ତେଜିଲା କଂଗ୍ରେସ ବନାମ କଂଗ୍ରେସ କଳି: ଶିବଲଙ୍କୁ କାଉଣ୍ଟର କଲେ ଗେହଲଟ

ନୂଆଦିଲ୍ଲୀ: କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ତୀବ୍ର ହେବାରେ ଲାଗିଛି। ପ୍ରଥମେ ଦଳର ବରିଷ୍ଠ ନେତା କପିଲ ଶିବଲ ବିହାର ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏପରି କି ସେ ନେତୃତ୍ୱର ଅଭାବ କଥା ମଧ୍ୟ କହିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ଶିବଲଙ୍କୁ କାଉଣ୍ଟର କରିଛନ୍ତି। ଦଳର ଆଭ୍ୟନ୍ତରୀଣ ବ୍ୟାପାର କଥା ଗଣମାଧ୍ୟମ ଆଗରେ କହିବାର କୌଣସି ଆବଶ୍ୟକ ନାହିଁ ବୋଲି ସେ ଶିବଲଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ଗେହଲଟ ଟ୍ୱିଟ କରି କହିଛନ୍ତି, ଦଳର ଭିତିରି କଥାକୁ ଏଭଳି ଢଙ୍ଗରେ ଶିବଲ ଗଣମାଧ୍ୟମ ଆଗରେ କହିବା ଠିକ ନୁହେଁ। ଏଭଳି ବୟାନ ଦେବାର ଆବଶ୍ୟକ ମଧ୍ୟ ନଥିଲା। ତାଙ୍କର ଏହି ବୟାନ ଦେଶରେ ଥିବା କଂଗ୍ରେସର ଅଗଣିତ କର୍ମକର୍ତ୍ତାଙ୍କ ଭାବାବେଗକୁ ଆଘାତ ଦେଇଛି।

ପ୍ରତିଟି କଠିନ ସମୟରେ କଂଗ୍ରେସ ସୋନିଆ ଗାନ୍ଧିଙ୍କ ନୀତି, ଦଳର ଆଦର୍ଶ, ଯୋଜନା, କାର୍ଯ୍ୟକ୍ରମ ଦ୍ୱାରା ଆଗକୁ ବଢ଼ିଛି। ଆମେ ପୂର୍ବରୁ ମଧ୍ୟ ଅସାଧାରଣ ପରିସ୍ଥିତିରୁ ମୁକୁଳି ୨୦୦୪ରେ ସୋନିଆଜୀଙ୍କ ନେତୃତ୍ୱରେ ୟୁପିଏ ସରକାର ଗଠନ କରିଥିଲୁ। ଏଥର ମଧ୍ୟ ଆମେ ଖରାପ ସମୟରୁ ମୁକୁଳି ଆଗକୁ ବଢ଼ିବୁ ବୋଲି ଗେହଲଟ କହିଛନ୍ତି।

ବିହାର ନିର୍ବାଚନ ଓ ଉପ ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ଶିବଲ ସାଂଘାତିକ କଥା କହିଥିଲେ। ସେ କହିଥିଲେ ଯେ ବିହାର ନିର୍ବାଚନରେ ଦଳର ପ୍ରଦର୍ଶନ ଓ ବିଭିନ୍ନ ରାଜ୍ୟର ଉପ ନିର୍ବାଚନରେ ଏଯାବତ ପରାଜୟର କାରଣ କ’ଣ ସେକଥା କଂଗ୍ରେସର ଶୀର୍ଷ ନେତୃତ୍ୱ କହିନାହାନ୍ତି।

କେବଳ ବିହାରରେ ନୁହେଁ, ଦେଶର ଯେଉଁଠି ନିର୍ବାଚନ କିମ୍ୱା ଉପ-ନିର୍ବାଚନ ହେଉଛି ସେଠି କଂଗ୍ରେସକୁ ଆଉ ପ୍ରଭାବଶାଳୀ ବିକଳ୍ପ ଭାବେ ଲୋକମାନେ ଗ୍ରହଣ କରୁ ନାହାନ୍ତି। ବିହାରରେ ବିକଳ୍ପ ଭାବରେ ଆରଜେଡି ଲୋକଙ୍କ ବିଶ୍ୱାସ ଜିତିଛି । ଗୁଜରାଟ ଓ ମଧ୍ୟପ୍ରଦେଶ ଉପ ନିର୍ବାଚନରେ ହାରିଲୁ।

ଲୋକସଭା ନିର୍ବାଚନରେ ମଧ୍ୟ ଆମେ ଗୁଜରାଟରେ ଗୋଟିଏ ବି ଆସନ ଜିତିନଥିଲୁ। ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ବି କଂଗ୍ରେସର ସମାନ ଅବସ୍ଥା। ଆଶା କରୁଛି କଂଗ୍ରେସ ଆତ୍ମସମୀକ୍ଷା କରିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।