ଲଭ୍‌ ଜିହାଦକୁ ରୋକିବା ପାଇଁ ଆସିବ ବିଲ୍‌, ରହିବ ୫ ବର୍ଷର ଜେଲ ବ୍ୟବସ୍ଥା

ଭୋପାଲ: ମଧ୍ୟପ୍ରଦେଶରେ ଲଭ ଜିହାଦକୁ ରୋକିବା ପାଇଁ ନୂଆ ଆଇନ ପ୍ରଣୟନ କରିବ କ୍ଷମତାସୀନ ବିଜେପି ସରକାର। ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଇନ ଆଣିବେ ବୋଲି କହିଥିବା ବେଳେ ଆଜି ଏକଥାକୁ ଦୋହରାଇଛନ୍ତି ରାଜ୍ୟ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର।

ସେ କହିଛନ୍ତି, ଲଭ ଜିହାଦକୁ ରୋକିବା ପାଇଁ ଆସନ୍ତା ବିଧାନସଭା ଅଧିବେଶନ ବେଳେ ସ୍ୱତନ୍ତ୍ର ବିଲ ଅଣାଯିବ। ଲଭ ଜିହାଦରେ ସାମିଲ ହେଉଥିବା ଲୋକଙ୍କୁ ୫ ବର୍ଷର ସଶ୍ରମ ଜେଲଦଣ୍ଡ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ମଧ୍ୟପ୍ରଦେଶ ଧର୍ମ ସ୍ୱତନ୍ତ୍ର ବିଧେୟକ ଜରିଆରେ ମଧ୍ୟ ପ୍ରଦେଶରେ ଲଭ ଜିହାଦକୁ ରୋକିବା ପାଇଁ ବିଲ ଅଣାଯିବ। ଆସନ୍ତା ବିଧାନସଭା ଅଧିବେଶନରେ ଏହାକୁ ଗୃହରେ ଉପସ୍ଥାପନ କରାଯିବ। ଜବରଦସ୍ତି ବିବାହ ଓ ଜବରଦସ୍ତି ଧର୍ମାନ୍ତୀକରଣ କରୁଥିବା ଲୋକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା ଏହି ବିଲରେ କରାଯାଇଛି।

ସେହିପରି ଏହି ଅପରାଧ ସମ୍ପର୍କରେ ନିଜ ଆଡ଼ୁ ମାମଲା ରୁଜୁ କରାଯାଇ ପାରିବ ଓ ଜାମିନ ମିଳିବ ନାହିଁ। ସେହିପରି ଜବରଦସ୍ତି ବିବାହ ଓ ଧର୍ମ ପରିବର୍ତ୍ତନକୁ ଅବୈଧ ଘୋଷଣା କରିବାର ବ୍ୟବସ୍ଥା ଏହି ବିଲ୍‌ରେ ରହିବ। ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ବିବାହ କରିବାକୁ ଚାହୁଁଥିବା ଲୋକମାନେ ଗୋଟିଏ ମାସ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଅବଗତ କରାଇବେ। ଏଥିପାଇଁ ଉଭୟ ପକ୍ଷର ସହମତି ଦରକାର ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।