୧୦୨ ଦିନ ପରେ ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ୱେଲିଙ୍ଗଟନ: ମହାମାରୀ କରୋନା କବଳରୁ ମୁକୁଳି ସାରିଥିବା ନ୍ୟୁଜିଲ୍ୟାଣ୍ଡର ଚିନ୍ତା ପୁଣି ବଢ଼ିଛି। ଦୀର୍ଘ ୧୦୨ ଦିନର ବ୍ୟବଧାନ ପରେ ନ୍ୟୁଜିଲ୍ୟାଣ୍ଡରେ ପୁଣିଥରେ କିଛି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଚିହ୍ନଟ ହେବା ପରେ ନ୍ୟୁଜିଲ୍ୟାଣ୍ଡ ସରକାର ଚିହ୍ନଟ ହୋଇଥିବା ସହରରେ ଲକଡାଉନ ଲାଗୁ କରି ଦେଇଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରିଛନ୍ତି।

କରୋନାକୁ ଠିକ ଭାବେ ମୁକାବିଲା କରି ଏହାକୁ ମାତ ଦେଇଥିବାରୁ ନ୍ୟୁଜିଲ୍ୟାଣ୍ଡ ସରକାର ଓ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ। ଏବେ ସେ କହିଛନ୍ତି, ଅକଲ୍ୟାଣ୍ଡରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେମାନେ କେମିତି ଆକ୍ରାନ୍ତ ହେଲେ, ତା’ର କଣ୍ଟାକ୍ଟ ଟ୍ରେସିଂ ହୋଇପାରୁ ନାହିଁ। ଦୀର୍ଘ ୧୦୨ ଦିନ ପରେ ଦେଶରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଆମେ ଯେମିତି ପ୍ରସ୍ତୁତ କରି କରୋନାକୁ ମୁକାବିଲା କରିଥିଲୁ ଏବେ ବି ସମାନ ପଦକ୍ଷେପ ଗ୍ରହଣ କରିଛୁ। ଲୋକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଘରେ ରହିବାକୁ କୁହାଯାଇଛି।

ମେ’ ୧ରେ ନ୍ୟୁଜିଲ୍ୟାଣ୍ଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତେବେ ଏହି ମହାମାରୀ ଯୋଗୁ ଦେଶରେ ମାତ୍ର ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।