କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ନିର୍ବାଚନ ଲଢ଼ିବେନି ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ରହିଥିବା ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କରିଥିଲେ।

ଉଭୟ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ନାମିତ କରିଥିଲେ। କେନ୍ଦ୍ରର ଏଭଳି ନିଷ୍ପତ୍ତିକୁ ବିରୋଧ କରୁଥିବା ଅବଦୁଲ୍ଲାଙ୍କୁ ଦୀର୍ଘ ମାସ ଧରି ଅଟକ ରଖାଯାଇଥିଲା। ନିକଟରେ ସେ ମୁକୁଳିଛନ୍ତି। ଏବେ ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ରହିଥିବା ଯାଏ ସେ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ।

ସେ ଏକ ସ୍ତମ୍ଭ ଲେଖି କହିଛନ୍ତି, “ମୋ ମତରେ ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ରହିଥିବା ଯାଏ ମୁଁ କୌଣସି ପ୍ରକାରର ନିର୍ବାଚନ ଲଢ଼ିବି ନାହିଁ। ଏକ ଶକ୍ତିଶାଳୀ ବିଧାନସଭାରେ ମୁଁ ୬ ବର୍ଷ କାଳ ସଦସ୍ୟ ହୋଇ ରହିଥିଲି। ଏବେ ଏକ ଶକ୍ତିହୀନ ବିଧାନସଭାର ସଦସ୍ୟ ହେବା ପାଇଁ ମୁଁ ଚାହୁଁନାହିଁ।

ଅଗଷ୍ଟ ୫ରେ କେନ୍ଦ୍ର ସରାକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାର କିଛିଦିନ ପୂର୍ବରୁ ମୁଁ ଓ ଆମ ନ୍ୟାଶନାଲ କନଫରେନ୍ସର ବରିଷ୍ଠ କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଆମକୁ କିଛି ବି କୁହାଯାଇ ନଥିଲା। ହେଲେ ୭୨ ଘଣ୍ଟା ପରେ ସବୁକିଛି ବଦଳି ଯାଇଥିଲା। ଆମେ ଯେଉଁ କଥାକୁ ଭୟ କରୁଥିଲୁ, ଠିକ ସେଇଆ ହିଁ ହେଲା। ଜମ୍ମୁ-କଶ୍ମୀରକୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଲାନାହିଁ। ବରଂ ଉପତ୍ୟକାରୁ ଧାରା ୩୭୦କୁ ଉଚ୍ଛେଦ କରିଦିଆଯାଇଥିଲା।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।