ଆସନ୍ତାକାଲି ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜ୍ରିୱାଲ ଆସନ୍ତାକାଲି ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦିଲ୍ଲୀ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ତାଙ୍କୁ ଶପଥ କରାଇବେ।

ତାଙ୍କ ସହ ପୂର୍ବଥର ମନ୍ତ୍ରୀ ଥିବା ସମସ୍ତ କ୍ୟାବିନେଟ୍‌ ସଦସ୍ୟ ମଧ୍ୟ ଶପଥ ନେବେ। ଗତଥର ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ୍‌, ଗୋପାଲ ରାୟ, କୈଲାସ୍ ଗେହଲଟ୍‌, ଇମ୍ରାନ୍‌ ହୁସେନ୍‌ ଏବଂ ରାଜେନ୍ଦ୍ର ଗୌତମ ଆଦି ମନ୍ତ୍ରୀ ଥିଲେ।

କେଜ୍ରିୱାଲ ପ୍ରଥମ ଥର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ଦ୍ୱିତୀୟ ଥରରେ ପୂରା ୫ ବର୍ଷ କ୍ଷମତାରେ ରହିଥିଲେ। ସଦ୍ୟ ସରିଥିବା ନିର୍ବାଚନରେ ତାଙ୍କ ଦଳ ମୋଟ ୭୦ଟି ଆସନରୁ ୬୨ଟିରେ ଜିତିଛି। ବିଜେପି ମାତ୍ର ୮ଟିରେ ସନ୍ତୁଷ୍ଟ ହୋଇଥିବାବେଳେ ଆପ୍‌ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ଖାତା ଖୋଲିପାରିନି।

ଦିଲ୍ଲୀର ରାମଲୀଲା ମୈଦାନଠାରେ କେଜ୍ରିୱାଲଙ୍କ ଶପଥ ଉତ୍ସବ ଆୟୋଜିତ ହେବ। ତେଣୁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେଜ୍ରି ଦିଲ୍ଲୀର ସମସ୍ତ ‘ଆମ୍‌ ଆଦମୀ’ଙ୍କୁ ନିମନ୍ତ୍ରଣ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରିତ ହୋଇଛନ୍ତି।

ଦିଲ୍ଲୀ ପୁଲିସ୍ ପକ୍ଷରୁ ୩୦୦୦ ସୁରକ୍ଷା କର୍ମୀ ନିୟୋଜିତ ହେବେ। ଏଥିସହିତ ରାମଲୀଲା ମୈଦାନକୁ ଯୋଡ଼ୁଥିବା ସବୁ ରାସ୍ତା ଉପରେ ସିସି ଟିଭି ଜରିଆରେ ନଜର ରଖାଯିବ। ଆସନ୍ତାକାଲି ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବାର ଅଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।