ରାମ ମନ୍ଦିର ପାଇଁ ଅର୍ଥ ସଂଗ୍ରହ ରାଲିରେ ମାରପିଟ, ୪୦ ଗିରଫ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ କରିବା ଲକ୍ଷ୍ୟରେ ଅଭିଯାନ ଆରମ୍ଭ ହୋଇଛି। ଜାନୁଆରୀ ୧୫ରୁ ଆରମ୍ଭ ହୋଇଥିବା ଏହି ପାଣ୍ଠି ସଂଗ୍ରହ ପ୍ରକ୍ରିୟା ଆସନ୍ତା ଫେବୃଆରୀ ୨୭ ଯାଏ ସମଗ୍ର ଦେଶରେ ଚାଲିବ। ତେବେ ଗୁଜରାଟରେ ଏହି ପାଣ୍ଠି ସଂଗ୍ରହ ବେଳେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହେବା ଘଟଣାରେ ପୁଲିସ୍‌ ୪୦ ଜଣଙ୍କୁ ଗିରଫ ମଧ୍ୟ କରିଛି।

ଗୁଜରାଟର କଚ୍ଚ ଜିଲ୍ଲାରେ ରବିବାର ଏହି ଘଟଣା ଘଟିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏହାକୁ କେନ୍ଦ୍ର କରି ୩ଟି ମାମଲା ମଧ୍ୟ ରୁଜୁ ହୋଇଥିଲା। ପୁଲିସ୍‌ ଆଜି ହତ୍ୟା, ଦଙ୍ଗା, ପୋଡ଼ାଜଳା ଓ ଷଡ଼ଯନ୍ତ୍ର ମାମଲା ୪୦ ଜଣଙ୍କୁ ଗିରଫ କରିଛି।

ପୁଲିସ୍ କହିଛି ଯେ ରବିବାର ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଶୋଭାଯାତ୍ରା କରାଯାଉଥିଲା। ଏହି ସମୟରେ ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ମାରପିଟ ଘଟିଥିଲା। ଶୋଭାଯାତ୍ରାକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ସମୟରେ ଖୁବ ଜୋରରେ ଧାର୍ମିକ ନାରା ଦିଆଯାଇଥିଲା। ଏହାକୁ ଅନ୍ୟ ଏକ ସଂପ୍ରଦାୟର ଲୋକ ବିରୋଧ କରିଥିଲେ। ଫଳରେ ମାରପିଟ୍ ଆରମ୍ଭ ହୋଇଥିଲା।

ଉଭୟ ଗୋଷ୍ଠୀ ପରସ୍ପରକୁ କାଠ ଫାଳିଆ ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ପୁଲିସ୍ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିଲା। ଏପରି କି କିଛି ପୁଲିସ୍ କର୍ମୀ ମଧ୍ୟ ଏହି ସଂଘର୍ଷରେ ଆହତ ହୋଇଥିଲେ। ଯେଉଁ କିଡାନା ଗାଁ ନିକଟରେ ସଂଘର୍ଷ ହୋଇଥିଲା, ସେଠାରୁ ପ୍ରାୟ ୨୦୦ ମିଟର ଦୂରରୁ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତଦେହ ମିଳିଥିଲା। ଏହି ଶ୍ରମିକଙ୍କ ଘର ଝାରଖଣ୍ଡରେ ବୋଲି ଜଣାପଡ଼ିଛି।

ସ୍ଥିତି ବିଗିଡ଼ିବାରୁ ପୁଲିସ ବାଧ୍ୟ ହୋଇ ଟିୟର ଗ୍ୟାସ ମାଡ଼ କରି ଲୋକଙ୍କୁ ଘଉଡ଼ାଇଥିଲା। ପୁଲିସ୍ କହିଛି ଯେ ରବିବାର ରଥ ଯାତ୍ରା ଆୟୋଜନ କରିବାକୁ କାହାକୁ ବି ଅନୁମତି ଦିଆଯାଇ ନଥିଲା। ତଥାପି ଗୋଟିଏ ସଂପ୍ରଦାୟର ଲୋକ ଅର୍ଥ ସଂଗ୍ରହ କରିବାକୁ ରାଲି କରିବା ବେଳେ ଏପରି ଘଟଣା ଘଟିଛି। ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି।

କେବଳ ଗୁଜରାଟ ନୁହେଁ, ମଧ୍ୟପ୍ରଦେଶର ଉଜ୍ଜୟିନ ଓ ମଣ୍ଡସୌରରେ ମଧ୍ୟ ରାମ ମନ୍ଦିର ପାଇଁ ଅର୍ଥ ସଂଗ୍ରହ ବେଳେ ସଂଘର୍ଷ ଘଟିଥିବା ଖବର ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।