ମୁମ୍ବାଇରେ ବିଜୁଳି ଯୋଗାଣ ବନ୍ଦ, ଟ୍ରାଫିକ ସିଗ୍ନାଲ ଠାରୁ ଆରମ୍ଭ କରି ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଜୁଳି ଗ୍ରୀଡ ଫେଲ ହୋଇଯିବାରୁ ମୁମ୍ବାଇର ଅଧିକାଂଶ ସହରରେ ଏବେ ଅନ୍ଧାରରେ ରହିଛନ୍ତି। ଖାଲି ସେତିକି ନୁହେଁ, ବିଜୁଳି ସରବରାହ ବନ୍ଦ ଯୋଗୁ ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ଟ୍ରାଫିକ ସିଗ୍ନାଲ ଓ ସିସିଟିଭ ସର୍ଭର ଡାଉନ ହୋଇଯାଇଛି।

ମୁମ୍ବାଇରେ ବିଜୁଳି ବିଭ୍ରାଟ କଥାକୁ ବ୍ରିହାନମୁମ୍ବାଇ ଇଲେକ୍ଟ୍ରିସିଟି ସପ୍ଲାଏ ଓ ଟ୍ରାନ୍ସପୋର୍ଟ(ବିଇଏସ୍‌ଟି) ସ୍ୱୀକାର କରିଛି। ବିଇଏସ୍‌ଟି କହିଛି ଯେ ଟାଟା ପକ୍ଷରୁ ସହରକୁ ବିଜୁଳି ଯୋଗାଣ ହୋଇଥାଏ। କିନ୍ତୁ ଟାଟାରୁ ଆସୁଥିବା ବିଜୁଳି ଯୋଗାଣ ଗ୍ରୀଡ୍‌ ଫେଲ ହୋଇଯାଇଛି। ଏହି କାରଣରୁ ଦିନ ୧୦ଟା ପରଟଠାରୁ ବିଭିନ୍ନ ସ୍ଥାନରେ ବିଜୁଳି ସରବରାହ ବନ୍ଦ ହୋଇଯାଇଛି।

ବିଜୁଳି ସରବରାହ ବନ୍ଦ ଥିବା ମୁମ୍ବାଇର ଦକ୍ଷିଣ, କେନ୍ଦ୍ରୀୟ ଓ ନର୍ଥନ ଅଞ୍ଚଳରେ ରହୁଥିବା ଲୋକମାନେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଦିନ ୧୦ଟା ପରଠାରୁ ମୁମ୍ବାଇ ଓ ଥାନେ ସମେତ କୋଲାବା, ମାହିମ ଓ ବାନ୍ଦ୍ରାରେ ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି। କଲୱାରେ ଥିବା ଟାଟାର ସେଣ୍ଟ୍ରାଲ ଗ୍ରୀଡ୍‌ ଫେଲ ହୋଇଯାଇଛି। ଏହାକୁ ଠିକ୍‌ କରିବା ପାଇଁ ଉଦ୍ୟମ ଚାଲିଛି। ଘଣ୍ଟାଲରୁ ଦେଢ଼ ଘଣ୍ଟା ମଧ୍ୟରେ ପୁଣି ବିଜୁଳି ଯୋଗାଣ ଆରମ୍ଭ ହେବ ବୋଲି ୧୧.୦୮ରେ ବିଇଏସ୍‌ଟି ପକ୍ଷରୁ ସୂଚନା ଦିଆଯାଇଛି।

ବିଜୁଳି ବିଭ୍ରାଟ ଯୋଗୁ ମେଟ୍ରୋ ଟ୍ରେନ ଚାଲି ପାରୁନାହିଁ। ସେହିପରି ଚର୍ଚ୍ଚ ଗେଟ ଓ ବୋରିଭାଲି ମଧ୍ୟରେ ଚାଲୁଥିବା ଟ୍ରେନକୁ ବର୍ତ୍ତମାନ ବାତିଲ କରିଦିଆଯାଇଛି। ବିଜୁଳି ଯୋଗାଣ ଆରମ୍ଭ ହେବା କ୍ଷଣି ଏହା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ବିଜୁଳି ଯୋଗାଣ ବନ୍ଦ ହୋଇଯିବାରୁ କିଛି ଟ୍ରେନ୍‌ ଟ୍ରାକ୍‌ରେ ହିଁ ଅଟକି ଯାଇଥିଲା। ଏହି କାରଣରୁ ଲୋକମାନେ ଟ୍ରାକ୍‌ରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି।

ସହରର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଓ ଟ୍ରାଫିକ ସିଗ୍ନାଲ ମଧ୍ୟ ଡାଉନ ହୋଇଯାଇଛି। ଏହି କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ତେବେ ଲୋକଙ୍କୁ ଆତଙ୍କିତ ନ ହୋଇ ଧୈର୍ଯ୍ୟ ରଖିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।