ବାହାଘର ଭୋଜିକୁ ଯାଉଥିଲେ, ନଈକୁ ବସ ଖସି ୨୪ ମୃତ

କୋଟା: ରାଜସ୍ଥାନରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୮ ଜଣ ଯାତ୍ରୀଙ୍କୁ ନେଇ ବାହାଘର ଭୋଜିକୁ ଯାଉଥିବା ଏକ ଘରୋଇ ବସ ଭାରସାମ୍ୟ ହରାଇ ରାସ୍ତାକଡ଼ ନଈକୁ ଖସି ପଡ଼ିଛି। ଏଥିରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, ଆଜି ସକାଳୁ ବାରନାରୁ ୨୮ ଜଣ ଲୋକ ଏକ ବାହାଘର ଭୋଜିରେ ଯୋଗଦେବାକୁ ବସ୍‌ରେ ସାୱାଇ ମାଧପୋରା ଯାଉଥିଲେ। ବସ୍‌ଟି ବୁନ୍ଦି ଜିଲ୍ଲାର କୋଟା-ଦଉସା ମେଗା ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହା ରାସ୍ତା କଡ଼ରେ ଥିବା ମୈଜ ନଈକୁ ଖସପଡ଼ିଥିଲା।

ଡ୍ରାଇଭର ଜଣଙ୍କ ବସ୍‌ ଉପରୁ ଭାରସାମ୍ୟ ହରାଇବାରୁ ଏଭଳି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ନଈ ଉପରେ ଥିବା ରାସ୍ତାରେ କୌଣସି ବ୍ୟାରିକେଟ୍‌ କିମ୍ବା ରେଲିଙ୍ଗ ନାହିଁ।

ନଈକୁ ବସ୍‌ଟି ଖସିବା ଯୋଗୁ ଘଟଣାସ୍ଥଳରେ ହିଁ ୨୪ ଜଣଙ୍କ ଜୀବନ ଚାଲିଯାଇଥିଲା। ଗାଁ ଲୋକମାନେ ପୁଲିସ୍‌କୁ ଖବର ଦେବା ସହ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ପୁଲିସ୍‌ ପହଞ୍ଚି ପୂର୍ବରୁ ହିଁ ଗାଁ ଲୋକମାନେ ବସ୍‌ରେ ଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିସାରିଥିଲେ।

ସମସ୍ତଙ୍କୁ ପ୍ରଥମେ ଲେଖାରୀ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କୋଟା ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି। ଅନ୍ୟମାନଙ୍କୁ ଡାକ୍ତରଖାନା ପକ୍ଷରୁ ମୃତ ଘୋଷଣା କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।