ସରକାରୀ ବାବୁଙ୍କ ଘରୁ ବାହାରିଲା ନଗଦ ୧.୧ କୋଟି ଟଙ୍କା

ହାଇଦ୍ରାବାଦ: ରାଜସ୍ୱ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ସରକାରୀ ବାବୁଙ୍କ ଘରୁ ନଗଦ ୧.୧ କୋଟି ଟଙ୍କା ଜବତ କରିଛି। ତେଲେଙ୍ଗାନାର ମେଦଛାଲ ମାଲକାଜଗିରି ଜିଲ୍ଲାର ରାଜସ୍ୱ ଅଧିକାରୀଙ୍କ ଘରେ ଚଢ଼ଉ କରି ଦୁର୍ନୀତି ନିରୋଧୀ ଶାଖା ଏଭଳି ଅର୍ଥ ଠାବ କରିଛି।

ରାଜସ୍ୱ ଅଧିକାରୀ ଇରଭା ବାଲାରାଜୁ ନାଗାରାଜୁ ଏଏସ ରାଓ ନଗର ସ୍ଥିତ ଭଡ଼ା ଘରେ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିଲେ। ଏହି ଘଟଣାରେ ତାଙ୍କ ସହ ଜଣେ ଗାଁ ଅଧିକାରୀ ଓ ୨ ଜଣ ରିୟଲ ଷ୍ଟେଟ ଏଜେଣ୍ଟଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହାପରେ ନାଗାରାଜୁଙ୍କ ଘର ଓ ଅଫିସରେ ରେଡ କରାଯାଇଛି।

ରେଡ ବେଳେ ସାମ୍ନାକୁ ଆସିଥିବା ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଦୁର୍ନୀତି ନିରୋଧ ଶାଖାର ଅଧିକାରୀମାନେ ଗୋଟିଏ ଟେବୁଲ ପାଖରେ ବସିଛନ୍ତି। ସେମାନଙ୍କ ସାମ୍ନାରେ ବିଡ଼ାବିଡ଼ା ଟଙ୍କା ପଡ଼ିଥିବା ଦେଖିବାକୁ ମିଳିଛି। ପ୍ରତିଟି ବିଡ଼ାରେ ୧୦୦ ଟଙ୍କିଆ ଓ ୫ଶହ ଟଙ୍କିଆ ନୋଟ ରହିଛି।

ଏହି ଫଟୋରେ ୫ ବିଡ଼ା ନୋଟ ଟେବୁଲ ଉପରେ ପଡ଼ିଥିବା ବେଳେ ଏହା ପାଖରେ ଗୋଟିଏ ବଡ଼ ବ୍ୟାଗ ରହିଛି। ଉକ୍ତ ବ୍ୟାଗଟି ଟଙ୍କା ଭିଡ଼ାରେ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ମିଳୁଛି।

ଅଭିଯୋଗ ଅନୁଯାୟୀ, ନାଗାରାଜୁ ବିବାଦ ମଧ୍ୟରେ ରହିଥିବା ୨୮ ଏକର ଜମିକୁ ରଫାଦଫା କରିବା ପାଇଁ ୨ କୋଟି ଟଙ୍କାର ଲାଞ୍ଚ ମାଗିଥିଲେ। ରେଡ ବେଳେ ବ୍ୟାଗରେ ଭର୍ତ୍ତି ୧.୧ କୋଟି ନଗଦ ଟଙ୍କା ସହ ଘରେ ରହିଥିବା ଆଉ ୨୮ ଲକ୍ଷ ଟଙ୍କା, ଅଳଙ୍କାର ଓ ଜମି କାଗଜ ମଧ୍ୟ ଜବତ କରାଯାଇଛି। ଏବେ ତଦନ୍ତକାରୀ ଅଧିକାରୀମାନେ ଅଧିକ ଖୋଳତାଡ଼ କରୁଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।