କମିଛି ରାଜ୍ୟର କୃଷି ବଜେଟ୍‌, କେନ୍ଦ୍ରୀୟ କାର୍ଯ୍ୟକ୍ରମ ସହ ତାଳମେଳ ନାହିଁ

କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଜଳ ସମ୍ପଦ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ଆବଣ୍ଟନକୁ ମିଶାଇ ପ୍ରତି ବର୍ଷ କୃଷି ବଜେଟ ପ୍ରସ୍ତୁତ ହୋଇଆସୁଛି।

  • ସରଳ କୁମାର ଦାସ

ଓଡିଶା ସରକାରଙ୍କ ଦ୍ୱାରା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟର ଆକାର ୧୭୨୪୮ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହା ସମଗ୍ର ବଜେଟ ରାଶି ୧.୭୦ ଲକ୍ଷ କୋଟି ଟଙ୍କାର ୧୦.୧୫ ପ୍ରତିଶତ। ୨୦୧୩ରେ ରାଜ୍ୟରେ ସ୍ୱତନ୍ତ୍ର କୃଷି ବଜେଟ ଉପସ୍ଥାପିତ ହେବାଠାରୁ କେବେ ହେଲେ କୃଷି ପାଇଁ ସମଗ୍ର ବଜେଟର ଏତେ କମ ପ୍ରତିଶତ ରାଶି ଆବଣ୍ଟିତ ହୋଇ ନ ଥିଲା। ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ପାଇଁ ପ୍ରସ୍ତୁତ ବଜେଟରେ କୃଷି ବଜେଟର ଆକାର ୧୯୪୦୮ କୋଟି ଟଙ୍କା ଥିବା ବେଳେ ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ ଏ ବର୍ଷ କୃଷି ପାଇଁ ପ୍ରାୟ ୨୧୬୦ କୋଟି ଟଙ୍କା କମ ପ୍ରାବଧାନ କରାଯାଇଛି। କେବଳ ଏ ବର୍ଷ ନୁହେଁ, ବରଂ ଗତ ଦୁଇ ବର୍ଷ ଧରି କୃଷି ବଜେଟର ଆକାର କ୍ରମାଗତ ଭାବେ ହ୍ରାସ ପାଇ ୨୦୧୯-୨୦ ବର୍ଷ ତୁଳନାରେ ୩୭୬୮ କୋଟି ଟଙ୍କା କମ ହୋଇ ସାରିଛି। ୨୦୧୯-୨୦ରେ ଏହା ସମଗ୍ର ବଜେଟର ୧୫.୧୧ ପ୍ରତିଶତ ଥିବା ବେଳେ ୨୦୨୧-୨୨ରେ ତାହା ୧୦.୧୫ ପ୍ରତିଶତ ହୋଇ ଦୁଇ ବର୍ଷ ମଧ୍ୟରେ ତାହା ପ୍ରାୟ ୫ ପ୍ରତିଶତ ହ୍ରାସ ପାଇବା ବାସ୍ତବିକ ଉଦବେଗର ବିଷୟ।

କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଜଳ ସମ୍ପଦ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ, ଏହିପରି ଚାରିଟି ବିଭାଗ ପାଇଁ ହେଉଥିବା ଆବଣ୍ଟନକୁ ମିଶାଇ ପ୍ରତି ବର୍ଷ କୃଷି ବଜେଟ ପ୍ରସ୍ତୁତ ହୋଇଆସୁଛି। ଏ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୫୯୧୯ କୋଟି ଟଙ୍କାର ଆବଣ୍ଟନ ହୋଇଛି, ଯାହା ସମଗ୍ର କୃଷି ବଜେଟର ପ୍ରାୟ ୩୪ ପ୍ରତିଶତ। ୨୦୧୯-୨୦ ବଜେଟରେ ଏହି ବିଭାଗ ପାଇଁ ୮୮୭୪ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ ଦୁଇ ବର୍ଷ ମଧ୍ୟରେ ତାହା ୩୧୫୫ କୋଟି ବା ପ୍ରାୟ ୩୫ ପ୍ରତିଶତ ହ୍ରାସ ପାଇବା ଚିନ୍ତାଜନକ। ତେବେ ଏହି ସମୟ ମଧ୍ୟରେ କାଳିଆ ଯୋଜନାରେ ଆବଣ୍ଟନ ପରିମାଣ ୩୮୧୧ କୋଟି ଟଙ୍କା କମ ହେବା ଏହାର ମୁଖ୍ୟ କାରଣ। ଏ ବର୍ଷ କାଳିଆ ଯୋଜନା ପାଇଁ ମାତ୍ର ୧୮୦୦ କୋଟି ଟଙ୍କା ଆବଣ୍ଟିତ ହୋଇଛି। ରାଜ୍ୟ ସରକାରଙ୍କ କାଳିଆ ଯୋଜନା କେନ୍ଦ୍ର ସରକାରଙ୍କ ପିଏମ-କିଷାନ ସମ୍ମାନ ନିଧି ଯୋଜନାରେ ମିଶିଯିବା ପରେ ସରକାର ଚାଷୀଙ୍କୁ ଘୋଷିତ ବାର୍ଷିକ ୧୦ ହଜାର ଟଙ୍କା ପରିବର୍ତ୍ତେ ସେଥିରୁ ପିଏମ-କିଷାନ ସମ୍ମାନ ନିଧିରେ ମିଳୁଥିବା ୬ ହଜାର ଟଙ୍କାକୁ ବାଦ ଦେଇ ୪ ହଜାର ଟଙ୍କା ଦେଉଥିବାରୁ ଏ ବାବଦରେ ବଜେଟୀୟ ଆବଣ୍ଟନ କମ ହୋଇଛି।

କେନ୍ଦ୍ର ସରକାରଙ୍କ ଘୋଷିତ ବିଭିନ୍ନ କାର୍ଯ୍ୟକ୍ରମ ସହ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର କୃଷି ବଜେଟ ପ୍ରସ୍ତୁତ କରିବା ଆଶା କରାଯାଏ। ତେବେ ଚଳିତ ବର୍ଷର କୃଷି ବଜେଟରେ ଅନ୍ତତଃ କେତୋଟି କ୍ଷେତ୍ରରେ ସେହି ତାଳମେଳ ପରିଲକ୍ଷିତ ହୋଇନାହିଁ।

୨୦୧୮ରୁ ଆରମ୍ଭ ହୋଇଥିବା ‘କୃଷି ଉଦ୍ୟମୀ ପ୍ରୋତ୍ସାହନ ଯୋଜନା’ରେ ରାଜ୍ୟରେ ୧୦୦୦ ନୂତନ କୃଷି ଉଦ୍ୟମୀ ସୃଷ୍ଟି କରିବାକୁ ଥିବା ଲକ୍ଷ୍ୟ ହାସଲ କରିବାକୁ ଏ ବର୍ଷ ବଜେଟରେ ନୂଆ କରି ପ୍ରାୟ ୧୦ କୋଟି ଟଙ୍କାର ପାଣ୍ଠି ବରାଦ କରା ଯାଇଛି। ଗତ ବର୍ଷ କୃଷି ଯାନ୍ତ୍ରିକୀକରଣ ପାଇଁ ବଜେଟରେ ୧୬୫ କୋଟି ଟଙ୍କାର ପ୍ରାବଧାନ ଥିଲା ବେଳେ ଏ ବର୍ଷ ତାହା ସାମାନ୍ୟ ବୃଦ୍ଧି ପାଇ ସେଥିପାଇଁ ୧୮୦ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଯାନ୍ତ୍ରିକୀକରଣକୁ ଗତି ପ୍ରଦାନ କରିବା ପାଇଁ ଅଧିକ ସହାୟତାର ଆବଶ୍ୟକତା ଅନୁଭୂତ ହେଉଛି। ଆଗାମୀ ଦିନରେ କୃଷକମାନଙ୍କୁ ଏଫପିଓ ମାଧ୍ୟମରେ ସଂଗଠିତ କରାଇବା ଓ ସେଗୁଡିକୁ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ଆଗ୍ରହୀ ଥିଲେ ବି ଗତ ବର୍ଷ ପରି ଏ ବର୍ଷ ବଜେଟରେ ଏଥି ନେଇ ୬୦ କୋଟି ଟଙ୍କାର ଆବଣ୍ଟନ ଅପରିବର୍ତ୍ତିତ ରହିବାକୁ ଗ୍ରହଣ କରି ହେଉ ନାହିଁ।

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ମିଲେଟ ମିଶନ ସଫଳତାର ସହିତ କାମ କରୁଥିବାରୁ ଏହାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରି ସମ୍ପ୍ରସାରିତ କରିବାର ଆବଶ୍ୟକତା ଅନୁଭୂତ ହେଉଥିଲା। ହେଲେ ଏଥିପାଇଁ  ଆବଣ୍ଟନକୁ ଗତ ବର୍ଷର ୧୦୬ କୋଟି ଟଙ୍କାରୁ ସାମାନ୍ୟ ବଢାଇ ୧୧୦ କୋଟି ଟଙ୍କା କରାଯାଇଛି। କୃଷି ନୀତି ଅନ୍ତର୍ଗତ ପୁଞ୍ଜି ସବସିଡି ବାବଦ ବ୍ୟୟ ବରାଦ ଗତ ବର୍ଷ ପରି ଏ ବର୍ଷ ବଜେଟରେ ମଧ୍ୟ ୧୦୦ କୋଟି ଟଙ୍କାରେ ଅପରିବର୍ତ୍ତିତ ରହିଛି, ଯାହା ଆଦୌ ପର୍ଯ୍ୟାପ୍ତ ନୁହେଁ। କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିର୍ମାଣରେ ଆଶାନୁରୂପ ବୃଦ୍ଧି ନ ହେଲେ ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି ପାଇବା ସମ୍ଭବ ହେବନାହିଁ। ତେଣୁ ସବସିଡି ରାଶିର ପରିମାଣ ଅଧିକ ହେଲେ ତାହା ବ୍ୟାଙ୍କମାନଙ୍କ ଦ୍ୱାରା ଋଣ ପ୍ରଦାନକୁ ମଧ୍ୟ ପ୍ରୋତ୍ସାହିତ କରୁଥିବାରୁ ସେଥିପାଇଁ ଅଧିକ ରାଶି ଆବଣ୍ଟିତ ହେବା ସମୀଚୀନ। ରାଜ୍ୟରେ ସଂଖ୍ୟାଧିକ ଜିଲ୍ଲା ବୃଷ୍ଟି ନିର୍ଭର ହୋଇଥିଲେ ବି ‘ବୃଷ୍ଟି ନିର୍ଭର ଅଞ୍ଚଳର ଉନ୍ନତିକରଣ ଓ ଜଳବାୟୁ ପରିବର୍ତ୍ତନ’ ପାଇଁ ଗତ ବର୍ଷ ଆବଣ୍ଟିତ ହୋଇଥିବା ମାତ୍ର ୫୦ କୋଟି ଟଙ୍କାକୁ ହ୍ରାସ କରି ଏ ଥର ୩୦ କୋଟି ଟଙ୍କା କରି ଦିଆ ଯାଇଛି।

ଏ ବର୍ଷ ସମବାୟ ବିଭାଗ ପାଇଁ ୧୬୪୧ କୋଟି ଟଙ୍କାର ବରାଦ ହୋଇଛି ଯାହା ସମଗ୍ର କୃଷି ବଜେଟର ପ୍ରାୟ ୧୦ ପ୍ରତିଶତ। ଗତ ବର୍ଷ ତୁଳନାରେ ବିଭାଗ ପାଇଁ ବଜେଟ ଆବଣ୍ଟନ ୧୫୯ କୋଟି ଟଙ୍କା ହ୍ରାସ ପାଇଛି। ଏଥି ମଧ୍ୟରୁ ୫୦୦ କୋଟି ଟଙ୍କା କେବଳ ଫସଲ ବୀମାର ପ୍ରିମିୟମ ବାବଦକୁ ବରାଦ କରାଯାଇଛି। ଫସଲ ଋଣରେ ସୁଧ ରିହାତି ବାବଦକୁ ଏଥର ୬୭୫ କୋଟି ଟଙ୍କାର ପ୍ରାବଧାନ ହୋଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୩୦ କୋଟି ଟଙ୍କା କମ। ରାଜ୍ୟରେ ଫସଲ ଋଣ ବୃଦ୍ଧି ପାଇଁ ବାର୍ଷିକ ଋଣ ଯୋଜନାରେ ବ୍ୟାଙ୍କଗୁଡିକ ଅଧିକ ଲକ୍ଷ୍ୟ ଧାର୍ଯ୍ୟ କରୁଥିଲା ବେଳେ ଫସଲ ଋଣରେ ସୁଧ ରିହାତି ପାଇଁ ବଜେଟୀୟ ଆବଣ୍ଟନ ହ୍ରାସ ପାଇବା, ବ୍ୟାଙ୍କ ଋଣ ପ୍ରଦାନକୁ ଉତ୍ସାହିତ କରିବାରେ ପ୍ରତିବନ୍ଧକ ସାଜିପାରେ। ରାଜ୍ୟ ସମବାୟ ବାଣିଜ୍ୟିକ ଫେଡରେସନର କର୍ପସ ପାଣ୍ଠିରେ ୧୦୦ କୋଟି ଟଙ୍କାର ପୁଞ୍ଜି ଲଗାଣ ବ୍ୟତୀତ ସମବାୟ କ୍ଷେତ୍ରକୁ ଗତି ପ୍ରଦାନ କରିବା ପାଇଁ ବଜେଟରେ ଦୂରଦୃଷ୍ଟି ଥାଇ କୌଣସି କାର୍ଯ୍ୟକ୍ରମ ପାଇଁ ସେ ଭଳି ଆବଣ୍ଟନ ହୋଇନାହିଁ।

ଗତ ବର୍ଷ ତୁଳନାରେ ଏ ବର୍ଷ ଜଳ ସମ୍ପଦ ବିଭାଗ ପାଇଁ ମଧ୍ୟ ବଜେଟ ପ୍ରାୟ ୧୧୦୦ କୋଟି ଟଙ୍କା ହ୍ରାସ ହୋଇ ୮୨୭୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଗତ ବର୍ଷ ଭଳି ଏ ବର୍ଷ ବି ସମଗ୍ର କୃଷି ବଜେଟର ପ୍ରତିଶତ ହିସାବରେ ଏହା ୪୮ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ଆଗାମୀ ବର୍ଷ ଅତିରିକ୍ତ ୨.୭୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ବି ସେଥିପାଇଁ ବଜେଟୀୟ ଆବଣ୍ଟନ ଯଥେଷ୍ଟ ହୋଇଥିଲା ପରି ମନେ ହେଉନାହିଁ। କଳାହାଣ୍ଡି ଜିଲ୍ଲାରେ ସାନ୍ଦୁଲ ଓ ନବରଙ୍ଗପୁର ଜିଲ୍ଲାରେ ତୁରୀ-ଗୁଣ୍ଟାତରେ ଦୁଇଟି ନୂଆ ମଧ୍ୟମ ଜଳସେଚନ ପ୍ରକଳ୍ପର ପରିକଳ୍ପନା ସ୍ୱାଗତଯୋଗ୍ୟ। ତେବେ ରାଜ୍ୟର ମୁଖ୍ୟ ନଦୀଗୁଡିକ ଉପରେ ଆଗାମୀ ୫ ବର୍ଷ ମଧ୍ୟରେ ୧୨୦୦୦ କୋଟି ଟଙ୍କା ବ୍ୟୟରେ ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର ନିର୍ମାଣ ପାଇଁ ଏକ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ପ୍ରସ୍ତୁତ ହେବା ବିଷୟ ଗତ ବଜେଟରେ ଘୋଷଣା ହୋଇଥିଲେ ବି ସେଥିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇ ନ ପାରିବା ଓ ସେଥିପାଇଁ ଚଳିତ ବର୍ଷ ବଜେଟରେ ମାତ୍ର ୭୯୫ କୋଟି ଟଙ୍କା ବରାଦ ହେବା ଚିନ୍ତାଜନକ।

ଗତ ବର୍ଷ ବଜେଟରେ ୧୦୯୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୫ଟି ଜିଲ୍ଲାର ୧୦୦୦୦ ପୋଖରୀର ନବୀକରଣର ବିଶେଷ ଉଲ୍ଲେଖ ଥିବା ବେଳେ ଏ ବର୍ଷ ସେ ସମ୍ପର୍କରେ ଉଲ୍ଲେଖ ନ ଥିବାରୁ ସେହି କାର୍ଯ୍ୟକ୍ରମର ଅଗ୍ରଗତି ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ପାର୍ବତୀ ଗିରି ମେଗା ଲିଫ୍ଟ ପ୍ରକଳ୍ପରେ ଗତ ବର୍ଷ ୫୪୦ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା ବେଳେ ଏ ବର୍ଷ ତାହା ପ୍ରାୟ ୩୨୦ କୋଟି ଟଙ୍କା ବୃଦ୍ଧି ପାଇ ୮୬୦ କୋଟି ଟଙ୍କାରେ ପହଞ୍ଚିଛି। ତେବେ ‘ତ୍ୱରିତ ଜଳସେଚନ ସୁବିଧା ଯୋଜନା’ (ଏଆଇବିପି) ପାଇଁ ଆବଣ୍ଟନ ପ୍ରାୟ ୧୫୩ କୋଟି ଟଙ୍କା କମି ୧୬୫୮ କୋଟି ଟଙ୍କା ହେବା ଓ ରାଜ୍ୟ ପାଣ୍ଠିରେ ପରିଚାଳିତ ‘ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ’ ପାଇଁ ଆବଣ୍ଟନ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇ ୪୫୪ କୋଟି ଟଙ୍କା ଧାର୍ଯ୍ୟ ହେବା ଉଦବେଗର ବିଷୟ।

ଏ ବର୍ଷ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ ୧୪୧୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି, ଯାହା କୃଷି ବଜେଟର ୮ ପ୍ରତିଶତ। ଗତ ବର୍ଷ ତୁଳନାରେ ଏହି ବିଭାଗ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ଅଧିକ ରାଶି ଆବଣ୍ଟିତ ହୋଇଛି। ଗତ ଦୁଇ ବର୍ଷ ଧରି ଏହି ବିଭାଗ ପାଇଁ ବରାଦ ହେଉଥିବା ରାଶିରେ ପରିମାଣ ଓ ପ୍ରତିଶତ ଦୃଷ୍ଟିରୁ ବୃଦ୍ଧି ପାଇବା ସ୍ୱାଗତଯୋଗ୍ୟ। ଅଧିକ ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାରେ ୭୦ କୋଟି ଟଙ୍କାର ରାଶି ବରାଦ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ମାତ୍ର ୨ କୋଟି ଟଙ୍କା ଅଧିକ। ତେବେ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆଶାନୁରୂପ ଅଗ୍ରଗତି କରି ପାରୁ ନଥିବା ଆଦୌ ଉତ୍ସାହପ୍ରଦ ନୁହେଁ। ସେହିପରି ‘ଶ୍ୱେତ ବିପ୍ଳବ’ ପାଇଁ ଆବଣ୍ଟନ ୯୦ କୋଟି ଟଙ୍କାରୁ ୯୨ କୋଟି ଟଙ୍କା ହେବା ପ୍ରାୟ ସ୍ଥିତାବସ୍ଥା ବଜାୟ ରହିବା ସହ ସମାନ। ଏ ଦୁଇଟି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେଉଥିବାରୁ ସେଥି ପାଇଁ ଅଧିକ ଆବଣ୍ଟନ ହେବା ଉଚିତ ଥିଲା। ଏ ଥର ବିଭାଗର ବିଭିନ୍ନ ପ୍ରକାର ଭିତ୍ତିଭୂମିର ବିକାଶ ପାଇଁ ଧ୍ୟାନ ଦିଆଯାଇ ଅଧିକ ବ୍ୟୟ ବରାଦ ହେବା ସ୍ୱାଗତଯୋଗ୍ୟ।

କେନ୍ଦ୍ର ସରକାରଙ୍କ ଘୋଷିତ ବିଭିନ୍ନ କାର୍ଯ୍ୟକ୍ରମ ସହ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର କୃଷି ବଜେଟ ପ୍ରସ୍ତୁତ କରିବା ଆଶା କରାଯାଏ। ତେବେ ଚଳିତ ବର୍ଷର କୃଷି ବଜେଟରେ ଅନ୍ତତଃ କେତୋଟି କ୍ଷେତ୍ରରେ ସେହି ତାଳମେଳ ପରିଲକ୍ଷିତ ହୋଇନାହିଁ। ଉଦାହରଣ ସ୍ୱରୂପ, କୃଷି କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ଓ ସମ୍ପତ୍ତି ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ କୃଷି ଭିତ୍ତିଭୂମି ପାଣ୍ଠି ଘୋଷିତ ହୋଇଛି ଯେଉଁଥିରେ ଚାରି ବର୍ଷ ମଧ୍ୟରେ ୧ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ଉପଲବ୍ଧ କରାଯିବ। ଏଥିରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୩ ପ୍ରତିଶତ ସୁଧ ରିହାତି ସହ ପ୍ରତିଟି ଋଣ ଲାଗି ସିଜିଟିଏମଏସଇ ଦ୍ୱାରା ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରଦାନ କରାଯିବ ଯେଉଁଥିପାଇଁ ଗ୍ୟାରେଣ୍ଟି ଫି କେନ୍ଦ୍ର ସରକାର ବହନ କରିବେ। ଓଡିଶାରେ ଘରୋଇ ସ୍ତରରେ କୃଷି ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରି ପାରିଥାଆନ୍ତେ। ତଦନୁଯାୟୀ କେନ୍ଦ୍ରୀୟ କୃଷି ଭିତ୍ତିଭୂମି ପାଣ୍ଠିକୁ ଧ୍ୟାନରେ ରଖି କୃଷି ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇ କୃଷି ବଜେଟରେ ସ୍ୱତନ୍ତ୍ର ଭାବେ ବିଶେଷ ଋଣ ସଂଯୁକ୍ତ ସବସିଡି ଯୋଜନା ଘୋଷଣା କରା ଯାଇ ପାରିଥାଆନ୍ତା, ଯାହା ହୋଇନାହିଁ।

କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷିର ସୌରକରଣ (ସୋଲାରାଇଜେସନ) ଉପରେ ଗୁରୁତ୍ୱ ଦିଆଯାଇ ପିଏମ-କୁସୁମ କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ସୋଲାର ପମ୍ପସେଟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଥିଲେ ବି ରାଜ୍ୟ କୃଷି ବଜେଟରେ ଏଥିପାଇଁ ପୂର୍ବ ବର୍ଷ ଭଳି ଏ ବର୍ଷ ବି ମାତ୍ର ୫ କୋଟି ଟଙ୍କା ଆବଣ୍ଟିତ ହୋଇଛି। ରାଜ୍ୟରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ଆଶାନୁରୂପ ହୋଇ ନ ପାରିବାର ମୁଖ୍ୟ କାରଣ ହେଉଛି ଏ ସମ୍ପର୍କରେ ଚାଷୀଙ୍କ ମଧ୍ୟରେ ସଚେତନତାର ଅଭାବ। ରାଜ୍ୟର ଖୁବ କମ ସଂଖ୍ୟକ ମଣ୍ଡି ଜାତୀୟ ସ୍ତରରେ ଇ-ନାମ ମଞ୍ଚ ସହ ସଂଯୁକ୍ତ ହୋଇଥିଲେ ବି ଏହାକୁ ବେଗ ପ୍ରଦାନ କରିବା ପାଇଁ ରାଜ୍ୟ କୃଷି ବଜେଟରେ କୌଣସି ବିଶେଷ ଧ୍ୟାନ ଦିଆ ଯାଇ ନାହିଁ। ଉଲ୍ଲେଖୟୋଗ୍ୟ, ଚଳିତ ବର୍ଷ କେନ୍ଦ୍ର ବଜେଟରେ ଦେଶରେ ୧୦୦୦ ମଣ୍ଡିକୁ ଇ-ନାମ ସହ ସଂଯୁକ୍ତ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଭବିଷ୍ୟତରେ କେନ୍ଦ୍ର ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ସହ ତାଳମେଳ ରକ୍ଷା କରି ସେଥିରୁ ଓଡିଶାର କୃଷି ଓ କୃଷକମାନେ କିପରି ସର୍ବାଧିକ ଲାଭବାନ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ଓ ରାଜ୍ୟ କୃଷି ବଜେଟରେ ତାହା ନିର୍ଦ୍ଦିଷ୍ଟ ଭାବେ ପ୍ରତିଫଳିତ ହେବା ଆବଶ୍ୟକ।

ସବୁବେଳେ ଯେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ନୀତି ଓ ନିଷ୍ପତ୍ତିର ପ୍ରଭାବ ରାଜ୍ୟ କୃଷି  ଉପରେ ପଡିବ, ତାହା ନୁହେଁ। ବେଳେବେଳେ ଅନ୍ୟ ମନ୍ତ୍ରଣାଳୟଙ୍କ ଦ୍ୱାରା ଗୃହୀତ ନୀତି ଓ ନିଷ୍ପତ୍ତି ମଧ୍ୟ ରାଜ୍ୟରେ କୃଷି ପାଇଁ ସୁଯୋଗ ସୃଷ୍ଟି କରିପାରେ, ଯେଉଁଥିପାଇଁ ପ୍ରଶାସନିକ ସ୍ତରରେ ଆଖି କାନ ଖୋଲା ରଖିବାକୁ ହେବ ଓ ତଦନୁସାରେ ଠିକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଉଦାହରଣ ସ୍ୱରୂପ, ବିଦେଶରୁ ପେଟ୍ରୋ-ଦ୍ରବ୍ୟର ଆମଦାନି କମ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଚିନିକଳ ଓ ଡିଷ୍ଟିଲେରିଗୁଡିକରୁ ଉତ୍ପାଦିତ ଇଥାନଲକୁ ପେଟ୍ରୋଲରେ ମିଶାଇ ବିକିବା ଲାଗି ଦେଶରେ ଏକ ଇଥାନଲ ମିଶ୍ରିତ ପେଟ୍ରୋଲ (ଇବିପି) କାର୍ଯ୍ୟକ୍ରମ କାର୍ଯ୍ୟ କରୁଛି। ଏହି ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ଫଳରେ ଚିନିକଳ ଓ ଡିଷ୍ଟିଲେରିଗୁଡିକ ତୈଳ ବିପଣନ କମ୍ପାନୀଗୁଡିକୁ ଚଳିତ ବର୍ଷ ପ୍ରାୟ ୩୧୦ କୋଟି ଲିଟର ଇଥାନଲ ଯୋଗାଇବାକୁ ସମର୍ଥ ହୋଇଛନ୍ତି, ଯଦ୍ଦ୍ୱାରା ଆଖୁଚାଷୀମାନେ ମଧ୍ୟ ପରୋକ୍ଷରେ ଲାଭବାନ ହେଉଛନ୍ତି। ତେବେ ଚିନିକଳଗୁଡିକ ମୁଖ୍ୟତଃ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଅବସ୍ଥିତ ଥିବାରୁ ସେଠାରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ରିଫାଇନେରି ପର୍ଯ୍ୟନ୍ତ ତାହା ପହଞ୍ଚାଇବା ବ୍ୟୟ ବହୁଳ ହେଉଛି।

ଓଡିଶାର ପାରାଦ୍ୱୀପଠାରେ ଏକ ରିଫାଇନେରି ଥିବାରୁ ସେଠାକାର ଇଥାନଲ ଆବଶ୍ୟକତା ଯଦି ଓଡିଶାର ଚିନିକଳ ଓ ଡିଷ୍ଟିଲେରିଗୁଡିକ ଦ୍ୱାରା ପରିପୂରଣ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଆନ୍ତା ତେବେ ଜଳସେଚନ ସୁବିଧା ଥିବା କେତେକ ଅଞ୍ଚଳର ଚାଷୀ ଆଖୁଚାଷ କରିବାକୁ ଆଗ୍ରହ ପ୍ରକାଶ କରି ଲାଭବାନ ହୁଅନ୍ତେ। ଭବିଷ୍ୟତରେ କେନ୍ଦ୍ର ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ସହ ତାଳମେଳ ରକ୍ଷା କରି ସେଥିରୁ ଓଡିଶାର କୃଷି ଓ କୃଷକମାନେ କିପରି ସର୍ବାଧିକ ଲାଭବାନ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ଓ ରାଜ୍ୟ କୃଷି ବଜେଟରେ ତାହା ନିର୍ଦ୍ଦିଷ୍ଟ ଭାବେ ପ୍ରତିଫଳିତ ହେବା ଆବଶ୍ୟକ। ସମଗ୍ର ରାଜ୍ୟ ବଜେଟରେ ଉଭୟ ପରିମାଣ ଓ ପ୍ରତିଶତ ଦୃଷ୍ଟିରୁ ଏ ବର୍ଷ କୃଷି ପାଇଁ ଆବଣ୍ଟନ ହ୍ରାସ ପାଇଥିବାରୁ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ରାଜ୍ୟ ସରକାରଙ୍କ ପାଇଁ କୃଷି କ’ଣ ଆଉ ପୂର୍ବ ପରି ଗୁରୁତ୍ୱ ବହନ କରୁ ନାହିଁ?

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।