ଜରୁରୀକାଳୀନ ପରିସ୍ଥିତିର ବନ୍ଦୀଙ୍କୁ ସମ୍ମାନିତ କଲା ବିଜେପି, ଆଡ଼ଭାନୀଙ୍କୁ ପୁଣି ଭୁଲିଗଲା

ନୂଆଦିଲ୍ଲୀ: ଦେଶରେ ଜରୁରୀକାଳୀନ ସ୍ଥିତି ଜାରି ହେବାକୁ ଆଜି ପୂରିଛି ୪୦ ବର୍ଷ। ଆଉ ସବୁ ବର୍ଷ ଭଳି ଏଥର ବି ଭାଜପା ଏହି ଦିବସ ଅବସରରେ ଜରୁରୀକାଳୀନ ସ୍ଥିତିରେ ବନ୍ଦୀ ଥିବା ଲୋକଙ୍କୁ ସମ୍ମାନିତ କରାଯାଇଥିଲା। ତେବେ ଏଥର ଗୋଟିଏ ବ୍ୟତିକ୍ରମ ଘଟିଥିଲା। ସବୁଥର ଭାଜପା ପକ୍ଷରୁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ମୁଖ୍ୟ ଅତିଥି ହେଉଥିଲେ। କିନ୍ତୁ ଏବର୍ଷ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ ସୁଦ୍ଧା କରାଗଲା ନାହିଁ। ଆଉ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।

କୁହାଯାଉଛି କିଛି ଦିନ ତଳେ ଲାଲକୃଷ୍ଣ ଆଡ଼ଭାନୀ ଜରୁରୀକାଳୀନ ସ୍ଥିତି ନେଇ ଯେଉଁ ମନ୍ତବ୍ୟ ଦେଇଥିଲ ସେଥିରେ ଭାଜପା କ୍ଷୁବ୍ଧ ହୋଇଯାଇଛି। ଆଡ଼ଭାନୀ କହିଥିଲେ ଯେ ଏବେ ବି ଦେଶରେ ଜରୁରୀକାଳୀନ ସ୍ଥିତି ଜାରି ହେବା ଭଳି ଆଶଙ୍କା ସଂପୂର୍ଣ୍ଣ ଟଳି ଯାଇନି। ଆଉ ସେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଭାଜାପାର କୌଣସି ଏକ କାର୍ଯ୍ୟକ୍ରମକୁ ଆଡ଼ଭାନୀଙ୍କୁ ଆମନ୍ତ୍ରଣ ନକରିବାରେ ଏହା ନୂଆ କଥା ନୁହେଁ। ଏହା ପୂର୍ବରୁ ଜୁନ୍ ୬ ତାରିଖରେ ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ମଧ୍ୟ ତାଙ୍କୁ ଆମନ୍ତ୍ରଣ କରାଯାଇ ନଥିଲା। ସେହିପରି ଏହି ବର୍ଷ ବେଙ୍ଗଲୁରୁ ଠାରେ ଅନୁଷ୍ଠିତ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ତାଙ୍କୁ କହିବାର ସୁଯୋଗ ଦିଆଯାଇ ନଥିଲା। ଯଦିଓ ଭାଜପାର ସମସ୍ତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଅନ୍ତିମ ଦିବସରେ ସେ ଦେଉଥିଲ ଅନ୍ତିମ ଭାଷଣ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।