ଟିକା ନେଇ ଅସୁସ୍ଥଙ୍କ ସଂଖ୍ୟା ୫୮୦କୁ ବୃଦ୍ଧି, ୩ୟ ଦିନରେ କେତେ ଲୋକଙ୍କର ହେଲା ଟିକାକରଣ

ନୂଆଦିଲ୍ଲୀ: ଶନିବାରୁ ଠାରୁ ଦେଶରେ ଆରମ୍ଭ ହୋଇଥିବା କରୋନା ବିରୋଧୀ ଟିକାକରଣ ଆଜି ଏକାଧିକ ରାଜ୍ୟରେ କରାଯାଇଛି। ୩ ଦିନ ମଧ୍ୟରେ ମୋଟ ୩.୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ କରୋନାର ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ତେବେ ଟିକା ନେବା ପରେ ୩ ଦିନ ମଧ୍ୟରେ ସମଗ୍ର ଦେଶରେ ୫୮୦ ଜଣଙ୍କ ଶରୀରରେ ପାର୍ଶ୍ୱପ୍ରତିକ୍ରିୟା ଜନିତ ସମସ୍ୟା ଦେଖା ଯାଇଛି।

ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ୨ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ହେଲେ ଏହି ମୃତ୍ୟୁ ଟିକା ନେବା ଯୋଗୁ ହୋଇନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି।

ସରକାରଙ୍କ ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ମୋରଦାବାଦରେ ରବିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମହିପାଲ ସିଂହ ନାମକ ୪୬ ବର୍ଷୀୟ ବ୍ୟକ୍ତି ଜଣଙ୍କ ଉତ୍ତର ପ୍ରଦେଶର ଗୋଟିଏ ସରକାରୀ ହସ୍ପିଟାଲରେ ୱାର୍ଡ ବୟ ଭାବେ କାମ କରୁଥିଲେ। ସେ ଶନିବାର ହିଁ କରୋନା ଟିକା ନେଇଥିଲେ।

ଟିକା ନେବାର କିଛି ସମୟରେ ସେ ଅସୁସ୍ଥ ହୋଇଥିଲେ। ଶେଷରେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଜିଲ୍ଲା ମୁଖ୍ୟ ମେଡିକାଲ ଅଫିସର ମହିପାଲଙ୍କ ମୃତ୍ୟୁ ଟିକା ଜନିତ ନୁହେଁ ବୋଲି କହିଛନ୍ତି। ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ତାଙ୍କ ମୃତ୍ୟୁ କାର୍ଡିଓଜେନିକି ଶକ ଓ ସେପ୍ଟିକ୍‌ ଶକ୍‌ ଯୋଗୁ ହୋଇଥିବା ଜଣାପଡ଼ିଛି। ସେହିପରି ତାଙ୍କ ପରିବାର ଲୋକ କହିଛନ୍ତି, ଟିକା ନେବା ପୂର୍ବରୁ ହିଁ ମହିପାଲ ଅସୁସ୍ଥ ଥିଲେ।

କର୍ଣ୍ଣାଟକାର ବେଲାରୀରେ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କର ମୃତ୍ୟୁ ହୃଦଘାତଜନିତ ବୋଲି କୁହାଯାଉଛି। ହେଲେ ତାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଏଯାଏ ସାମ୍ନାକୁ ଆସିନାହିଁ।

ଅନ୍ୟପକ୍ଷରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୭ ଜଣଙ୍କ ମଧ୍ୟରୁ ୩ ଜଣ ଦିଲ୍ଲୀରୁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ଜଣେ ଏବେ ବି ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କର୍ଣ୍ଣାଟକାରେ ଟିକା ନେଇ ଅସୁସ୍ଥ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏବେ ବି ହସ୍ପିଟାଲରେ ରହିଛନ୍ତି। ଉତ୍ତରାଖଣ୍ଡ ଓ ଛତିଶଗଡ଼ରେ ମଧ୍ୟ ଜଣେ ଲେଖାଏ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏଯାଏ ଭାରତରେ ୩,୮୧,୩୦୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ଆଜି କେବଳ ୧,୪୮,୨୬୬ ଜଣ ଟିକା ନେଇଛନ୍ତି। ୨୫ଟି ରାଜ୍ୟରେ ଆଜି ଟିକାକରଣ କାର୍ଯ୍ୟକ୍ରମ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।