ସମର୍‌ ଡାଏଟ୍: ଏହି ସବୁ ଖାଦ୍ୟକୁ କୁହନ୍ତୁ ନା’

ସାଧାରଣତଃ ଗ୍ରୀଷ୍ମ ଦିନେ ଲୋକେ ଅଧିକରୁ ଅଧିକ ଥଣ୍ଡା ଜିନିଷ ଖାଇବା ପାଇଁ ପସନ୍ଦ କରନ୍ତି।  କୋ‌ଲ୍ଡ ଡ୍ରିଙ୍କ, ଶରବତ ହେଉ ଅବା ଆଇସ୍‌କ୍ରିମ, ଏସବୁ ଖାଦ୍ୟ ସମସ୍ତଙ୍କୁ ବେଶ ପସନ୍ଦ ଆସେ।  ତେବେ ଏହି ଋତୁରେ ଖାଦ୍ୟପେୟକୁ ନେଇ ବିଶେଷ ଧ୍ୟନ ରଖିବା ଉଚିତ। ନଚେତ ଟିକିଏ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଭୟଙ୍କର ବିପଦ ଆଣିପାରେ। ତା’ହେଲେ ଏହି ଦିନେ ଆପଣ କେଉଁ ସବୁ ଜିନିଷ ଖାଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା।

ପୋଡ଼ା ମାଂସ: ଗ୍ରୀଲ୍ଡ ବା ପୋଡ଼ା ମାଂସ ଅଧିକ ତାପମାତ୍ରାରେ ରୋଷେଇ ହୁଏ। ଅଧିକ ନିଆଁରେ ରୋଷେଇ କରାଯାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏପରିକି ଏହି ଖାଦ୍ୟ କ୍ୟାନ୍‌ସର ଭଳି ମାରାତ୍ମକ ରୋଗର କାରଣ ମଧ୍ୟ ସାଜିପାରେ।

ମଦ୍ୟପାନ: ଗ୍ରୀଷ୍ମ ଦିନେ ଅନେକ ଲୋକଙ୍କୁ ଥଣ୍ଡା ୱାଇନ୍ ବା ବରଫରେ ଭର୍ତ୍ତି କକ୍‌ଟେଲ ପିଇବା ପସନ୍ଦ ଥାଏ। ଏହି ସବୁ ମାଦକ ଦ୍ରବ୍ୟ ଶରୀରର ତାପମାତ୍ରା ବଢ଼ାଇ ଦେଇଥାଏ । ଫଳରେ ଡିହାଇଡ୍ରେସନ ଭଳି ସମସ୍ୟା ଉତ୍ପନ୍ନ ହୋ‌ଇଥାଏ। ଡିହାଇଡ୍ରେସନ ଯୋ‌ଗୁ ଇମ୍ୟୁନ ସିଷ୍ଟମ ଦୁର୍ବଳ ହୋଇପଡେ ଏବଂ ସ୍ୱାସ୍ଥ୍ୟ ଖରାପ ହେବା ଆଶଙ୍କା ବଢ଼ି ଯାଇଥାଏ।

ଆଇସ୍‌କ୍ରିମ୍: ଖରାଦିନେ ପିଲାଠୁ ଆରମ୍ଭ କରି ବୟସ୍କ, ସମସ୍ତେ ଆଇସକ୍ରିମ ଖାଇବା ପାଇଁ ପସନ୍ଦ କରନ୍ତି। ଆଇସକ୍ରିମରେ ଅତ୍ୟଧିକ ମାତ୍ରାରେ ଚିନି ରହିଛି, ଯାହା ମୋଟାପଣ ଏବଂ ମଧୁମେହତାକୁ ବଢ଼ାଇଥାଏ। ଯଦି ଆପଣଙ୍କୁ ଆଇସ୍‌କ୍ରିମ ଖାଇବା ଅତ୍ୟଧିକ ପସନ୍ଦ ଥାଏ ତେବେ ଏହାକୁ କମ୍‌ ମାତ୍ରାରେ ଖାଇପାରିବେ।

ଦୁଗ୍ଧଜାତ ଖାଦ୍ୟ: ଯଦି ଆପଣ ଅଧିକ ଥଣ୍ଡା ମିଲ୍କସେକ୍‌ ପିଅନ୍ତି ତେବେ ସାବଧାନ ହୋଇଯା’ନ୍ତୁ। ଗରମ ଦିନେ ଦୁଗ୍ଧ ଜାତୀୟ ଖାଦ୍ୟର ସେବନ ଅତ୍ୟନ୍ତ କମ୍ ମାତ୍ରାରେ କରିବା ଉଚିତ। ଏହି ଦିନେ ଶରୀର ଅତ୍ୟନ୍ତ ଗରମ ରୁହେ, ତେଣୁ ଏସବୁ ସହଜରେ ହଜମ ହୁଏ ନାହିଁ। ଫଳରେ ପେଟ ଜନିତ ସମସ୍ୟା ଦେଖା ଦିଏ।

ତେଲ ଯୁକ୍ତ ଖାଦ୍ୟ: ଅଧିକ ତେଲ ଯୁକ୍ତ ଖାଦ୍ୟ, ଜଙ୍କ ଫୁଡ, ମସଲା ଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ଖରାଦିନ ଏସବୁ ଖାଦ୍ୟ ଜମାରୁ ବି ଖାଇବା ଉଚିତ ନୁହେଁ। ଏଭଳି ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀରକୁ ଗରମ କରିଦିଏ। ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପଡେ।

ଡ୍ରାଏ ଫ୍ରୁଟ: ବାଦାମ, ପିସ୍ତା, କିସମିସ୍, ଖଜୁର ଆଦିରେ ଭରପୁର ପୁଷ୍ଟିକର ତତ୍ୱ ରହିଛି। ତେବେ ଗରମ ଦିନେ ଏହାକୁ ବୁଝି ବିଚାରି ଖାଇବା ଉଚିତ। କାରଣ ଡ୍ରାଏ ଫ୍ରୁଟସ୍ ମଧ୍ୟ ଶରୀରକୁ ଭିତରୁ ଗରମ କରିଦିଏ। ତେଣୁ ଖରାଦିନେ ଏହାକୁ କମ୍‌ ମାତ୍ରାରେ ଖାଇବା ଉଚିତ।

ଅତ୍ୟଧିକ ଚା’ କିମ୍ବା କଫି: ଅଧିକାଂଶ ଲୋକଙ୍କ ଚା’ କିମ୍ବା କଫି ବିନା ଦିନ ଆରମ୍ଭ ହୁଏ ନାହିଁ। ଯଦି ଆପଣଙ୍କୁ ମଧ୍ୟ ଏସବୁ ଜିନିଷର ଅଭ୍ୟାସ ରହିଛି ତେବେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ଗରମ ଦିନେ କଫି କିମ୍ବା ଚା’ ଡିହାଇଡ୍ରେସନର ସମସ୍ୟା ବଢ଼ାଇ ଦିଏ। ଚା’ କିମ୍ବା କଫି ବଦଳରେ ଆପଣ ଚାହିଁଲେ ଗ୍ରୀନ୍ ଟି’ ପଇପାରିବେ ।

ଆମ୍ବ: ସମସ୍ତ ଫଳର ରାଜା ହେଉଛି ଆମ୍ବ। ଗରମ ଦିନେ ଅଧିକାଂଶ ଲୋକେ ଆମ୍ବ ଖାଇବା ପାଇଁ ପସନ୍ଦ କରନ୍ତି। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଅଧିକ ଆମ୍ବ ଖାଇବା ଦ୍ୱାରା ପେଟ ଖରାପ ହେବା, ଡାଇରିଆ ତଥା ମୁଣ୍ଡା ବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଏଥିପାଇଁ ଗ୍ରୀଷ୍ମ ଦିନେ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।