ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରର ମହୋବାରେ ଜଣେ ୧୬ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି। ଏହି ଦଳିତ ଛାତ୍ରୀ ଜଣଙ୍କ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ। ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବା ପରେ ତାଙ୍କ ଶବକୁ ଗଛରେ ଟାଙ୍ଗି ଦେଇଛନ୍ତି। ଶନିବାର ଛାତ୍ରୀ ଜଣଙ୍କ ସଉଦା କିଣିବାକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନଥିଲେ।

ଦିନକ ପରେ ସ୍ଥାନୀୟ ଅଞ୍ଚଳର ଗୋଟିଏ ଗଛରୁ ତାଙ୍କ ଝୁଲନ୍ତା ଶବ ମିଳିଥିଲା। ଛାତ୍ରୀଙ୍କ ପରିବାର ଲୋକ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଦୀର୍ଘ ଦିନ ହେଲା ହଇରାଣ କରି ଆସୁଥିଲେ। ସେହି ଯୁବକ ଜଣଙ୍କ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ପ୍ରଥମେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ ଓ ଏହାପରେ ତାଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଏହି ଘଟଣାରେ ଭୋରା, ତରୁଣ ଓ ଭୂପେନ୍ଦ୍ର ନାମକ ୩ ଜଣ ଯୁବକଙ୍କୁ ଗିରଫ କରିଛି।

ବରିଷ୍ଠ ପୁଲିସ୍ ଅଧିକାରୀ ଆରଏସ୍ ଗୁପ୍ତା କହିଛନ୍ତି, ପୀଡ଼ିତାଙ୍କ ପରିବାର ଲୋକ ଆଜି ଅଭିଯୋଗ ଦାଖଲ କରିଛନ୍ତି। ସେମାନେ ସ୍ଥାନୀୟ ଅଞ୍ଚଳର ୩ ଜଣ ଯୁବକଙ୍କ ନାଁ ନେଇଥିଲେ। ସେହି ଆଧାରରେ ପୁଲିସ୍‌ ଅପହରଣ, ଗଣଦୁଷ୍କର୍ମ ଓ ଦଳିତ ନିର୍ଯାତନା ଆଇନ ବଳରେ ମାମଲା ରୁଜୁ କରିଛି। ସେହିପରି ଅଭିଯୁକ୍ତ ୩ ଯୁବକଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।