ଦିଲ୍ଲୀ ବିଧାନସଭାରେ ଏନପିଆର ଓ ଏନଆରସି ବିରୋଧୀ ସଂକଳ୍ପ ପାରିତ

ନୂଆଦିଲ୍ଲୀ: ଏନପିଆର ଓ ଏନଆରସି ଦିଲ୍ଲୀରେ ଲାଗୁ ହେବନାହିଁ। ଏନେଇ ଏକ ସଂକଳ୍ପ ଆଜି ଦିଲ୍ଲୀ ବିଧାନସଭାରେ ପାରିତ ହୋଇଛି। ସଂକଳ୍ପ ଗୃହୀତ କରିବା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବିଧାୟକମାନଙ୍କୁ ସେମାନଙ୍କ ପାଖରେ ନିଜର ଜନ୍ମ ପ୍ରମାଣପତ୍ର ରହିଛି କି ବୋଲି ପ୍ରଶ୍ନ କରିଥିଲେ। ହେଲେ ୭୦ ବିଧାୟକଙ୍କ ମଧ୍ୟରୁ ୬୧ ଜଣ ଜନ୍ମ ପ୍ରମାଣପତ୍ର ନଥିବା କହିଥିଲେ।

ଏହାପରେ କେଜ୍ରିୱାଲ କହିଥିଲେ, ଏହା ଏକ ବଡ଼ ବାର୍ତ୍ତା। ତେଣୁ ଦିଲ୍ଲୀରେ ଏନପିଆର କାର୍ଯ୍ୟକାରୀ ହେବନି। ଏନେଇ ବିଧାନସଭା ଏକ ସଂକଳ୍ପ ପାରିତ କରୁଛି। କେଜ୍ରିୱାଲ କିମ୍ବା ତାଙ୍କ ପରିବାର ବର୍ଗଙ୍କ ପାଖରେ ମଧ୍ୟ ଜନ୍ମ ପ୍ରମାଣପତ୍ର ନଥିବା ସେ ଗୃହରେ ସମସ୍ତଙ୍କୁ କହିଛନ୍ତି।

କେଜ୍ରିୱାଲ କହିଛନ୍ତି, “ମୋ ପତ୍ନୀର, ମୋର ଓ ମୋ କ୍ୟାବିନେଟ ସଦସ୍ୟଙ୍କ ପାଖରେ ନାଗରିକତା ପ୍ରମାଣ କରିବା ପାଇଁ ଜନ୍ମ ପ୍ରମାଣପତ୍ର ନାହିଁ। କ’ଣ ଆମ ସମସ୍ତଙ୍କୁ ଡିଟେନସନ କେନ୍ଦ୍ରକୁ ପଠାଇ ଦିଆଯିବ? ମୁଁ କେନ୍ଦ୍ର ସରକାରଙ୍କୁ ଏନପିଆର ଓ ଏନଆରସି ସାରା ଦେଶରେ ଲାଗୁ ନ କରିବାକୁ ନିବେଦନ କରୁଛି।”

ଯେଉଁ ବିଧାୟକଙ୍କ ପାଖରେ ଜନ୍ମ ପ୍ରମାଣ ଅଛି କେଜ୍ରିୱାଲ ସେମାନଙ୍କୁ ହାତ ଉଠାଇବାକୁ କହିଥିଲେ। ହେଲେ ୭୦ ବିଧାୟକଙ୍କ ମଧ୍ୟରୁ ୬୧ ଜଣଙ୍କ ପାଖରେ ପ୍ରମାଣପତ୍ର ନଥିବା ସେମାନେ କହିଛନ୍ତି। କେଜ୍ରିୱାଲ ସମସ୍ତ କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନଙ୍କ ଜନ୍ମ ପ୍ରମାଣ ଦେଖାଇବାକୁ ଚ୍ୟାଲେଞ୍ଜ କରିଛନ୍ତି।

ସଂକଳ୍ପରେ ଉଲ୍ଲେଖ କରାଯାଇଛି ଯେ ପ୍ରସ୍ତାବିତ ଏନପିଆର ଓ ଏନଆରିସି ଅଯଥା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛି। ଯେଉଁମାନେ ନାଗରିକତା ପ୍ରମାଣିତ କରିପାରିବେ ନାହିଁ ସେମାନଙ୍କୁ ଅଟକ କେନ୍ଦ୍ରକୁ ପଠାଯିବ ବୋଲି ସେମାନେ ଆଶଙ୍କା କରିଛନ୍ତି।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏନପିଆର ଓ ଏନଆରସିରେ ଏକାଧିକ ପ୍ରଶ୍ନ ରହିଛି। ୯୦% ଭାରତୀୟଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ନାହିଁ। ତେଣୁ ଏନପିଆର ଓ ଏନଆରସିରେ କ’ଣ ପ୍ରଶ୍ନ ରହିଛି, ସେଗୁଡ଼ିକୁ କେନ୍ଦ୍ର ସରକାର ସ୍ପଷ୍ଟ କରନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।