କ୍ଷମା ମାଗିଲେ କ୍ରିକେଟର ସାକିବ-ଅଲ ହାସନ

ଢାକା: ବାଂଲାଦେଶର ଷ୍ଟାର କ୍ରିକେଟର ସାକିବ ଅଲ ହାସନ ବିବାଦ ପରେ ବାଧ୍ୟ ହୋଇ କ୍ଷମା ମାଗିଛନ୍ତି। ଭାରତରେ ଆୟୋଜିତ ଏକ ହିନ୍ଦୁ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିବାରୁ ତାଙ୍କୁ ଧମକଚମକ ମିଳିବାରେ ଲାଗିଥିଲା। କିଛିଦିନ ତଳେ ସେ କୋଲକାତାରେ ଆୟୋଜିତ ହିନ୍ଦୁ ଧର୍ମର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହାକୁ ନେଇ ବାଂଲାଦେଶରେ ସାକିବଙ୍କ ବିରୋଧରେ ଜନଅସନ୍ତୋଷ ଦେଖାଦେଇଥିଲା। ବାଂଲାଦେଶର ମୌଲବୀମାନେ ସାକିବଙ୍କୁ ମଧ୍ୟ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ଲୋକ ଅନ୍ୟ ଧର୍ମର କାର୍ଯ୍ୟକ୍ରମରେ ଯୋଗଦେବା ଠିକ୍‌ ନୁହେଁ। ସେହିପରି କିଛି ଲୋକ ମଧ୍ୟ ସାକିବଙ୍କୁ ମୁଣ୍ଡକାଟ ପାଇଁ ମଧ୍ୟ ଧମକ ଦେଇଥିଲେ। ଫେସବୁକ ଲାଇଭ ବେଳେ ଜଣେ ବ୍ୟକ୍ତି ସାକିବଙ୍କୁ ଧମକ ଦେଇ ଗିରଫ ମଧ୍ୟ ହୋଇଥିଲେ।

ଏହାକୁ ନେଇ ବିବାଦ ହେବାରୁ ସାକିବ କହିଛନ୍ତି, “ମୁଁ କେବଳ ୨ ମିନିଟ୍ ପାଇଁ ଷ୍ଟେଜରେ ରହିଥିଲି। ଲୋକମାନେ ଏହାକୁ ନେଇ କେତେ କ’ଣ କହୁଛନ୍ତି ଓ ମୁଁ କାର୍ଯ୍ୟକ୍ରମକୁ ଉଦଘାଟନ କରିଛି ବୋଲି ମତ ଦେଇଛନ୍ତି। ମୁଁ କେବେ ହେଲେ ଏମିତି କରିନାହିଁ। ମୁଁ ଜଣେ ସଚ୍ଚା ମୁସଲିମ ହୋଇଥିବାରୁ କେବେ ହେଲେ ଏମିତି କରିପାରିବି ନାହିଁ।

କିନ୍ତୁ ମୁଁ ବୋଧେ ସେଠାକୁ ଯିବାର ନଥିଲା। ଏଥିପାଇଁ ମୁଁ ଦୁଃଖିତ ଓ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗୁଛି। ମୁଁ ଇସଲାମକୁ ମାନୁଥିବାରୁ ଏହାର ନୀତି ନିୟମ ଅନୁସାରେ ସବୁ କରେ। ଯଦି ମୁଁ କିଛି ଭୁଲ କରିଛି, ତା’ହେଲେ ମୋତେ ଦୟା କରି କ୍ଷମା କରି ଦିଅନ୍ତୁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।