ଟ୍ରେନ୍‌ରେ ଥିବା ମା’ଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା, ଟ୍ୱିଟ୍‌ ଦ୍ୱାରା ଯୁବକଙ୍କୁ ସାହାଯ୍ୟ କଲା ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ରେଳରେ ଯାତ୍ରା କରୁଥିବା ଜଣେ ଯୁବକଙ୍କର ତାଙ୍କ ମା’ଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା। ରେଳବାଇକୁ ସାହାଯ୍ୟ ମାଗିବା ପରେ ରେଳ ବିଭାଗ ପକ୍ଷରୁ ଉକ୍ତ ଯୁବକଙ୍କୁ ସାହାଯ୍ୟ ମିଳିଛି।

ସୂଚନା ଅନୁଯାୟୀ, ଅରମୈର୍‌-ସିଆଲ୍‌ଦା ଏକ୍ସପ୍ରେସରେ ଶୀଲା ପାଣ୍ଡେ ନାମକ ଜଣେ ମହିଳା ଯାତ୍ରା କରୁଥିଲେ। ମହିଳାଙ୍କ ସହ ତାଙ୍କ ପୁଅର ଯୋଗାଯୋଗ ହୋଇନପାରିବାରୁ ମହିଳାଙ୍କ ପୁଅ ବିବ୍ରତ ହୋଇ ପଡ଼ିଥିଲେ।

ଗତ ସେପ୍ଟମ୍ବର ୩୦ ତାରିଖରେ ଅଧାବାଟରେ ଥିବା ଏହି ଏକ୍ସପ୍ରେସଟି ୧୨ ଘଣ୍ଟା ବିଳମ୍ବରେ ଚାଲୁଥିଲା। ପୁଅ ଶାଓ୍ଵତ ଏ ସମ୍ପର୍କରେ ରେଳବାଇକୁ ଏକ ଚ୍ୱିଟ୍‌ କରିଥିଲେ।

ଟ୍ଵିଟ୍‌ରେ ସେ ଲେଖିଥିଲେ, ‘ସାର୍‌, ମୁଁ ମୋ ମାଆ ଲା ପାଣ୍ଡେଙ୍କ ସହ ଯୋଗାଯୋଗ କରିପାରୁ ନାହିଁ। ସେ ଅରମୈର୍‌-ସିଆଲ୍‌ଦା ଏକ୍ସପ୍ରେସ ୧୨୯୮୮ର କୋଚ ଏସ୍‌୫ରେ ୨୮ ତାରିଖରୁ ଯାତ୍ରା କରୁଥିଲେ। ଟ୍ରେନ୍‌ଟି ୧୨ ଘଣ୍ଟା ବିଳମ୍ବରେ ଚାଲୁଛି। ଦୟାକରି ମୋତେ ଜଣାନ୍ତୁ ଯେ ମୋ ମାଆ ସେଠାରେ ସୁରକ୍ଷିତ ଅଛନ୍ତି କି ନାହିଁ।’

ଶାଓ୍ଵତଙ୍କ ଟ୍ଵିଟ୍‌ ଦେଖିବା ପରେ ଭାରତୀୟ ରେଳ ବିଭାଗ ପକ୍ଷରୁ ତୁରନ୍ତ ତତ୍ପରତା ପ୍ରକାଶ ପାଇଥିଲା। ରେଳ ବିଭାଗ ଟ୍ଵିଟ୍‌ର ମାଧ୍ୟମରେ ଶାଓ୍ଵତଙ୍କୁ ମାଆଙ୍କ ସଂପର୍କିତ ଅନ୍ୟାନ୍ୟ ତଥ୍ୟ ମାଗି ଶେଷରେ ତାଙ୍କ ମାଆ ସୁରକ୍ଷିତ ଥିବା କଥା ତାଙ୍କୁ ଜଣାଇଥିଲେ। ଶାଓ୍ଵତ ରେଳବାଇ ପକ୍ଷରୁ ସାହାଯ୍ୟ ପାଇବା ପରେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।