ସ୍ୱାଧୀନ ଭାରତରେ ହୋଇଥିଲା ଜଣେ ରାଜାଙ୍କ ଫେକ ଏନକାଉଣ୍ଟର, ପଦ ହରାଇଥିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଏବେ ଆପଣ ଅନେକ ଫେକ ଏନକାଉଣ୍ଟର କଥା ଶୁଣୁଛନ୍ତି। ହେଲେ ସ୍ୱାଧୀନ ଭାରତରେ ଏମିତି ଜଣେ ରାଜା ଥିଲେ ଯାହାଙ୍କୁ ପୁଲିସ୍‌ ଫେକ୍‌ ଏନକାଉଣ୍ଟର କରି ହତ୍ୟା କରିଥିଲା। ଫେକ ଏନକାଉଣ୍ଟରରେ ଜୀବନ ହରାଇଥିବା ରାଜା ହେଉଛନ୍ତି ମନ ସିଂହ।
ରାଜା ମନ ସିଂହ କୃଷିକୁ ବହୁତ ଭଲ ପାଉଥିଲେ। ଲୋକଙ୍କ ସେବା କରିବାକୁ ସେ ପସନ୍ଦ କରୁଥିଲେ। ସେ କୃଷକଙ୍କ ରାଜା ଓ ରାଜ୍ୟରେ ଚାଷୀ ଥିଲେ।

ଭାରତ ସ୍ୱାଧୀନତା ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ଠାରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ସେନାରେ ଦ୍ୱିତୀୟ ଲ୍ୟୁଟନାଣ୍ଟ ହୋଇଯାଇଥିଲେ। ୧୯୫୨ରୁ ୧୯୮୪ ଯାଏ ସେ ୭ଥର ସ୍ୱାଧୀନ ଭାବେ ବିଧାୟକ ହୋଇଥିଲେ। ସେ ଧୋକାକୁ ସହି ପାରୁ ନଥିଲେ। ଏଥିପାଇଁ ସେ ନିଜ ଜିପ୍‌‌ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଧକ୍କା ମଧ୍ୟ ଦେଇଥିଲେ। ଏହାର ପରଦିନ ପୁଲିସ୍‌ ତାଙ୍କୁ ଗୁଳି କରି ହତ୍ୟା କରିଦେଲା।

ହେଲେ ପୂରା ଘଟଣାକୁ ଏନକାଉଣ୍ଟରର ନାଁ ଦିଆଯାଇଥିଲା। ତେବେ ଘଟଣାର ୩୫ ବର୍ଷ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିଛି। ସେଦିନର ଏନକାଉଣ୍ଟର ଫେକ୍‌ ଥିବା କୋର୍ଟ କହିବା ସହ ୧୧ ପୁଲିସ୍‌ କର୍ମଚାରୀଙ୍କୁ ଏଥିପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଏହି କାହାଣୀ ହେଉଛି ଭରତରପୁର ରାଜା ମନ ସିଂହଙ୍କର।

ରାଜା ମନ ସିଂହ ୪ ଭାଇଙ୍କ ମଧ୍ୟରୁ ୩ନଂରେ ଥିଲେ। ତାଙ୍କର ଜନ୍ମ ୧୯୨୧ରେ ହୋଇଥିଲା। ତାଙ୍କ ବଡ଼ ଭାଇ ବ୍ରିଜେନ୍ଦର ସିଂହ ମହାରାଜ ରହିଥିଲେ। ପିଲାଟି ବେଳୁ ପାଠପଢ଼ା ପ୍ରତି ଆଗ୍ରହ ରଖିଥିବା ମନ ସିଂହଙ୍କୁ ଅଧିକ ଶିକ୍ଷା ଲାଭ କରିବା ପାଇଁ ବ୍ରିଟେନ ଯିବାକୁ ପଡ଼ିଥିଲା।

ସେଠାରୁ ଡିଗ୍ରୀ ହାସଲ କରିବା ପରେ ସେ ଦ୍ୱିତୀୟ ଲ୍ୟୁଟନାଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ହେଲେ ଏକଥା ସେ ନିଜ ବଡ଼ ଭାଇଙ୍କୁ କହି ନଥିଲେ। ଭରତପୁରର ଲୋକ ନିଜ ଗାଡ଼ି ଓ ଘରେ ଦୁଇଟି ପତାକା ବ୍ୟବହାର କରୁଥିଲେ। ଗୋଟିଏ ଦେଶର ଓ ଆଉ ଗୋଟିଏ ନିଜ ରାଜ୍ୟର ପତାକା ରହିଥିଲା। ଦେଶରୁ ବ୍ରିଟିଶମାନେ ଯିବା ପରେ ରାଜା ମନ ସିଂହ ରାଜନୀତିକୁ ଆସିଥିଲେ।

ସ୍ୱାଧୀନତା ପରେ କଂଗ୍ରେସର ରାଜ ଚାଲିଥିଲା। କିନ୍ତୁ ରାଜା ମନ ସିଂହ କୌଣସି ଦଳକୁ ଯିବାକୁ ଚାହିଁ ନଥିଲେ। କଂଗ୍ରେସ ସହ ତାଙ୍କର ବୁଝାମଣା ଅନୁଯାୟୀ, ତାଙ୍କ ବିରୋଧରେ ଦଳ ପ୍ରାର୍ଥୀ ଦେବ ହେଲେ କେହି ବି ବଡ଼ ନେତା ପ୍ରଚାର କରିବାକୁ ଆସିବେ ନାହିଁ। ୧୯୫୨ରୁ ୧୯୮୪ ଯାଏ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ହୋଇ ୭ଥାର ବିଧାୟକ ହୋଇଥିଲେ।

୧୯୭୭ରେ ଜନତା ଲହରୀ ଓ ୧୯୮୦ରେ ଇନ୍ଦିରା ଲହରୀ ମଧ୍ୟରେ ବି ସେ ନିଜର ଆସନ ବଜାୟୀ ରଖିଥିଲେ। କିନ୍ତୁ ଭରତପୁରର ଲୋକ ଦୁଇଟି ପତାକା ବ୍ୟବହାର କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କାହିଁକି ମନ ସିଂହଙ୍କୁ କଂଗ୍ରେସ ଅନାୟଶରେ ଜିତିବାକୁ ସୁଯୋଗ ଦେଉଛି? କ’ଣ ପାଇଁ ଆମେ ଅନ୍ୟ ଆସନ ଜିତୁଥିବା ବେଳେ ଦୀଗ ସିଟ୍‌ ଜିତିପାରିବୁ ନାହିଁ? ଏମିତି ପ୍ରଶ୍ନ ଉଠାଇ କିଛି ଲୋକ ମନ ସିଂହଙ୍କ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଥିଲେ।

୧୯୮୪ରେ ଇନ୍ଦିରା ଗାନ୍ଧିଙ୍କର ହତ୍ୟା ପରେ ସମଗ୍ର ଦେଶରେ କଂଗ୍ରେସ ପ୍ରତି ସହାନୁଭୂତି ଦେଖାଯାଇଥିଲା। ୧୯୮୫ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବାର ଥିଲା। ଏହି ସମୟରେ ଶିବଚରଣ ମୁଖ୍ୟମନ୍ତ୍ରୀ ରହିଥିଲେ। ଦୀଗ ସିଟ୍‌କୁ ଯେମିତି ହେଲେ ଦଖଲ କରିବାକୁ ସେ ଜିଦ୍‌ କରି ବସିଥିଲେ। ଏଥିପାଇଁ ସେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ବୀଜେନ୍ଦ୍ର ସିଂହଙ୍କୁ ଦୀଗରୁ କଂଗ୍ରେସର ପ୍ରାର୍ଥୀ କରିଥିଲେ।

ସେହିପରି ୧୯୮୫ ମସିହା ୨୦ ଫେବୃଆରୀରେ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶିବଚରଣ ମାଥୁର ସେଠାରେ ପହଞ୍ଚି ଯାଇଥିଲେ। ଏହାପୂର୍ବରୁ କଂଗ୍ରେସର କର୍ମକର୍ତ୍ତାମାନେ ରାଜା ମନ ସିଂହ ପୋଷ୍ଟର ଓ ବ୍ୟାନରକୁ ମଧ୍ୟ ଚିରି ଦେଇଥିଲେ।

ଏହାର ପ୍ରତିଶୋଧ ନେବାକୁ ରାଜା ମନ ସିଂହ କଂଗ୍ରେସ କରୁଥିବା ସଭା ନିକଟରେ ପହଞ୍ଚି ଏହାକୁ ଭଙ୍ଗାରୁଜା କରିଦେଇଥିଲେ। ସେଠାରୁ ଜିପ୍‌ ନେଇ ରାଜା ମନ ସିଂହ ମୁଖ୍ୟମନ୍ତ୍ରୀ ଶିବଚରଣ ମାଥୁରଙ୍କ ହେଲିକପ୍ଟର ଛିଡ଼ା ହୋଇଥିବା ସ୍ଥାନକୁ ଯାଇଥିଲେ। ହେଲିକପ୍ଟରୁ ଧକ୍କା ଦେଇ ସେ ଏହାକୁ ଭାଙ୍ଗି ଦେଇଥିଲେ। ଫଳରେ ମୁଖ୍ୟମନ୍ତ୍ରୀ ଶିବଚରଣଙ୍କୁ ଗାଡ଼ିରେ ଜୟପୁର ଯିବାକୁ ପଡ଼ିଲା। ସ୍ଥିତି ବେକାବୁ ହେବାରୁ ପ୍ରଶାସନ ପକ୍ଷରୁ ପୂରା ଅଞ୍ଚଳରେ କର୍ଫ୍ୟୁ ଲଗାଇ ଦିଆଯାଇଥିଲା। ଏପରି କି ରାଜା ମନ ସିଂହଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା।

ଫେବୃଆରୀ ୨୧ରେ ରାଜା ମନ ସିଂହ ଜିପ ଧରି ନିଜ ସମର୍ଥକଙ୍କ ସହ ବାହାରକୁ ବାହାରୁଥିଲେ। ହେଲେ ତାଙ୍କୁ ଭଲ ପାଉଥିବା ଲୋକମାନେ ବାହାରକୁ ନ ଯିବାକୁ କହିଥିଲେ। କଂଗ୍ରେସ ଶାସନ ଚାଲିଥିବା ବେଳେ ରାଜା ମନ ସିଂହ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ତେଣୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେମାନେ ବୁଝାଇଥିଲେ। ହେଲେ ରାଜା କିଛି ନ ଶୁଣି ଆଗକୁ ବଢ଼ିଥିଲେ।

ରାଜ ପରିବାରର କହିବା କଥା ହେଉଛି ସେଦିନ ରାଜା ମନ ସିଂହ ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଥିଲେ। ହେଲେ ଦୀଗ ମଣ୍ଡି ନିକଟରେ ତାଙ୍କୁ ଡେପୁଟି ଏସ୍‌ପି କାନ ସିଂହ ଭାଟି ଓ ଆଉ କିଛି ପୁଲିସ୍‌ ଅଫିସର ତାଙ୍କୁ ଘେରି ଯାଇ ଗୁଳି କରିଦେଇଥିଲେ। ତାଙ୍କ ସହ ଗାଡ଼ିରେ ବସିଥିବା ହରି ସିଂହ ଓ ସୁମୀର ସିଂହ ମଧ୍ୟ ପୁଲିସ୍‌ ଗୁଳିର ଶିକାର ହୋଇଥିଲେ। ଏହି ଗୁଳିକାଣ୍ତକୁ ପୁଲିସ୍‌ ଏନକାଉଣ୍ଟର ନାଁ ଦେବାକୁ ଭରପୂର ଯୋଜନା କରିଥିଲା। କିନ୍ତୁ ରାଜା ମନ ସିଂହଙ୍କ ଜ୍ୱାଇଁ ବିଜୟ ସିଂହ ସମସ୍ତ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ।

ରାଜା ମନ ସିଂହଙ୍କ ହତ୍ୟା ପରେ ପୂରା ଭରତପୁର ଜଳିଥିଲା। ଏହାର ପ୍ରଭାବ ମଥୁରା, ଆଗ୍ରା ସମେତ ରାଜସ୍ଥାନରେ ଦେଖିବାକୁ ମିଳିଥିଲା। କୌଣସି କାର୍ଯ୍ୟରତ ବିଧାୟକଙ୍କୁ ଏନକାଉଣ୍ଟର କରିବା ଘଟଣା ଦେଶର ଇତିହାସରେ ପ୍ରଥମଥର ପାଇଁ ଘଟିଥିଲା। ବିବାଦ ଘନେଇବାରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ଶିବଚରଣ ନିଜ ପଦରୁ ଇସ୍ତଫା ଦେଇଥିଲେ।

ବିବାଦ ଥମିବା ପରେ ନିର୍ବାଚନ ହୋଇଥିଲା ଓ ରାଜା ମନ ସିଂହଙ୍କ ଝିଅ କୃଷ୍ଣନ୍ଦ୍ରେ କୌର ଦୀପା ବିଧାୟକ ହୋଇଥିଲେ। ଉକ୍ତ ଏନକାଉଣ୍ଟରର ତଦନ୍ତ ସିବିଆଇକୁ ଦିଆଯାଇଥିଲା। ଏସବୁ ଭିତରେ ଦୀପା ୧୯୯୦ରେ ଭରତପୁର ଆସନରୁ ଭାରତୀୟ ଜନତା ପାର୍ଟି ଟିକେଟରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ସାଂସଦ ଦୀପାଙ୍କ ପିଟିସନକୁ ଗ୍ରହଣ କରି ସୁପ୍ରିମକୋର୍ଟ ମାମଲାକୁ ମଥୁରାକୁ ଟ୍ରାନ୍ସଫର କରିଥିଲେ। ଶେଷରେ ସମସ୍ତଙ୍କୁ ମଥୁରା ଜିଲ୍ଲା କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ମୋଟ ୧୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇ ସାରିଛନ୍ତି। ସେହିପରି ୩ ଜଣଙ୍କୁ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଆହୁରି ପଢ଼ନ୍ତୁ

ଏନଡିଏର ଅର୍ଥ ‘ନୋ ଡାଟା ଏଭେଲେବୁଲ’: ଶଶୀ ଥରୁର

ଟସ୍ ଜିତିଲା ସୁପର୍ କିଙ୍ଗସ୍, ପ୍ରଥମେ ବୋଲିଂ ନିଷ୍ପତ୍ତି

ଅକ୍ଟୋବର ୬ ତାରିଖ ଯାଏଁ ଜେଲ୍‌ରେ ରହିବେ ରିଆ

ଆନ୍ଦୋଳନରତ ସାଂସଦଙ୍କ ପାଖକୁ ଚା’ ନେଇଗଲେ ହରିବଂଶ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

୨୨ ସେପ୍ଟେମ୍ବର, ମଙ୍ଗଳବାର: ବନ୍ଧୁଙ୍କ ସହଯୋଗ ମିଳିବ

ଆଇସିୟୁରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ

ହଙ୍ଗାମା କରି ସସ୍‌ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ

୨୧ ସେପ୍ଟେମ୍ବର, ସୋମବାର: ପରିଶ୍ରମ ଅନୁସାରେ ସଫଳତା ପାଇବେ

ନେପୋଟିଜିମ୍ ପାଇଁ କିଏ ଦାୟୀ? ଜବାବ ରଖିଲେ ନଓ୍ୱାଜୁଦ୍ଦିନ ସିଦ୍ଦିକି

କଥା ଦେଇ କଥା ରଖିଲେ, ନମିତାଙ୍କୁ ଜଗନ୍ନାଥ ଭଜନ ଗାଇବାର ସୁଯୋଗ ଦେଲେ ବର୍ଷା

ଆସୁଛି ‘ଫେଲୁଦା’, କମ୍‌ ଖର୍ଚ୍ଚରେ ଅଧାଘଣ୍ଟାରେ ହେବ କୋଭିଡ୍ ଟେଷ୍ଟ୍