ଅବିସ୍ମରଣୀୟ ପ୍ୟାରୀମୋହନ ମହାପାତ୍ର

‘ଭାରତୀୟ ରାଜନୀତିରେ ପ୍ୟାରୀବାବୁଙ୍କ ଭଳି ଦ୍ୱିତୀୟ ଉଦାହରଣ ନାହିଁ। ଅଛି କି? ଏହି ପ୍ରଶ୍ନର ଉତ୍ତର ତାଙ୍କର ନିନ୍ଦୁକମାନେ ଦିଅନ୍ତୁ। ଯଦି କହିପାରିବେ, ତାଙ୍କୁ ଆମେ ଧନ୍ୟ କହିବୁ।’

  • ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ

ଆଜି ଓଡ଼ିଶାର ରାଜନୀତିକ ଆକାଶରେ ବହୁଚର୍ଚ୍ଚିତ ‘ବିଜୁ ଜନତା ଦଳ’ର ତତ୍କାଳୀନ ଚାଣକ୍ୟ ପ୍ୟାରୀମୋହନ ମହାପାତ୍ରଙ୍କର ଚତୁର୍ଥ ମୃତ୍ୟୁ ଦିବସ। ମୋର ମନେହୁଏ ‘ବିଜେଡ଼ି’ର କୌଣସି ସଦସ୍ୟଙ୍କର ଏଇଦିନଟି ମନେ ନଥିବ। କାହିଁକି ବା ମନେରହିବ? ଯାହାଠାରୁ କିଛି ପାଇବାର ନ ଥାଏ ତାକୁ କିଏ କ’ଣ ମନେରଖେ? ଏଥିରୁ ପ୍ୟାରୀବାବୁ ବାଦ୍ ପଡ଼ିବେ କିପରି?

ପ୍ୟାରୀମୋହନ ମହାପାତ୍ର। ଓଡ଼ିଶା ପାଇଁ ଏକ ବିସ୍ମୟକାରୀ ରାଜନୀତିକ ଯୁଗପୁରୁଷ। ଯଦି ରଙ୍ଗମଞ୍ଚରେ ତାଙ୍କ ଆବିର୍ଭାବ ହୋଇ ନଥାନ୍ତା, ବିଜୁ ଜନତା ଦଳ ନାମକ ଏକାଙ୍କିକା ଆଗକୁ କେଉଁ ଗତିରେ ଚାଲିଥାନ୍ତା – କିଏ ଜାଣେ!

ତାଙ୍କ ପରି ଉଚ୍ଚାଙ୍ଗ ଅନ୍ୟ କୌଣସି ନେତାଙ୍କ ମୃତ୍ୟୁ ଏତେ ଆଦରହୀନ ବା ଅଶ୍ରଦ୍ଧାଭାଜନ ହେଲା ପରି ମୋର ମନେ ପଡ଼ୁନି। ବାରବର୍ଷ ଧରି ବିଜୁ ଜନତା ଦଳର ଯେଉଁମାନେ ତାଙ୍କ ଦର୍ଶନମାତ୍ରେ ଶ୍ରୀକ୍ଷେତ୍ର ଦର୍ଶନ ଭାବି ଉଲ୍ଲସିତ ହେଉଥିଲେ ବା ଯେଉଁମାନେ ଯେତିକି ପାଇବାକୁ ୧୧୧, ସହିଦନଗର ତାଙ୍କ ଦାଣ୍ଡରେ ନେଉଳ ପ୍ରାୟ ଗଡୁଥିଲେ, ସେମାନେ ବିଚରା ‘ଇମାନ’ ଓ ‘ବେଇମାନ’ ଛାଇରୁ ପଦାକୁ ବାହାରି ପ୍ୟାରୀଙ୍କ ମୃତ୍ୟୁର ନିଶ୍ଚିତ ଖବର ପାଇ ସୁଦ୍ଧା, ଟିକେ ହେଲେ ବି ଶୋକ ପ୍ରକଟ କଲେନି। ଯେଉଁମାନଙ୍କୁ ସେ ମଣିଷ କରିଥିଲେ, ସେମାନେ କେତେ ‘ଅକୃତଜ୍ଞ’ ସତରେ!

ସାଧାରଣତଃ ରାଜନୀତିରେ ଅଧିକ ସଂଖ୍ୟାରେ ଶୁଦ୍ଧ ଓ ପବିତ୍ର ମାନସିକତାରେ ବିଶ୍ୱାସ କରୁଥିବା ଲୋକ ପ୍ରବେଶ କରନ୍ତିନି। କିନ୍ତୁ ପ୍ୟାରୀଙ୍କ ପରି ‘ଚମତ୍କାର ପୁରୁଷ’ ହୁଏତ ଦି’ଚାରି ଶତାବ୍ଦୀରେ ଥରେ ଅଧେ ଅକସ୍ମାତ୍ ଜନ୍ମନିଅନ୍ତି। ସତରେ କିଛି ନ ଥାଇ ସୁଦ୍ଧା ପ୍ୟାରୀବାବୁ ସବୁ ପାଇଁ ବିଜୁ ଜନତା ଦଳର ଥିଲେ ‘ମଉଡ଼ମଣି’। ଦିନେ ନୁହେଁ କି ଅଧେ ନୁହେଁ; ପୂରା ଦଶବର୍ଷ। ସମସ୍ତେ ତାଙ୍କ ଫଟ ପୂଜା କରୁଥିଲେ। ଅନେକଙ୍କର ମଧ୍ୟ ଶିରିଣି ଅର୍ଚ୍ଚନା ତାଙ୍କ ପାଖରେ ହେଉଥିଲା। ଭାରତୀୟ ରାଜନୀତିରେ ପ୍ୟାରୀବାବୁଙ୍କ ଭଳି ଦ୍ୱିତୀୟ ଉଦାହରଣ ନାହିଁ। ଅଛି କି? ଏହି ପ୍ରଶ୍ନର ଉତ୍ତର ତାଙ୍କର ନିନ୍ଦୁକମାନେ ଦିଅନ୍ତୁ। ଯଦି କହିପାରିବେ, ତାଙ୍କୁ ଆମେ ଧନ୍ୟ କହିବୁ।

ଅନେକ ମଣିଷ ଏକା ସାଙ୍ଗରେ ନିଜକୁ ତଥାକଥିତ ନେତା ବୋଲାଇ ନିଜକୁ ଗୋଟିଏ ଗୋଟିଏ ‘ଓଲୁ’ ବୋଲି ପ୍ରମାଣ ଦିଅନ୍ତି – ସେଇଟା ପ୍ୟାରୀବାବୁଙ୍କ ସମୟରେ ପ୍ରମାଣିତ ହୋଇଥିଲା। ସେ ଦଶବର୍ଷ କାଳ ବିଜୁ ଜନତା ଦଳର ‘ମାର୍ଗଦର୍ଶକ’ ଥିଲେ। ଭାବି ଦେଖିଲେ ସେ ବିନା ଅର୍ଥରେ ବଜେଟ୍ ସୃଷ୍ଟି କରିପାରୁଥିଲେ। ତାଙ୍କ ପାଦତଳେ କେତେ ଯେ ଜନତାଙ୍କ ଦ୍ୱାରା ନିର୍ବାଚିତ ମନ୍ତ୍ରୀ ଓ ଏମ୍‌ଏଲ୍‌ଏମାନେ ପ୍ରଣିପାତ କରୁଥିଲେ ତାହା ତାଙ୍କ ମୃତ୍ୟୁର ଚାରିବର୍ଷ ପରେ ଭାବିଲେ ତାଙ୍କ ନିକଟରେ ମୁଣ୍ଡ ନଇଁଯାଏ। ଯିଏ ଦିନେ ତାଙ୍କ ଆଶ୍ରିତ ଥିଲେ ସିଏ ତାଙ୍କୁ ‘ବେଇମାନ’ କହିଲେ। ତୀକ୍ଷ୍ଣବୁଦ୍ଧିସମ୍ପନ୍ନ ଥିବାରୁ ତାଙ୍କ ଆଙ୍ଗୁଠିରେ ସବୁ ତଥ୍ୟ ଥିଲା। ଭାବିଥିଲେ ସମସ୍ତଙ୍କ ‘ଭାଗ୍ୟଡ଼ୋରି’ ନିଜ ହାତରେ ରଖିବେ, କିନ୍ତୁ ଭାଗ୍ୟଡ଼ୋରି ଯମ ହାତରେ ଥିଲା। ଚାରିବର୍ଷ ତଳେ ଠିକ୍ ଏଇ ୧୯ ମାର୍ଚ୍ଚ ଦିନ ସେ ଚିରନିଦ୍ରାରେ ଶୋଇ ପଡ଼ିଲେ। କିନ୍ତୁ ଓଡ଼ିଶାର ରାଜନୀତିରେ ‘ଇତିହାସ’ ରଚି ଦେଇ ଓଡ଼ିଶାରେ ଏକ ‘ପ୍ରବାଦ ପୁରୁଷ’ ପାଲଟିଗଲେ।

ରାଜନୀତିରେ ନବୀନଙ୍କ ଆବିର୍ଭାବ ଥିଲା ଆକସ୍ମିକ। ୧୯୯୮ରେ ପ୍ୟାରୀବାବୁ ଆଇଏଏସ୍ ଚାକିରିରୁ ଅବସର ନେଲେ ଏବଂ ୨୦୦୦ରେ ବିଜୁ ଜନତା ଦଳରେ ଯୋଗଦେଲେ। ନବୀନ ଓ ପ୍ୟାରୀଙ୍କ ଭିତରେ ବେତାଳ କିଏ ବା ବିକ୍ରମ କିଏ ଜାଣିବା କଷ୍ଟ ଥିଲା। “ନାମ ନବୀନ ବାବୁଙ୍କର ଓ କାମ ପ୍ୟାରୀବାବୁଙ୍କର” –ଏ ଧାରଣା କେବଳ ତାଙ୍କ ଦଳର ନୁହେଁ, ସାରା ରାଜ୍ୟର ହିଁ ଥିଲା। ଖବରକାଗଜରେ ଲିପିବଦ୍ଧ ହୋଇଥିବା ନିଷ୍ଠୁର ସତ୍ୟତାକୁ ପୁଣିଥରେ ପାଠକମାନଙ୍କ ଗୋଚରକୁ ଆଣିବା ଅବସରରେ ଅତିରଞ୍ଜିତ ନ କରି କୁହାଯାଇପାରେ ଯେ ‘ପ୍ୟାରୀବାବୁ’ ନାଁଟି ଆଜି କଇଁଫୁଲ ପରି ବୁଜି ହୋଇଯାଇଛି। ମାତ୍ର ଦିନେ ସେ ନାଁଟି ଥିଲା ‘ରାଜପୁଷ୍କରିଣୀର ପଦ୍ମ’।

ତାଙ୍କ ବାସଗୃହ ୧୧୧, ସହିଦ ନଗର – ସେ ସମୟରେ ଗଣମାଧ୍ୟମରେ ‘ପ୍ୟାରୀମୋହନ ଏକାଡେମୀ’ ନାମରେ ସୁପରିଚିତ ଥିଲା। ‘ପ୍ୟାରୀମୋହନ ଏକାଡେମୀ’ କହିଲେ ସମସ୍ତେ ପ୍ୟାରୀବାବୁଙ୍କ ଘରକୁ ବୁଝୁଥିଲେ। ନବୀନ ନିବାସଠାରୁ ବି ଗୁରୁତ୍ୱପୂର୍ଣ୍ଣ ଥିଲା। ସରକାରୀ ଆୟୋଜନ ଚଳଚଞ୍ଚଳ ଥିଲା। ପ୍ୟାରୀବାବୁଙ୍କର କୌଣସି ପଦପଦବୀ ନ ଥିଲା। କେତେ କେତେ ପୋଲିସ୍ ସାହେବମାନେ ତାଙ୍କୁ ସଲାମ୍ ମାରୁଥିଲେ। ଆଇଏଏସ୍ ଶାସକମାନେ ଘରକୁ ଆସି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ। ଫାଇଲ୍ ଦେଖାଇ ମୁହେଁ ମୁହେଁ ତାଙ୍କଠାରୁ ଅନୁମୋଦନ ହାସଲ କରୁଥିଲେ। ‘ବିଜୁ ଜନତା ଦଳ’ର ମାର୍ଗଦର୍ଶକ, ନବୀନ ସରକାରର ପଥ ପ୍ରଦର୍ଶକ ଓ ସର୍ବଗୃହୀତ ‘ଚାଣକ୍ୟ’ ବୋଲି ଉପାଧି ଦିଆଯାଇଥିଲା। କିନ୍ତୁ କର୍ମରୁ ଅଧିକ ସେ ଲୋଡ଼ିଥିଲେ ବୋଲି ‘ମିଡ୍‌ନାଇଟ୍ ଅପରେସନ୍‌’ ତାଙ୍କ ଜୀବନର କାଳ ହୋଇଗଲା। ସେଇଥିପାଇଁ ପରା କୁହାଯାଏ– “ଜୀବନ ଓ ଜହର ଏକା ସାଙ୍ଗରେ ଥାଏ। କଳ୍ପନାର ସ୍ୱର୍ଗ ଓ ନର୍କ, ଆଦି-ମଧ୍ୟ-ଅନ୍ତ ଏକା ସାଙ୍ଗରେ ଥାଆନ୍ତି।” ପ୍ୟାରୀବାବୁଙ୍କ ଭଳି ମଣିଷ ଯେଡ଼େ ଖେଳାଳି ହେଇଥାଉ ପଛେ, ଚୌହଦି ବାହାରେ ତା’ର ଖେଳ ନ ଥାଏ।

ଆମକୁ ଅସହାୟ ଲାଗିଲେ ମଧ୍ୟ ଆଜିର ରାଜନୀତିରେ କେତେଗୁଡ଼ିଏ ଚିତ୍ରକୁ ପ୍ରତ୍ୟକ୍ଷ ଭାବରେ ଗ୍ରହଣ କରିବାକୁ ହେବ। ଆମର ନାଟକ ଓ ଗଣତନ୍ତ୍ର ଭିତରେ କିଛି ତଫାତ୍ ନାହିଁ। କ୍ଷମତା ନୁହେଁ, ବରଂ ଭୟ ମଣିଷକୁ ଭ୍ରଷ୍ଟ କରେ। “କ୍ଷମତା ହରାଇବାର ଭୟ ନେତାମାନଙ୍କୁ ଅଧିକ ପରିମାଣରେ ଭ୍ରଷ୍ଟ କରେ। ଯେଉଁମାନେ ତାକୁ ପ୍ରୟୋଗ କରୁଥାନ୍ତି ଏବଂ ଶାସନ ସଙ୍କଟର ଭୟରେ ସେମାନଙ୍କୁ ମଧ୍ୟ ଭ୍ରଷ୍ଟ କରିଦିଅନ୍ତି, ସେମାନେ ତାଙ୍କ ଅଧୀନରେ ଥାଆନ୍ତି” (ଫ୍ରିଡମ୍ ଅଫ୍ ଫିଅର୍‌, ୧୯୯୧)। ଏପରି ଏକ ଭୟର ଚାପରେ ଦୀର୍ଘ ୨୦ ବର୍ଷ ଧରି ନିଜକୁ “ଶ୍ରେଷ୍ଠ, ଆଦର୍ଶ ଓ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ” ବୋଲି ସମ୍ବାଦପତ୍ରମାନଙ୍କରେ ପ୍ରତିଦିନ ମାଳ ମାଳ ବିଜ୍ଞାପନ ଦେଇ ନିଜକୁ ଖିନଭିନ୍ କରୁଥିବା ‘ମୁଖିଆ’ଙ୍କୁ ‘ଭୟ’ ନିଜ କୋଳକୁ ଟାଣି ନେଇଯାଇନାହିଁ କି?

‘ପ୍ୟାରୀବାବୁ ଅମର ରହେ’। ଅଗ୍ରଜପ୍ରତିମ ଘନିଷ୍ଠ ବନ୍ଧୁ ପ୍ୟାରୀମୋହନ ମହାପାତ୍ରଙ୍କୁ ତାଙ୍କର ଚତୁର୍ଥ ମୃତ୍ୟୁ ଦିବସରେ ସୁଦୂର ଜର୍ମାନୀରୁ ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ସେ ଜୀବନରେ କେବେହେଲେ ବି ଭାବିନଥିବେ ଯେ ମୁଁ ତାଙ୍କ ବିଷୟରେ ଏପରି ଏକ ‘ଅଗ୍ରଲେଖ’ ଲେଖିବି ବୋଲି। ଲେଖାଟିକୁ ଲେଖିବାବେଳେ ଆଖି ଜକେଇ ଗଡ଼ି ଆସୁଥିବା ଲୁହ କେବଳ ତାଙ୍କରି ପାଇଁ।

ଗିଲ୍‌ବାଖ୍ ଷ୍ଟ୍ରାସେ ୯୫ଇ, ୪୧୪୬୬ ନଏସ୍‌, ଜର୍ମାନୀ

drrajendradas.germany@gmail.com

(ଆଲେଖ୍ୟର ମତ ଓ ମନ୍ତବ୍ୟ ଲେଖକଙ୍କର ସଂପୂର୍ଣ୍ଣ ନିଜସ୍ୱ।)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।