ପ୍ରତ୍ୟର୍ପଣ ରୋକିବାକୁ ନୀରବ ମୋଦିଙ୍କ ନୂଆ ଭେଳିକି: ଭାରତୀୟ ଜେଲରେ ମୂଷା ଥିବା କହିଲେ

ଲଣ୍ତନ: ଭାରତୀୟ ବ୍ୟାଙ୍କରୁ ଋଣ ନେଇ ଲଣ୍ଡନ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ଏବେ ପ୍ରତ୍ୟର୍ପଣ ଟାଲିବାକୁ ନୂଆ ଭେଳିକି ଦେଖାଇଛନ୍ତି। ଲଣ୍ଡନ କୋର୍ଟରେ ତାଙ୍କ ପ୍ରତ୍ୟର୍ପଣ ମାମଲାର ବିଚାର ଚାଲିଥିବା ବେଳେ ସେ ଭାରତୀୟ ଜେଲରେ ମୂଷା ଥିବା କଥା କହି ମାମଲାକୁ ଟାଳିବାକୁ ଚେଷ୍ଟା କରିଛନ୍ତି।

ନୀରବଙ୍କ ଓକିଲ ନିଜର ପକ୍ଷ ରଖି କହିଛନ୍ତି, ଭାରତକୁ ନେବା ପରେ ନୀରବଙ୍କୁ ଅର୍ଥର ରୋଡ ଜେଲରେ ରଖାଯିବ ବୋଲି କୁହାଯାଉଛି। ହେଲେ ସେଠାରେ ପ୍ରବଳ ମୂଷା ରହିଛନ୍ତି। ଏହା ଦ୍ୱାରା ସେ ରୋଗରେ ପଡ଼ିବାର ଆଶଙ୍କା ରହିଛି। ସେହିପରି ସେଠାକାର ଜେଲରେ କୌଣସି ପ୍ରାଇଭେସି ନାହିଁ।

ଭାରତ ଫେରିବା ପରେ ତାଙ୍କୁ ମୁମ୍ବାଇ ଜେଲରେ ରଖାଗଲେ, ତାଙ୍କର ମାନବାଧିକାର କ୍ଷୁଣ୍ଣ ହେବ। କାରଣ ଜେଲ ପରିସରରେ ଯାଇଥିବା ଡ୍ରେନଗୁଡ଼ିକ ମୁକୁଳା ଭାବେ ପଡ଼ିଛି। ସେଠାରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ରହିଛି। ଏପରି ସ୍ଥିତିରେ କେମିତି ଜଣେ ଅର୍ଥନୀତିକ ହେରଫେର ମାମଲାର ଅଭିଯୁକ୍ତ ସେଠାରେ ରହିବେ ବୋଲି ଓକିଲ ଜଣଙ୍କ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ନୀରବ ମୋଦିଙ୍କୁ ଭାରତ ଆଣି ତାଙ୍କୁ ଅର୍ଥର ଜେଲର ବାରାକ ନମ୍ବର ୧୨ରେ ରଖାଯିବାର ବ୍ୟବସ୍ଥା ହୋଇଛି। ଅର୍ଥନୀତିକ ଅପରାଧ ସହ ଜଡ଼ିତ ଲୋକଙ୍କୁ ରଖିବା ପାଇଁ ସ୍ୱତନ୍ତ୍ର ଭାବେ ଏହି ଭିଆଇପି ସେଲ ନିର୍ମାଣ କରାଯାଇଛି। ଏଠାରେ କୌଣସି ପ୍ରକାରର ମୂଷା ନାହାନ୍ତି କିମ୍ବା ଡ୍ରେନକୁ ମୁକୁଳା ରଖାଯାଇ ନାହିଁ ବୋଲି ଭାରତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଲଣ୍ଡନ କୋର୍ଟରେ ଏକ ଭିଡିଓ ଉପସ୍ଥାପନ କରାଯାଇଛି।

କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଜେଲ କର୍ତ୍ତୃପକ୍ଷଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ମାସରେ କରାଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।