ନ୍ୟାୟ ପ୍ରତିଶୋଧ ପାଲଟିଲେ ଚରିତ୍ର ହରାଇ ବସେ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନ୍ୟାୟ କେବେ ତୁରନ୍ତ ମିଳିପାରିବନି, ଯଦି ଏହା ପ୍ରତିଶୋଧ ପାଲଟେ ନ୍ୟାୟ ନିଜର ଚରିତ୍ର ହରାଇ ବସିବ। ଏଭଳି ମାର୍ମିକ ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ। ଯୋଧପୁରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଏଭଳି ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସେ ଏଭଳି ସମୟରେ ଏହି ମନ୍ତବ୍ୟ ରଖିଛନ୍ତି, ଯେତେବେଳେ ନ୍ୟାୟ ବିଳମ୍ବ ହେବାକୁ ନେଇ ପ୍ରଶ୍ନ ଉଠିଛି। ଏଥିସହ ଏହାର ଗୋଟିଏ ଦିନ ପୂର୍ବରୁ ହାଇଦ୍ରାବାଦ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟରକୁ ସାରା ଦେଶରେ ତ୍ୱରିତ ନ୍ୟାୟ ବୋଲି ଭାବି ନିଆଯାଇଛି। ତେବେ ପ୍ରଧାନ ବିଚାରପତି ଏହି ମାମଲା ବା ଅନ୍ୟ କୌଣସି ମାମଲାର ଉଦାହରଣ ନଦେଇ ଏପରି ମନ୍ତବ୍ୟ ଦେଥିବା ଜଣାପଡ଼ିଛି।

ଜଷ୍ଟିସ୍‌ ବୋବ୍‌ଡେ ରାଜସ୍ଥାନ ହାଇକୋର୍ଟ କୋଠାର ଉଦ୍‌ଘାଟନ ଅବସରରେ ଯୋଗଦେଇ ଏକ ଅଭିଭାଷଣ ରଖିଥିଲେ। ଏହି ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ନ୍ୟାୟପାଳିକାର ସଂସ୍କାର ଏବଂ ତ୍ୱରିତ ନ୍ୟାୟ ଏବେ ବଡ଼ ପ୍ରସଙ୍ଗ ହୋଇ ଠିଆ ହୋଇଛି। ସେ ଏସବୁ ପ୍ରସଙ୍ଗକୁ ଆଖି ଆଗରେ ରଖି ନ୍ୟାୟିକ ବ୍ୟବସ୍ଥାରେ ଟେକ୍ନୋଲୋଜି ଯୋଡ଼ିବା ଏବଂ ବିକଳ୍ପ ପନ୍ଥା ଯେପରିକି ମଧ୍ୟସ୍ଥତା ବୃଦ୍ଧି କରିବା ଆଦି ଜରୁରୀ ହୋଇପଡ଼ିଥିବା କହିଥିଲେ। ଏହା ଅବଧି ହ୍ରାସ କରାଇପାରିବ ବୋଲି ବୋବ୍‌ଡେ କହିଛନ୍ତି।

ସେ କହିଥିଲେ, ଏକ ଅନୁଷ୍ଠାନ ହିସାବରେ ଆମେ ଲୋକଙ୍କ ପାଖରେ ନ୍ୟାୟ ପହଞ୍ଚାଇବାକୁ ହେବ। ବର୍ତ୍ତମାନ ରହିଥିବା ବ୍ୟବସ୍ଥାରେ ନୂଆ ପଦକ୍ଷେପ ନେଇ ସୁଲଭ, ତ୍ୱରିତ ଏବଂ ସନ୍ତୋଷଜନକ ଭାବେ ନ୍ୟାୟ ପ୍ରଦାନ କରିବା ଉଚିତ। ଜଷ୍ଟିସ୍‌ ବୋବ୍‌ଡେ କହିଥିଲେ, ଆମକୁ ନ୍ୟାୟପାଳିକା ଏବଂ ମୋକଦ୍ଦମାକୁ ନେଇ ବଦଳୁଥିବା ଚିନ୍ତାଧାରାକୁ ନେଇ ଆମକୁ ସତର୍କ ହେବାକୁ ପଡ଼ିବ। ନିର୍ଣ୍ଣୟରେ ପହଞ୍ଚିବା ପାଇଁ ନିଆଯାଉଥିବା ସମୟ ଚିନ୍ତାର କାରଣ ପାଲଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।