ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଅହମଦାବାଦ: ଦେଶର ପ୍ରଥମ ରାଜ୍ୟ ଭାବେ ଗୁଜରାଟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଗୁଜରାଟରେ ଏଣିକି ସ୍କୁଲ ଫି’ ବାବଦରେ ୨୫% ଛାଡ଼ କରାଯିବ। ଜୁନ୍‌ ୨୦୨୦ରୁ ମାର୍ଚ୍ଚ ୨୦୨୧ ଶିକ୍ଷାବର୍ଷରେ ଏହି ନିୟମ ଲାଗୁ କରାଯିବ। ସ୍କୁଲଗୁଡ଼ିକ ବଦଳ ଫି’ ସହ ଅନ୍ୟ କୌଣସି ପ୍ରକାରର ଅତିରିକ୍ତ ଚାର୍ଜ ଲଗାଇ ପାରିବେ ନାହିଁ। ଏହି ନିୟମ ଗୁଜରାଟର ଥିବା ସମସ୍ତ ସିବିଏସଇ ସହ ସମସ୍ତ ସ୍କୁଲ ଗୁଡ଼ିକ ପାଇଁ ଲାଗୁ ହେବ।

ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଦାସାମା କହିଛନ୍ତି, ନିଜସ୍ୱ ଅର୍ଥରେ ପରିଚାଲିତ ସ୍କୁଲଗୁଡ଼ିକ ଟ୍ୟୁସନ ଫି’ ବାବଦରେ ୨୫% ଛାଡ଼ କରିବାକୁ ରାଜି ହୋଇଛନ୍ତି। ଏହାର ଅର୍ଥ ରାଜ୍ୟରେ ଏଣିକି ସ୍କୁଲ ଫି’ ବାବଦରେ ୨୫% ଛାଡ଼ କରାଯିବ। ରାଜ୍ୟ ସରକାର ପ୍ରଥମେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ସ୍କୁଲ ଫି’ ୨୫% ଛାଡ଼ କରାଯିବା ସପକ୍ଷରେ ମତ ରଖିଥିଲେ।

କରୋନା ସଂକ୍ରମଣ ଓ ଶଟଡାଉନ ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଥିଲେ। ଏହାକୁ ନେଇ ବିଭିନ୍ନ ସ୍କୁଲର ମୁଖ୍ୟଙ୍କ ସହ ବୈଠକ ହୋଇଥିଲା। ଶେଷରେ ସମସ୍ତେ ସ୍କୁଲ ଫି’ ବାବଦରେ ୨୫% ଅର୍ଥ ଛାଡ଼ କରିବାକୁ ସହମତି ପ୍ରକାଶ କରିଛନ୍ତି। ସେହିପରି ଯଦି ଅଭିଭାବକମାନେ ଜୁନ୍‌ ୨୦୨୦ ଓ ଏହାର ପରବର୍ତ୍ତୀ ମାସରେ ସମସ୍ତ ଫି’ ଦାଖଲ କରିସାରିଛନ୍ତି, ତା’ହେଲେ ସ୍କୁଲ କର୍ତ୍ତୃପକ୍ଷ ପରବର୍ତ୍ତୀ ମାସଗୁଡ଼ିକରେ ଏହାକୁ କାଟ କରିନେବେ।

ଅନ୍ୟପକ୍ଷରେ ଓଡ଼ିଶା ସରକାର ମଧ୍ୟ ଘରୋଇ ସ୍କୁଲଗୁଡ଼ିକୁ ୩୦% ସ୍କୁଲ ଫି’ ଛାଡ଼ କରିବାକୁ ପ୍ରସ୍ତାବ ଦେଇଛନ୍ତି।