ହାଥରସ ଘଟଣାରେ ନୂଆ ଟ୍ୱିଷ୍ଟ: ପୀଡ଼ିତା ଓ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିଲା ୧୦୪ କଲ୍‌!

ହାଥରସ: ଉତ୍ତର ପ୍ରଦେଶର ହାଥରସ ଘଟଣାକୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଗଣଦୁଷ୍କର୍ମ ଓ ଭୟଙ୍କର ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ୧୯ ବର୍ଷୀୟ ଦଳିତ ଯୁବତୀ ଜଣଙ୍କ ବ୍ୟବହାର କରୁଥିବା ଫୋନରୁ ସାଂଘାତିକ ତଥ୍ୟ ଆସିଛି।

ପୀଡ଼ିତା ଜଣଙ୍କ ନିୟମିତ ଭାବେ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ଯୋଗାଯୋଗରେ ରହିଥିବା ପୁଲିସ୍‌ ଜାଣିବାକୁ ପାଇଛି। ପୁଲିସ୍‌ ପୀଡ଼ିତାଙ୍କ ପରିବାର ଲୋକ ଓ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସିଂହର ଫୋନ କଲ୍‌କୁ ଏବେ ଯାଞ୍ଚ କରୁଛି। ଏଥିରୁ ଜଣାପଡ଼ିଛି ଯେ ପୀଡ଼ିତା ଜଣଙ୍କ ସନ୍ଦୀପ ସହ ନିୟମିତ ଯୋଗାଯୋଗରେ ରହିଥିଲେ।

ପୁଲିସ୍‌ର କହିବା କଥା, ସନ୍ଦୀପ ପାଖକୁ ନିୟମିତ ଭାବେ ଗୋଟିଏ ଫୋନ ନମ୍ବରରୁ କଲ୍‌ ଆସୁଥିଲେ। ସେହି ନମ୍ବରଟି ପୀଡ଼ିତାଙ୍କ ଭାଇ ସତ୍ୟେନ୍ଦ୍ରଙ୍କ ନାଁରେ ପଞ୍ଜିକୃତ ହୋଇଛି। ସତ୍ୟେନ୍ଦ୍ରଙ୍କ ୯୮୯xxxx ଓ ସନ୍ଦୀପଙ୍କ ୭୬୧୮୬xxx ମଧ୍ୟରେ ୨୦୧୯ ଅକ୍ଟୋବର ୧୩ରୁ ଫୋନ ଯୋଗେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଉଭୟ ନମ୍ବର ମଧ୍ୟରେ ପ୍ରାୟ ୧୦୪ ଥର କଲ୍‌ ଯିବା ଆସିବା କରିଛି। କଲ ରେକର୍ଡରୁ ଜଣାପଡ଼ିଛି ଯେ ପୀଡ଼ିତା ଓ ସନ୍ଦୀପ ପରସ୍ପର ସହ ଯୋଗାଯୋଗରେ ଥିଲେ ବୋଲି ପୁଲିସ୍‌ କହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।