ବର୍ଜ୍ୟବସ୍ତୁ ପରିଚାଳନା ଏକ ସାର୍ବଜନୀନ ଦାୟିତ୍ୱ

ରୁଦ୍ର ପ୍ରସନ୍ନ ରଥ:

ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କର ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ମଧ୍ୟରୁ ସ୍ୱଚ୍ଛ ଭାରତ ଅନ୍ୟତମ ସଫଳ ଯୋଜନା ବୋଲି କୁହାଯାଇପାରିବ। ସାରା ଦେଶକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବାକୁ ଏହି ଯୋଜନା ୨ ଅକ୍ଟୋବର ୨୦୧୪ରୁ ଆରମ୍ଭ ହୋଇଥିଲା। ସାରା ଭାରତର ପ୍ରତି ଗାଁରେ ପାଇଖାନା ବସାଇ ଲୋକଙ୍କୁ ବାହାରେ ଶୌଚ ହେବାକୁ ବାରଣ କରିବା ସହ ପରିବେଶକୁ ବର୍ଜ୍ୟମୁକ୍ତ ରଖିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଗାଁ ପରେ ଗାଁ, ସହର ପରେ ସହରର ଘରେ ଘରେ ଶୌଚାଳୟ ନିର୍ମିତ ହେଲା ପରେ ଏହାକୁ ଆଗକୁ ନେବା ପାଇଁ ପୁଣି ଯୋଜନା ଆରମ୍ଭ ହୋଇଛି। ଏବେ ଲକ୍ଷ୍ୟ ହେଉଛି ଦେଶର ଗାଁ ଏବଂ ସହରକୁ ସଂପୂର୍ଣ୍ଣରୁପେ ବର୍ଜ୍ୟମୁକ୍ତ କରିବା।

ଆଧୁନିକତାବାଦର ପ୍ରଭାବରେ ମଣିଷ ଗୋଟାପଣେ ଖାଉଟି ପାଲଟିଯାଇଛି। ମଣିଷ ଏବେ ନିଜର ଦୈନନ୍ଦିନ ଜୀବନର ଅନେକ ଆବଶ୍ୟକତା ପୂରଣ କରିବା ପାଇଁ ସଂପୂର୍ଣ୍ଣ ରୁପେ ବଜାର ଉପରେ ନିର୍ଭରଶୀଳ। ସକାଳ ସଂଜ ଭିତରେ ମଣିଷ ବଜାରରୁ ନିଜର ଆବଶ୍ୟକତା ମୁତାବକ ପଦାର୍ଥ ସବୁ କିଣାକିଣି କରିଚାଲୁଛି। ଏହି ପଦାର୍ଥ ସବୁ ବ୍ୟବହାର କରିସାରିଲାପରେ ଅନେକ ଅବଶେଷ ରହିଯାଉଛି ଯାହା ଆଉ ବ୍ୟବହାରକ୍ଷମ ନୁହେଁ। କଟା ପରିବା ଚୋପାଠାରୁ ଆରମ୍ଭ କରି ସାମ୍ପୁ ଜରି ଯାଏ, ପୁଣି ତେଲ ଡବାଠାରୁ କ୍ଷୀର ପାଉଚ୍ ଯାଏ ଏମିତି ଅନେକ ବ୍ୟବହାର ଅକ୍ଷମ ବସ୍ତୁକୁ ମଣିଷ ନିଜର ଝରକା କବାଟ ବାଟେ ବାହାରକୁ ପକାଇ ଦେଉଛି। ଏହି ପୁନଃ ବ୍ୟବହାର ଅକ୍ଷମ ଜିନିଷ ସବୁ ଆମ ପରିବେଶକୁ ଆସିଗଲା ପରେ ଏହା ଆମ ପରିବେଶକୁ ପ୍ରଦୂଷିତ କରି ଦେଉଛି।

ଘରୋଇ ବର୍ଜ୍ୟ, କୃଷି କ୍ଷେତ୍ରରୁ ବାହାରୁଥିବା ବର୍ଜ୍ୟ, ଶିଳ୍ପରୁ ବାହାରୁଥିବା ବର୍ଜ୍ୟକୁ ନେଇ ଏବେ ଭାରତୀୟମାନେ ନାକେଦମ ହେବା ଉପରେ। ୨୦୧୯ରେ ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରତିଦିନ ଦେଢ଼ ଲକ୍ଷ ଟନ କଠିନ ବର୍ଜ୍ୟବସ୍ତୁ ପରିବେଶରେ ମିଶୁଛି। ଏହା ଯୋଗୁଁ ଭାରତ ଧୀରେ ଧୀରେ ବର୍ଜ୍ୟବସ୍ତୁର ପାହାଡ଼ ମଧ୍ୟରେ ପୋତି ହୋଇ ପଡ଼ିବା ପରି ଅବସ୍ଥା ସୃଷ୍ଟି ହେଲାଣି। ସେହିପରି ଭାରତର ପରିବେଶ, ଜଙ୍ଗଲ ଏବଂ ପରିବେଶ ପ୍ରଦୂଷଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ୨୦୩୧ ସୁଦ୍ଧା ଦେଶରେ ବାର୍ଷିକ ୧୬୦୦୦ କୋଟି ଟନର ବର୍ଜ୍ୟବସ୍ତୁ ବାହାରିବାର ଥିବା ବେଳେ ୨୦୫୦ ବେଳକୁ ୪୩୬୦୦ କୋଟି ଟନର ବର୍ଜ୍ୟବସ୍ତୁ ବାହାରୁଥିବ। ଆଉ ଆଧୁନିକ ଭାରତରେ ବର୍ଷକୁ ୩.୫ ନିୟୁତ ଟନ ପ୍ଲାଷ୍ଟିକ୍ ବର୍ଜ୍ୟ ବାହାରୁଥିବାବେଳେ ଭାରତୀୟମାନଙ୍କର ମୁଣ୍ଡ ପିଛା ବର୍ଜ୍ୟ ଉତ୍ପାଦନ ଗତ ପାଂଚ ବର୍ଷରେ ଦୁଇଗୁଣିତ ହୋଇଛି।

କେବଳ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ବର୍ଦ୍ଧିତ ସଂଖ୍ୟା ଯୋଗୁଁ ଭାରତୀୟ ପରିବେଶ ବହୁଗୁଣରେ ପ୍ରଭାବିତ ହେଉଛି। ଏବେ ତ ଲୋକଙ୍କ ରକ୍ତ କଣିକାରେ ପ୍ଲାଷ୍ଟିକର ଅବଶେଷ ମିଳିବା ସହ ଏହାର ବହୁଳ ବ୍ୟବହାର କ୍ୟାନସର ପରି ଦୁରାରୋଗ୍ୟ ବ୍ୟାଧିକୁ ଟାଣି ଆଣୁଛି ବୋଲି ପ୍ରମାଣିତ ହୋଇସାରିଲାଣି। ଏହି ବର୍ଜ୍ୟବସ୍ତୁର ପରିଚାଳନା ଉପଯୁକ୍ତଭାବେ ନ ହେଲେ ଦେଶର ଅର୍ଥନୀତି, ସମାଜ ବ୍ୟବସ୍ଥା ଏବଂ ପରିବେଶ ଉପରେ ପ୍ରବଳ ଚାପ ପଡ଼ିବ।

ଏହାକୁ ଲକ୍ଷ୍ୟ ରଖି ଭାରତ ସରକାର ବିଭିନ୍ନ ଅଂଶୀଦାରମାନଙ୍କୁ ସାଙ୍ଗରେ ନେଇ ବର୍ଜ୍ୟବସ୍ତୁର ତ୍ୱରିତ୍ ପରିଚାଳନା କରିବା ଦିଗରେ ଗୁରୁତ୍ୱ ଦେଉଛନ୍ତି। ଯଦି ବର୍ଜ୍ୟବସ୍ତୁର ତ୍ୱରିତ୍, ଆବଶ୍ୟକୀୟ ଏବଂ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରାନଯାଏ ଏହା ଆମ ପରିବେଶକୁ ନଷ୍ଟ କରିବା ସହ ଆମ ଜୀବନଧାରଣର ମାନକୁ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ କରିବ।

ବର୍ଜ୍ୟବସ୍ତୁ ପରିଚାଳନା କଥା ଆଲୋଚନା କଲାବେଳେ ବର୍ଜ୍ୟବସ୍ତୁର ପ୍ରକାର ଭେଦ ଜାଣି ରଖିବା ଉଚିତ୍। ବର୍ଜ୍ୟବସ୍ତୁକୁ ସାଧାରଣଭାବେ ଦୁଇ ଭାଗରେ ବିଭକ୍ତ କରାଯାଇପାରେ।

କଠିନ ବର୍ଜ୍ୟବସ୍ତୁ: ଯେଉଁ ବର୍ଜ୍ୟବସ୍ତୁ କଠିନ ଏହାକୁ କଠିନ ବର୍ଜ୍ୟବସ୍ତୁ ଭାବେ ଅଭିହିତ କରାଯାଇପାରେ। ଏହାର ଉତ୍ସ ଅନୁଯାୟୀ ଏହା ଭିନ୍ନ ଭିନ୍ନ ହୋଇପାରେ। ପୁରୁଣା ଖବରକାଗଜ, କାଚ ବୋତଲ, ପ୍ଲାଷ୍ଟିକ୍ ଜାର, ପୁରୁଣା କପଡ଼ା, ପୁରୁଣା ବ୍ୟବହାର ଅଯୋଗ୍ୟ ବିଭିନ୍ନ ଘରୋଇ ବସ୍ତୁ, ଜୋତା, ବେଲ୍ଟ, ରୋଷେଇ ଘରୁ ବାହାରୁଥିବା ଖାଦ୍ୟର ଅବଶେଷ, ବ୍ୟବହୃତ ସାନିଟାରୀ ପ୍ୟାଡ୍, ଭଙ୍ଗା କାଚ,ଜରି ଏବଂ ପ୍ଲାଷ୍ଟିକ୍ ଡବା, ଜାର ଇତ୍ୟାଦି। ଏହା ସହ ଡାକ୍ତରଖାନାରୁ ବାହାରୁଥିବା ବିଭିନ୍ନ ବର୍ଜ୍ୟବସ୍ତୁ ଯଥା ବ୍ୟବହୃତ ତୁଳା, ସିରିଂଜ୍ ଇତ୍ୟାଦି ମଧ୍ୟ ଏହି କଠିନ ବର୍ଜ୍ୟବସ୍ତୁର ଅନ୍ତର୍ଗତ।

ତରଳ ବର୍ଜ୍ୟବସ୍ତୁ: ଯେଉଁ ବର୍ଜ୍ୟଗୁଡ଼ିକ ତରଳ ସେଗୁଡ଼ିକୁ ତରଳ ବର୍ଜ୍ୟବସ୍ତୁ କୁହାଯାଏ। ଉଦାହରଣ ସ୍ୱରୁପ, ଆମ ଗାଧୁଆ ଘରୁ ଏବଂ ପାଇଖାନାରୁ ବାହାରୁଥିବା ଜଳ, ବିଭିନ୍ନ କଳକାରଖାନା ଆଦିରୁ ବାହାରୁଥିବା ବର୍ଜ୍ୟଜଳ ଏହି ପର୍ଯ୍ୟାୟ ଅନ୍ତର୍ଭୁକ୍ତ।

ଏହି ବର୍ଜ୍ୟଗୁଡିକ ଦୀର୍ଘଦିନ ଧରି ପଡ଼ିରହିବା ଯୋଗୁଁ ପରିବେଶ ଉପରେ ମାରାତ୍ମକ ପ୍ରଭାବ ପକାଇଥାଏ। କେତେକ ଜାଗାରେ ଏହା ସିଧାସଳଖ ପାନୀୟ ଜଳର ସ୍ରୋତରେ ମିଶି ଏହାକୁ ପ୍ରଦୂଷିତ କରିଥାଏ ତ ଆଉ କେତେବେଳେ ଏହା ମାଟିର ଉର୍ବରତାକୁ ହ୍ରାସ କରିଥାଏ। ପାନୀୟ ଜଳ ସ୍ରୋତ ପ୍ରଦୂଷିତ ହେବା ଯୋଗୁଁ ଏହା ଅନେକ ଜଳଚର ଜୀବଙ୍କର ମୃତ୍ୟୁ ଏବଂ ପ୍ରଜନନ ହ୍ରାସର କାରଣ ହୋଇଥାଏ। ସେହିପରି ବାୟୁମଣ୍ଡଳ ପ୍ରଦୂଷଣ ଆଦି କାରଣ ପାଇଁ ମଧ୍ୟ ଏହି ବର୍ଜ୍ୟବସ୍ତୁ ବେଶ୍ ମାତ୍ରାରେ ଦାୟୀ।

କଠିନ ବର୍ଜ୍ୟବସ୍ତୁକୁ ଅନେକ ଲୋକ ଜାଳିଦେଇ ଏହି ସମସ୍ୟାର ସମାଧାନ ହୋଇଗଲା ବୋଲି ବିଚାର କରନ୍ତି। ତେବେ ପ୍ଲାଷ୍ଟିକ୍ ଆଦି ବସ୍ତୁକୁ ପୋଡ଼ିଦେଲାପରେ ଏଥିରୁ ବାହାରୁଥିବା ବିଷାକ୍ତ ଗ୍ୟାସ୍ ଆଦି ବାୟୁମଣ୍ଡଳକୁ ଦୂଷିତ କରିଦେଇଥାଏ। ଏହାଦ୍ୱାର କ୍ୟାନସର ଏବଂ ବିଭିନ୍ନ ଶ୍ୱାସ ରୋଗର କାରଣ ହୋଇଥାଏ। ଏଣୁ ଏହି ବର୍ଜ୍ୟବସ୍ତୁର ଉପଯୁକ୍ତ ଏବଂ ବିଜ୍ଞାନ ସମ୍ମତ ପରିଚାଳନା ଜରୁରୀ ହୋଇ ପଡ଼ିଛି। ପୂର୍ବେ ଖାଲ ଖମାରେ ପ୍ଲାଷ୍ଟିକ୍ ଆବର୍ଜନାକୁ ପୋତିବା ଏକ ଉପଯୁକ୍ତ ବ୍ୟବସ୍ଥା ବୋଲି ବିଚାର କରାଯାଉଥିଲା ତେବେ ଏହା ବର୍ତ୍ତମାନ ଅନ୍ୟାନ୍ୟ ସମସ୍ୟା ସବୁ ଡାକି ଆଣୁଥିବାରୁ ଏହାର ପରିଚାଳନା ବ୍ୟକ୍ତିଗତ ଏବଂ ସାମାଜିକ ସ୍ତରରେ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

କଠିନ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ସାଧାରଣତଃ ୪ ଆର ( ରିଫ୍ୟୁଜ, ରିଡ୍ୟୁସ, ରିୟୁଜ ଓ ରିସାଇକ୍‌ଲ) ସୂତ୍ର ବ୍ୟବହାର ହୁଏ।

ରିଫ୍ୟୁଜ ବା ମନା କରିବା: ପ୍ଲାଷ୍ଟିକ୍ ପରି କଠିନ ବର୍ଜ୍ୟବସ୍ତୁକୁ ପରିଚାଳନା କରିବା ଦିଗରେ ଏହ ସୂତ୍ର ବେଶ୍ ପ୍ରଜୁଯ୍ୟ। ଆପଣ ହାଟ ବଜାରକୁ ଗଲାବଳେ ଆପଣଙ୍କୁ ଦୋକାନୀ ଯେତେବେଳେ କୌଣସି ଜିନିଷ ପଲିଥିନ୍ ଜରିରେ ଭର୍ତ୍ତି କରି ଦେଉଛି ଆପଣ ତାହା ମନା କରି ପାରିବେ। ସେପରି କ୍ଷେତ୍ରରେ ଆପଣ ନିଜ ଘରୁ ନେଇ ଥିବା କପଡ଼ା ବ୍ୟାଗରେ ଏହି ସବୁ ଜିନିଷ ଭରି କରି ଆଣି ପାରିବେ। ନିଜେ ସାମାନ୍ୟ ସଚେତନ ହେଲେ ଏହି ପ୍ଲା୍ଷ୍ଟିକ୍ ଜନିତ କଠିନ ବର୍ଜ୍ୟବସ୍ତୁକୁ ଆପଣ ନିଜ ସ୍ତରରେ ରୋକି ପାରିବେ।

ରିଡ୍ୟୁସ ବା କମ୍ କରିବା: କଠିନ ବର୍ଜ୍ୟବସ୍ତୁର ଉତ୍ପାଦନ ହ୍ରାସ କରିବାକୁ ଆଉ ଗୋଟିଏ ଉପାୟ ହେଉଛି ଏହାର ବ୍ୟବହାର କମ୍ କରିବା। ଗୋଟିଏ ଛୋଟିଆ ଉଦାହରଣ ଦେବା। ଆପଣ ସକାଳୁ ମର୍ଣ୍ଣି ୱାକରେ ଯାଉଛନ୍ତି ଏବଂ ଫେରିଲା ବାଟରେ କ୍ଷୀର ଆଣି ଆସିବା ଆପଣଙ୍କର ଗୋଟିଏ ବହୁତ ଦିନର ଆଦତ। ଆପଣ ଏଥିପାଇଁ ଦୋକାନୀକୁ ଦୁଇଟି କ୍ଷୀର ପ୍ୟାକେଟକୁ ଗୋଟିଏ ପଲିଥିନ ଜରିରେ ଭରି ଦେବା ପାଇଁ କହୁଛନ୍ତି। ଯଦି ଆପଣ ମାସକୁ ପଚିଶ ଦିନ ଯାଏ ମଣ୍ଣିଂ ୱାକରେ ଯାଆନ୍ତି ତେବେ ଆପଣ ମାସକୁ ୨୫ଟି ଅଧିକ ପଲିଥନ୍ ଜରି ଧରି ଘରକୁ ଫେରିବେ। ମାତ୍ର ଯଦି ଆପଣ ଘରୁ ମଣ୍ଣିଂ ୱାକରେ ବାହାରିଲାବେଳେ ଜରିଟିଏ ପକେଟରେ ପୂରାଇ ଚାଲିବାକୁ ଯିବେ ତେବେ ଚିନ୍ତା କରନ୍ତୁ ତ ଆପଣ ମାସକୁ କେତେ ଜରିର ବ୍ୟବହାର କମ କରିପାରିବେ। ଏପରି ଛୋଟିଆ ପଦକ୍ଷେପଟିଏ ଗ୍ରହଣ କରି ଆପଣ ପରିବେଶ ଉପରେ କଠିନ ବର୍ଜ୍ୟବସ୍ତୁ ଦ୍ୱାରା ପଡୁଥିବା ଚାପକୁ କମ୍ କରିପାରିବେ।

ରିୟୁଜ ବା ପୁନଃ ବ୍ୟବହାର କରିବା: ଆପଣ ଗୋଟିଏ ବର୍ଜ୍ୟବସ୍ତୁର ବାରମ୍ବାର ବ୍ୟବହାର କରି ଏହାର ଜୀବନକାଳ ବ୍ୟବହାର କରି ପାରିବେ। ଉଦାହରଣ ସ୍ୱରୁପ ପୁରୁଣା ପ୍ୟାଂଟରୁ ଆପଣ ବ୍ୟବହାର ଉପଯୋଗୀ  କପଡ଼ା ବ୍ୟାଗ୍ ବନାଇ ପାରିବେ। ପୁରୁଣା ବାଲଟିକୁ ଆପଣ ଫୁଲକୁଣ୍ଡ ଭାବେ ବ୍ୟବହାର କରିପାରିବେ। ଏପରି କଲେ ଏହି ବସ୍ତୁ ସବୁ ବ୍ୟବହାର ଅଦରକାରୀ ହୋଇ ପଡ଼ିବା ପୂର୍ବରୁ ଆପଣଙ୍କ ଅନେକ କାମରେ ଅନେକ ଦିନ ପାଇଁ ଆସି ପାରିବ। ବର୍ଜ୍ୟବସ୍ତୁ ହେବା ପୂର୍ବରୁ ଆପଣଙ୍କୁ ଅନେକ ସେବା ଦେଇ ପାରିବେ। ସେହିପରି ରୋଷେଇ ଘରୁ ବାହାରୁଥିବା ପରିବା ଚୋପା, ଖାଦ୍ୟର ଅବଶେଷ ଆଦିକୁ ଆପଣ ଜୈବିକ ଖତ ରୂପେ ବ୍ୟବହାର କରି ଏହାଦ୍ୱାରା ଆପଣ ନିଜର ପନିପରିବା ଚାଷ କରି ପାରିବେ।

ରିସାଇକ୍‌ଲ ବା ପୁନଃ ଚକ୍ରଣ କରିବା: ଆମ ଆଖ ପାଖରେ ପଡ଼ିଥିବା ଅନେକ ବସ୍ତୁର ପୁନଃଚକ୍ରଣ ସଂଭବ। ଏହି ପୁନଃ ଚକ୍ରଣ ଯୋଗୁଁ ଯଦିଓ ମୂଳ ବସ୍ତୁର ସ୍ୱରୁପ ବଦଳିଯାଏ ତେବେ ଏହି ବସ୍ତୁଟି ବ୍ୟବହାରକ୍ଷମ ହୋଇ ରହିଥାଏ। ଉଦାହରଣ ସ୍ୱରୁପ ବିଭିନ୍ନ ପ୍ରକାର ପଲିଥିନ ଯୁକ୍ତ ବସ୍ତୁର ପୁନଃ ଚକ୍ରଣ କରି ଏବେ ପ୍ଲାଷ୍ଟିକ୍ ବୋତଲ ତିଆରି କରାଯାଇ ପାରୁଛି।

ଏହା ବ୍ୟତୀତ ଆହୁରି ଗୋଟିଏ ଭିନ୍ନ ଧରଣର ବର୍ଜ୍ୟବସ୍ତୁ ଏବେ ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତାହା ହେଉଛି ଇ-ବର୍ଜ୍ୟବସ୍ତୁ। ଆମ ଦୈନନ୍ଦିନ ଜୀବନରେ କମ୍ପ୍ୟୁଟର, ଲାପଟପ, ଏଲସିଡି ଟିଭି ମୋବଇଲ ଆଦିର ବ୍ୟବହାର ବଢ଼ି ଚାଲିଛି। ଏହି ସବୁ ଜିନିଷ କିଛି ବର୍ଷ ବ୍ୟବହାର କଲାପରେ ତାହା କ୍ରମଶଃ ବ୍ୟବହାର ଅନୁପଯୋଗୀ ହୋଇ ଆବର୍ଜନାରେ ପରିଣତ ହୋଇ ଯାଉଛି। ଏଥିରେ ଥିବା ବିଭିନ୍ନ ତାର, ଯନ୍ତ୍ରାଂଶ, ବ୍ୟାଟେରୀ ଆଦି ଏଥିରୁ ବାହାରି ପରିବେଶକୁ ଆସୁଛି। ୨୦୧୬ ମସିହାର ମିଳିତ ଜାତିସଂଘର ଗ୍ଲୋବାଲ ଇ-ୱେଷ୍ଟ ମନିଟର ୨୦୧୭ ସୁଦ୍ଧା ଭାରତ ୨୦ ଲକ୍ଷ ଟନର ଇ-ୱେଷ୍ଟ ପରିବେଶକୁ ଛାଡ଼ି ସାରିଛି। ଏଥିରେ ବ୍ୟବହୃତ ହୋଇଥିବା କେମିକାଲ୍ସ ସବୁର ପାର୍ଶ୍ୱ ପ୍ରତିକ୍ରିୟା ଶରୀର ଉପରେ ପଡ଼ିଥାଏ। ଏହାର ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ।

ସେହିପରି ଭାବେ ତରଳ ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ଏହା ସୁନିଶ୍ଚିତ କରିବା ଦରକାର ଯେ ଏହା ଯେପରି ତୁରନ୍ତ ପାନୀୟ ଜଳର ସ୍ରୋତକୁ ନଷ୍ଟ ନକରେ। ଏହାକୁ ସଂଗ୍ରହ କରି ରଖିବା ସହ ଏହାର ପୁନଃ ପ୍ରକ୍ରିୟାକରଣ କରିବା ଆବଶ୍ୟକ। ଏହି ଜଳକୁ ଆମେ ଆମର ଅନ୍ୟାନ୍ୟ କାର୍ଯ୍ୟ ଯଥା ଗାଡ଼ି ଧୋଇବା, ବଗିଚାରେ ପାଣି ଦେବା ଆଦି କାର୍ଯ୍ୟରେ ବ୍ୟବହାର କରିପାରିବା। ଏହାଦ୍ୱାରା ଆମେ ଜଳ ସଂଚୟ କରିବା ସହ ପରିବେଶ ପ୍ରଦୂଷଣକୁ ରୋକିବାରେ ସହାୟତା କରିପାରିବା।

ବର୍ଜ୍ୟବସ୍ତୁ ପରିଚାଳନା କେବଳ ଯେ ଆମ ପରିବେଶ ପାଇଁ ଶୁଭଙ୍କର ତାହା ନୁହେଁ ବରଂ ଏହା ଆମ ଅର୍ଥନୀତିକୁ ମଧ୍ୟ ଏକ ନୂତନ ଆୟାମ ଦେଇ ପାରିବ। ବର୍ଜ୍ୟବସ୍ତୁର ସଂଗ୍ରହ, ଏହାର ପରିବହନ, ବ୍ୟବସ୍ଥିତ ଢଙ୍ଗରେ ଏହାର ପରିଚାଳନା ଏବଂ ପୁନଃ ପ୍ରକିୟାକରଣ, ଏବଂ ଏଥିରୁ ମିଳୁଥିବା ନୂଆ ଜିନିଷର ବିକ୍ରିବଟା ଯୋଗୁଁ ଅନେକ ନୂଆ ଚାକିରୀ ସୃଷ୍ଟି ହେବ। ଏହା ଆମର ଅର୍ଥନୀତିକୁ ଆହୁରି ଗତିଶୀଳତା ଦେଇ ପାରିବ। ଏହି ବର୍ଜ୍ୟବସ୍ତୁ ପରିଚାଳନା ଆମ ପାଇଁ ବାର୍ଷିକ ୧୫୦୦ କୋଟି ଡଲାର ବ୍ୟବସାୟର ସୁଯୋଗ ସୃଷ୍ଟି କରିବ।

ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆମ ଦେଶରେ ଏକାଧିକ ଆଇନ ବି ପ୍ରଣୟନ କରାଯାଇଛି। ଉଦାହରଣ ସ୍ୱରୁପ ୧୯୮୬ ମସିହାରେ ପ୍ରଣୀତ ହୋଇଥିବା ପରିବେଶ ସୁରକ୍ଷା ଆଇନ୍ କେନ୍ଦ୍ର ସରକାରଙ୍କୁ ଅସୀମିତ କ୍ଷମତା ଦେଇଛି। ଭାରତର ବିଭିନ୍ନ ଅଂଚଳରୁ ଜାତ ହେଉଥିବା ବର୍ଜ୍ୟବସ୍ତୁର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଏହି ଆଇନ୍ ବଳରେ ପଦକ୍ଷେପ ନେଇ ପାରିବେ। ସେହିପରି ଜୈବ ମେଡିକାଲ ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ନିୟନ୍ତ୍ରଣ ପାଇଁ ୨୦୧୬ ମସିହାରେ ଆଇନ୍ ପ୍ରଣୟନ କରାଯାଇଛି। ଏହି ସବୁ ଆଇନରେ ବର୍ଜ୍ୟବସ୍ତୁର ପ୍ରକାରଭେଦ, ସଂଗ୍ରହ, ଏହାର ପରିବହନ ଏବଂ ପରିଚାଳନା ପାଇଁ ବିସ୍ତୃତ ବ୍ୟବସ୍ଥା ଅଛି। ସେହିପରି ଏହାକୁ ସଠିକ ଭାବେ ଅନୁପାଳନ କରୁନଥିବା ଲୋକ ଏବଂ ଅନୁଷ୍ଠାନମାନଙ୍କ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ଅଛି। ତେବେ ଅନେକ ସମୟରେ ବ୍ୟକ୍ତିଗତ ସ୍ତରରେ ଏଥିପାଇଁ ଜାଗରୁକତାର ଅଭାବରେ ଏ ଆଇନ୍ ସବୁ ପୂର୍ଣ୍ଣମାତ୍ରାରେ ପ୍ରଭାବୀ ହୋଇ ପାରୁନାହିଁ।

ବର୍ଜ୍ୟବସ୍ତୁ ବିରୋଧରେ ବ୍ୟବହାର ପରିବର୍ତ୍ତନ ପାଇଁ ହେଉଥିବା ଲଢେଇ ଜିତିବାକୁ ହେଲେ ଆମ ସମସ୍ତଙ୍କର ବ୍ୟବହାରରେ ପରିବର୍ତ୍ନ ଆସିବା ଦରକାର। ତେବେ ଭାରତ ପରି ଦେଶରେ ବର୍ଜ୍ୟବସ୍ତୁର ପରିଚାଳନାକୁ ନେଇ ଅନେକ ଆହ୍ୱାନ ବି ରହିଛି। ଉଦହାରଣ ସ୍ୱରୁପ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ସବୁଠୁ ପ୍ରଥମେ ଆବଶ୍ୟକ ହେଉଥିବା ବ୍ୟବସ୍ଥାଟି ହେଉଛି ବର୍ଜ୍ୟବସ୍ତୁଗୁଡ଼ିକର ଅଲଗା ଅଲଗା ସଂଗ୍ରହ ଏବଂ ପରିଚାଳନା। ତେବେ ଏହା ଏକ ବ୍ୟବହାର ପରିବର୍ତ୍ତନଗତ ଆବଶ୍ୟକତା ଯାହା ସହଜରେ ହୁଏ ନାହିଁ। ଉଦାହରଣ ସ୍ୱରୁପ ଆମେ ଘରୁ ବାହାରୁଥିବା ବିଭିନ୍ନ ଆବର୍ଜନା ଯଥା ପରିବା ଚୋପା, ଡାଇପର, ବ୍ୟବହୃତ ବିଦ୍ୟୁତ୍ ବଲ୍‌ବ ଇତ୍ୟାଦିକୁ ଏକାଠି କରି ଗୋଟିଏ ଜରିରେ ପୂରାଇ ତାହାକୁ ବାହାରକୁ ପକାଇ ଦେଇଥାଉ। ତେବେ ଏହା ଦ୍ୱାରା ଉଭୟ ଓଦାଥିବା ବର୍ଜ୍ୟବସ୍ତୁ ଏବଂ ଶୁଖିଲା ବର୍ଜ୍ୟବସ୍ତୁର ସଂଗ୍ରହ କରିବା କଷ୍ଟକର ହୋଇଥାଏ। ଆମେ ନିଜେ ଆମର ବ୍ୟବହାରକୁ ତୁରନ୍ତ ପରିବର୍ତ୍ତନ କରିବା ଦରକାର।

ଭାରତରେ ବର୍ଜ୍ୟବସ୍ତୁକୁ ନେଇ ଗୋଟିଏ ବଡ଼ ବଜାର ରହିଛି ଯାହାର ମୂଲ୍ୟ ପାଖାପାଖି ୫୦ ହଜାର କୋଟି ଟଙ୍କା ହେବ। ଏହି ବଜାରର ଆକାର ଦିନକୁ ଦିନ ବଢ଼ିବାରେର ଲାଗିଛି। ଏହା ଅନେକଙ୍କୁ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବେ ନିଯୁକ୍ତି ଦେବାରେ ସକ୍ଷମ। ସ୍ଥାନୀୟ ସ୍ତରରେ ବର୍ଜ୍ୟର ପରିଚାଳନା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହି ବର୍ଜ୍ୟବସ୍ତୁ ପରିଚାଳନା ବେଶ୍ ସକ୍ଷମ। ଉଦାହରଣ ସ୍ୱରୁପ ଆମ ଓଡ଼ିଶାର ସୁନ୍ଦରଗଡ଼, ଯାଜପୁର ଏବଂ ଢେଙ୍କାନାଳ ଆଦି ସହରରେ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ଲାଷ୍ଟିକ୍ ଏବଂ ମଳଜଳ ପରିଚାଳନା ପ୍ରକଳ୍ପମାନ ବେଶ୍ ସୁରୁଖୁରୁରେ ଚାଲିଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧିପାଇବା ସଂଗେ ସଂଗେ ସେମାନେ ପ୍ଲାଷ୍ଟିକ୍ ପରି ବର୍ଜ୍ୟବସ୍ତୁର ବ୍ୟବହାର କମ୍ କରିବା ଦିଗରେ ବେଶ୍ ଯତ୍ନବାନ୍ ହେଉଛନ୍ତି।

ତେବେ ଭାରତ ପାଇଁ ସୁଯୋଗ ହେଉଛି ଯେ, ଭାରତର ଜନ ଜୀବନ ଏବଂ ସାମାଜିକ ଚାଲିଚଳଣିରେ ପୁନଃ ବ୍ୟବହାର ଏବଂ ପୁନଃ ଚକ୍ରଣକୁ ବେଶ୍ ଗୁରୁତ୍ୱ ଦିଆଯାଇଛି। ଉଦାହରଣ ସ୍ୱରୁପ, ଗାଁ ଗହଳିରେ ଲୋକ କୌଣସି ବି ଜିନିଷକୁ ବ୍ୟବହାର କରିବା ପରେ ତୁରନ୍ତ ଫୋପାଡ଼ି ଦିଅନ୍ତି ନାହିଁ। ବରଂ ସେମାନେ ଏହାକୁ ଭିନ୍ନ ଭିନ୍ନ ପ୍ରକାର ବ୍ୟବହାର କରିବାକୁ ଚେଷ୍ଟା କରନ୍ତି। ପ୍ଲାଷ୍ଟିକ୍ ଡବାରେ ଗଛ ଲଗାଇବା, ପୁରୁଣା ଜରି ଅଖାରେ ବିଭିନ୍ନ ଜିନିଷ ନେବା ଆଣିବା କରିବା ଇତ୍ୟାଦି ଦ୍ୱାରା ସେମାନେ ସେମାନଙ୍କ ମୁଣ୍ଡପିଛା ବର୍ଜ୍ୟବସ୍ତୁ ଉତ୍ପାଦନର ହାର କମ୍ ହେବା ସହ ନୂଆ ଧରଣର ବର୍ଜ୍ୟବସ୍ତୁ ପରିବେଶକୁ ଛାଡୁ ନାହାନ୍ତି। ଭାରତର ଆଉ ଗୋଟିଏ ସମ୍ବଳ ହେଉଛି ଏହାର ତୃଣମୂଳ ସ୍ତରରେ ଦେଖିବାକୁ ମିଳୁଥିବା ବର୍ଜ୍ୟବସ୍ତୁ ସଂଗ୍ରହକ।

ବହୁ ବର୍ଷ ଆଗରୁ ସଂଖ୍ୟାଧିକ ଲୋକ ଅଣ ସଂଗଠିତ କ୍ଷେତ୍ରରେ ବିଭିନ୍ନ ସ୍ଥାନରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଏବଂ ଏହାର ପରିବହନ ଭଳି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏମାନଙ୍କୁ ବାଛିବା, ତାଲିମ୍ ଦେବା ଏବଂ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟ ବସ୍ତୁ ସଂଗ୍ରହ କରିବା କାମରେ କାହିଁ କେତେବର୍ଷ ହେଲା ନିୟୋଜିତ ଅଛନ୍ତି। ଏମାନଙ୍କୁ ସରକାର ଅଧିକରୁ ଅଧିକ ବର୍ଜ୍ୟବସ୍ତୁ ପରିଚାଳନା କାମରେ ନିୟୋଜିତ କଲେ ଖୁବ୍ ଦ୍ରୁତ ଗତିରେ ବର୍ଜ୍ୟସବୁ ସଂଗ୍ରହ ହୋଇପାରିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଭାରତ ବର୍ଜ୍ୟବସ୍ତୁ ପରିଚାଳନାରେ ଜନସହଭାଗିତାକୁ ସୁନିଶ୍ଚିତ କରିବାପାଇଁ ଏକାଧିକ ପଦକ୍ଷେପ ନେଇଛି। ଉଦାହରଣ ସ୍ୱରୁପ,ସହର ଗୁଡ଼ିକରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ଚାଲିଛି ଏହାକୁ ନେଇ ଲୋକଙ୍କର ମତାମତ ଆଧାରରେ ଶ୍ରେଷ୍ଠ ସହର ବଛାଯାଉଛି। ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା ଏବଂ ସହଭାଗୀତାକୁ ଦୃଷ୍ଟିରେ ରଖି ସହରଗୁଡିକୁ ଷ୍ଟାର ରେଟିଂ ଦିଆଯାଉଛି। ଏହାଦ୍ୱାରା ସହର ସହର ମଧ୍ୟରେ ନିଜକୁ ଶ୍ରେଷ୍ଠ ବୋଲି ପ୍ରତିପାଦିତ କରିବା ପାଇଁ ପ୍ରତିଯୋଗୀତା ଆରମ୍ଭ ହୋଇଛି।

ପରିଶେଷରେ ଏତିକି କୁହାଯାଇପାରେ ଯେ ଆଗାମୀ କାଲି ଆମ ପାଇଁ ଏକ ବିରାଟ ସଂକଟ ନେଇ ଠିଆ ହୋଇଛି। ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆମେ ଅନେକ ବିଳମ୍ବ କରିସାରିଲେଣି। ହୁଏତ ଅଧିକ ବିଳମ୍ବ ହେଲେ ସମୟ ଆମକୁ କ୍ଷମା ଦେବ ନାହିଁ। ଆମକୁ ଖାଦ୍ୟ, ବସ୍ତ୍ର ବାସଗୃହ ଯୋଗାଇ ଦେଉଥିବା ଏ ସୁନ୍ଦର ପୃଥିବୀର ପରିବେଶକୁ ଆମେ ଆମ ଆଶାଠାରୁ ଅଧିକ କ୍ଷତାକ୍ତ କରିସାରିଲୁଣି। ତେବେ ଆଗକୁ ଆମେ ସବୁ ପରିବର୍ତନ ସୁଅରେ ପତରପରି ଭାସିଯିବା ପୂର୍ବରୁ ଏ ନେଇ ସାମାନ୍ୟ ସଚେତନ ହେଲେ ବେଶ୍ କିଛି ହାସଲ କରିପାରିବା।

ଧବଳଗିରି, ଯାଜପୁର ରୋଡ

ଫୋ-୭୯୭୮୬୭୧୭୭୬

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।