ଡେରିରେ ପରାଜୟ ସ୍ୱୀକାର କଲା ବିଜେପି

ନୂଆଦିଲ୍ଲୀ: ବିଜୟ ନେଇ ଦମ୍ଭୋକ୍ତି କରୁଥିବା ବିଜେପିର ସବୁ ଦମ୍ଭ ଭାଙ୍ଗି ଯାଇଛି। ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭରୁ ହିଁ ଅରବିନ୍ଦ କେଜ୍ରିୱାଲଙ୍କ ଆପ ଏକ ପାଖିଆ ଭାବେ ଲିଡ୍‌ କରି ଚାଲିଥିଲା। ବିଜେପି କେବେ ବି ଆପ୍‌ ସହ ରେସ୍‌ରେ ନଥିଲା। ତଥାପି ଅପରାହ୍ଣ ୪ଟା ବେଳ ଯାଏ ବିଜେପି ଅପେକ୍ଷା କରିଥିଲା ଯେ କାଳେ କିଛି ଚମତ୍କାର ହେବ ଓ ଦଳ ବିଜୟୀ ହେବ।

ହେଲେ ଦଳ ୧୦ରୁ ଅଧିକ ଆସନ ଜିତିପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏଭଳି ନିରାଶ ପରେ ବିଜେପି ଶେଷରେ ନିଜର ପରାଜୟ ସ୍ୱୀକାର କରିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, “ଦିଲ୍ଲୀବାସୀ ଯେଉଁ ଜନାଦେଶ ଦେଇଛନ୍ତି, ତା’କୁ ବିଜେପି ଗ୍ରହଣ କରୁଛି। ଏହି ନିର୍ବାଚନରେ କର୍ମକର୍ତ୍ତାମାନେ ଯଥା ସମ୍ଭବ ପରିଶ୍ରମ କରିଥିଲେ।

ସମସ୍ତଙ୍କୁ ମୋ ତରଫରୁ ଶୁଭେଚ୍ଛା ଓ ଧନ୍ୟବାଦ। ବିଜେପି ଦିଲ୍ଲୀ ଜନାଦେଶକୁ ଗ୍ରହଣ କରି ନିଷ୍ଠାପର ବିରୋଧୀ ଦଳ ଭାବେ କାର୍ଯ୍ୟ କରିବ। ଦିଲ୍ଲୀର ବିକାଶ ସହ ଜଡ଼ିତ ସମସ୍ତ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଉଠାଇବ। ଆମର ଆଶା ଆମ ଆଦମୀ ପାର୍ଟି ଦିଲ୍ଲୀରେ ବିକାଶ କରିବ। ମୁଁ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ପାର୍ଟିକୁ ଶୁଭେଚ୍ଛା ଜଣାଉଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।