ପ୍ରଚାରରେ ଶେଷ ନହେଉ ରୂପାନ୍ତରଣ ଯାତ୍ରା

ଜାନକୀଶ ବଡ଼ପଣ୍ଡା

ଆସନ୍ତା ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରରେ ‘ମେକ ଇନ ଓଡ଼ିଶା’ କନକ୍ଳେଭ ଆୟୋଜିତ ହେବାକୁ ଯାଉଛି। ଏଥିରେ ଦେଶ ବିଦେଶର ବଡ଼ ବଡ଼ ଶିଳ୍ପସଂସ୍ଥାର ମୁଖ୍ୟମାନେ ଅଂଶ ଗ୍ରହଣ କରିବାକୁ ଜୋରସୋରରେ ପ୍ରଚେଷ୍ଟା ଚାଲିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ନିଜର ଦଳବଳ ଧରି ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, କୋଲକାତାରେ ନିବେଶକ ସମ୍ମିଳନୀ ଓ ରୋଡ ସୋ କରି ସାରିଛନ୍ତି, ବେଙ୍ଗାଳୁରୁ ଓ ହାଇଦ୍ରାବାଦ ଗସ୍ତକରି ପଞ୍ଚତାରକା ହୋଟେଲରେ ଡେରା ପକାଇ ଫେରିଛନ୍ତି। ସେଠାରେ ଶିଳ୍ପପତିମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହି କନକ୍ଳେଭରେ ସେମାନେ ଯୋଗ ଦିଅନ୍ତୁ; କାହିଁକି ନା ନିଯୁକ୍ତିଭିତ୍ତିକ ଶିଳ୍ପାୟନ ଅଭିବୃଦ୍ଧି ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ। ଓଡ଼ିଶାରେ ମଧ୍ୟ ଏଥିପାଇଁ ଅନୁକୂଳ ପରିବେଶ ଅଛି ଓ ଶିଳ୍ପପତିମାନେ ଅଧିକ ଆବଶ୍ୟକ କରୁଥିବା ପରିବେଶ ଯୋଗାଇ ଦେବାକୁ ରାଜ୍ୟ ସରକାର ବଦ୍ଧ ପରିକର। ଆଉ ପାଦେ ଆଗେଇଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି କୌଣସି ରାଜ୍ୟ ବ୍ୟବସାୟିକ ସୁଯୋଗ ସହିତ ସେମାନଙ୍କୁ ଗୋଟିଏ ପ୍ରୋତ୍ସାହନ ଦେଉଛି, ଓଡିଶା ସରକାର କେବଳ ସେତିକି ପ୍ରୋତ୍ସାହନ ଦେବେନାହିଁ, ବରଂ ତାହା ଉପରେ ଆଉ ଅଧିକ କିଛି ପ୍ରୋତ୍ସାହନ  ଦେବେ। ମୁଖ୍ୟମନ୍ତ୍ରୀଙ୍କ ଭାଷାରେ, କେହି ଏକ୍ସ ଦେଲେ, ଆମେ ଏକ୍ସ ପ୍ଲସ ଦେବୁ। ସେ ଏହାର ନାମକରଣ କରିଛନ୍ତି ‘ରୂପାନ୍ତରଣ ଯାତ୍ରା’। ଏହି ଯାତ୍ରାରେ ଅଂଶୀଦାର ହେବାକୁ ସେ ଶିଳ୍ପପତିମାନଙ୍କୁ ନିମନ୍ତ୍ରଣ କରିଛନ୍ତି।

ଓଡ଼ିଶାରେ ରହିଛି ୪୮୦ କିଲୋମିଟରରୁ ଅଧିକ ସମୁଦ୍ରତଟ, ଅମାପ ପ୍ରାକୃତିକ ସମ୍ପଦ, ଦକ୍ଷ ମାନବ ସମ୍ବଳ ଏବଂ ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ରହିଆସିଥିବା ସ୍ଥିର ସରକାର। ଶିଳ୍ପ ପାଇଁ ଆବଶ୍ୟକ ଜମି, ବିଦ୍ୟୁତ ଶକ୍ତି, କୁଶଳୀ ଶ୍ରମଶକ୍ତି ଏବଂ ଆଧୁନିକତମ ପ୍ରଯୁକ୍ତିବିଦ୍ୟା ମଧ୍ୟ ଉପଲବ୍ଧ ରହିଛି ଓଡ଼ିଶାରେ। ‘ଇଜ ଅଫ ଡୁଇଂ ବିଜିନେସ’ ମାନ୍ୟତାରେ ଓଡ଼ିଶାର ପ୍ରଦର୍ଶନ ‘ଆଚିଭର’ ପର୍ଯ୍ୟାୟରେ ରହିଛି। କେବଳ ଖଣିଜଭିତ୍ତିକ ଶିଳ୍ପ ନୁହେଁ, ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନାମକରା ଅନୁଷ୍ଠାନମାନେ ଓଡ଼ିଶାରେ ସେମାନଙ୍କ କେନ୍ଦ୍ର ଖୋଲିଛନ୍ତି। ମୋଟାମୋଟି ଭାବେ, ଓଡ଼ିଶାର ଉର୍ବର ମୃତ୍ତିକାରେ ଶିଳ୍ପ ବିହନ ବୁଣି, ଏଠାରୁ ଅମଳ କରିବାକୁ ଶିଳ୍ପସଂସ୍ଥାମାନେ ଆଗ୍ରହ ପ୍ରକାଶ କଲେ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନେ ଦେଉଥିବା ସୁବିଧା ସୁଯୋଗ ଅପେକ୍ଷା ଅଧିକ ପାଦେ ଆଗେଇଆସି ସହଯୋଗର ହାତ ବଢ଼େଇଦେବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କର ସଚିବଗଣ।

ତେବେ ଖଣିଜ ସମ୍ପଦ ଦୃଷ୍ଟିରୁ ଓଡ଼ିଶା ପ୍ରକୃତରେ ରତ୍ନଗର୍ଭା। ସମଗ୍ର ଦେଶରେ ଏବେ ‘ମେକ ଇନ ଇଣ୍ଡିଆ’, ‘ଷ୍ଟାର୍ଟ ଅପ’, ‘ଭୋକାଲ ଫର ଲୋକାଲ’ର ମାହୋ॥ କୋଭିଡ ପରବର୍ତ୍ତୀ ବିଶ୍ୱରେ ପରିବର୍ତ୍ତିତ ଅର୍ଥନୈତିକ ବ୍ୟବସ୍ଥା କାରଣରୁ ସାରା ଦେଶରେ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିପାଇଁ ନୂତନ ନୀତି, ଆଇନ ଓ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଛି। ଏହା ପର୍ଯ୍ୟାପ୍ତ ନହେଲେ ବି ମୌଳିକ ସୁବିଧା ସୁଯୋଗ ମିଳୁଥିବାରୁ ଦେଶ-ବିଦେଶରୁ ପୁଞ୍ଜି ଲଗାଣ ବଢୁଛି। ଅନେକ ରାଜ୍ୟ, ଏହାର ସୁଯୋଗ ନେଇ ନିଜ ନିଜ ରାଜ୍ୟରେ ସଫଳତାର ସହିତ ଶିଳ୍ପାୟନ କରୁଛନ୍ତି ଓ ଶିଳ୍ପସଂସ୍ଥାମାନଙ୍କୁ ମଧ୍ୟ ଆକୃଷ୍ଟ କରୁଛନ୍ତି। ଦେଶରେ ଅର୍ଥନୈତିକ ଉଦାରୀକରଣ ନୀତି ଲାଗୁହେବା ପରଠୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କେବଳ ଖଣିଜ ଭିତ୍ତିକ ଥିଲା। ନିଜର ଦୋହରା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ ଶିଳ୍ପସଂସ୍ଥା ଓଡ଼ିଶାମୁହାଁ ହୋଇଥିଲେ। ସେମାନେ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ଵାକ୍ଷର କରି ଶିଳ୍ପ ପ୍ରତିଷ୍ଠା କରିବା ଅପେକ୍ଷା ଏଥିପାଇଁ ଆବଶ୍ୟକ ଖଣି ହାତେଇ ନେବାକୁ ଥିଲେ ଅଧିକ ଆଗ୍ରହୀ। ଦେଶର ବିଭିନ୍ନ ରାଜ୍ୟରେ ସେମାନେ ପ୍ରତିଷ୍ଠା କରି ସାରିଥିବା ଶିଳ୍ପ ପାଇଁ କୋଇଲା, ଲୁହାପଥର ଓ ବକ୍ସାଇଟ ଲୋଭରେ ଓଡ଼ିଶାରେ ନାମକୁ ମାତ୍ର କାରଖାନା ଖୋଲି ପରବର୍ତ୍ତୀ କାଳରେ ଏହାକୁ କେବଳ ସମ୍ପ୍ରସାରଣ କରିବା ପ୍ରତିଶ୍ରୁତି ଦେଇ କାରଖାନା ବନ୍ଦ କରିଦେଲେ କିମ୍ବା ବିକ୍ରୀ କରିଦେଲ।

ପାଠକମାନଙ୍କର ମନେଥିବ, ୨୦୧୬ ମସିହାରୁ ରାଜ୍ୟ ସରକାର ‘ମେକ ଇନ ଓଡ଼ିଶା’ କନକ୍ଳେଭ ଆୟୋଜନ କରି ଦେଶର ପ୍ରମୁଖ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସି ନିବେଶ କରିବାକୁ ନିମନ୍ତ୍ରଣ ଜଣାଇ ଆସିଛନ୍ତ॥ ଏହି ଦ୍ୱିବାର୍ଷିକ କନକ୍ଳେଭ ୨୦୧୬ ଓ ୨୦୧୮ ମସିହାରେ କରାଯାଇଥିଲା ଓ ୨୦୨୦ରେ କୋଭିଡ କାରଣରୁ କରାଯାଇ ନଥିଲା। ପ୍ରଥମ ଦୁଇଥରରେ ଅନେକ ସଫଳତା ମିଳିଛି। ୨୦୧୬ରେ ପ୍ରତିଶୃତି ମିଳିଥିଲା ୧୫୧ ହଜାର କୋଟିର ଶିଳ୍ପ, ଯେଉଁଥିରୁ ୪୮ ହଜାର କୋଟି ଟଙ୍କା  ବିନିଯୋଗରେ ଶିଳ୍ପ ପ୍ରତିଷ୍ଠା ହୋଇଥିଲାବେଳେ ୨୦୧୮ରେ ୧୭୮ ହଜାର କୋଟି ଟଙ୍କା ନିବେଶ ହୋଇପାରିଛି। ଏପରିକି, କୋଭିଡ ସତ୍ତ୍ୱେ ୧୭୦ଟି ଶିଳ୍ପ ସଂସ୍ଥା ବିଗତ ଦୁଇବର୍ଷରେ ପ୍ରତିଷ୍ଠା ହେବା ସମ୍ଭବ ହୋଇପାରିଛି। ଏହାକୁ ରାଜ୍ୟ ସରକାରଙ୍କ ଶିଳ୍ପାୟନ ପାଇଁ ଏକ ସକାରାତ୍ମକ ଦିଗ ଭାବେ ଆମେ ବିଚାର କରି ପାରିବା।

ପୁଞ୍ଜି ନିବେଶ ହେବା ଓ ଉତ୍ପାଦନ ବଢ଼ିବା କଥା କେବଳ କାନକୁ ଶୁଣିବାକୁ ଭଲ ଲାଗୁଥିଲେ ବି ପ୍ରକୃତରେ ଉତ୍ପାଦିତ ସାମଗ୍ରୀ କେତେ ଗୁଣାତ୍ମକ ଓ ଶସ୍ତା, ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଫଳରେ ଆମ ଉତ୍ପାଦଗୁଡ଼ିକ ଦେଶ ବିଦେଶକୁ ରପ୍ତାନି ହୋଇପାରି॥ ତାହା ନହେଲେ, ଶସ୍ତା ଉତ୍ପାଦ ଗୁଡ଼ିକୁ ଆମ ରାଜ୍ୟବାସୀ ଅନ୍ୟ ରାଜ୍ୟ ଓ ଦେଶରୁ ଆମଦାନୀ କରିବାକୁ ଚାହିଁବେ। ସମାବେଶୀ ବିକାଶରେ ଏହି ରପ୍ତାନିରୁ ହିଁ ଉପାର୍ଜିତ ଅର୍ଥର ପ୍ରମୁଖ ଭୂମିକା ରହିବ। ଖୁସିର କଥା ଯେ, ଜାତୀୟ ରପ୍ତାନି ଅଭିବୃଦ୍ଧି ହାର ୩୪.୬ ପ୍ରତିଶତ ହୋଇଥିବା ବେଳେ ଓଡ଼ିଶାର ରପ୍ତାନି ହାର ୧୫୬ ପ୍ରତିଶତ। ଓଡ଼ିଶା ଗତ ଆର୍ଥିକ ବର୍ଷ ୨୦୨୧-୨୨ରେ ୧୭୦୬ କୋଟି ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା, ଯାହା ଜାତୀୟ ରପ୍ତାନି ହାର ଅପେକ୍ଷା ଚାରିଗୁଣ ଅଧିକ। ଗୁଜରାଟ, କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟ ରପ୍ତାନି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। କିନ୍ତୁ, ଆମ ରାଜ୍ୟର ରପ୍ତାନି ବାଣିଜ୍ୟ କେବଳ ଖଣିଜ ଭିତ୍ତିକ ସାମଗ୍ରୀ ଗୁଡ଼ିକର ରପ୍ତାନୀରେ ସୀମିତ ରହିବା ଅତ୍ୟନ୍ତ ଉଦବେଗଜନକ। ଆମେ ପ୍ରକୃତିଦତ୍ତ ଖଣି ଖୋଳି ଲୁହାପଥର, ବକ୍ସାଇଟ ଭଳି ଖଣିଜଦ୍ରବ୍ୟ ସବୁକୁ ବିଦେଶକୁ ପଠାଇ ରପ୍ତାନୀକାରୀ ବୋଲାଇବା ଯେତିକି ଲଜ୍ଜାଜନକ, ବିଦେଶରୁ ମୂଲ୍ୟବାନ ସାମଗ୍ରୀ ଆମଦାନୀ କରିବା ମଧ୍ୟ ତତୋଧିକ ହାସ୍ୟାସ୍ପଦ। ଏହାକୁ ସମାବେଶୀ ବିକାଶ କୁହାଯାଇ ନପାରେ।

ସମଗ୍ର ବିଶ୍ୱରେ ଭାରତ ତୃତୀୟ ସର୍ବବୃହତ୍ ଔଷଧ ଉତ୍ପାଦନକାରୀ ଦେଶ ଓ ସର୍ବବୃହତ୍ ଜେନେରିକ ଔଷଧ ରପ୍ତାନୀକାରୀ ଦେଶ। ଆଫ୍ରିକା ମହାଦେଶର ସମଗ୍ର ଜେନେରିକ ଔଷଧ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ କରିଥାଏ ଭାରତ। ଏପରିକି ଆମେରିକା, ବ୍ରିଟେନ ପରି ବିକଶିତ ଦେଶର ଜେନେରିକ ଔଷଧ ଆବଶ୍ୟକତାର ସିଂହଭାଗ ମଧ୍ୟ ଭାରତ ପୂରଣ କରିଥାଏ। ଭାରତ ୨୦୨୦-୨୧ ଆର୍ଥକ ବର୍ଷରେ ୨୨୪୦ କୋଟି ଡଲାର ମୂଲ୍ୟର ଔଷଧ ରପ୍ତାନୀ କରିଥିଲା ବେଳେ ୨୦୨୧-୨୨ରେ ତାହା ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇ ୧୪୬୦ କୋଟି ଡଲାରରେ ପହଞ୍ଚିଥିଲା। ଏତେ ପରିମାଣର ଔଷଧ ବିଦେଶକୁ ରପ୍ତାନୀ କରି ଭାରତ ବୈଦେଶିକ ମୁଦ୍ରା ରୋଜଗାର କରୁଥିଲେ ବି ରପ୍ତାନୀ ପୂର୍ବରୁ ସେଗୁଡ଼ିକର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ଗମ୍ଭୀରତାର ସହିତ ଦାୟିତ୍ୱ ନ୍ୟସ୍ତ ହୋଇନାହିଁ। ଏବେ ଆୟୁର୍ବେଦିକ ଔଷଧର ବଜାର ବିଦେଶରେ ବି ସୃଷ୍ଟି ହେଲାଣି। ବିଦେଶକୁ ରପ୍ତାନୀ ହେଉଥିବା ଔଷଧୀୟ ପଦାର୍ଥଗୁଡ଼ିକର କଡ଼ାକଡ଼ି ଗୁଣାତ୍ମକ ମାନ ପରୀକ୍ଷଣ ସୁବିଧା ନକରି ଉଭୟ ଉତ୍ପାଦନ ଓ ରପ୍ତାନୀ ଅନୁମତି ବୁମେରାଙ୍ଗ ପାଲଟିବା ଜଳଜଳ ଦିଶୁଛି। ଭାରତ ତିଆରି କଫ ସିରପ ଖାଇ ଆଫ୍ରିକାରେ ଶିଶୁମୃତ୍ୟୁ ଘଟଣା ଧରାପଡ଼ିଲା ପରେ, ଭାରତରେ ତିଆରି ଔଷଧର ବିଶ୍ୱସନୀୟତା ଯେ କମିଛି, ତାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବୁଝିବା ଦରକାର। ଅବୈଧ ଓ ନକଲି ଜିନିଷ କାରବାର ହେଉଥିବା ସ୍ଥାନୀୟ ବଜାରର ଆକାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ୫ ଗୋଟି କ୍ଷେତ୍ରରେ ଅବୈଧ ଜିନିଷର କାରବାର ଅଧିକ ରହିଛି। ଘରପାଇଁ ସାଜ ସରଞ୍ଜାମ, ବ୍ୟକ୍ତିଗତ ବ୍ୟବହାର୍ଯ୍ୟ ପଦାର୍ଥ, ବନ୍ଦମୁଣା ଓ ଡବାଖାଦ୍ୟ, ଧୂଆଁପତ୍ରରୁ ତିଆରି ବିଭିନ୍ନ ପ୍ରକାରର ସିଗାରେଟ, ଜର୍ଦ୍ଦା, ଗୁଟଖା ଭଳି ନିଶାଦ୍ରବ୍ୟ ଓ ମୋବାଇଲ ଫୋନ ଭଳି ୫ଟି କ୍ଷେତ୍ରରେ ନକଲି ଜିନିଷ ଅଧିକ ବିକ୍ରି ହେଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ ନକଲି ବଜାରର ପରିମାଣ ୨,୬୦,୦୯୪ କୋଟି ଟଙ୍କା ରହିଥିବା କୁହାଯାଉଛି। କିଛିଦିନ ତଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ନକଲି ମସଲା, ସର୍ଫ, ଟମାଟୋ-ଲଙ୍କା ସସଠାରୁ ଔଷଧ ଯାଏଁ ଧରା ପଡ଼ିବା କଥାରୁ ଗୋଟିଏ ବିଷୟ ସ୍ପଷ୍ଟ ଯେ, ଓଡ଼ିଶାରେ ଉଦ୍ୟୋଗୀ ଅଛନ୍ତି କିନ୍ତୁ ବ୍ୟବସ୍ଥାରେ ତୃଟି ରହିଛି, ଯାହା ନକଲି କ୍ଷୁଦ୍ରଶିଳ୍ପଗୁଡ଼ିକୁ ଜନ୍ମ ଦେଇଛି। କଳ୍ପନା କରି ହେଉନି, ଯଦି ଏଗୁଡ଼ିକୁ ଚୋରାରେ ବିଦେଶକୁ ରପ୍ତାନି କରିଦିଆଯାଏ, ଭାରତରେ ତିଆରି କୌଣସି ବି ଶିଳ୍ପସାମଗ୍ରୀ ପ୍ରତି ବିଦେଶ କଥା ଛାଡ଼ନ୍ତୁ, ଦେଶବାସୀ ବି କିଣିବେ ନାହିଁ।

ତଥାପି, ଦେଶରେ ପୁଞ୍ଜିନିବେଶ ବଢୁଛି ଓ ଅନେକ ଦେଶୀ ବିଦେଶୀ ନିବେଶକ ନିଜର ସୁବିଧା ଦେଖି ନୂଆନୂଆ କାରଖାନା ପ୍ରତିଷ୍ଠା କରୁଛନ୍ତି। ଏଠାରେ ପ୍ରଶ୍ନ ଆସିପାରେ ଯେ ପଡ଼ୋଶୀ ରାଜ୍ୟ ଭଳି ଓଡ଼ିଶାକୁ ଆସୁଛି କି ପୁଞ୍ଜିନିବେଶ? ରୋଡ଼ ସୋ, ନିମନ୍ତ୍ରଣ, ଏକ୍ସ ପ୍ଲସ ପ୍ରତିଶୃତି ସତ୍ତ୍ୱେ ଓଡ଼ିଶା ଅପେକ୍ଷା ତେଲେଙ୍ଗାନାକୁ ଆସୁଛି ପ୍ରାୟ ୫୦ ଗୁଣ ଅଧିକ ଓ ପଶ୍ଚିମବଙ୍ଗକୁ ୨୦ ଗୁଣ ଅଧିକ ବିଦେଶୀ ପୁଞ୍ଜି। ବିଗତ ୩ ବର୍ଷରେ ଦେଶକୁ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଆସିଥିଲେ ବି ଓଡ଼ିଶାକୁ ମାତ୍ର ହଜାରେ  କୋଟି ଟଙ୍କାର ବିଦେଶୀ ପୁଞ୍ଜି ଆସିନାହି॥ ଓଡ଼ିଶାରେ ଗଲା ୫ ବର୍ଷରେ ପ୍ରତିଶୃତି ମିଳିଥିବା ୩୨୯ଟି ବୃହତ ପ୍ରକଳ୍ପ ମଧ୍ୟରୁ ପ୍ରତିଷ୍ଠା ହୋଇପାରିଛି ମାତ୍ର ୩୦ଟି ପ୍ରକଳ୍ପI ୮.୧୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ କହି ମାତ୍ର ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ କରିଛନ୍ତି ନିମନ୍ତ୍ରିତ ଶିଳ୍ପପତି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ପଡ଼ୋଶୀ ରାଜ୍ୟ ତୁଳନାରେ ଓଡ଼ିଶାକୁ ବିଶେଷ ବିଦେଶୀ ପୁଞ୍ଜି ଆସୁନାହିଁ। ଦେଶକୁ ଆସୁଥିବା ବିଦେଶୀ ପୁଞ୍ଜିରୁ ଓଡ଼ିଶା ଆକର୍ଷିତ କରିପାରୁଛି ଖୁବ୍ ନଗଣ୍ୟ ରାଶ॥ ଓଡ଼ିଶାକୁ ଆସୁଥିବା ପୁଞ୍ଜିର ୯୦ ପ୍ରତିଶତରୁ ଅଧିକ ବିଦେଶୀ ପୁଞ୍ଜି କେବଳ ଖଣିଜ ଶିଳ୍ପ ପାଇଁ ଆସିଛି।

ଏ ତ ଗଲା ଓଡ଼ିଶାକୁ ଆସୁଥିବା ପୁଞ୍ଜିନିବେଶର ସ୍ଥିତି। ‘ଗୋଦରା କୋଡ଼େ ଯେତେ, ମାଡ଼େ ସେତେ’ ଭଳି ଗତ ୩ ବର୍ଷରେ ଓଡ଼ିଶାରେ ବନ୍ଦ ହୋଇଛି ୧୨୦ଟି ଅଣୁ ଶିଳ୍ପ, ଯେଉଁଥିରେ ଏକ କୋଟି ଟଙ୍କାରୁ କମ ପୁଞ୍ଜି ନିବେଶ କରି ଉଦ୍ୟୋଗୀମାନେ ଉତ୍ପାଦନ କରୁଥିଲେ ଓ ନିଯୁକ୍ତି ଦେଇଥିଲେ ସ୍ଥାନୀୟ ଯୁବବର୍ଗଙ୍କୁ। ଏହି ସମୟରେ ୭,୬୫୦ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରୁ ଅଳ୍ପ କିଛି ବନ୍ଦ ହୋଇଯାଇଥିଲେ ବି କେବଳ ଅଣୁ ଶିଳ୍ପ ବନ୍ଦ ହେବାରୁ ପ୍ରତ୍ୟକ୍ଷ ନିଯୁକ୍ତି ହରାଇଛନ୍ତି ୨୯୧୫ ଜଣ। ଓଡ଼ିଶାରେ ପଞ୍ଜିକୃତ ୧.୯୧ ଲକ୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମଧ୍ୟରୁ କରୋନା ମହାମାରୀ ଓ ଚଳନ୍ତି ପୁଞ୍ଜି ଅଭାବ ସତ୍ତ୍ୱେ ଗତ ତିନି ବର୍ଷରେ ୭,୧୦୫ଟି କ୍ଷୁଦ୍ର ଓ ୫୪୫ଟି ମଧ୍ୟମ ଉଦ୍ୟୋଗ କାମ କରୁଛନ୍ତ॥ ଏଥିରେ, ଓଡ଼ିଶାର ଯୁବକମାନେ ସୁରଟ ଯାଇ ଲୁଗାକଳରେ କାମ କଲେ କାହାକୁ ଦୋଷ ଦେବା?

ଗତ କିଛି ବର୍ଷ ମଧ୍ୟରେ ଖଣିଜ ଭିତ୍ତିକ ଶିଳ୍ପ ସଂସ୍ଥା ରାଜ୍ୟରେ ସ୍ଥାପିତ ହୋଇଥିଲେ ବି ରାଜ୍ୟର ସମାବେଶୀ ବିକାଶ ଦିଗରେ ସେମାନଙ୍କ ଅବଦାନ ପ୍ରାୟ କିଛି ନୁହେଁ କହିଲେ ଭୁଲ ହେବନି। ତେଣୁ, ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ସମର୍ଥ ‘ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ଉଦ୍ୟୋଗ’ ବା ‘ଏମଏସଏମଇ’ ପ୍ରତିଷ୍ଠା କରିବାକୁ ମନ ବଳାଇଛନ୍ତି ରାଜ୍ୟ ସରକାର। ବର୍ତ୍ତମାନର ଚାହିଦା ଓ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏସବୁ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗର ଆବଶ୍ୟକତା ଥିବାରୁ ଏସବୁ କ୍ଷେତ୍ରରେ ସୁନାମ ଅର୍ଜନ କରି କମ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦନ କରୁଥିବା ଶିଳ୍ପ ସଂସ୍ଥାଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିବା ଏକ ଭଲ ପଦକ୍ଷେପ। ସୂଚନା ପ୍ରଯୁକ୍ତିବିଦ୍ୟା ସମେତ ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, ପୋଷାକ ପ୍ରସ୍ତୁତି ଇତ୍ୟାଦିକୁ ଅଧିକ ଗୁରୁତ୍ୱ ଦିଆ ଯାଉଛି। ଏହି ସବୁ ଶିଳ୍ପସଂସ୍ଥାରେ ଅଧିକ ନିଯୁକ୍ତି ସୁଯୋଗ ଥିବାରୁ ସ୍ଥାନୀୟ ଯୁବକାରିଗର ଓ ଶ୍ରମିକ ରାଜ୍ୟରେ ରହି ରୋଜଗାର କରିପାରିବେ ଓ ଓଡ଼ିଶାର ପଶ୍ଚିମାଞ୍ଚଳରେ ଦେଖାଯାଉଥିବା ଦାଦନ ସମସ୍ୟା କିଛିମାତ୍ରାରେ କମିପାରି॥ ରାଉରକେଲାଠାରୁ କୋଟପାଡ଼ ଯାଏଁ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ହାଇୱେକୁ ଭବିଷ୍ୟତର ମହତ୍ତ୍ୱାକାଂକ୍ଷୀ ଶିଳ୍ପ କରିଡର ଭାବେ ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଫଳରେ, ନବରଙ୍ଗପୁରରେ ଉତ୍ପାଦିତ ପ୍ରଚୁର ମକା ଫସଲକୁ ପ୍ରକ୍ରିୟାକରଣ କରିବା ହେଉ ବା କଳାହାଣ୍ଡିର କପାରୁ ବୟନଶିଳ୍ପ ସମ୍ଭବ ହେବ ଓ ବାହାରକୁ ରପ୍ତାନୀ କରିହେବ।

ଆଶା, ରାଜ୍ୟ ସରକାର ନିଜର ଦୋଷ ତୃଟିକୁ ସୁଧାରି ପ୍ରଥମେ ବନ୍ଦହୋଇ ପଡ଼ିଥିବା ଅଣୁ ଶିଳ୍ପୋଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରି ପୁଣି ଥରେ କାରଖାନା ଚାଲୁ କରିବାକୁ ଉଦ୍ୟମ କରିବ॥ କୃଷି ଭିତ୍ତିକ ଶିଳ୍ପ ଯଥା ଚିନିକଳ, ସୂତାକଳ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଗୁଡିକୁ ସହଯୋଗର ହାତ ବଢାଇବା ସହ ରାଜ୍ୟରେ ଫୁଟବଲଠାରୁ ଆରମ୍ଭ କରି ସାଇକେଲ ଯାଏଁ କ୍ରୀଡା ସାମଗ୍ରୀ, ବନ୍ଦ ପଡ଼ିଥିବା ଶୀତଳ ଭଣ୍ଡାର, ରାଜ୍ୟରେ ଥିବା ସମସ୍ତ ଶିଳ୍ପାଞ୍ଚଳରେ ଏକଦା କାମ କରୁଥିବା ସବୁ ଶିଳ୍ପସଂସ୍ଥା ଗୁଡ଼ିକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରିବେ। ଓଡ଼ିଶାରେ କମ୍ପୁଟର, ଆଧୁନିକତମ ଯନ୍ତ୍ରପାତିଠାରୁ ଆରମ୍ଭ କରି ଗାଡ଼ି ମଟର ଯନ୍ତ୍ରାଂଶ ମଧ୍ୟ ତିଆରି କରିବାକୁ ହେଲେ, ଅନେକ ପରୀକ୍ଷାଗାର ଓ ଗବେଷଣାଗାର ଆବଶ୍ୟକ। ବୃହତ ଶିଳ୍ପଗୋଷ୍ଠୀ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ପ୍ରତିଷ୍ଠା କରି ସେଠାରୁ ଆବଶ୍ୟକ କରୁଥିବା ସମସ୍ତ ଆନୁସଙ୍ଗିକ ଉତ୍ପାଦ ତିଆରି କରିବାକୁ ସରକାର ଏକ୍ସ ପ୍ଲସ ସହଯୋଗ କରନ୍ତୁ। ତାହା ନହେଲେ, ରୂପାନ୍ତରଣ ଯାତ୍ରାରୁ ଓଡ଼ିଶାବାସୀ ଲାଭ ପାଇବେ ନାହିଁ, ନେଇଯିବେ ଶିଳ୍ପପତି।

ଫୋ-୯୪୩୮୨୯୯୦୩୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।