ଟଳିଲା ପୁଲୱାମା ଭଳି ହମଲା, ୨୦ କେଜିର ଆଇଇଡି ଭର୍ତ୍ତି କାର୍‌ ଠାବ

ପୁଲୱାମା: ଦେଶକୁ ଦୋହଲାଇ ଦେଇଥିବା ଗତବର୍ଷର ପୁଲୱାମା ହମଲାର ପୁନରାବୃତ୍ତିକୁ ଅଳ୍ପକେ ଟାଳି ଦେବାକୁ ସକ୍ଷମ ହୋଇଛନ୍ତି ସୁରକ୍ଷାକର୍ମୀ। ଜମ୍ମୁ-କଶ୍ମୀରରେ ପୁଣିଥରେ ପୁଲୱାମା ଭଳି ହମଲା କରିବାକୁ ଆତଙ୍କବାଦୀମାନେ କାର ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ।

ତେବେ ସୁରକ୍ଷାକର୍ମୀଙ୍କ କଡ଼ା ଯାଞ୍ଚ ଯୋଗୁ ଏହା ପଣ୍ଡ ହୋଇଯାଇଛି। ବିସ୍ଫୋରଣ ପାଇଁ ଆତଙ୍କବାଦୀମାନେ ୨୦ କେଜିର ଆଇଇଡି ଆଣିଥିଲେ। ଏତେ ପରିମାଣର ଆଇଇଡି ସହ କାରକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ତେବେ କାର ଚାଳକ ଖସି ଯିବାକୁ ସକ୍ଷମ ହୋଇଛି।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ତା’କୁ ଧରିବା ପାଇଁ ଜୋରଦାର ସର୍ଚ୍ଚ ଅପରେସନ କରାଯାଉଛି। ସେହିପରି ଏକ ନିଛାଟିଆ ସ୍ଥାନରେ ଆଇଇଡିକୁ ବିସ୍ଫୋରଣ କରି ନଷ୍ଟ କରିଦିଆଯାଇଛି। ଆଇଇଡି ବିସ୍ଫୋରର ଭିଡିଓକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସାର୍ବଜନୀନ କରାଯାଇଛି।

ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିବାକୁ ଆତଙ୍କବାଦୀମାନେ କରିଥିବା ଯୋଜନା ସମ୍ପର୍କରେ ପ୍ରଥମେ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା। ଆତଙ୍କବାଦୀମାନେ ପୁଲୱାମା ଭଳି କାର୍‌ ବିସ୍ଫୋରଣ କରିବାକୁ ଯୋଜନା କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା। ଏ ସମ୍ପର୍କରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସୁରକ୍ଷାକର୍ମୀ ଜାଣିବା ପରେ ସବୁଆଡ଼େ ଆଲର୍ଟ ଜାରି କରାଯାଇଥିଲା।

ଗତକାଲି ରାତିରେ ପୁଲୱାମାର ରାଜପୋରା ନିକଟରେ ଚେକିଂ ଚାଲିଥିବା ବେଳେ ହଠାତ୍‌ ଏକ ହୁଣ୍ଡାଇ ସାଣ୍ଟ୍ରୋ କାର ସେଠାରେ ପହଞ୍ଚିଥିଲା। ତେବେ ସେ ଚେକ ପଏଣ୍ଟରେ ଅଟକିବା ବଦଳରେ ଏହାକୁ ଅତିକ୍ରମ କରି ଖୁବ ଦ୍ରୁତଗତିରେ ଅତିକ୍ରମ କରିଯାଇଥିଲା। ସୁରକ୍ଷାକର୍ମୀମାନେ ଏହା ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ଥିବା ଆତଙ୍କବାଦୀ ଜଣଙ୍କ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା। ତେବେ ସୁରକ୍ଷାକର୍ମୀଙ୍କ ଘନଘନ ଆକ୍ରମଣକୁ ମୁକାବିଲା କରି ନପାରି ଆତଙ୍କବାଦୀ ଜଣଙ୍କ  ଗାଡ଼ି ଛାଡ଼ି ଖସି ଯାଇଥିଲା।

ପରବର୍ତ୍ତୀ ଅବସ୍ଥାରେ ଗାଡ଼ି ମଧ୍ୟରୁ ୨୦ କେଜି ଓଜନର ଆଇଇଡି ଜବତ ହୋଇଛି। ଗାଡ଼ିରେ ନକଲି ରେଜିଷ୍ଟ୍ରେସ ନମ୍ବର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଆଇଇଡିକୁ ଜବତ କରାଯିବା ପରେ ଏହାକୁ ଅନ୍ୟତ୍ର ନେଇ ବିସ୍ଫୋରଣ କରି ନଷ୍ଟ କରାଯାଇଛି। ବିସ୍ଫୋରଣ ଶବ୍ଦ ଏତେ ଭୟଙ୍କର ଥିଲା ଯେ କିଛି ଘର ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ପୁଲିସ୍‌ ଡିଜି ଦୀଲବାଗ ସିଂହ କହିଛନ୍ତି, ଗୁଇନ୍ଦା ରିପୋର୍ଟ ପାଇବା ପରେ ମଙ୍ଗଳବାର ଠାରୁ ହିଁ ଆମେ ଗାଡ଼ିର ସନ୍ଧାନରେ ଲାଗିଥିଲୁ। ଶେଷରେ ଆମେ ଏହାକୁ ପୁଲୱାମାର ରାଜପୋରାରେ ଠାବ କରିଛୁ। କାରଟି ବିସ୍ଫୋରଣ କରି ନଷ୍ଟ କରିବା ପୂର୍ବରୁ ପ୍ରଥମେ ସ୍ଥାନୀୟ ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଏହାପରେ ବୋମା ନିଷ୍କ୍ରିୟ ଟିମ୍‌ ଏହାକୁ ନଷ୍ଟ କରିଦେଇଛି। ପୁଲିସ୍‌, ସିଆରପିଏଫ ଓ ଆର୍ମି ମିଳିତ ଭାବେ ଏହି ଅପରେସନରେ ସାମିଲ ଥିଲେ। ଏକ ବଡ଼ ଧରଣର ହମଲା ଟଳିଯାଇଛି। ଏବେ ଏନଆଇର ୨ ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସେ କହିଛନ୍ତି।

ଗତବର୍ଷ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀମାନେ କାର ବିସ୍ଫୋରଣ କରିଥିଲେ। ଏଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଏହାପରେ ଭାରତ ବାଲାକୋଟରେ ଏୟାରଷ୍ଟ୍ରାଇକ କରିଥିଲା।

ଆହୁରି ପଢ଼ନ୍ତୁ

ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

କଟକ ସହର ପାଇଁ ଆଉ ୨ ଦିନ ବଢ଼ିଲା ଶଟ୍‌ଡାଉନ୍ ଅବଧି

ରାଜ୍ୟ କର୍ମଚାରୀଙ୍କୁ ବାହାରେ ମୁହଁ ଖୋଲିବା ମନା

ନୀତୀନଙ୍କୁ କରୋନା, ନୀଳାଞ୍ଚଳଙ୍କୁ ଉଠାଇ ନେଲା କୋଭିଡ୍‌ ଆମ୍ୱୁଲାନ୍ସ

ସାଉଦି ଆରବକୁ ପଛରେ ପକାଇଲା ମହାରାଷ୍ଟ୍ର, ଦିନକରେ ୨୨୪ ମୃତ, ୫୧୩୪ ପଜିଟିଭ

ସିବିଏସ୍‌ଇ ସିଲାବସ୍‌ ୩୦% କମିବ, ବିଷୟବସ୍ତୁ ପରୀକ୍ଷାରେ ପଡ଼ିବନି

୯ରୁ ଗଞ୍ଜାମ ଜିଲ୍ଲାର ସବୁ ସହର ଶଟ୍‌ଡାଉନ୍‌

ଭୁବନେଶ୍ୱରରୁ ୨୯ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୪ ଲୋକାଲ୍‌ କେସ୍‌

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ମାସ୍କ ଓ ସାନିଟାଇଜର

କ୍ୱାରେଣ୍ଟାଇନ୍‌ ଗଲେ ପୋକ୍ସୋ କୋର୍ଟ ବିଚାରପତି, ସରକାରୀ ଓକିଲ

୧୯୬୨ ଭଳି ଧୋକା ଦେବ କି ଚାଇନା, ପୂରା ରାତି ବାୟୁସେନାର ଅପରେସନ

ମୋଦି ସରକାରରେ କିଏ ସୁପର ପାଓ୍ୱାର?