ତଥ୍ୟ ଚୋରି: କ୍ୟାମ୍ବ୍ରିଜ ଆନାଲିଟିକ ଓ ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ: ଲକ୍ଷଲକ୍ଷ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ଘଟଣାରେ ଫସିଥିବା ବ୍ରିଟେନରେ ଅବସ୍ଥିତ କନସଲଟିଂ ଫାର୍ମ ଓ ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚର ଅଡ଼ୁଆ ବଢ଼ିଛି। ଆଜି ତଥ୍ୟ ଚୋରି ଅଭିଯୋଗରେ ଏହି ଦୁଇ କମ୍ପାନୀ ନାଁରେ ସିବିଆଇ ମାମଲା ରୁଜୁ କରିଛି। ଏହି ଦୁଇ କମ୍ପାନୀ ବେଆଇନ ଭାବେ ଫେସବୁକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗ ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ କମ୍ପାନୀ “thisisyourdigitallife” ନାଁରେ ଗୋଟିଏ ଆପ୍‌ ଖୋଲିଥିଲା। ଏହି ଆପ୍‌ଟି ଫେସବୁକ ମଧ୍ୟ ଅନୁମତି ଦେଇଥିଲା। ୨୦୧୪ରେ ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ନିଜ ଆପ୍‌ ଜରିଆରେ ଫେସବୁକ ବ୍ୟବହାରୀଙ୍କ ତଥ୍ୟକୁ ରିସର୍ଚ୍ଚ ଓ ଏକାଡେମିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିବା ଜଣାପଡ଼ିଛି। ତଥ୍ୟ ହାସଲ କରିବା ପରେ ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ନିଜ ବେପାରକୁ ବଢ଼ାଇବା ପାଇଁ କ୍ୟାମ୍ବ୍ରିଜ ଆନାଲିଟିକା ସହ ହାତ ବଢ଼ାଇ ଥିଲା।

ଫେସବୁକ ବ୍ୟବହାରୀଙ୍କ ତଥ୍ୟକୁ ସେ ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ କ୍ୟାମ୍ବ୍ରିଜ ଆନାଲିଟିକାକୁ ଦେଇଥିଲା। ଫେସବୁକ ୨୦୧୬-୧୭ରେ ଉଭୟ କମ୍ପାନୀ ଠାରୁ ପ୍ରମାଣପତ୍ର ଆଣି ସବୁ ତଥ୍ୟକୁ ଧ୍ୱଂସ କରି ଦେଇଥିବା ଦାବି ହୋଇଛି। କିନ୍ତୁ ସିବିଆଇ ତଦନ୍ତ ବେଳେ ତଥ୍ୟ ଧ୍ୱଂସ କରାଯାଇଥିବା ସମ୍ପର୍କରେ କୌଣସି ବି ପ୍ରମାଣ ମିଳିନାହିଁ।

ସିବିଆଇ କହିଛି ଯେ ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ପ୍ରସ୍ତୁତ କରିଥିବା “thisisyourdigitallife” ଆପ୍‌ ଜରିଆରେ ଲୋକଙ୍କ ତଥ୍ୟ ହାସଲ କରୁଥିଲା। ଏପରି କି ଆପ୍‌ ବ୍ୟବହାର କରୁଥିବା ଲୋକଙ୍କ ଫେସବୁକ ବନ୍ଧୁଙ୍କ ତଥ୍ୟ ମଧ୍ୟ କମ୍ପାନୀ ବେଶ ସହଜରେ ପାଇ ଯାଉଥିଲା। ୨୦୧୮ ଏପ୍ରିଲ ମାସରେ ଫେସବୁକ ସ୍ୱୀକାର କରିଥିଲା ଯେ ଭାରତର ୫.୬୨ ଲକ୍ଷ ଲୋକ ତଥ୍ୟ ଚୋରିର ସମ୍ମୁଖୀନ ହୋଇଛନ୍ତି। ଫେସବୁକର ଏହି ବୟାନ ପରେ ଭାରତ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଠାରୁ ତଥ୍ୟ ହାସଲ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ଏବେ ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ କ୍ୟାମ୍ବ୍ରିଜ ଆନାଲିଟିକ ଓ ଗ୍ଲୋବାଲ ସାଇନ୍ସ ରିସର୍ଚ୍ଚ ବିରୋଧରେ ମାମଲା ରୁଜୁ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।