ବାବ୍ରୀ ମସଜିଦ ଭଙ୍ଗା ଘଟଣା: କ’ଣ ପାଇଁ ନିର୍ଦ୍ଦୋଷରେ ଖଲାସ ହୋଇଗଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଲକ୍ଷ୍ନୌ ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ସିବିଆଇ ୩୦୦ରୁ ଅଧିକ ସାକ୍ଷୀ ଓ ମସଜିଦ ଭଙ୍ଗା ଘଟଣାରେ ହୋଇଥିବା ଷଡ଼ଯନ୍ତ୍ର ସମ୍ପର୍କରେ ୬୦୦ରୁ ଅଧିକ ପୃଷ୍ଠାର ଦସ୍ତାବିଜ ଦାଖଲ କରିଥିଲେ। କୋର୍ଟ ଦୀର୍ଘ ୨୮ ବର୍ଷ ଧରି ମାମଲାର ଶୁଣାଣି କରିଥିଲେ ହେଁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ତେବେ ଆସନ୍ତୁ ରାୟ ଦେବେ ବେଳେ କ’ଣ ସବୁ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି କୋର୍ଟ

୧-ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଏସକେ ଯାଦବ ରାୟ ଶୁଣାଣି କହିଛନ୍ତି ଯେ ବାବ୍ରୀ ମସଜିଦକୁ ସେଠାରେ ଉପସ୍ଥିତ ଲୋକମାନେ ହଠାତ୍‌ ଭାଙ୍ଗି ଦେଇଥିଲେ। ଏହା ପଛରେ କୌଣସି ଷଡ଼ଯନ୍ତ୍ର ନଥିଲା।

୨- ବାବ୍ରୀ ମସଜିଦକୁ କିଛି ଅସାମାଜିକ ବ୍ୟକ୍ତି ଭାଙ୍ଗିଛନ୍ତି। ଘଟଣାରେ ଅଭିଯୁକ୍ତ ଭାବେ ରହିଥିବା ଲୋକଙ୍କର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷରେ ମସଜିଦ ଭାଙ୍ଗିବା ପଛରେ ହାତ ରହିବା ନେଇ କୌଣସି ପ୍ରମାଣ ମିଳିନାହିଁ।

୩-ଉକ୍ତ ପ୍ରକଳ୍ପ ଭିତରେ ରାମଲଲ୍ଲାଙ୍କ ପ୍ରତିମୂର୍ତ୍ତି ରହିଥିବାରୁ ଅଶୋକ ସିଂଘଲ ଓ ସଂଘ ପରିବାରର ଅନ୍ୟ ସଦସ୍ୟମାନେ ଏହାକୁ ଭଙ୍ଗା ଯିବା ବେଳେ ଅଟକାଇବାକୁ ଚେଷ୍ଟା କରିଥିଲେ।

୪-୧୯୯୨ ଡିସେମ୍ବର ୬ରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ପୂର୍ବରୁ ହିଁ ଗୁଇନ୍ଦା ବିଭାଗ ସୂଚନା ଦେଇ ସାରିଥିଲା। ହେଲେ ଏହାକୁ ଘଟଣା ଦିନ ଆଦୌ ଗୁରୁତ୍ୱର ଭାବେ ବିଚାରକୁ ନିଆଯାଇ ନଥିଲା।

୫-ମସଜିଦ ଭାଙ୍ଗିବା ଘଟଣାରେ ଅଭିଯୁକ୍ତମାନେ ସଂପୃକ୍ତ ଥିବାର କୌଣସି ବଳିଷ୍ଠ ପ୍ରମାଣ ମିଳିନାହିଁ।

୬-ଭିଡିଓ କ୍ୟାସେଟ ସିଲ୍‌ ହୋଇ ନଥିଲା ଓ ଭିଡିଓରେ ସ୍ପଷ୍ଟ ଭାବେ କିଛି ବି ଦେଖାଯାଉ ନାହିଁ। ତେଣୁ ଏହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।

୭- ସରକାରୀ ଓକିଲ କହିଛନ୍ତି ଯେ ଘଟଣାର ଗୋଟିଏ ଦିନ ପୂର୍ବରୁ ବିନୟ କଟାରିୟାଙ୍କ ଘରେ ବୈଠକ ବସିଥିଲା। ଏହିଠାରେ ହିଁ ମସଜିଦକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଏ ସମ୍ପର୍କରେ ଏକ ଭିଡିଓ କ୍ୟାସେଟ ମଧ୍ୟ ଦାଖଲ କରାଯାଇଥିଲା। ହେଲେ କୋର୍ଟ କହିଛନ୍ତି ଯେ ଭିଡିଓ କ୍ୟାସେଟରୁ ଷଡ଼ଯନ୍ତ୍ରକୁ ଠାବ କରିବା ସହଜ ନୁହେଁ। ଏଥିରେ ଷଡ଼ଯନ୍ତ୍ର ଥିବା ଭଳି ମନେହେଉନାହିଁ।

୮- ଫଟୋଗ୍ରାଫ ସମ୍ପର୍କରେ କୋର୍ଟ କହିଛନ୍ତି ଯେ ଏହାର ନେଗେଟିଭ ଉପଲବ୍ଧ ରହିଥିଲା। କିନ୍ତୁ ସିବିଆଇ ଏହାକୁ ଦାଖଲ କରିପାରି ନଥିଲା। ସେହିପରି ଘଟଣାର ଭିଡିଓକୁ ନକଲି ଭାବେ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ସିବିଆଇ ୬୫ ଏଭିଡିଏନ୍ସ ଆକ୍ଟକୁ ପାଳନ କରି ନଥିବା ଭଳି ମନେ ହେଉଛି। ଏହି କାରଣରୁ ହିଁ ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ହିଁ ନିର୍ଦ୍ଦୋଷରେ ଖଲାସ କରାଯାଉଛି।

୯-ଅଭିଯୁକ୍ତଙ୍କ ନାଁରେ ସିବିଆଇ ଲଗାଇଥିବା ଅଭିଯୋଗ ସଂକ୍ରାନ୍ତରେ କୌଣସି ଠୋସ ପ୍ରମାଣ ଦେଇପାରି ନାହିଁ।

୧୦-ଫଟୋ ଓ ଭିଡିଓ ପ୍ରମାଣ ଯୋଗ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି।