ମୁଖ୍ୟମନ୍ତ୍ରୀଙ୍କ ଓଏସଡିଙ୍କୁ ସିବିଆଇର ଘନଘନ ଜେରା

ଜୟପୁର: ରାଜସ୍ଥାନର ରାଜନୀତିକ ସଙ୍କଟ ମଧ୍ୟରେ ହଠାତ୍‌ ସକ୍ରିୟ ହୋଇ ଉଠିଛି ସିବିଆଇ। ମେ’ ମାସରେ ଜଣେ ପୁଲିସ୍‌ ଅଧିକାରୀଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣାରେ ଆଜି ସିବିଆଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଓଏସ୍‌ଡିଙ୍କୁ ଘନଘନ ଜେରା କରିଛି। ଗତକାଲି କଂଗ୍ରେସ ବିଧାୟକ କ୍ରିଷ୍ଣା ପୁନିଆଙ୍କୁ ବି ସିବିଆଇ ଜେରା କରିଥିଲା। ଏତିକିରେ ମନ ନ ବୁଝିବାରୁ ଆଜି ଆଉ ଗୋଟିଏ ରାଉଣ୍ଡ ଜେରା ପାଇଁ ସିବିଆଇ ତାଙ୍କୁ ଡାକରା ପଠାଇଛି।

ଓଏସଡି ଦେବ ରାମ ସାଇନିଙ୍କୁ ସିବିଆଇ ନୋଟିସ୍‌ କରି ଜୟପୁର ସ୍ଥିତ ଅଫିସରକୁ ଡାକିଥିଲା। ସେଠାରେ ତାଙ୍କୁ ଦୀର୍ଘ ୨ ଘଣ୍ଟା ଧରି ଜେରା କରିଥିଲା। ଦିଲ୍ଲୀରୁ ସିବିଆଇର ସ୍ପେଶାଲ କ୍ରାଇମ ୟୁନିଟ୍‌ ମେ’ ମାସରେ ଆତ୍ମହତ୍ୟା କରିଥିବା ପୁଲିସ୍‌ ଅଧିକାରୀଙ୍କ ଘଟଣାର ତଦନ୍ତ କରୁଛି। ଏଥିପାଇଁ ଉକ୍ତ ଟିମ୍‌ ଜୟପୁର ଆସି ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବୟାନ ରେକର୍ଡ କରୁଛି।

ମେ’ ୨୩ରେ ପୁଲିସ୍‌ ଅଧିକାରୀ ବିଷ୍ଣୁଦତ୍ତ ବିଷ୍ଣୋଇଙ୍କ ମୃତଦେହ ତାଙ୍କ ଚୁରୁ ଜିଲ୍ଲା ସ୍ଥିତ ସରକାରୀ ବାସଭବନରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲେ ହେଁ ଏହା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଥିଲ। ଏହି କାରଣରୁ ଗତ ମାସରେ ରାଜସ୍ଥାନ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ