଫସଲ ଗହନତା (କ୍ରପିଂ ଇଂଟେନସିଟି) ବଢ଼ିବା କଥା। ମାତ୍ର ରାଜ୍ୟସ୍ତରରେ ତାହା ୧୬୭ରୁ କମ୍‌ ହୋଇ ୨୦୧୮-୧୯ରେ ୧୫୬ରେ ପହଞ୍ଚିଲାଣି। ଏପରିକି ବରଗଡ଼, ମାଲକାନଗିରି, ଭଦ୍ରକ ଭଳି ଜଳସେଚନର ଉନ୍ନତ ସୁବିଧା ଥିବା ଜିଲ୍ଲାମାନଙ୍କରେ ଫସଲ ଗହନତା କମ୍‌ ହୋଇଥିବା ବେଳେ ଅନୁଗୁଳ, ନୟାଗଡ଼, ଦେବଗଡ଼ ଭଳି ଅପେକ୍ଷାକୃତ କମ୍‌ ଜଳସେଚିତ ଅଂଚଳ ଥିବା କେତେକ ଜିଲ୍ଲାରେ ତାହା ବୃଦ୍ଧି ପାଇଛି। ତେଣୁ ରାଜ୍ୟ କୃଷି ବଜେଟକୁ କେବଳ ଜଳସେଚନ ପ୍ରାଧାନ୍ୟ ନ କରି ବୃଷ୍ଟି-ନିର୍ଭର କୃଷି କୈନ୍ଦ୍ରିକ କଲେ, ତାହା ରାଜ୍ୟର ବିସ୍ତୃତ ଅଞ୍ଚଳର ସଂଖ୍ୟାଧିକ ଚାଷୀଙ୍କ ହିତ ସାଧନ କରିପାରନ୍ତା।

ଏତଦଭିନ୍ନ ଜଳବାୟୁ ପରିବର୍ତନ ଓ ଅନ୍ୟାନ୍ୟ ଦିଗ ପ୍ରତି ଦୃଷ୍ଟି ଦେଇ କିପରି ଧାନ ଚାଷ ହେଉଥିବା ଅଞ୍ଚଳକୁ ହ୍ରାସ କରି ଚାଷୀଙ୍କୁ ଅନ୍ୟ ଚାଷ ମୁହାଁ କରି ହେବ ସେ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବା ଉଚିତ। ନାବାର୍ଡ ଦ୍ୱାରା ପ୍ରସ୍ତୁତ ନାଫିସ ରିପୋର୍ଟରେ ୨୦୧୫-୧୬ରେ ଓଡ଼ିଶା ଚାଷୀଙ୍କ ବାର୍ଷିକ ଆୟ ହାରାହାରି ୯୨,୭୭୨ଟଙ୍କା ଥିଲା ବୋଲି ଦର୍ଶାଯାଇଛି। ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଡବଲ କରାଯିବ ବୋଲି ଘୋଷଣା ହୋଇଥିବାରୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ତାହା ପ୍ରାୟ ୧.୮୫ ଲକ୍ଷ ଟଙ୍କାରେ ପହଞ୍ଚିବା ଉଚିତ। ତେବେ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ଏହି ବଜେଟରେ ସେପରି କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ। କେବଳ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଉପରେ ନିର୍ଭର କରି ଏହି ଆୟ ଲକ୍ଷ୍ୟ ହାସଲ କରିବା ସମ୍ଭବ ନୁହେଁ। ତେଣୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବ୍ୟତିରେକ ଅନ୍ୟ ସ୍ରୋତରୁ ମଧ୍ୟ ଚାଷୀଙ୍କ ଆୟ ବଢ଼ାଇବା ପାଇଁ ଧ୍ୟାନ ଦେଇ କାର୍ଯ୍ୟକ୍ରମମାନ ପ୍ରସ୍ତୁତ ହୋଇ ବଜେଟରେ ବ୍ୟୟ ବରାଦ ହେବା ଆବଶ୍ୟକ।

ଭୁବନେଶ୍ୱର
ମୋ-୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।