ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ !

ଇସଲାମାବାଦ୍‌(ଓଡ଼ିଶାରିପୋର୍ଟର): ପାକିସ୍ତାନର ଏକ ଅଦାଲତ୍ ପାକ୍ ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ୍‌ ସରିଫ୍‌ଙ୍କ ବିରୋଧରେ ଆରେଷ୍ଟ୍ ୱାରେଣ୍ଟ୍ ଜାରି କରିଛି।  ପାନାମା ପେପର୍ ସହ ଜଡିତ ଦୁଇଟି ମାମଲା ଉପରେ ଏଭଳି ୱାରେଣ୍ଟ୍ ଜାରି କରାଯାଇଛି ବୋଲି ସରିଫ୍‌ଙ୍କ ଓକିଲ ସଫେଇ ଦେଇଛନ୍ତି।

ବର୍ତ୍ତମାନ ନୱାଜ୍ ଲଣ୍ଡନରେ ଅଛନ୍ତି। ତାଙ୍କ କ୍ୟାନସର ପୀଡିତା ପତ୍ନୀଙ୍କ ଚିକିତ୍ସା ସେଠାରେ ଚାଲିଛି । ଚଳିତ ବର୍ଷ ଜୁଲାଇ ୨୮ରେ ପାକିସ୍ତାନ ସୁପ୍ରିମ୍ କୋର୍ଟ ନୱାଜଙ୍କୁ ପାନାମା ପେପର୍ ଲିକ୍ ମାମଲାରେ ଦୋଷୀ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ପଦରୁ ହଟିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର କିଛି ଦିନ ପରେ ନୱାଜ୍ ଲଣ୍ଡନ ପଳାଇଥିଲେ।

କ’ଣ  ଥିଲା ମାମଲା

୧୯୯୦ ଦଶକରେ ନୱାଜ୍ ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ସମୟରେ ନିଜ ପଦବୀର ଦୂରୁପଯୋଗ କରି ଲଣ୍ଡନରେ ସମ୍ପତ୍ତି କ୍ରୟ କରିଥିଲେ । ଗତବର୍ଷ ପାନାମା ପେପର ଲିକ୍‌ ମାମଲାର ଖୁଲାସା ହେବାପରେ ତାଙ୍କ ସମ୍ପତ୍ତିରେ ବିଦେଶୀ କମ୍ପାନୀର ଅର୍ଥ ଲାଗିଥିବା ଜଣାପଡିଥିଲା। ଏହି କମ୍ପାନୀଗୁଡିକର ମାଲିକାନା ନୱାଜ୍‌ଙ୍କ ପୁଅମାନଙ୍କ ନାଁରେ ରହିଛି । ଖାଲି ବିଦେଶୀ କମ୍ପାନୀରେ ମାଲିକାନା ନୁହେଁ ଲଣ୍ଡନରେ ନୱାଜ୍‌ଙ୍କର ୪ ଦାମୀ ଫ୍ଲାଟ୍ ମଧ୍ୟ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।