ସୁଶାନ୍ତଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି କହିଛନ୍ତି ଏମ୍ସ ଡାକ୍ତର!

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ପୁଣିଥରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତ ମୃତ୍ୟୁର ତଦନ୍ତ ବେଳେ ବଲିଉଡ-ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏବେ ସମସ୍ତେ ସୁଶାନ୍ତ ମୃତ୍ୟୁକୁ ଭୁଲି ବଲିଉଡ-ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଛନ୍ତି। ଏସବୁ ଭିତରେ ସୁଶାନ୍ତଙ୍କ ମୃତ୍ୟୁର ଫାଇଲ ଚାପି ହୋଇ ରହିବାର ଆଶଙ୍କା ପ୍ରକାଶ ପାଇଛି। ସିବିଆଇ ଘଟଣାର ତଦନ୍ତ କରୁଥିଲେ ହେଁ ଏଯାଏ ହତ୍ୟା ମାମଲା ରୁଜୁ କରିନାହିଁ।

ଏହାକୁ ନେଇ ସୁଶାନ୍ତଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ବିକାଶ ସିଂହ ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ଏକଥା ବହୁ ଦିନ ପୂର୍ବରୁ ଏମ୍ସ ଡାକ୍ତର ମୋତେ କହିଥିଲେ। ତଥାପି ସିବିଆଇ ହତ୍ୟା ମାମଲା ରୁଜୁ ନ କରିବା ଆଶ୍ଚର୍ଯ୍ୟ ଜନକ ବୋଲି ସେ ମତ ଦେଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ସିବିଆଇ ତଦନ୍ତକୁ ଦେଖି ମୁଁ ହତାଶ ଓ ବିରକ୍ତ ହୋଇଗଲିଣି। ଏମ୍ସ ଡାକ୍ତର ମୋତେ ବହୁଦିନ ପୂର୍ବରୁ କହିଥିଲେ ଯେ ସୁଶାନ୍ତଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି। ମୁଁ ସେମାନଙ୍କୁ ସୁଶାନ୍ତ ମୃତ୍ୟୁ ବେଳର ଫଟୋ ପଠାଇଥିଲି। ଏହି ସମୟରେ ଏମ୍ସ ଟିମରେ ଥିବା ଡାକ୍ତରମାନେ ମୋତେ କହିଥିଲେ ଯେ ଫଟୋରୁ ଏହା ୨୦୦% ସ୍ପଷ୍ଟ ହେଉଛି ସୁଶାନ୍ତଙ୍କୁ ତଣ୍ଟି ଚପି ହତ୍ୟା କରାଯାଇଛି। ଏହା ଆଦୌ ଆତ୍ମହତ୍ୟା ନୁହେଁ। ତଥାପି ସିବିଆଇ ହତ୍ୟା ମାମଲା ରୁଜୁ ନ କରିବା ସମସ୍ତଙ୍କ ଭଳି ମୋତେ ମଧ୍ୟ ଆଶ୍ଚର୍ଯ୍ୟ କରୁଛି।”

ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ବିକାଶ ସିଂହ କହିଛନ୍ତି, ସିବିଆଇ ତଦନ୍ତ ହଠାତ୍‌ ଶୀଥିଳ ହୋଇପଡ଼ିଛି। ଏବେ ସମସ୍ତଙ୍କ ଧ୍ୟାନ ଡ୍ରଗ୍ସ ଲିଙ୍କରେ କେନ୍ଦ୍ରୀଭୂତ ହୋଇଛି। ଏନସିବି ବଲିଉଡ ଷ୍ଟାରଙ୍କ ଫ୍ୟାଶନ ପ୍ୟାରେଡ କରୁଛି। ଆଜିକା ଦିନରେ ଆମେ ହେଲପଲେସ ହୋଇପଡ଼ିଛୁ।

ତଦନ୍ତର ଦିଗ କେଉଁ ଆଡ଼େ ଯାଉଛି, କେହି ବି ଜାଣି ପାରୁନାହାନ୍ତି। ସାଧାରଣତଃ ସିବିଆଇ ଯେଉଁ ମାମଲାର ତଦନ୍ତ କରେ, ତା’ ଉପରେ ସାମ୍ବାଦିକ ସମ୍ମିଳନୀ କରେ। ହେଲେ ଏହି ମାମଲାରେ ଆଜି ଯାଏ ସିବିଆଇ କୌଣସି ସାମ୍ବାଦିକ ସମ୍ମିଳନୀ କରିନାହିଁ। ଏଯାଏ ତଦନ୍ତ କରି ସିବିଆଇ କ’ଣ ପାଇଛି, ସେକଥା ବି ଜଣାନାହିଁ। ଏହା ଗୁରୁତ୍ୱର ପ୍ରସଙ୍ଗ ବୋଲି ସେ କହିଛନ୍ତି।