ଚାଷୀ ଆନ୍ଦୋଳନକୁ ନେଇ ତବଲିଗି ଜମାତ କଥା କାହିଁକି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀ କ’ଣ କରୋନା ସଂକ୍ରମଣରୁ ସୁରକ୍ଷିତ କି? ଚାଷୀ ଆନ୍ଦୋଳନ ସମୟରେ କୋଭିଡର କ’ଣ ସବୁ ନିୟମ ପାଳନ କରାଯାଉଛି ବୋଲି ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି, ଚାଷୀମାନେ କରୋନା ସଂକ୍ରମଣରୁ ସୁରକ୍ଷିତ କି ନାହିଁ ଆମେ ଜାଣିନାହୁଁ। ପ୍ରଥମେ ତବଲିଗି ଜମାତ ଓ ଏବେ ଚାଷୀମାନେ ଗୋଟିଏ ସ୍ଥାନରେ ଏକାଠି ହୋଇଯାଇଛନ୍ତି। ମୁଁ ଜାଣିନି ଚାଷୀମାନେ କୋଭିଡ ପ୍ରୋଟେକସନରେ ଅଛନ୍ତି କି ନାହିଁ?

ଆମକୁ ମୁଖ୍ୟ ସମସ୍ୟା ଉପରେ ଫୋକସ କରିବାକୁ ପଡ଼ିବ। କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନରେ କୋଭିଡ ପ୍ରୋଟକଲ ପାଳନ କରାଯିବା କଥାକୁ ସୁନିଶ୍ଚିତ କରନ୍ତୁ। ଗତବର୍ଷ ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବଢ଼ିଥିଲା ବୋଲି କୁହାଯାଇଥିଲା। ସମ୍ଭବତଃ ଆଗକୁ ଚାଷୀ ଆନ୍ଦୋଳନକୁ ନେଇ ସମାନ ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି କି ବୋଲି ସିଜେଆଇ ଜଷ୍ଟିସ ବୋବଡେ ପ୍ରଶ୍ନ କରିଛନ୍ତି।

ଏହାର ଜବାବରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ ଚାଷୀ ଆନ୍ଦୋଳନ ସମୟରେ କୌଣସି ପ୍ରକାରର କରୋନା କଟକଣାକୁ ପାଳନ କରାଯାଉ ନାହିଁ। ଏହା ଉପରେ ଜବାବ ଦାଖଲ କରିବାକୁ ସେ ୨ ସପ୍ତାହ ସମୟ ମାଗିଛନ୍ତି। କୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ କରିବାକୁ ୨ ସପ୍ତାହର ସମୟ ଦେଇଛନ୍ତି।

ଗତବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ଜମାତିମାନେ ଏକାଠି ହେବା ଘଟଣାରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଭୂମିକା କ’ଣ ବୋଲି ଜାଣିବା ପାଇଁ ଆବେଦନ କରାଯାଇଥିଲା। ଏଥିସହ ଘଟଣାର ସିବିଆଇ ତଦନ୍ତ କରିବାକୁ ମଧ୍ୟ ଆବେଦନ ହୋଇଛି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି। ଆବେଦନକାରୀ କହିଥିଲେ ଯେ ନିଜାମୁଦ୍ଦିନରେ କାର୍ଯ୍ୟକ୍ରମର ଆୟୋଜନ କରିଥିବା ମହମ୍ମଦ ସାଦଙ୍କୁ ଗିରଫ କରାଗଲା ନାହିଁ। ଏହା ପଛର ପ୍ରକୃତ କାରଣ ଜାଣିବା ପାଇଁ ସିବିଆଇ ତଦନ୍ତ ହେବା ଉଚିତ।

ଏହାପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯିବାର କୌଣସି ଆବଶ୍ୟକ ନାହିଁ। ଦିଲ୍ଲୀ ପୁଲିସ୍‌ ଡେ ଡୁ ଡେ ବେସିସରେ ମାମଲାର ତଦନ୍ତ କରୁଛି। ଖୁବଶୀଘ୍ର କୋର୍ଟଙ୍କୁ ଘଟଣାର ତଦନ୍ତ ରିପୋର୍ଟ ଦିଆଯିବ। ଏପରି କି କୋର୍ଟ ଚାହିଁଲେ ପୁଲିସ ବନ୍ଦ ଲଫାପାରେ ମଧ୍ୟ ରିପୋର୍ଟ ଦେବାକୁ ପ୍ରସ୍ତୁତ ବୋଲି କେନ୍ଦ୍ର ସରକାର କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।