ବିଦେଶିନୀଙ୍କ ଠାରୁ ଜନ୍ମିତ ବ୍ୟକ୍ତି କେବେ ଦେଶପ୍ରେମୀ ହୋଇପାରିବେନି: ପ୍ର‍‍‍‍ଜ୍ଞା ଠାକୁର

ଭୋପାଲ: ଚାଇନା ବିବାଦ ପ୍ରସଙ୍ଗରେ ସରକାରଙ୍କୁ ଘେରୁଥିବା କଂଗ୍ରେସକୁ ତେରେଚ୍ଛା ବାଣ ମାରିଛନ୍ତି ବିଜେପିର ଭୋପାଲ ସାଂସଦ ପ୍ରଜ୍ଞା ଠାକୁର। ସେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ବିଦେଶୀ କାର୍ଡ ଖେଳିଛନ୍ତି। ସେ କହିଛନ୍ତି, ଯେଉଁ ବ୍ୟକ୍ତି ଜଣେ ବିଦେଶିନୀଙ୍କ ଠାରୁ ଜନ୍ମିତ ସେ କଣ ଦେଶ ପ୍ରେମ ଜଣିବ ବୋଲି ପ୍ରଜ୍ଞା ଠାକୁର ପ୍ରଶ୍ନ କରିଛନ୍ତି।

ରବିବାର ଦିନ ପ୍ରଜ୍ଞା ଠାକୁର ଗାନ୍ଧି ପରିବାର ଓ କଂଗ୍ରେସ ପାର୍ଟିକୁ ଦେଶପ୍ରେମ ଏବଂ ନୈତିକତା ଜଣା ନଥିବା କହିଛନ୍ତି। ଚାଣକ୍ୟଙ୍କ ଉଦାହରଣ ଦେଇ କହିଛନ୍ତି ଯେ ମାଟିର ପୁଅହିଁ ଦେଶକୁ ରକ୍ଷା କରେ। ବିଦେଶିନୀଙ୍କ ଠାରୁ ଜନ୍ମ ନେଇଥିବା ବ୍ୟକ୍ତିକୁ ଦେଶପ୍ରେମ କିପରି ଜଣା ହେବ? ସେ ଆହୁରି କହିଛନ୍ତି ଯେ ଦୁଇଟି ଦେଶର ନାଗରିକତ୍ୱ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମନରେ ଦେଶପ୍ରେମ ଜାତ ହୋଇପାରିବନି। କଂଗ୍ରେସ ଦଳ କିପରି ଓ କ’ଣ କହିବେ ଜାଣନ୍ତି ନାହିଁ। ଦଳ ଦେଶପ୍ରେମ ଓ ନୈତିକତା ବିଷୟରେ ଜାଣିନାହିଁ ବୋଲି ସେ କହିଛନ୍ତି।

ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ରଖିଛି। ସାଂସଦ ପଦରେ ରହି ଏହାକୁ ଅପମାନ କରିଛନ୍ତି।  ସେ ଆତଙ୍କବାଦ ମାମଲାରେ ମଧ୍ୟ ଜଡ଼ିତ ଥିଲେ। ଏବେ ସେ ମାନସିକ ସ୍ଥିତି ହରାଇ ସାରିଛନ୍ତି। ବିଜେପି ତାଙ୍କୁ ଚିକିତ୍ସା କରିବା ଉଚିତ ବୋଲି ମଧ୍ୟପ୍ରଦେଶର କଂଗ୍ରେସ ମୁଖପାତ୍ର ଜେପି ଧାନୋପିଆ କହିଛନ୍ତି।

ଶୁକ୍ରବାର ଦିନ ଚାଇନା ବିବାଦକୁ ନେଇ ରାହୁଲ ଗାନ୍ଧି ଟ୍ୱିଟରରେ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ଏହାକୁ ନେଇ ପ୍ରଜ୍ଞା ଠାକୁର ଏପରି ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।