ଭାରତ ବନ୍ଦ ଭିତରେ ହଠାତ୍ ଚାଷୀଙ୍କୁ ଆଲୋଚନା ପାଇଁ ଡାକିଲେ ଅମିତ ଶାହ
ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ହଠାତ୍ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଆସନ୍ତାକାଲି ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ କେନ୍ଦ୍ରର ୬ଷ୍ଠ ରାଉଣ୍ଡ ବୈଠକ ବସିବ। ଏହାପୂର୍ବରୁ ଆଜି ସନ୍ଧ୍ୟାରେ ଚାଷୀଙ୍କ ସହ ଆଲୋଚନା କରିବାକୁ ଶ୍ରୀ ଶାହ ନିମନ୍ତ୍ରଣ ପଠାଇଛନ୍ତି।
ଆଜି ଚାଷୀମାନେ ଭାରତ ବନ୍ଦ ପାଳନ କରୁଛନ୍ତି। ଗାଁଠାରୁ ସହର ଯାଏ ସବୁଆଡ଼େ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଏସବୁ ଭିତରେ ଶାହ ଚାଷୀଙ୍କୁ ଆଲୋଚନା ପାଇଁ ଡାକିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଚାଷୀନେତା ରାକେଶ ତିକାଇତ କହିଛନ୍ତି, ମୋ ପାଖକୁ ଗୋଟିଏ ଫୋନ କଲ ଆସିଥିଲା। ଅମିତ ଶାହ ମିଟିଂ ଡାକିଥିବା ଏଥିରେ ମୋତେ କୁହାଯାଇଛି। ଆଜି ସନ୍ଧ୍ୟା ୭ଟାରେ ଚାଷୀ ପ୍ରତିନିଧିଙ୍କ ସହ ଶ୍ରୀ ଶାହ ଆଲୋଚନା କରିବେ। ଭାରତ ବନ୍ଦରେ ସାମିଲ ହୋଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନର ନେତା ଆଜି ସନ୍ଧ୍ୟାରେ ଅମିତ ଶାହ ଡାକିଥିବା ବୈଠକରେ ଯୋଗଦେବେ ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ସହ ୫ ଥର ଆଲୋଚନା କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଏଥିପାଇଁ ଆସନ୍ତାକାଲି ପୁଣିଥରେ ବୈଠକ ବସିବାକୁ ନିଷ୍ପତ୍ତି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।