ଜେଏନୟୁ: ପୁରୁଣା ଫି’ରେ ପଞ୍ଜୀକରଣ ପାଇଁ କୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ହାଇକୋର୍ଟ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଜେଏନୟୁ କର୍ତ୍ତୃପକ୍ଷ ବର୍ତ୍ତମାନ ସ୍ଥିତିରେ ପୁରୁଣା ଫି’ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜୀକରଣ ପାଇଁ ଅନୁମତି ଦିଅନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ବିଳମ୍ବରେ ପଞ୍ଜୀକରଣ କରୁଥିବା ଶିକ୍ଷାର୍ଥୀଙ୍କ ଠାରୁ ମଧ୍ୟ କୌଣସି ପ୍ରକାରର ଫାଇନ ଆଦାୟ ହୋଇପାରିବ ନାହିଁ। ଏବେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୮ରେ କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

ଶୁଣାଣି ବେଳେ ଆଜି କୋର୍ଟରେ ଜେଏନୟୁ ଛାତ୍ର ସଂଗଠନ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଛନ୍ତି ଯେ ଫି’କୁ ମନଇଚ୍ଛା ବୃଦ୍ଧି କରିବା ବେଆଇନ। ସେହିପରି ହଷ୍ଟେଲ ମ୍ୟାନୁଆଲକୁ ପରିବର୍ତ୍ତନ କରିବାର ଅଧିକାର ଜେଏନୟୁରେ ଗଠିତ ଉଚ୍ଚସ୍ତରୀୟ କମିଟିର ନାହିଁ। ଜେଏନୟୁ ପ୍ରଶାସନ ପକ୍ଷରୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରାଯାଇଥିଲା।

ଏହି କାରଣରୁ ସେମାନେ ଭୟରେ ଫି’ ଜମା କରିଛନ୍ତି। ତେଣୁ ଏବେ ପ୍ରଶାସନ ବର୍ଦ୍ଧିତ ଫି’କୁ ପ୍ରତ୍ୟାହାର କରୁ। ଏଥିସହ ଯେଉଁମାନେ ଅଧିକ ଫି’ ଜମା କରିଛନ୍ତି, ତା’କୁ ମଧ୍ୟ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଫେରସ୍ତ କରାଯାଉ। ଏହାବାଦ୍ ହଷ୍ଟେଲ୍ ମ୍ୟାନୁଆଲ ଡ୍ରାଫ୍ଟରେ ଯେଉଁ ସବୁ ପରିବର୍ତ୍ତନ ହୋଇଛି, ତା ଉପରେ ମଧ୍ୟ ରୋକ ଲଗାଇବାକୁ ସେ ଦାବି କରିଥିଲେ।

ସୂଚନାଯୋଗ୍ୟ, ବର୍ଦ୍ଧିତ ଫି’ ବିରୋଧରେ ଜେଏନୟୁର ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରି ଆସୁଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।