ଗଣଦୁଷ୍କର୍ମ ପାଇଁ ମହିଳାଙ୍କ ସନ୍ଧ୍ୟା ଭ୍ରମଣକୁ ଦାୟୀ କଲେ NCW ସଦସ୍ୟ

ବଦାଉଁ: ଦେଶକୁ ଦୋହଲାଇ ଦେଇଥିବା ଉତ୍ତର ପ୍ରଦେଶର ବଦାଉଁରେ ଜଣେ ୫୦ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପାଇଁ ଏନସିଡବ୍ଲ୍ୟୁର ଜଣେ ସଦସ୍ୟ ପୀଡ଼ିତାଙ୍କୁ ହିଁ ପରୋକ୍ଷରେ ଦାୟୀ କରିଛନ୍ତି। ମହିଳା ଜଣଙ୍କ ସନ୍ଧ୍ୟାରେ ଯଦି ବୁଲିବା ପାଇଁ ବାହାରକୁ ଯାଇ ନଥାଆନ୍ତେ, ତା’ହେଲେ ଗଣଦୁଷ୍କର୍ମ ଭଳି ଘଟଣା ଘଟି ନଥାଆନ୍ତା ବୋଲି ଏନସିଡବ୍ଲ୍ୟୁର ଜଣେ ସଦସ୍ୟ ଆଜି କହିଛନ୍ତି।

ରବିବାର ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଥିବା ଜଣେ ୫୦ ବର୍ଷୀୟ ମହିଳା ସନ୍ଧ୍ୟା ସମୟରେ ସ୍ଥାନୀୟ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ଏହି ସମୟରେ ମନ୍ଦିରର ଜଣେ ପୂଜକ ଓ ତାଙ୍କର ଦୁଇ ଶିଷ୍ୟ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏପରି କି ପୂଜକ ରୂପୀ ପିଶାଚ ଓ ସହଯୋଗୀ ମହିଳାଙ୍କ ଗୁପ୍ତାଙ୍ଗରେ ରଡ୍ ପୂରାଇ ଦେଇଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା।

ଆଜି ସିଡବ୍ଲ୍ୟୁସିର ସଦସ୍ୟମାନେ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରେ ଥିବା ଏନସିଡବ୍ଲ୍ୟୁ ସଦୃସ ଚନ୍ଦ୍ରମୁଖୀ କହିଛନ୍ତି, “ଯଦି ମହିଳା ଜଣଙ୍କ କାହା ଚାପରେ ଥିଲେ, ତା’ହେଲେ ଏଥିପ୍ରତି ସେ ସତର୍କ ରହିବାର ଥିଲା। ସେ ସମୟକୁ ବୁଝିବା ଦରକାର ଥିଲା ଓ ସନ୍ଧ୍ୟାରେ ବୁଲିବାର ନଥିଲା। ସନ୍ଧ୍ୟାରେ ଯଦି ମହିଳା ଜଣଙ୍କ ଏକାକୀ ବାହାରକୁ ଯାଇ ନଥାଆନ୍ତେ କିମ୍ବା ପରିବାର ଲୋକଙ୍କ ସହ ଯାଇଥାଆନ୍ତେ, ତା’ହେଲେ ଏହି ଘଟଣାରୁ ରକ୍ଷା ପାଇଯାଇଥାଆନ୍ତେ।”

ସନ୍ଧ୍ୟାରେ ବାହାରକୁ ଯାଇଥିବାରୁ ମହିଳା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ଏନସିଡବ୍ଲ୍ୟୁର ଜଣେ ସଦସ୍ୟ ବୟାନ ଦେବା ଘଟଣାକୁ ନେଇ ବିବାଦ ଦେଖା ଦେଇଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଏନସିଡବ୍ଲ୍ୟୁ ମୁଖ୍ୟ ରେଖା ଶର୍ମା କହିଛନ୍ତି, ସଦସ୍ୟ ଜଣଙ୍କ କାହିଁକି ଏମିତି ବୟାନ ଦେଲେ, ସେକଥା ମୁଁ ଜାଣିନାହିଁ। ମହିଳାମାନେ ନିଜ ଇଚ୍ଛା ଅନୁସାରେ ଯେତେବେଳେ ଚାହିଁବେ ଓ ଯୁଆଡ଼େ ଚାହିଁବେ ବୁଲି ପାରିବେ। ସେମାନଙ୍କୁ କେହି ବି ଅଟକାଇ ପାରିବେ ନାହିଁ। ସମାଜ ଓ ରାଜ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଦରକାର।

ସୂଚନାଯୋଗ୍ୟ, ମହିଳା ଜଣଙ୍କ ରବିବାର ସନ୍ଧ୍ୟା ୬ଟାରେ ମନ୍ଦିରକୁ ଯାଇଥିଲେ। ହେଲେ ୨ରୁ ୩ ଘଣ୍ଟା ବିତି ଯାଇଥିଲେ ହେଁ ସେ ଘରକୁ ଫେରି ନଥିଲେ। ଶେଷରେ ପରିବାର ଲୋକ ପୁଲିସ୍‌ ଷ୍ଟେସନ ଯାଇଥିଲେ। ତେବେ ସେଠାରୁ ସେମାନଙ୍କ ଅଭିଯୋଗକୁ କେହି ବି ଗୁରୁତ୍ୱ ଦେଇ ନଥିଲେ।

ରାତି ପ୍ରାୟ ୧୧.୩୦ରେ ୩ ଜଣ ଲୋକ ମହିଳାଙ୍କୁ ତାଙ୍କ ଘର ଆଗରେ ଫୋପାଡ଼ି ଫେରାର ହୋଇଯାଇଥିଲେ। ମହିଳାଙ୍କୁ ସେହି ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।