ଲୋକଙ୍କ ପାଇଁ ସିଆଚେନ୍‌ ଗ୍ଲାସିୟର ଖୋଲିବ ସେନା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଓ ଭୟଙ୍କର ଯୁଦ୍ଧ କ୍ଷେତ୍ର ଭାବେ ପରିଚିତ ସିଆଚେନ୍‌ ଗ୍ଲାସିୟରକୁ ଏବେ ସାଧାରଣ ଲୋକେ ଚାହିଁଲେ ବୁଲିବାକୁ ଯାଇ ପାରିବେ। କାରଣ ଭାରତୀୟ ସେନା ପକ୍ଷରୁ ଏଠାକୁ ଲମ୍ବି ଥିବା ରାସ୍ତାକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ଏଠାକୁ ସାଧାରଣ ଲୋକେ ଯାଉ ପାରୁ ନଥିଲେ। ହେଲେ ଭାରତ ସରକାର ଲଦାଖକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେବା ପରେ ସେନା ଏଭଳି ପଦକ୍ଷେପ ନେବାକୁ ସହମତ ହୋଇଛି। ସିଆଚେନ୍‌ ଗ୍ଲାସିୟରରେ ବରଫ ପାତ ମଧ୍ୟରେ ସେନାର ଯବାନମାନେ ସୀମା ସୁରକ୍ଷାରେ ନିୟୋଜିତ ହୋଇଥାଆନ୍ତି। ଏବେ ଲୋକମାନେ ସେଠାକୁ ଗଲେ, ଯବାନଙ୍କ ବୀରତା ସମ୍ପର୍କରେ ଅବଗତ ହୋଇପାରିବେ।

ଦେଶର ଯବାନମାନେ କେମିତି ନିଜ ଜୀବନକୁ ପାଣି ଛଡ଼ାଇ ସାଧାରଣ ଲୋକଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି, ସେକଥା ମଧ୍ୟ ସମସ୍ତେ ଜାଣିବେ। ନିକଟରେ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଲଦାଖ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ସିଆଚେନ୍ ଗ୍ଲାସିୟରକୁ ଲୋକମାନେ ଆସିବା ଦରକାର ବୋଲି ପ୍ରସ୍ତାବ ଦେଇଥିଲେ।

କେବଳ ସିଆଚେନ୍‌ ଗ୍ଲାସିୟର ନୁହେଁ ଲଦାଖର ଉଚ୍ଚ ପାହାଡ଼ିଆ ସ୍ଥାନରେ ଥିବା ସେନା ବାହିନୀର ଏକାଧିକ ପୋଷ୍ଟକୁ ଦେଖିବା ପାଇଁ ମଧ୍ୟ ଏବେ ସାଧାରଣ ଲୋକଙ୍କୁ ଅନୁମତି ମିଳିବ। ତେବେ କେଉଁ ପୋଷ୍ଟକୁ ସାଧାରଣ ଲୋକଙ୍କୁ ଛଡ଼ା ଯିବ ଏବଂ କେଉଁ ପୋଷ୍ଟ ବା ସ୍ଥାନରେ କଟକଣା ଲାଗିବ, ସେ ସମ୍ପର୍କରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇନାହିଁ।

ପୂର୍ବରୁ ଲଦାଖ ଯାଉଥିବା ଲୋକମାନେ କାର୍ଗିଲ ଯୁଦ୍ଧର ପ୍ରକୃତ ସ୍ଥାନ ଓ ଟାଇଗଲ ହିଲ୍‌ ଭଳି ଅଞ୍ଚଳକୁ ଦେଖିବାକୁ ଆଗ୍ରହ ପ୍ରକାଶ କରୁଥିଲେ। କାରଣ ଏହି ସ୍ଥାନରେ ଭାରତୀୟ ସେନା ପାକିସ୍ତାନକୁ ମାତ ଦେଇଥିଲା। ଉକ୍ତ ସ୍ଥାନକୁ ଦେଖିବା ପାଇଁ ଲୋକମାନେ ଚାହୁଁଛନ୍ତି। ହେଲେ ସେଠାକୁ ଯିବାକୁ କାହାକୁ ଅନୁମତି ମିଳି ନଥିଲା।

ସିଆଚେନ୍‌ ଗ୍ଲାସିୟରର ବେସ୍‌ କ୍ୟାମ୍ପ ସ୍ଥଳ ଭାଗରୁ ୧୧ ହଜାର ଫୁଟ ଉଚ୍ଚରେ ରହିଛି। ସେହିପରି ଏହା ୨୧ ହଜାର ଫୁଟ୍‌ ଉଚ୍ଚ ଯାଏ ଲମ୍ବିଛି। ଏଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ। ତଥାପି ବରଫ ଅତଡ଼ା ଓ ଥଣ୍ଡାକୁ ଖାତିର ନ କରି ଯବାନମାନେ ୨୪ ଘଣ୍ଟା କାଳ ପ୍ରହାର ଦେଇଥାଆନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।