ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିଲା ବିଜେପି, ୧୧୫ ଆସନରେ ଲଢ଼ିବ ଜେଡିୟୁ

ପାଟନା: ଯାହା ଆଶା କରାଯାଉଥିଲା ସେଇଆ ହେଲା। କେନ୍ଦ୍ରରେ ଏନଡିଏର ସହଯୋଗୀ ଥିବା ରାମ ବିଲାଶ ପାଶ୍ୱାନଙ୍କ ଏଲଜେପି କଥାକୁ ଗୁରୁତ୍ୱ ଦେଇନି ବିଜେପି। ଏଲଜେପିର ବିରୋଧ ସତ୍ତ୍ୱେ ବିଜେପି ବିହାରରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିଛି।

ପୂର୍ବରୁ ବିଜେପି ଏପରି କରିବ ବୋଲି ସଙ୍କେତ ଦେଇଥିଲା। ଏହି କାରଣରୁ ଚଳିତ ବିଧାନସଭା ନିର୍ବାଚନରେ ଏଲଜେପି ଏକାକୀ ପ୍ରାର୍ଥୀ ଦେବ। କିନ୍ତୁ ଦଳ କେବଳ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ବିଜେପିକୁ ପୂର୍ବଭଳି ସମର୍ଥନ କରିବ।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପି ଓ ଜେଡିୟୁ ମିଳିତ ଭାବେ ସିଟ୍‌ ଶେୟାରିଂ ସମ୍ପର୍କରେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ବିଜେପି ଭାଗରେ ୧୨୧ ଓ ଜେଡିୟୁ ଭାଗରେ ୧୨୨ଟି ଆସନ ପଡ଼ିଛି। ନିଷ୍ପତ୍ତି ଅନୁଯାୟୀ, ଜେଡିୟୁ ତା ଭାଗରୁ ଜିତେନ ରାମ ମାଂଝିଙ୍କ ଏଚଏଏମକୁ ୭ଟି ଆସନ ଦେବ। ଏହାର ଅର୍ଥ ଦଳ ୧୧୫ଟି ଆସନରେ ନିଜର ନେତାମାନଙ୍କୁ ଟିକେଟ ଦେବ। ବିଜେପି ମଧ୍ୟ ତା’ ଭାଗରୁ ଏନଡିଏ ମେଣ୍ଟରେ ଥିବା ବିକାଶଶୀଳ ଇନସାନ ପାର୍ଟିକୁ କିଛି ଆସନ ଛାଡ଼ିବ ବୋଲି ନୀତୀଶ କୁମାର କହିଛନ୍ତି।

ବିଜେପିର ବିହାର ମୁଖ୍ୟ ସଞ୍ଜୟ ଜୈସୱାଲ କହିଛନ୍ତି, ବିହାରରେ ନୀତୀଶ କୁମାର ଆମର ନେତା। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ସେହିପରି କେନ୍ଦ୍ରରେ ଏଲଜେପି ଆମର ସହଯୋଗୀ। ଆମ ଦଳ ନୀତୀଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବ। ଏଲଜେପି ସହ ଆମର କୌଣସି ପ୍ରକାରର ଭିତିରି ବୁଝାମଣା ନାହିଁ।

ଯିଏ କିଏ ବି ବିହାରରେ ନୀତୀଶ କୁମାରଙ୍କୁ ବିରୋଧ କରିବ ବା ଚ୍ୟାଲେଞ୍ଜ କରିବ, ସିଏ ଏନଡିଏର ସଦସ୍ୟ ନୁହେଁ ବୋଲି ବିଚାର କରାଯିବ। ନିର୍ବାଚନ ଯେଉଁ ଦଳ ବି ଅଧିକ ଆସନ ଜିତିଲେ ମଧ୍ୟ ନୀତୀଶ କୁମାର ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।